Unknown

 

 

 

 

 

 

 

 

 

 

 

ମାତ୍ର ଏତିକି

ଶ୍ରୀ ପ୍ରଫୁଲ୍ଲ ନାୟକ

 

ମାତ୍ର ଏତିକି

 

ଜଣେ ପତ୍ରିକା ସମ୍ପାଦକ ମନ୍ତବ୍ୟ ଦେଲେ, ଲେଖିବାପାଇଁ ମୋର ‘କଲଚର’ କମ୍‌ । ଯେଉଁମାନେ ଓଡ଼ିଶାର କ୍ଷେତରେ ଗହମକେଣ୍ଡାର ସ୍ୱପ୍ନ ଦେଖନ୍ତି, ପୂର୍ଣ୍ଣ ପ୍ରାଚୁର୍ଯ୍ୟରେ କ୍ଳାନ୍ତ ହୋଇ ପରିଶେଷରେ ଜୀବନ ପ୍ରତି ବିତୃଷ୍ଣାଭାବ ପୋଷଣ କରି ‘ହିପ୍‌ପି’ ସଂପ୍ରଦାୟ ସୃଷ୍ଟି କରନ୍ତି, ମରଣକୁ ବିଶ୍ଳେଷଣ କରିବାପାଇଁ ଆତ୍ମହତ୍ୟାରେ ଆନନ୍ଦ ପା’ନ୍ତି, ସେମାନଙ୍କୁ ଚରିତ୍ର କରି କାହାଣୀ ଲେଖିବାରେ ଯେତେ ବାହାଦୁରୀ, ନିଜ ମାଟିର କଥା କହି ମୌଳିକତା ରକ୍ଷା କରିବା ବୋଧହୁଏ ସେତିକି ଅପରାଧ । ଅନେକ ପଢ଼ିଛି, ଅନେକ ଅନୁଧ୍ୟାନ କରିଛି, ବିଶ୍ଳେଷଣ କରିଛି, ବିଶ୍ଳେଷଣ କରିଛି; ତଥାପି ‘କଲ୍‌ଚର’ କଣ, ମୋ ପକ୍ଷରେ ଦୁର୍ବୋଧ୍ୟ ହୋଇ ରହିଯାଇଛି; ନ ଜାଣିପାରି କ୍ଷମା ମାଗୁଛି ।

 

ଭାବନାର ଚୌହଦୀରେ ଜାଲ ପାତି, ଏକାଗ୍ରତା ନେଇ ଜଗି ରହିବାବେଳେ ଯୋଉ ଚରିତ୍ରମାନେ ଧରାଦିଅନ୍ତି, ସେଇମାନଙ୍କୁ କେବଳ କଲମ ମୁନରେ ଟାଣି ରଖିଛି । ସେଇମାନେ ମୋ କାହାଣୀର ପିଞ୍ଜରାବଦ୍ଧ । ତାଙ୍କରି ଛାଇ, ତାଙ୍କରି ହସ ଓ କାନ୍ଦ, ତାଙ୍କରି ଭଲମନ୍ଦ ଉପରେ ଭରସା ରଖି ଏଗାରଟି ଉପନ୍ୟାସ ଏବଂ ଅନେକ ଗଳ୍ପ ଲେଖିଛି । ଯେଉଁମାନଙ୍କ ପାଇଁ ଲେଖିଛି, ସେମାନେ ସାଦରେ ଗ୍ରହଣ କରିଛନ୍ତି । ଗାଣିତିକ ସୂତ୍ର ଅନୁଯାୟୀ ସେମାନେ କିମ୍ୱା ମୁଁ, କିଏ ଅଧିକ ଲାଭବାନ ହୋଇଛନ୍ତି, ଫଳ କଷିଲାବେଳେ ମୋ ପାଇଁ ସାଧନା, ଶ୍ରମ ଓ କ୍ଳାନ୍ତିର ଅବଶେଷ ରହିଯାଇଛି ଏବଂ ସେମାନେ ପାଇଛନ୍ତି ହର୍ଷ, ଆହ୍ଲାଦ, ଆବେଗ ଏବଂ ଉତ୍କଣ୍ଠା । ଆହୁରି ପାଇବାପାଇଁ ଚାହିଁଛନ୍ତି । ଏଇ ମାଟିରୁ ଉଠେଇନେଇ ତାଙ୍କ ହାତରେ ଥରକୁ ଥର ଟେକିଦେଇଛି । ଆମର ଯୋଗସୂତ୍ର ଅନେକ ନିବିଡ଼ ।

 

ଏଥର ଚିନ୍ତାର ବ୍ୟାଧି–ଜାଲରେ ଧରାପଡ଼ିଛନ୍ତି ରବି ଦାସ । ଦେହରୁ ଲହୁ ନିଗାଡ଼ି ଏ ଦେଶର ସ୍ୱାଧୀନତା ସେ କିଣିଥିଲେ । ଯୋଉମାନଙ୍କ ହାତରେ ଦାୟିତ୍ୱ ଦେଇଗଲେ, ସେମାନେ ସୁରକ୍ଷା ଦିଗରେ କେତେଦୂର ସଫଳ ହେଲେ, ସେଇକଥା ଲେଖିଲି–କାହା ପ୍ରତି ଆକ୍ଷେପ ନୁହେଁ ।

 

ମାତ୍ର ଏତିକି

ପ୍ରଫୁଲ୍ଲ ନାୟକ

Image

 

ମାତ୍ର ଏତିକି

 

ରୁଚି ଚାଲିଗଲା ।

 

ଅଟୋମେଟିକ୍‌ ଦରଜା ଛାଏଁ ବନ୍ଦ ହୋଇଗଲା ।

 

ସୂର୍ଯ୍ୟକାନ୍ତର ମନେହେଲା, ଏଇ ଛୋଟ କୋଠରୀ ଭିତରେ ରୁଚି ଯେମିତି ଅନେକ କିଛି ଉପାଦାନ ଛାଡ଼ିଦେଇ ଚାଲିଗଲା ।

 

ଅନେକ ଅବସାଦ, ଅନେକ କ୍ଲାନ୍ତି ।

 

ମନେ ମନେ ଖୋଜିବସିଲା ସୂର୍ଯ୍ୟକାନ୍ତ ।

 

ରୁଚି ଯେମିତି ତା’ ବୟସର କିଛି ସୌରଭ ଆଉ ହସର କିଛି ନିର୍ଯ୍ୟାସ ଏଇ ନିଭୃତ କୋଠରୀ ଭିତରେ ଛାଡ଼ିଯାଇଛି । ପବନରେ ମିଶିରହିଛି ତା’ କଣ୍ଠର କ୍ଷୀଣ ଭାଷା ।

 

ତା’ କପାଳରେ ଦପ୍‌ ଦପ୍‌ ହୋଇ ଜଳୁଥିଲା । ସିନ୍ଦୂର ରଙ୍ଗର କିଛି ଗୋଟାଏ ଅଠାଳିଆ ବିନ୍ଦୁ । ଆଧୁନିକ ଢଙ୍ଗରେ ସେ କୁଆଡ଼େ ରୂପାନ୍ତରିତ ସିନ୍ଦୂର ।

 

ମୁଣ୍ଡ ଉପରେ ଚଉଁରୀଭୁଣ୍ଡି ଦିଆ ନ ହେଲେ ବି ସେଇ ପରିପାଟୀରେ ସଜ୍ଜିତ ଗମ୍ୱୁଜାକୃତି ଜୁଡ଼ା । ବେଣୀ ବନ୍ଧା ନାହିଁ, ମହମ ଦେଇ ସାଉଁଳେଇ ନେଲାପରି ସାଧା ପ୍ରସାଧନ ।

 

ରୁଚିକୁ ବେଶ୍‌ ମାନୁଥିଲା ।

 

ରଙ୍ଗବୋଳା ଗୋଲାପି ଓଠ ଥରେଇ କଥା କହିଲାବେଳେ ସୂର୍ଯ୍ୟ ତା’ ମୁହଁକୁ ଲକ୍ଷ୍ୟ କରୁଥିଲା, ତା’ ଶ୍ୱେତ ସାଗରର ଗଣ୍ଡ ଦେଶରେ କୁଞ୍ଚିତ ମାଂସର ତରଙ୍ଗ ଖେଳିଯାଉଥିଲା ।

 

ଭସାଣିଆ ଆଖି ଦୁଇଟା ଭଉଁରି ଖେଳୁଥିଲା ।

 

ସୂର୍ଯ୍ୟ ଅନେକ ସମୟରେ ଏକାଗ୍ରତା ହରେଇ କିଛିଟା ଅନ୍ୟମନସ୍କ ହୋଇପଡ଼ୁଥିଲା ।

 

ରୁଚିର ଅନେକ ପରିବର୍ତ୍ତନ ହୋଇଛି । ବୋଧହୁଏ ଦେବ ନାଥକୁ ବିବାହ କରିବା ପରେ ଜଣେ ହାକିମର ସ୍ତ୍ରୀ ଭାବରେ ନିଜକୁ କିଛି ସ୍ୱତନ୍ତ୍ର ମନେକରି ମାର୍ଜିତ ଆଧୁନିକ ପରିପ୍ରେକ୍ଷୀରେ ମଫସଲ ଅଞ୍ଚଳରେ ପ୍ରୌଢ଼ି ବିସ୍ତାର କରିବାପାଇଁ ଚେଷ୍ଟା କରୁଛି ।

 

ଦେବନାଥ ସରକାରୀ କଳ ପରିଚାଳନାର ଜଣେ ତତ୍ତ୍ୱାବିଧାରକ । ଡେପୁଟି ସାହେବ । ଚାକିରି କରିବା ଦିନଠାରୁ ମଫସଲରେ ଅବସ୍ଥାପିତ ହୋଇଆସିଛି । ବ୍ଳକ ଉନ୍ନୟନ ଅଫିସର । ତା’ ଅଧୀନରେ ଅନେକ ଅଧସ୍ତନ କର୍ମଚାରୀ । ଗାଡ଼ି, ମଟର, ଅନେକ କିଛି ।

 

ସୂର୍ଯ୍ୟ ଭାବିନେଲା, ଏଇ ରୂପସଜ୍ଜାରେ ରୁଚି ମଫସଲ ଅଞ୍ଚଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ନିଶ୍ଚୟ କିଞ୍ଚିତ୍‌ କୁହୁକ ସୃଷ୍ଟି କରିଥିବ ।

 

ରୁଚି ଏଥିଭିତରେ ମା’ ହୋଇପାରିଛି କି ନାହିଁ, ସୂର୍ଯ୍ୟ ପଚାରିପାରିଲା ନାହିଁ । ବାହାଘର ବୋଧହୁଏ ଆଠବର୍ଷରୁ କିଛି ଅଧିକ ହେବ; କିନ୍ତୁ ମାତୃତ୍ୱ ଲାଭ କରିବାର ମଳିନତା ଦେହରେ ପ୍ରକାଶ ପାଇନାହିଁ; ବରଂ ସ୍ୱାସ୍ଥ୍ୟର ଉନ୍ନତି ହୋଇଛି ।

 

ତା’ ଯିବା ବାଟକୁ ଅନୁଧ୍ୟାନ କଲା ସୂର୍ଯ୍ୟକାନ୍ତ । ସେ ହୁଏତ ପଞ୍ଚମ ମହଲାର ଏଇ କକ୍ଷରୁ ବାହାରି ଗୋଟାଏ ମିନିଟ୍‌ ଭିତରେ ଲିଫ୍‌ଟ ଦେଇ ତଳକୁ ଓ ଓହ୍ଳେଇଯାଇଥିବ । ପ୍ରଧାନ ପ୍ରବେଶଦ୍ୱାର ଅତିକ୍ରମ କରି ହତା ଭିତରେ ମସୃଣ ପଥଉପରେ କଟୀ ଦୋହଲାଇ କ୍ଷିପ୍ର ଗତିରେ ଚାଲିଯାଉଥିବ । ହୁଏତ ରାଜରାସ୍ତା ଉପରେ ଦେବନାଥ ବ୍ଳକ ଅଫିସ ଗାଡ଼ି ନେଇ ତା’ ପାଇଁ ଅପେକ୍ଷା କରିଥିବ ।

 

ନିଜେ ଆସି ଦେଖାକରିବା ଭଳି ସତ୍‌ସାହସ ହୁଏତ ଦେବନାଥର ଆଉ ଆଠବର୍ଷ ଧରି ନାହିଁ ।

 

ସୂର୍ଯ୍ୟ ମନେ ମନେ ହସିଲା ।

 

ତା’ ସଙ୍ଗରେ ସାକ୍ଷାତ କରିବାପାଇଁ ଆସିଲାବେଳେ ପ୍ରକୋଷ୍ଠ ଆଗରେ ଥିବା ନାମଫଳକ ଦେଖିଥିବ ରୁଚି । ଆଗରୁ ଜାଣିଥିଲେ ବି ଆଉ ଥରେ ପଢ଼ିଥିବ–

 

‘ସୂର୍ଯ୍ୟକାନ୍ତ ଦାସ, ଉପମନ୍ତ୍ରୀ ।’

 

ସେତେବେଳେ ହୁଏତ ତା’ର ତୁଳନାତ୍ମକ ମନୋଭାବ ଆସିଥିବ । ବାହାରେ ଦେବନାଥ ଆଉ ପ୍ରକୋଷ୍ଠ ଭିତରେ ସୂର୍ଯ୍ୟକାନ୍ତ । ବନର ପ୍ରତିକ୍ରିୟାକୁ ମନଭିତରେ ଲୁଚେଇ ରଖିବା ପାଇଁ ଚେଷ୍ଟା କରିଥିବ ।

 

ଝରକାବାଟେ ବାହାରକୁ ଚାହିଁଲା ସୂର୍ଯ୍ୟକାନ୍ତ । ସତରେ ରୁଚି ଚାଲିଯାଉଛି । ଦୁଇପାଖରେ ସବୁଜ ଲନ୍‌ । ଅନେକ ରଙ୍ଗର ଫୁଲଗଛ ଧାଡ଼ିହୋଇ ଲଗାହୋଇଛି । ଫୁଲଧଡ଼ିଆ ସବୁଜ ଗାଲିଚା ଉପରେ ଲାଲ ସିଲ୍‌କ ଶାଢ଼ୀ ପିନ୍ଧି ସାଧବବୋହୁଟିଏ ପରି ଏକା ଏକା ଚାଲିଛି ରୁଚି-। ମୁଣ୍ଡ ଉପରେ ହାଇ ମାରୁଛି ବୈଶାଖୀ ଖରା ।

 

ହତା ବାହାରେ ପ୍ରଶସ୍ତ ରାଜପଥ, ସଚିବାଳୟ ମାର୍ଗ । ରାଜଧାନୀର ପ୍ରଧାନ ରାସ୍ତା । ଦୁଇ ପାଖରେ କୃଷ୍ଣଚୁଡ଼ାର ପଟୁଆର । ଲାଲ୍‌ ଭେଲ୍‌ଭେଟ ରଙ୍ଗର ଫୁଲପାଖୁଡ଼ା ଝାଞ୍ଜି ଖରାରେ ଉତୁରିପଡ଼ିଛି । ହୁଏତ ସେଇ କୋଉ ଗୋଟାଏ କୃଷ୍ଣଚୂଡ଼ା ଗଛତଳେ ଦେବନାଥ ଉତ୍କଣ୍ଠାରେ ଅପେକ୍ଷା କରିଥିବ । ରୁଚି ଫେରିଯାଇ ତାକୁ ସମାଚାର ପରିବେଷଣ କରିବ, ଉପମନ୍ତ୍ରୀ ତା’ ବଦଳି ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

ସମସ୍ତଙ୍କୁ ସନ୍ତୁଷ୍ଟ କରିବାପାଇଁ ପ୍ରତିଶ୍ରୁତି ଦେଇହୁଏ; କିନ୍ତୁ ସବୁ ପ୍ରତିଶ୍ରୁତି ରକ୍ଷା କରିବା ସମ୍ଭବ ହୋଇପାରେନା ।

 

ନିର୍ବାଚନବେଳେ ଏମିତି ଅନେକ ପ୍ରତିଶ୍ରୁତି ଦେଇଥିଲା ସୂର୍ଯ୍ୟକାନ୍ତ । ଜୟଯୁକ୍ତ ହୋଇ ଆସେମ୍ୱ୍ଳି ସଭାକୁ ଆସିଲେ ସେ ଅନେକେ କିଛି କରିଦେବ । ଧନୀ ଦରିଦ୍ର ଭିତରେ ଥିବା ବ୍ୟବଧାନକୁ ଦୂର କରିବାପାଇଁ ସେ ଆନ୍ଦୋଳନ ଚଳେଇବ । ଅର୍ଥନୈତିକ ସ୍ୱଚ୍ଛଳତା ଫେରାଇ ନ ଆଣିଲେ ଦେଶ ଆଗେଇ ପାରିବ ନାହିଁ । ପ୍ରତ୍ୟେକ ନାଗରିକ ଆର୍ଥିକ ବିଡ଼ମ୍ୱନାରୁ ମୁକ୍ତି ନ ପାଇଲେ ସମୂହଭାବରେ ଦେଶର ଉନ୍ନତି ହୋଇପାରିବ ନାହିଁ । ଗଣତନ୍ତ୍ର ଶକ୍ତିଶାଳୀ ହୋଇପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିକୁ ଉପାର୍ଜନକ୍ଷମ କରିବାକୁ ହେଲେ କାମ ଯୋଗେଇବାକୁ ପଡ଼ିବ ।

 

ନିର୍ବାଚନରେ ଜୟ କରି ସୂର୍ଯ୍ୟ କେବଳ ଆସେମ୍ୱ୍ଳି ସଭ୍ୟ ହୋଇନାହିଁ; ଉପମନ୍ତ୍ରୀ ହୋଇଛି, କିନ୍ତୁ ନିରାଶ ହୋଇଛି । କେତେ ପରିକଳ୍ପନା କେବଳ ଚିନ୍ତାର ରୁଦ୍ଧ ଦୁର୍ଗଭିତରେ ବନ୍ଦୀ ହୋଇ ରହିଯାଇଛି । ଭୋଟଦାତାମାନେ ହୁଏତ ତାକୁ ଭର୍ତ୍ସନା କରୁଥିବେ ।

 

ଉପାୟହୀନ ସୂର୍ଯ୍ୟକାନ୍ତ । ଏଇ ରାଜଧାନୀର ଧରାବନ୍ଧା ରାଜପଥ ପରି ଶାସନ ପରିଚାଳନା ମଧ୍ୟ ଗୋଟାଏ ସ୍ୱତନ୍ତ୍ର ରାସ୍ତା । ଇଚ୍ଛା କଲେ ମଧ୍ୟ ଗୋଟାଏ ନୂଆ ରାସ୍ତା ହଠାତ୍‌ ଫିଟେଇହେବନି । ସେଇ ପୁରୁଣା ରାସ୍ତାରେ ଚାଲିବାକୁ ପଡ଼ିବ ।

 

ରୁଚିର ଅନୁରୋଧ ରକ୍ଷା କରିବା ହୁଏତ ସେଇ ପୁରୁଣା ରାସ୍ତାରେ ଚାଲିବା ପରି ନିୟମ ପାଳନର ପ୍ରତିଶ୍ରୂତି । ଅବଶ୍ୟ ସେଭଳି କିଛି ବିରାଟ ଅନୁରୋଧ ନୁହେଁ । ସେଇ ଗୋଟାଏ ସ୍ଥାନରେ ବହୁ ଦିନ ଧରି ରହିବା ଫଳରେ ଦେବନାଥର ଦିନକୁ ଦିନ ଶତ୍ରୁସଂଖ୍ୟା ବଢ଼ିଛନ୍ତି । ଅନ୍ୟତ୍ର ବଦଳି କରିଦେଲେ ଅଶାନ୍ତିରୁ ତାକୁ ମୁକ୍ତି ମିଳିପାରନ୍ତା । କିନ୍ତୁ ସେ ଏତେଗୁଡ଼ାଏ ଦିନ ରହିବା ଫଳରେ ମିତ୍ରତା ବୃଦ୍ଧି କରିବା ପରିବର୍ତ୍ତେ ଶତ୍ରୁତା କାହିଁକି ବଢ଼େଇଛି ?

 

ରୁଚିକୁ ନ ପଠାଇ ସେ ନିଜେ ହୁଏତ ଆସିପାରିଥାନ୍ତା ।

 

ଦେବନାଥ ବୋଧହୁଏ ସଂକୋଚ ବୋଧ କରିଛି ।

 

ହୁଏ ତ ଭୟ ବି କରିଥାଇପାରେ ।

 

ଆଠବର୍ଷ ତଳେ ରୁଚି ପାଇଁ ସେ ପ୍ରତିଯୋଗିତା କରି ଜୟ କରିଥିଲା ।

 

ଠିକ୍‌ ପ୍ରତିଯୋଗିତା ନୁହେଁ, ବରଂ ପ୍ରତାରଣା କୁହାଯାଇପାରେ ।

 

ସେଦିନର ପ୍ରତାରଣା ପାଇଁ ସ୍ୱତଃ ମନରେ ଭୟ ସଂଚାର ହୋଇଛି । ସୂର୍ଯ୍ୟ ତା’ ପ୍ରତି ପ୍ରତିଶୋଧମୂଳକ ଆଚରଣ କରିପାରେ ।

 

ଟେଲିଫୋନ୍‌ ବାଜିଉଠିଲା ।

 

ସୂର୍ଯ୍ୟକାନ୍ତ ବିରକ୍ତିରେ ରିସିଭର୍‌ ଉଠେଇଲା । ଚିନ୍ତାର ମଧୁର ସ୍ୱପ୍ନ ଭିତରେ ହଜିଗଲାବେଳେ ଟେଲିଫୋନ୍‌ ବିରକ୍ତ କରି ନ ଥିଲେ ହୁଏତ କିଛିଟା ଶାନ୍ତି ଉପଲବ୍‍ଧି କରିହୋଇଥାନ୍ତା ।

 

–ଉପମନ୍ତ୍ରୀ ଦାସ୍‌ କହୁଛି ।

 

–ମୁଁ ସିପ୍ରା ।

 

–ଓ... ? ତମେ ?

 

ହସିଲା ସୂର୍ଯ୍ୟ । ଦେବନାଥ ପ୍ରତିଯୋଗିତା କରି ନ ଥିଲେ ସିପ୍ରା ପରିବର୍ତ୍ତେ ଆଜି ଏଇ ଟେଲିଫୋନ୍‌ ରୁଚି କରିଥାନ୍ତା ।

 

ଅନ୍ୟମନସ୍କ ହୋଇପଡ଼ିଲା ସୂର୍ଯ୍ୟକାନ୍ତ ।

 

–ଆରେ, କୁହ ।

 

–କହିଲି ପରା !

 

–ଆଉ ଥରେ କୁହ । କାମର ଚାପାରେ ଗୋଳମାଳ ହୋଇଗଲା ।

 

–ଅରୁଭାଇ ଆସିଛନ୍ତି । ତାଙ୍କ ପୁଅ, ଯିଏ ଏମ୍‌. ଏସ୍‌. ସି. ପାସ୍‌ କରି ତିନିବର୍ଷ ହେଲା ଘରେ ବସିଥିଲା, ସେ କୋଉଠି ଗୋଟାଏ କିରାଣୀ ଚାକିରି ପାଇଁ ଇଣ୍ଟରଭିଉ ଦେବାକୁ ଯାଇଛି । ତମେ ଟିକିଏ କହିଦେଲେ ତା’ର ଚାକିରି ହେଇଯାନ୍ତା ।

 

–ଅରୁଭାଇଙ୍କୁ କହିଦିଅ, ମୁଁ ନିଶ୍ଚୟ କହିବି; କିନ୍ତୁ ଏଇ କିରାଣୀ ଚାକିରି ପାଇଁ ନୁହେଁ । ନିଉକ୍ଳିଅର ଫିଜିକ୍‌ସ ପଢ଼େଇ କିରାଣୀ କରେଇବା ଅପେକ୍ଷା ପୁଅକୁ ମୂର୍ଖ କରିଥିଲେ ବରଂ ଭଲ ହୋଇଥାନ୍ତା ।

 

ଟେଲିଫୋନ୍‌ ରଖିଦେଲା ସୂର୍ଯ୍ୟକାନ୍ତ ।

 

ସଚିବାଳୟର ଶୀତତାପନିୟନ୍ତ୍ରିତ ପ୍ରକୋଷ୍ଠ ଭିତରେ ବସି ଅରୁଭାଇଙ୍କ ବେଦନାକୁ ଅନୁଭବ କରିବା ପ୍ରକୃତରେ ଅସଂଭବ । ପୁଅକୁ ପାଠ ପଢ଼ାଇବାରେ ଯେତେ ବ୍ୟୟ କରିଛନ୍ତି ସେତିକିରେ ବ୍ୟବସାୟ ଆରମ୍ଭ କରିଥିଲେ ହୁଏତ ତାଙ୍କ ପୁଅ ସୁଖରେ ଜୀବନ ବିତେଇ ପାରିଥାନ୍ତା-

ବିଶ୍ୱବିଦ୍ୟାଳୟ ଖୋଲିବାର ତାତ୍ପର୍ଯ୍ୟ କୋଉଠି ?

ନିଜ ପ୍ରଶ୍ନର ଉତ୍ତର ନିଜେ ସ୍ଥିର କରି ନ ପାରି ବ୍ୟସ୍ତ ହୋଇପଡ଼ିଲା ସୂର୍ଯ୍ୟ ।

ଜୀବନ ଜଳୁଛି ।

ସବୁଆଡ଼େ ବହ୍ନି ।

ଥାକ ଉପରେ ଆକ୍‌ସନ୍‌ ନେବାପାଇଁ ଅସଂଖ୍ୟ ଫାଇଲ ପଡ଼ିରହିଛି । ବହୁଦିନ ଧରି ଗସ୍ତରେ ରହିବା ଫଳରେ ଅନେକ କାମ ବାକି ପଡ଼ିଛି ।

ଗସ୍ତରେ ଥିଲାବେଳେ କେତେ ଫୁଲମାଳ ପିନ୍ଧିଛି ସୂର୍ଯ୍ୟକାନ୍ତ । କେତେ ଅଭିନନ୍ଦନର ଉତ୍ତରରେ ଭାଷଣ ଦେଇ କହିଛି, ଆମ ଶିକ୍ଷାର ପ୍ରସାର ଏକାନ୍ତ ଭାବରେ ପ୍ରୟୋଜନ । ଲୋକେ ଚନ୍ଦ୍ରପୃଷ୍ଠରେ ବିଚରଣ କଲାବେଳେ କିମ୍ୱା ମହାଶୂନ୍ୟରେ ପ୍ଳାଟଫର୍ମ ବାନ୍ଧିଲାବେଳେ, ଆମେ ସେମାନଙ୍କ ଯାତ୍ରା ବିଷୟରେ କିଛି ଚିନ୍ତା କରିପାରୁନା । ବିଜ୍ଞାନର ଅଗ୍ରଗତି ପାଇଁ ଆମକୁ ଆହୁରି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ପଡ଼ିବ, ଗବେଷଣା କରିବାକୁ ପଡ଼ିବ । ବିଜ୍ଞାନ ଆଧୁନିକ ସଭ୍ୟତାର ମାନଦଣ୍ଡ ।

ବ୍ୟସ୍ତ ହୋଇପଡ଼ିଲା ସୂର୍ଯ୍ୟ ।

ବାହାର ସୂର୍ଯ୍ୟ ଆହୁରି ପ୍ରଦୀପ୍ତ ହୋଇଉଠିଛି । ସଚିବାଳୟ ରାସ୍ତା ଉପରେ ଝାଞ୍ଜି ନାଚୁଛି ।

ରୁଚି ଚାଲିଗଲାଣି । ଦେବନାଥ ବି ତା’ ସଙ୍ଗରେ ଚାଲିଗଲାଣି ।

ଥାକ ଉପରୁ ଫାଇଲ ଗୋଟାଏ ଉଠେଇଆଣି ଦେଖିଲା ସୂର୍ଯ୍ୟ । ମନର ଅସ୍ଥିରତାକୁ ସ୍ଥିର କରିବାକୁ ପଡ଼ିବ ।

 

ପୁଣି ସେଇ ଅସ୍ଥିରତା । ସେକ୍ରେଟେରୀ ମତ ଦେଇଛନ୍ତି, ସମ୍ୱଳ ଅଭାବରୁ ଗୋଟାଏ ଯୋଜନା କାମକୁ ସ୍ଥଗତି ରଖିବାକୁ ହେବ । କାମ ନାହିଁ । କର୍ମଚାରୀମାନଙ୍କୁ ଦରମା ଦେଇହେବ ନାହିଁ । କେତେଜଣ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଛଟେଇ କରିବାକୁ ହେବ ।

 

ନିଜ ସିଦ୍ଧାନ୍ତ ନିଷ୍ପତ୍ତି କରି ନ ପାରି ଫାଇଲ ବନ୍ଦ କରିଦେଲା ସୂର୍ଯ୍ୟକାନ୍ତ । ଏମିତି ଅନେକ ଫାଇଲ ଉପରେ ଶେଷ ନିଷ୍ପତ୍ତି ଦେଇ ନ ପାରି ପକେଇ ରଖିଛି ।

 

ସେକ୍ରେଟେରୀ ହୁଏତ କହୁଥିବେ, ଉପମନ୍ତ୍ରୀ ଖୁବ୍‌ ମନ୍ଥର ଗତିରେ କାମ କରୁଛନ୍ତି । ଅନ୍ୟମାନେ କହୁଥିବେ, ଶୀତତାପନିୟନ୍ତ୍ରିତ ପ୍ରକୋଷ୍ଠରେ ଉପମନ୍ତ୍ରୀ କାମ ନ ଦେଖି ଶୋଇପଡ଼ୁଛନ୍ତି-

 

ବାହାରକୁ ଚାହିଁଲା ସୂର୍ଯ୍ୟ ।

 

ପାଖ ବିମାନଘାଟିରୁ ଯାତ୍ରୀବାହୀ ବିମାନ ଉପରକୁ ଉଠିଲା । ଏୟାର୍‌ ହୋସ୍‌ଟେସ୍‌ ମନୋରମ ହସରେ ମୁଗ୍‌ଧ କରି ଯାତ୍ରୀମାନଙ୍କୁ ହୁଏତ ନୂଆ ରାଜଧାନୀକୁ ଚିହ୍ନେଇଦେଉଥିବେ । ରୂପସୀ ହୋସ୍‌ଟେସ୍‌ଙ୍କ ଓଠରୁ ପଦେ ମିଠା କଥା ଶୁଣିବାପାଇଁ କୋଉ ଯୁବକ ଯାତ୍ରୀ ଆହୁରି ଅଧିକ ଜାଣିବାକୁ ଉତ୍କଣ୍ଠା ପ୍ରକାଶ କରିଥିବ ।

 

କର୍ତ୍ତବ୍ୟପରାୟଣା ହୋସଟେସ୍‌ ଚିହ୍ନେଇଦେଉଥିବେ, ଭାରତର ସବୁଠାରୁ ଦୀର୍ଘତମ ଏଇ ଅଟ୍ଟାଳିକା ସଚିବାଳୟ, ତା ପାଖକୁ ଅନ୍ୟ ସୁରମ୍ୟ ଅଟ୍ଟାଳିକାଟି ବିଧାନସଭା ଗୃହ ଏବଂ ପ୍ରାଚୀନ ନାଲନ୍ଦା କୀର୍ତ୍ତିର ଆଧୁନିକ ପ୍ରତିରୂପ ସୁଦୃଶ୍ୟ ସୌଧମାଳିନୀ ପ୍ରାଙ୍ଗଣଟି ବିଶ୍ୱବିଦ୍ୟାଳୟ ବାଣୀବିହାର ।

 

ସ୍ୱାଧୀନତା ଲାଭ ପରେ ଆମେ ଏମିତି ଅଟ୍ଟାଳିକା, ନଦୀବନ୍ଧ, ରାସ୍ତାଘାଟ କେତୁଟା କରି ସମୃଦ୍ଧିର ବିଜ୍ଞାପନ ପ୍ରଚାର କରିଛୁଁ । ବାହାର ଲୋକେ ଆମ ଅଗ୍ରଗତି ବିଷୟରେ ମନ୍ତବ୍ୟ ଦେଉଛନ୍ତି ।

 

ପୁରୀ, କୋଣାର୍କ କିମ୍ୱା ତାଜମହଲର ନିର୍ମାଣ ଦିନେ ବିଶ୍ୱବାସୀଙ୍କୁ ଚକିତ କରିଥିଲା । ଇତିହାସ ପୃଷ୍ଠାରୁ ଯେମିତି ସେ ଗୌରବମୟ ଦିନଗୁଡ଼ିକ ଲିଭିଯାଇଛି । ଆଜିର ଇତିହାସ ବି ସେମିତି ଅତୀତ ଭିତରେ ହଜିଯିବ ।

 

ପୁରୁଣା କାମକୁ ଆଧୁନିକ ମଣିଷ ଉପହାସ କରୁଛି । ଆଜିର ପ୍ରୌଢି ମନରେ ଅହମିକା ଆଣି ଦେଇଛି । ପୂର୍ବରୁ ଯେମିତି ଏଇ ମାଟିରେ କେବଳ ଅଶିକ୍ଷିତ ଅସଭ୍ୟମାନେ ଆଧିପତ୍ୟ ବିସ୍ତାର କରିଥିଲେ । ସେମାନଙ୍କର ବଂଶଧର ବୋଲି ପରିଚୟ ଦେବାପାଇଁ ସଂକୋଚ ଭାବ ଆସୁଛି-

 

ତଥାପି ତାଙ୍କ ବିଦ୍ୟାର ପ୍ରଶଂସା କରିବାକୁ ବାଧ୍ୟ ହେଉଛୁଁ । ଶହ ଶହ ବର୍ଷ ତଳେ ଯୋଉ ମୂର୍ଖ ବିନ୍ଧାଣିର ନିର୍ମାଣ କୌଶଳରେ କାଠଯୋଡ଼ୀରେ ପଥରବନ୍ଧ ବନ୍ଧା ହୋଇଥିଲା । ଆଜିର ଇଞ୍ଜିନିୟରିଂ ବିଦ୍ୟାକୁ ତାହା ଉପହାସ କରୁଛି । ପ୍ରବାସ ବିଶ୍ୱବିଦ୍ୟାଳୟରୁ ନିର୍ମାଣବିଦ୍ୟାରେ ସର୍ବୋଚ୍ଚ ଉପାଧି ଧାରଣ କରିଥିବା ବୁଦ୍ଧିରେ ଯୋଉ ନଈବନ୍ଧ ପଡ଼ିଥିଲା, ମାତ୍ର ଦଶବର୍ଷ ଭିତରେ ତାହାର ତିନିଥର ପୁନର୍ନିର୍ମାଣ ସରିଲାଣି ।

 

ତଥାପି ଆମେ ଆଧୁନିକ ।

 

ଆଧୁନିକତମ ନାରୀ ରୁଚି ।

 

ଏବେ ବି ସୂର୍ଯ୍ୟକାନ୍ତ ପାଖରେ ତା’ର କିଛି ଦାବି ରହିଛି ବୋଲି ସେ ମନେକରେ । ଦେବନାଥର ଐଶ୍ୱର୍ଯ୍ୟ ପାଖରେ ନାରୀତ୍ୱକୁ ବିକ୍ରି କରିବା ପରେ ସମ୍ପର୍କର କୋଉ ଅବଶିଷ୍ଟାଂଶକୁ ଭିତ୍ତିକରି ସେ ଆସିଥିଲା, ସ୍ଥିର ପରିପାରିଲା ନାହିଁ ସୂର୍ଯ୍ୟକାନ୍ତ ।

 

ସୂର୍ଯ୍ୟ ଭାବିଥିଲା, ଯଦି କେବେହେଲେ ରୁଚି ସହିତ ଦେଖାହୁଏ, ସେ ନିଜେ ବିଚଳିତ ହୋଇପଡ଼ିବ, ଆଉ ରୁଚି ତା’ର ସମ୍ମୁଖୀନ ହେବାପାଇଁ ସାହସ କରାଇ ପଳାୟନର ରାସ୍ତା ଖୋଜିବ-

 

ସାକ୍ଷାତ ନ ହେବା ବରଂ ଉଭୟଙ୍କ ପକ୍ଷରେ ମଙ୍ଗଳ ବୋଲି ମନେ କରିଥିଲା ସୂର୍ଯ୍ୟ ।

 

ରୁଚିର ଅତର୍କିତ ଆଗମନ ତାକୁ ଚକିତ କରିଦେଇଛି । ଆହୁରି ଚକିତ କରିଛି, ଦେବନାଥ ତାକୁ ସ୍ୱାର୍ଥସିଦ୍ଧି ପାଇଁ ଅସ୍ତ୍ର କରି ପଠାଇଛି ।

 

ଦେବନାଥ ଭଲଭାବରେ ଜାଣେ, ଏକଦା ରୁଚି ଥିଲା ସୂର୍ଯ୍ୟକାନ୍ତର ଅତି ନିକଟତମ ବାନ୍ଧବୀ, ସହପାଠିନୀ ଆଉ ସହଚରୀ ।

 

ଶୈଶବରୁ ଦୁହିଁଙ୍କର ସମ୍ପର୍କଥିଲା ଅତି ନିବିଡ଼ । ଚାଟଶାଳୀ ଯିବା ବାଟରେ ବୁଦିବୁଦିଆ କୋଳିଗଛ ଭିତରୁ କୁମ୍ଭାଟୁଆ ଡାକୁଥିଲା । ଧୂଳିଆ ଶଗଡ଼ଗୁଳାରେ ପାଦ ଘୋଷାଡ଼ି ଚାଲିଲାବେଳେ ଦୁହେଁ ହାତ ଛନ୍ଦାଛନ୍ଦି ହୋଇ ଚାଲୁଥିଲେ ।

 

ସୀମା ଅପା ଗୋଟାଏ ଥାଳିରେ ଦୁହିଁଙ୍କ ପାଇଁ ଖାଇବାକୁ ବାଢ଼ିଦେଉଥିଲେ । ଖାଇଲାବେଳେ ଦୁହେଁ କଜିଆ କରୁଥିଲେ ।

 

ବିରକ୍ତ ନ ହୋଇ, ଦୁହିଁଙ୍କ ଚପଳତାକୁ ଲକ୍ଷ୍ୟ କରି ସୀମା ଅପା ହସୁଥିଲେ । ରୁଚି ତାଙ୍କର ଏକମାତ୍ର ଅଲିଅଳୀ କନ୍ୟା, ଆଉ ସୂର୍ଯ୍ୟକାନ୍ତ ତାଙ୍କ ଶିଶୁକନ୍ୟାର ଶିଶୁବନ୍ଧୁ ।

 

ସ୍ୱାଧୀନତା ପୂର୍ବ ଅବହେଳିତ ଗ୍ରାମ୍ୟ ଜୀବନ ସେତେବେଳେ ସୀମା ଅପାଙ୍କୁ ଆତିଙ୍କିତ କରିଥିଲା । ତାଙ୍କ ସ୍ୱାମୀ ମଦନବାବୁଙ୍କର ଦିନଗୁଡ଼ିକ କାରାଗାର ଭିତରେ କଟୁଥିଲା; ରାଜନୈତିକ ବନ୍ଦୀ ।

 

ମଦନବାବୁଙ୍କର ସହକର୍ମୀ ରବି ଦାସ । ଦୁହେଁ ସ୍ୱାଧୀନତା ସଂଗ୍ରାମର ସୈନିକ । ଅସହଯୋଗ ଆନ୍ଦୋଳନରେ କାମ କଲାବେଳେ ସଭାସମିତିରେ ଭାଷଣ ପ୍ରସଙ୍ଗରେ ସ୍ୱାଧୀନତାର ତାତ୍ପର୍ଯ୍ୟ ବୁଝେଇଲାବେଳେ ଦୁହିଁଙ୍କର ପରିଚୟ ହୋଇଥିଲା । ଏକା ଭାଡ଼ିର ପାରା । ଦୁହିଁଙ୍କ ଭିତରେ ଆନ୍ତରିକତା ବୃଦ୍ଧି ପାଇଥିଲା ।

 

ମଦନବାବୁ ସର୍ବହରା । ସ୍ୱାଧୀନତା ପାଇଁ ତାଙ୍କର ଦାନକୁ ତୁଳନା କରାଯାଇପାରେନା । କେତେ ପାଠ ପଢ଼ିଥିଲେ, କେତେ ଦେଶର ମୁକ୍ତିସଂଗ୍ରାମର ଇତିହାସ ଜାଣିଥିଲେ । ଘରଦ୍ୱାର ଛାଡ଼ି କାନ୍ଧରେ ଝୁଲାମଣି ପକାଇ ସନ୍ୟାସୀ ହୋଇଥିଲେ । ନିରାଡ଼ମ୍ୱର ଜୀବନ । ଛୋଟିଆ ହାତବୁଣା ଖଦିରେ ଦେହ ଘୋଡ଼େଇହୋଇ ମୁହଁରେ ବଡ଼ କଥା କହୁଥିଲେ ।

 

ରବି ଦାସ ତାଙ୍କୁ ନିଜ ଗାଁକୁ ଡାକିଆଣିଥିଲେ । ସେବାକୁଟୀର ଆଶ୍ରମରେ ସ୍ଥାନ ଦେଇଥିଲେ । ଏଇ ସେବାକୁଟୀର ଥିଲା ସ୍ୱାଧୀନତା ସଂଗ୍ରାମର ସୈନ୍ୟ ଶିବିର । ଅନେକ କର୍ମୀ ତାଲିମ ପାଉଥିଲେ; ନିଜ ଜୀବନଠାରୁ ଦେଶକୁ ବଡ଼ ବୋଲି ମନେ କରୁଥିଲେ । ଅତ୍ୟାଚାରୀ ଇଂରେଜ ଶାସନର ତୀକ୍ଷ୍‌ଣ ସଙ୍ଗୀନ ମୁନରେ ପ୍ରାଣ ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଥିଲେ; କିନ୍ତୁ ସ୍ୱାଧୀନତା ଆନ୍ଦୋଳନରୁ ବିରତ ହେବାପାଇଁ ପ୍ରସ୍ତୁତ ନ ଥିଲେ ।

 

ମଦନବାବୁଙ୍କ ସଙ୍ଗରେ ଆସିଥିଲେ ତାଙ୍କ ସ୍ତ୍ରୀ ସୀମା ଅପା ଆଶ୍ରମରେ କିଛି ଦିନ ରହିବାପରେ ଜନ୍ମ ନେଇଥିଲା ଏଇ ରୁଚି ।

 

ଆଜି ଯଦି ରବି ଦାସ ବଞ୍ଚିଥାନ୍ତେ ?

 

ସୂର୍ଯ୍ୟକାନ୍ତର ଆଖିରେ ଲୁହ ଚହଲିପଡ଼ିଲା ।

 

ସଚିବାଳୟ ଉପରେ ସ୍ୱାଧୀନ ଭାରତର ତିନିରଙ୍ଗିଆ ପତାକା ଉଡ଼ୁଛି । ରବି ଦାସ ତା’ର ସ୍ୱାଦୁ ଉପଭୋଗ କରିପାରିଲେ ନାହିଁ । ଏଇ ତ୍ରିରଙ୍ଗ ପତାକା ଧରି ଗୋଟାଏ ଶୋଭାଯାତ୍ରା ନିୟନ୍ତ୍ରଣ କରି ଗାନ୍ଧିଜୀର ଜୟଧ୍ୱନି ଦେଲାବେଳେ ପୋଲିସ୍‌ ଲାଠିରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କ ମୁହଁ ଉପରକୁ ବୁଟ୍‌ ପିନ୍ଧି ଗୋଇଠା ମାରିଥିଲା ପୋଲିସ୍‌ । ଦାନ୍ତ ଭାଙ୍ଗିଯାଇଥିଲା । ମୁହଁରୁ ରକ୍ତର ଧାର ଛୁଟିଥିଲା ।

 

ଲାଲ ରକ୍ତରେ ଆର୍ଦ୍ର ହୋଇଉଠିଥିଲା ତ୍ରିରଙ୍ଗ ପତାକା ।

 

ରବି ଦାସ ତଥାପି ଧ୍ୱନି ଦେଇଥିଲେ, ତ୍ରିରଙ୍ଗ ପତାକାର ଜୟ ।

 

ସେଇ ରବି ଦାସ, ସୂର୍ଯ୍ୟର ବାପାଙ୍କ ତଳ ଭାଇ, ଦାଦା । ତାଙ୍କରି ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ବୟସ ହେବାପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇଛି ସୂର୍ଯ୍ୟକାନ୍ତ । ସ୍ୱାଧୀନତା ପାଇଁ ତା ପରିବାରର ଅନେକ ଦାନ ଅଛି ।

 

ରବି ଦାସଙ୍କ ସଙ୍ଗରେ ପିଲାବେଳେ ଆଶ୍ରମକୁ ଯିବାଫଳରେ ରୁଚି ସହିତ ସୂର୍ଯ୍ୟକାନ୍ତର ପରିଚୟ ହୋଇଥିଲା । ସୀମା ଅପା ନିଜର ପୁଅ ପରି ସ୍ନେହରେ କୋଳକୁ ଟାଣିନେଇଥିଲେ ତାକୁ ।

 

ସୂର୍ଯ୍ୟକାନ୍ତର ମନେଅଛି, ରବି ଦାସ କହୁଥିଲେ, ସୀମା ଅପା କୁଆଡ଼େ ହରିଜନ କନ୍ୟା ଥିଲେ । ମଦନବାବୁ ଆଦର୍ଶକୁ ବଜାୟ ରଖିବାପାଇଁ ତାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଥରକ ପାଇଁ ଆଉ ନିଜ ଘରକୁ ଯାଇପାରି ନ ଥିଲେ । ସେ କୁଆଡ଼େ ଖୁବ୍‌ ଗୋଟାଏ ରକ୍ଷଣଶୀଳ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିଲେ ।

 

ସୀମା ଅପା ପିନ୍ଧୁଥିଲେ ବଗଡ଼ା ହାତବୁଣା ଖଦିଶାଢ଼ୀ ।

 

ରୁଚି କିନ୍ତୁ ଆର୍ଟ ସିଲ୍‌କର ଲାଲ ଶାଢ଼ୀ ପିନ୍ଧି ଆସିଥିଲା ।

 

ସତରେ ଯଦି ରୁଚିକୁ ବିବାହ କରିଥାନ୍ତା ସୂର୍ଯ୍ୟକାନ୍ତ ତା’ ରକ୍ଷଣଶୀଳା ବୋଉ କ’ଣ ସୁଖୀ ହୋଇପାରିଥାନ୍ତା । ରବି ଦାସଙ୍କର ପରିବାର ଉପରେ ଯୋଉ ପ୍ରଭାବ ପଡ଼ିଛି ତାକୁ ବୋଉ ଅମର୍ଯ୍ୟାଦା କରି ମୁହଁରେ ହୁଏତ କିଛି କହିପାରି ନ ଥାନ୍ତା । କିନ୍ତୁ...

 

ସୀମା ଅପା ଥିଲେ ଉଦାରପନ୍ଥୀ ନାରୀ । ଅପରିଚିତକୁ ନିଜର କରିନେବାକୁ ତାଙ୍କୁ ଅଳ୍ପ ସମୟ ଲାଗେ । ହସୁରା ମୁହଁ; ବିନୟା ସ୍ୱଭାବ ତାଙ୍କ ପରି ନାରୀ ସମାଜରେ ବିରଳ । ମଦନବାବୁଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ତାଙ୍କର ଅନେକ ଅବଦାନ ଥିଲା ।

 

ମଦନବାବୁ ବନ୍ଦୀଶାଳାରେ ଥିଲାବେଳେ ଅବିଚଳିତ ଭାବରେ ସୀମା ଅପା କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ଆଶ୍ରମବାସୀ ସମସ୍ତଙ୍କର ସେ ଥିଲେ ଆଦରଣୀୟା ଭଉଣୀ ।

 

ରବି ଦାସ କହୁଥିଲେ, ରୁଚି ମଦନବାବୁଙ୍କ ପରି ସୁନ୍ଦର ରୂପ ଆଣିଚି, ଆଉ ତୁମ ପରି ଯଦି ଗୁଣ ଆଣିପାରିବ, ସର୍ବଗୁଣସମ୍ପନ୍ନା ଝିଅଟିଏ ହେବ ।

 

ସୀମା ଅପା ହସୁଥିଲେ ।

 

ରବି ଦାସ କହୁଥିଲେ, ସୂର୍ଯ୍ୟ ପାଇଁ ମୁଁ ତାକୁ ବୋହୁ କରିନେବି ।

 

ସୀମା ଅପା କହୁଥିଲେ, ଦେଶରେ ବିପ୍ଳବର ଯୋଉ ବହ୍ନି ଜଳୁଛି ସେଥିରୁ ମୁକ୍ତି ପାଇ ଦୀର୍ଘଜୀବୀ ହେଲେ ହୁଏତ ସମ୍ଭବ ହୋଇପାରେ । ନଚେତ୍‌ ଆମ ପରି ସେମାନେ ବି ଦେଶକୁ ଖୃଙ୍ଖଳମୁକ୍ତ କରିବାର ସ୍ୱପ୍ନ ଦେଖୁ ଦେଖୁ ବୟସ ଶେଷ କରିଦେବେ ।

 

ସୀମା ଅପାଙ୍କ ଆଖି ଲୁହରେ ଓଦା ହୋଇପଡ଼ୁଥିଲା ।

 

ରବି ଦାସ କହୁଥିଲେ, ସତରେ ଯଦି ସ୍ୱାଧୀନତା ମିଳେ, ସେମାନେ ହେବେ ସ୍ୱରାଜ୍ୟର ଅଧିକାରୀ । ଏଇ ମାଟି ଉପରେ ହାତଧରାଧରି ହୋଇ ମୂକ୍ତି ସଙ୍ଗୀତ ଗାଇବେ । ନିଜେ ନିଜକୁ ଶାସନ କରିବେ । ସେମାନେ ହେବେ ମନ୍ତ୍ରୀ, ରାଷ୍ଟ୍ରପତି । ଆମ ସ୍ୱପ୍ନ କ’ଣ ସଫଳ ହେବନି ? ମଦନବାବୁଙ୍କର କାରାବରଣ କ’ଣ ଖାଲି ଅର୍ଥହୀନ ଉତ୍ପୀଡ଼ନ ?
 

ସତରେ ସ୍ୱାଧୀନତା ମିଳିଛି । ରବି ଦାସଙ୍କ ସ୍ୱପ୍ନ ସଫଳ ହୋଇଛି । ଏଇ ଦେଶର ଲୋକେ ମନ୍ତ୍ରୀ ହୋଇଛନ୍ତି, ରାଷ୍ଟ୍ରପତି ହୋଇଛନ୍ତି । ଇଂରେଜମାନେ ଚାଲିଗଲେଣି ।

 

ରବି ଦାସ ଯଦି ବଞ୍ଚିଥାନ୍ତେ, ଦେଖିଥାନ୍ତେ, ତାଙ୍କରି ସୂର୍ଯ୍ୟକାନ୍ତ ବି ଉପମନ୍ତ୍ରୀ ହୋଇଛି ।

 

ସୂର୍ଯ୍ୟକାନ୍ତର ଇଚ୍ଛା ହେଲା, ଝରକା ବନ୍ଦ କରି ନିରୋଳାରେ ଏକା ଏକା ବସି ଗୁଡ଼ାଏ କାନ୍ଦିବ । ରବି ଦାସ ସ୍ୱାଧୀନତା ପାଇଁ ମାଡ଼ ଖାଇ କାନ୍ଦୁଥିଲେ, ଆଉ ସ୍ୱାଧୀନତାକୁ ଉପଭୋଗ କରି ନ ପାରି ସେ ବି କାନ୍ଦୁଛି ।

 

ରବି ଦାସ ସିନା ମରିଗଲେଣି, କିନ୍ତୁ ମଦନବାବୁ ଅଥର୍ବ ହୋଇ ବଞ୍ଚିରହିଛନ୍ତି । ପକ୍ଷାଘାତ ରୋଗୀ ସେ, ଚଳନକ୍ଷମ ନୁହଁନ୍ତି । ମାନସିକ ବିକୃତି ଘଟିଛି । ବିଛଣାରେ ପଡ଼ିରହି ଅନର୍ଗଳ ଗପୁଛନ୍ତି ।

 

ସମସ୍ତେ କହୁଛନ୍ତି, ମଦନବାବୁ ନିନ୍ଦୁକ । ତାଙ୍କ ମୁହଁରେ କେବଳ ନିନ୍ଦା । ସେ କହନ୍ତି, କେହି ଭଲ ମଣିଷ ନୁହନ୍ତି । ପ୍ରବଞ୍ଚନାର ରାଜ୍ୟରେ ଜୀବନ ବିଳାପ କରୁଛି । ଅବିଶ୍ୱାସର ଝଞ୍ଜାରେ ମନ ତାତିଯାଉଛି । ଶ୍ୱାସ ରୁଦ୍ଧ ହୋଇଆସୁଛି । ଆଜିର ଦୁନିଆରେ ବଞ୍ଚିବା ଅପେକ୍ଷା ବରଂ ମରିବାରେ ଅନେକ ଆନନ୍ଦ ।

 

ଜୀବନ ଯାଉ ନାହିଁ । ନର୍କ ଭୋଗ କରୁଛନ୍ତି ସେ ।

 

ସେ କହୁଛନ୍ତି, ରବି ଦାସ ମରିଯାଇନାହାନ୍ତି, ତରିଯାଇଛନ୍ତି । ଯୋଉ ଦେଶ ପାଇଁ ସେ ରକ୍ତ ଚିପୁଡ଼ିଦେଇଥିଲେ ତା’ର ଅବସ୍ଥା ଦେଖି ପ୍ରତି ମୁହୂର୍ତ୍ତରେ ମରଣର ଶିକାର ହେବା ଅପେକ୍ଷା ଥରଟିଏ ମରଣରେ ତାଙ୍କୁ ମୁକ୍ତି ମିଳିଯାଇଛି ।

 

ରବି ଦାସଙ୍କ ଆତ୍ମାର ସଦ୍‌ଗତି ହେଉ ।

 

ମଦନବାବୁ ଆଖିରୁ ଲୁହ ନିଗାଡ଼ିଦେଉଛନ୍ତି ।

 

ସୀମା ଅପା ହତାଶାରେ ଆକାଶକୁ ଚାହୁଁଛନ୍ତି । ସେ ଯେମିତି ସ୍ୱାଧୀନ ଦେଶର ଅଦରକାରୀ ଚରିତ୍ର । ଅପରିଚିତା ହୋଇ ଗାଁରେ ପଡ଼ିରହିଛନ୍ତି । ରୁଗ୍‌ଣ ସ୍ୱାମୀଙ୍କର ସେବା କରିବାପାଇଁ ମନର ଦମ୍ଭ ନାହିଁ । ସମ୍ୱଳର ଅଭାବ । ଦୁଃସ୍ଥ ରାଜନୈତିକ ପେନ୍‌ସନ କେତେଟା ଟଙ୍କା ତାଙ୍କର ଏକମାତ୍ର ପାଥେୟ । ଦୁଇବେଳା ପେଟ ଭରି ଖାଇବା ପାଇଁ ଅଭାବ ।

 

ସ୍ୱାଧୀନ ଦେଶରେ କେତେ ନୂଆ ଯୋଜନା ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇ ଅଜସ୍ର ଟଙ୍କା ପାଣି ପରି ସୁଅମୂହଁରେ ଭାସିଯାଉଛି । ସୀମା ଅପାଙ୍କ ଉପାସିଆ ପେଟକୁ ବୃଦ୍ଧ ବୟସରେ ପୃଷ୍ଟିକର ଖାଦ୍ୟ ମୁଠାଏ ଯୋଗାଇବାପାଇଁ କେବେ କେହି ଚିନ୍ତା କରିନାହାନ୍ତି । ଦେଶ ପାଇଁ ତାଙ୍କର ଯିମିତି କେବେ କିଛି ଦାନ ନ ଥିଲା ।

 

ରୁଚି କହୁଥିଲା, ମଦନବାବୁ ଏବଂ ସୀମା ଅପାଙ୍କୁ ପାଖରେ ରଖିବାପାଇଁ ତା’ର ଅନେକ ଅସୁବିଧା । ଆର୍ଥିକ ସାହାଯ୍ୟ କରିବାପାଇଁ ସେ ବରଂ ଇଚ୍ଚ୍ଥୁକ ଥିଲା; କିନ୍ତୁ ସୀମା ଅପା ମନା କରିଦେଇଛନ୍ତି । ଆତ୍ମନିର୍ଭରଶୀଳ ଜୀବନରେ ହୁଏତ କାହାର ଦାନ ଗ୍ରହଣ କରିବା ପାଇଁ ଅସମୟରେ ମଧ୍ୟ ତାଙ୍କ ବିବେକ ପ୍ରତିରୋଧ କରିଛି ।

 

ରୁଚି ହୁଏତ ତାଙ୍କ ନିଜ ଝିଅ ହୋଇପାରେ; କିନ୍ତୁ ଦେବନାଥର ଉପାର୍ଜ୍ଜନକୁ ନେଇ ବାପାବୋଉଙ୍କ ସ୍ୱଚ୍ଛଳତା ପାଇଁ ବ୍ୟୟ କରିବା ଅଧିକାର ତା’ର ନାହିଁ ।

 

ଦେବନାଥ ବି ସେମାନଙ୍କ ବିଷୟରେ ଥରେ ଚିନ୍ତା କରେନି ।

 

ସୂର୍ଯ୍ୟକାନ୍ତ ବାହାରକୁ ଚାହିଁଲା । ଆଉ ଫାଇଲ କାମ କରିହେବନି । କୃଷ୍ଣଚୂଡ଼ା ପଟଳରେ ଖରାର ଜ୍ୟୋତି ମଳିନ ପଡ଼ିଆସିଲାଣି । କାମ କରିବାର ସମୟ ବୋଧହୁଏ ଉତ୍ତୀର୍ଣ୍ଣ ହେଲାଣି । ରାଜପଥ ଘରବାହୁଡ଼ା କର୍ମଚାରୀମାନଙ୍କ ଗହଳରେ ପୁରିଉଠିଲାଣି ।

 

ସିପ୍ରା ବାରମ୍ୱାର ଘଡ଼ି ଦେଖୁଥିବ । ମଟର ହର୍ଣ୍ଣ ଶୁଣି ଉତ୍କର୍ଣ୍ଣ ହୋଇ ଚାହୁଁଥିବ । ସୂର୍ଯ୍ୟକାନ୍ତର ଫେରିବା ସମୟ ହେଲାଣି । ଆଜି ରବୀନ୍ଦ୍ର ମଣ୍ଡପରେ ସଭା ଅଛି । ବିଦେଶୀ ପର୍ଯ୍ୟଟକ କେତେଜଣଙ୍କୁ ସରକାରୀ ସମ୍ୱର୍ଦ୍ଧନା ଦିଆଯିବ । ମନ୍ତ୍ରୀମାନେ ସମସ୍ତେ ଯୋଗଦେବେ । ସେ ଯିବାପାଇଁ କହୁଥିଲା ।

 

ସମ୍ୱର୍ଦ୍ଧନା ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ଅଛି । ବିଖ୍ୟାତ କଳାକାରମାନେ କଣ୍ଠସଙ୍ଗୀତ ପରିବେଷଣ କରିବେ । ହଜାର ହଜାର ଟଙ୍କାର ବ୍ୟୟ ତାଲିକା ପ୍ରସ୍ତୁତ ହୋଇଥିଲା ।

 

ସେଇ ନୃତ୍ୟଗୀତର ଆକର୍ଷଣ ଯୋଗେ ସିପ୍ରାର ସଭାରେ ଯୋଗଦେବା ପାଇଁ ଆସକ୍ତି-। ମଫସଲର ଚାଷୀଘର ଝିଅ ସେ । ଗାଁ ହାଇସ୍କୁଲରେ କିଛି ପାଠ ପଢ଼ିଛି । ରୁଚି ପରି କଲେଜରେ ପଢ଼ିବାର ସୁଯୋଗ ପାଇନି । ଘରଭିତରେ ରନ୍ଧାବଢ଼ା । ବାହାରକୁ ଆସିଲେ, ମଟରଗାଡ଼ିରେ ବୁଲିଲେ କିଛିଟା ଆନନ୍ଦ ପାଏ । ତାକୁ ସାମୟିକ ଆନନ୍ଦରୁ ବଞ୍ଚିତ କରିବାକୁ ସୂର୍ଯ୍ୟକାନ୍ତ ଚାହେ ନା-

 

ରୁଚି ପରି ସିପ୍ରା ଯଦି କୋଉ ଗୋଟାଏ ଅଫିସରକୁ ବିବାହ କରିଥାନ୍ତା ହୁଏତ ସବୁବେଳେ ସରକାରୀ ଗାଡ଼ିରେ ବୁଲିବାର ସୁଯୋଗ ପାଇ ନିଜେ ସୁଖୀ ହୋଇଥାନ୍ତା । କିନ୍ତୁ ଆଧୁନିକ ଢଙ୍ଗରେ, ରୁଚିମନ୍ତ ରୂପସଜ୍ଜାରେ, କଥା କହିବାର କଳାରେ ପାରଦର୍ଶିତା ଦେଖାଇ ନ ପାରି ସ୍ୱାମୀକୁ ସୁଖୀ କରି ପାରି ନ ଥାନ୍ତା ।

 

ରୁଚି ପରି ନ ହେଲେ ବି ସିପ୍ରାର ଗୃହିଣୀ ହେବାର ଅନେକ ଯୋଗ୍ୟତାକୁ ଅନୁମୋଦନ କରିନେଇଛି ସୂର୍ଯ୍ୟକାନ୍ତ ।

 

ପ୍ରକୃତ ଜୀବନରେ କୃତ୍ରିମ ଆଧୁନିକତା କେବଳ ପ୍ରବଞ୍ଚନା ବ୍ୟତୀତ ଆଉ କିଛି ହୋଇ ନ ପାରେ ।

 

ରବୀନ୍ଦ୍ର ମଣ୍ଡପରେ ବିଦେଶୀମାନଙ୍କୁ ପ୍ରଲୁବ୍‌ଧ କରିବାପାଇଁ ସମ୍ୱର୍ଦ୍ଧନା ସଭା ହେବ । ସେଇ ସମୟରେ ବାହାର ପଡ଼ିଆରେ ଅର୍ଦ୍ଧବୁଭୁକ୍ଷୁ ସଚିବାଳୟ ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କର ସର୍ବନିମ୍ନ ଦରମାହାର ସ୍ଥିର କରିବାପାଇଁ ପ୍ରତିବାଦ ସଭା ବସିବ । ବିରୁଦ୍ଧ ଦଳର ନେତାମାନେ ଓଜସ୍ୱିନୀ ଭାଷାରେ ଭାଷଣ ଦେବେ । ଦୁର୍ବଳ ଶାସନକୁ ବିଦ୍ରୂପ କରି କହିଲାବେଳେ ତାଳିମାଡ଼ରେ ଅଭିନନ୍ଦନ ଗ୍ରହଣ କରିବେ । ସେମାନଙ୍କ ନେତୃତ୍ୱର ବିଜ୍ଞାପନ ପ୍ରଚାରିତ ହେବ । ଆଗାମୀ ନିର୍ବାଚନରେ ଲଢ଼ିବାପାଇଁ ସେମାନେ ପରୋକ୍ଷରେ କ୍ଷେତ୍ର ପ୍ରସ୍ତୁତ କରିବେ ।

 

ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କର ଦାବି ବକ୍ତାମାନଙ୍କ ବକ୍ତୃତା କିମ୍ୱା ଖବରକାଗଜ ସ୍ତମ୍ଭ ପୁରାଣରେ ସାହାଯ୍ୟ କରିବା ବ୍ୟତୀତ ଅଧିକ କିଛି ଫଳପ୍ରଦ ହେବ ନାହିଁ ।

 

ସୂର୍ଯ୍ୟକାନ୍ତ ଦୀର୍ଘନିଶ୍ୱାସ ଛାଡ଼ି ଉଠି ଠିଆହେଲା । ବାହାରେ ବୈଶାଖୀ ଅପରାହ୍ନ ଅଳସ ଭାଙ୍ଗୁଛି । ଡ଼୍ରାଇଭର ପାଞ୍ଚ ମହଲା ତଳେ ଗାଡ଼ି ନେଇ ଅପେକ୍ଷା କରିଛି । ସୂର୍ଯ୍ୟକାନ୍ତକୁ ଘରେ ଛାଡ଼ିଦେଲେ ଦିନକର କର୍ତ୍ତବ୍ୟ ସଂପାଦନ କରି ଘରକୁ ଫେରିଯିବ ।

 

ଯେତେବେଳେ ସେ ଶୁଣିବ, ରବୀନ୍ଦ୍ର ମଣ୍ଡପରେ ସଂବର୍ଦ୍ଧନା ସଭା ଦେଖିବା ପାଇଁ ସୂର୍ଯ୍ୟକାନ୍ତ ଇଚ୍ଛା କରିଛି, ସେ ମନେ ମନେ ବିରକ୍ତ ହେବ ନିଶ୍ଚୟ । ପୁଣି ତାକୁ ଅନ୍ତତଃ ପକ୍ଷେ ରାତି ଦଶଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

 

ସୂର୍ଯ୍ୟକାନ୍ତ ସ୍ଥିର କଲା, ସିପ୍ରାକୁ ସଙ୍ଗରେ ଧରି ଚାଲିଚାଲି ସେ ରବୀନ୍ଦ୍ର ମଣ୍ଡପକୁ ଆସିବ-। ଉପମନ୍ତ୍ରୀ ହେବା ଦିନରୁ ଚାଲିବା ଅଭ୍ୟାସ କମିଆସିଲାଣି । ଅନେକ ଦିନ ପରେ ସିପ୍ରାକୁ ସାଙ୍ଗକରି ବାଟ ଚାଲିବାରେ ନିଶ୍ଚୟ ଆନନ୍ଦ ମିଳିବ ।

 

ସିପ୍ରା ଶୋଇଗଲାଣି ।

 

ରାତ୍ରିର ନିସ୍ତବତା ଯଥେଷ୍ଟ ଗମ୍ଭୀର ହୋଇଆସିଲାଣି । ଅନ୍ଧକାରର ପଣତ ଘୋଡ଼େଇହୋଇ ରାତିଟା ବି ଶୋଇଗଲାଣି ।

 

ସଦର ଫାଟକ ପାଖେ ପହରାଦିଆ ପୋଲିସ ଲାଇଟ ପୋଷ୍ଟ ତଳେ ଠିଆ ହୋଇ ବିଡ଼ି ଟାଣୁଛି । ଘୁମେଇ ପଡ଼ିବାର ଆସକ୍ତି ମେଣ୍ଟେଇବାପାଇଁ ଟିକିଏ ହୁଏତ ଏପାଖ ସେପାଖ ହୋଇ ପଡ଼ୁଛି । ମନ୍ତ୍ରୀଙ୍କ ବଙ୍ଗଳାରେ ପହରା ଦେଲାବେଳେ ଘୁମେଇ ପଡ଼ିବାର ଉପାୟ ନାହିଁ ।

 

ଆହୁରି କାମ ବାକି ଅଛି ।

 

ଝରକାର ଗ୍ରୀଲ ଉପରୁ ପରଦା ଉଠେଇ ସୂର୍ଯ୍ୟକାନ୍ତ ବାହାରକୁ ଚାହିଁଲା । ଦୂର ଦିଗ୍‌ବଳୟ ତଳେ ଆଲୁଅ ଲିଭେଇ ଜଳେଇ ରେଳଗାଡ଼ିଟାଏ ଅମାନିଆ ଶିଶୁପରି ଗୁରୁଣ୍ଡିଯାଉଛି ।

 

ଭିତରେ ରୁଟିନ୍‌ବନ୍ଧା ମନ୍ତ୍ରୀର ଜୀବନ । ରାତିରେ ବିଶ୍ରାମ ନାହିଁ, ଦିନରେ ଶାନ୍ତି ନାହିଁ । ସମସ୍ୟାପୂର୍ଣ୍ଣ କଳ୍ପନା ଭିତରେ ଜୀବନ କାତର ହୋଇପଡ଼ିଛି ।

 

ବାହାରେ ଭିଡ଼ିମୋଡ଼ିଆ ଅନ୍ଧାର ପଣତ ତଳେ ପାତଳ ପବନ ସଙ୍ଗରେ କୃଷ୍ଣଚୂଡ଼ାର ସ୍ତବକ କ୍ରୀଡ଼ା କରୁଛି । ଜୀବନକୁ ବଞ୍ଚେଇ ରଖିବାପାଇଁ ନିମନ୍ତ୍ରଣ ।

 

ସୂର୍ଯ୍ୟକାନ୍ତ କ୍ଳାନ୍ତ ହୋଇପଡ଼ିଲା । ସିପ୍ରା ପାଖରେ ଟିକିଏ ଶୋଇଯିବାକୁ ମନ ଦୁର୍ବଳ ହୋଇ ପଡ଼ୁଛି । ଆଖିପତାରେ ନିଦର କୁହୁକ ଘନୀଭୂତ ହୋଇଆସୁଛି ।

 

ସିପ୍ରା ଶୋଇ ଶୋଇ ସ୍ୱପ୍ନ ଦେଖୁଥିବ । ବୟସର ସ୍ୱପ୍ନ । ମଉନାବତୀ କିମ୍ୱା ସାହାଡ଼ାସୁନ୍ଦରୀର ସ୍ୱପ୍ନ ।

 

ସବୁ ସ୍ୱପ୍ନ ତା’ର ମଉଳିଯାଇଛି । ବାହାଘର ଦିନଠାରୁ ଆଜିଯାଏ ତା’ ମନକଥା ମନ ଭିତରେ ସାଇତି ରଖିଛି । ରନ୍ଧାବଢ଼ା କରିଛି । ବଗିଚାରେ ଗଛ ଲଗେଇ ପାଣି ଦେଇଛି । ଘରଦ୍ୱାର ପରିଷ୍କାର ରଖିଛି । ଯୋଉ କଥା କହିବ ବୋଲି ବୟସ କାନିରେ ଗଣ୍ଠି ପକାଇଦେଇଛି, ସେ କଥା ମୁହଁ ଖୋଲି କହିପାରୁନାହିଁ ।

 

ବାହାଘରର ଅଳ୍ପଦିନ ପରେ ଖଣ୍ଡେ ନୀଳ ଲଫାପାରେ ସେ ଚିଠି ଲେଖିଥିଲା, ‘‘ଆରାଧ୍ୟ ଦେବତା...’’

 

ଚିଠି ପାଇ ହସିଥିଲା ସୂର୍ଯ୍ୟକାନ୍ତ । ଆଜିକାଲି ଦୁନିଆରେ କୌଣସି ସ୍ୱାମୀ କୌଣସି ସ୍ତ୍ରୀର ଆରାଧ୍ୟ ଦେବତା ନୁହେଁ । ସେଭଳି ସମ୍ୱୋଧନ କରିବାର କୌଣସି ଯଥାର୍ଥତା ମଧ୍ୟ ନାହିଁ । ସୀମା ଅପାଙ୍କ ବିବାହ ସମୟରେ ବୋଧହୁଏ ସ୍ୱାମୀ ସ୍ତ୍ରୀ ଭିତରେ ସେଭଳି ସମ୍ପର୍କ ଥିଲା ।

 

ସିପ୍ରା ଆହୁରି ଲେଖିଥିଲା, ବିବାହର ଅଳ୍ପ ସମୟ ପରେ ତମେ ଚାଲିଗଲ । ଅନେକ କଥା କହିହେଲାନି । ତମେ ସବୁବେଳେ କାମରେ ବ୍ୟସ୍ତ, କହିବାପାଇଁ ସୁଯୋଗ ମିଳିଲା ନାହିଁ । ଶୀଘ୍ର ଫେରିବ । ଏକୁଟିଆ ଭଲ ଲାଗୁନି । ରାଜନୀତି କଲେ କ’ଣ ଘର ଛାଡ଼ି ଏମିତି ସବୁଦିନ ସମସ୍ତେ ବାହାରେ ରହନ୍ତି ?

 

ତା’ପରେ ସିପ୍ରାକୁ ବୁଝାଇଦେଇଛି ସୂର୍ଯ୍ୟକାନ୍ତ, ରାଜନୀତି କଲେ କେବଳ ବାହାରେ ରହିବାକୁ ପଡ଼େ ନାହିଁ । ବନ୍ଦୀଶାଳାରେ ମଧ୍ୟ ରହିବାକୁ ପଡ଼େ । ବର୍ଷ ବର୍ଷ ଅତିବାହିତ ହେଲେ ବି ଆତ୍ମିୟ ମଣିଷଙ୍କୁ ଦେଖିହୁଏ ନି ।

 

ସିପ୍ରା ମୁହଁ ଶୁଖେଇଦେଇଥିଲା ।

 

ତାକୁ ସାନ ପିଲାଙ୍କ ପରି ଭୁଲେଇବାକୁ ଚେଷ୍ଟା କରି ସୂର୍ଯ୍ୟ କହିଥିଲା, କାହିଁ ତୁମ ଅକୁହା କଥାଗୁଡ଼ାକ ତ କହିଲ ନାହିଁ !

 

ଲାଜରେ ସିପ୍ରା ପାଖରୁ ଉଠି ଚାଲିଯାଉଥିଲା । ତା’ ହାତକୁ ଭିଡ଼ିଧରି ସୂର୍ଯ୍ୟ କହିଥିଲା, ତୁମର ଯୋଉ ଅକୁହା କଥା ତାକୁ କହିହୁଏନି; କେବଳ ଅନୁଭବ କରିହୁଏ ।

 

ଯେତେବେଳେ ଯାହା ବୁଝେଇଦେଇଛି, ସୂର୍ଯ୍ୟକାନ୍ତ କଥାକୁ ବିଶ୍ୱାସ କରିଯାଇଛି ସିପ୍ରା । ଆପତ୍ତି ନାହିଁ, ପ୍ରତିବାଦ ନାହିଁ ।

 

ସୂର୍ଯ୍ୟ ଅନୁଭବ କଲା, ସିପ୍ରା ସରଳ ବୋଲି ତାକୁ ସେ ଅନେକ ଠକିଦେଇଛି । ଯଦି ସିପ୍ରା ସ୍ଥାନରେ ରୁଚି ହୋଇଥାନ୍ତା, ସହଜରେ ସେ ମୂକ୍ତି ପାଇ ନ ଥାନ୍ତା ।

 

ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ଯାଇ ସିପ୍ରା ପ୍ରତି ସେ ଅନେକ ଅବିଚାର କରିଛି । ଉଲ୍ଲାସିତ ମୁହୂର୍ତ୍ତରେ ତା’ ପାଖରେ ରହିପାରିନାହିଁ । ଶୀତରାତିରେ ଏକାଠି ରେଜେଇ ତଳେ ଶୋଇଲାବେଳେ ମନଖୋଲା କଥାବାର୍ତ୍ତା ହେବା ପାଇଁ ତାକୁ ସୁଯୋଗ ଦେଇପାରିନି । ଦିନକର କାମ ସାରି ଶୋଇବା ଶେଯରେ ଅପେକ୍ଷା କରି ଶୋଇଯାଇଛି ସିପ୍ରା ।

 

ବିଳମ୍ୱ ରାତିରେ, ନିଦର ଆସକ୍ତି ଅତି ପ୍ରବଳ ହୋଇଉଠିଲେ ସୂର୍ଯ୍ୟକାନ୍ତ ଶୋଇଯାଏ । ତଥାପି କାମ ଅନେକ ବାକି ରହିଯାଏ ।

 

ସକାଳୁ ସିପ୍ରାର ନିଦ ଭାଙ୍ଗିଲାବେଳକୁ ବାହାରକୁ ଯିବାପାଇଁ ପ୍ରସ୍ତୁତ ହୋଇପଡ଼ିଥାଏ ସୂର୍ଯ୍ୟକାନ୍ତ, ତରୁଣ ଉପମନ୍ତୀ । ମନ୍ତ୍ରୀମଣ୍ଡଳର ଅଧିକାଂଶ ସଭ୍ୟ ସେମାନଙ୍କର ବାହାର କାମ ପାଇଁ ସୂର୍ଯ୍ୟକାନ୍ତ ଉପରେ ଭରସା ରଖନ୍ତି ।

 

ସବୁ ସଭାସମିତିକୁ ଯିବାପାଇଁ ସୂର୍ଯ୍ୟକାନ୍ତ, ଦଳର ନେତାମାନଙ୍କ ପାଇଁ ଭାଷଣ ସବୁ ପ୍ରସ୍ତୁତ କରିବ ସେଇ ସୂର୍ଯ୍ୟକାନ୍ତ । ଅଳ୍ପଦିନ ହେବ ରାଜନୀତିକ କରିଛି । ଲୋକଙ୍କର ତା ପ୍ରତି ଶ୍ରଦ୍ଧା ଅଛି । ଅଳ୍ପଦିନ ହେବ କଲେଜ ଛାଡ଼ିଛି । ବିଶୃଙ୍ଖଳ ଯୁବସମାଜ ସହିତ ଯୋଗସୂତ୍ର ସ୍ଥାପନ କରିବାଭଳି ଦକ୍ଷତା ଅଛି ।

 

ଏତେଗୁଡ଼ାଏ କାମ କଲାବେଳକୁ ସମୟର ଅଭାବ ହେଉଛି; ଅନେକ ବ୍ୟକ୍ତିଗତ ସ୍ୱାର୍ଥ ବ୍ୟତୀତ ସିପ୍ରା ପ୍ରତି ମଧ୍ୟ ସେ ସହାନୁଭୂତି ଶୀଳ ହୋଇପାରୁନାହିଁ । ବୟସ ଉଜୁଡ଼ିଯାଉଛି, ପଳାତକ ବସନ୍ତ ବିଳାପ କରୁଛି; ତଥାପି ଉପାୟ ନାହିଁ । ଅଶେଷ କାମର ଗୁରୁ ଦାୟିତ୍ୱ, ଉପମନ୍ତ୍ରୀର ଦାୟିତ୍ୱ ସହିତ ଅନେକ ସମିତି, ସଂଘ, ସଂଗଠନର କର୍ମକର୍ତ୍ତା ଭାବରେ ମଧ୍ୟ ନିଯୁକ୍ତି ପାଇଛି । ଗୋଟିଏ ମୁଣ୍ଡରେ କୋଟିଏ କାମର ଜଞ୍ଜାଳ ।

ଅରୁଭାଇଙ୍କ ବେକାର ପୁଅର କର୍ମସଂସ୍ଥାନ ସହିତ ପୁରୁଣା କର୍ମଚାରୀଙ୍କ ଛଟେଇ ବିଷୟରେ ଚିନ୍ତା କରିବାକୁ ପଡ଼ୁଛି । ବିଧାନ ସଭା ଗୃହରେ ବିରୁଦ୍ଧଦଳ ସଭ୍ୟଙ୍କର କଟାକ୍ଷ ସହିବାକୁ ପଡ଼ୁଛି ।

ରୁଚିର ଅନୁରୋଧ ମନେପଡ଼ୁଛି । ଦେବନାଥକୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ । ବିଚରା ଚାକିରି କରି ଶାନ୍ତି ପାଇପାରିନି । ତା’ପାଇଁ ରୁଚିକୁ ମଧ୍ୟ ଅଶାନ୍ତି ଭୋଗ କରିବାକୁ ପଡ଼ୁଛି ।

ଦେବନାଥର ଫାଇଲ ଦେଖିଛି ସେ । ବହୁଦିନ ଧରି ରାଜନୌତିକ ଚାପା ତା’ ଉପରେ ପଡ଼ିଛି । ଅନେକ ସରକାରୀ ଆଦେଶକୁ ସେ ଅବଜ୍ଞା କରିଆସିଛି । ସରକାରୀ ଦଳର ସମର୍ଥକ ପଞ୍ଚାୟତ ସମିତି ଚେୟାରମ୍ୟାନ ତାକୁ ସଂଯମ କରିବାପାଇଁ ଚେଷ୍ଟା କରୁଛନ୍ତି । ତାକୁ ବଦଳି କରିବାପାଇଁ ସରକାର ଇଚ୍ଛା କରୁନାହାନ୍ତି । ତା ଉଦ୍ଧତ ପ୍ରକୃତି ପାଇଁ ଶାସ୍ତି ବିଧାନ କରିବା ସରକାରଙ୍କର ଉଦ୍ଦେଶ୍ୟ । ଇଚ୍ଛା କଲେ ବି ସରକାରଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିବାଭଳି କ୍ଷମତା ତା’ର ନାହିଁ ।

ରୁଚିର ଅନୁରୋଧ ହୁଏତ ବ୍ୟର୍ଥ ହୋଇଯିବ ।

କେତେଜଣ ବେକାର ଯୁବକଙ୍କର ମିଳିତ ସ୍ୱାକ୍ଷରରେ ବାରମ୍ୱାର ଧମ ଧମକପୂର୍ଣ୍ଣ ଚିଠି ପାଉଛି ସୂର୍ଯ୍ୟକାନ୍ତ, ଯଦି ସରକାର ତାଙ୍କ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା ନ କରନ୍ତି, ତେବେ ସେମାନେ ଦେଶବ୍ୟାପୀ ଆନ୍ଦୋଳନ ଚାଲୁ କରିବେ । ତାଙ୍କ ପଛରେ ବିରୁଦ୍ଧ ଦଳମାନଙ୍କର ସମର୍ଥନ ରହିଛି । ସମ୍ଭବ ହେଲେ ହୁଏତ ସୂର୍ଯ୍ୟକାନ୍ତର ସରକାର ବିରୁଦ୍ଧରେ ବିରୁଦ୍ଧଦଳ ସଭ୍ୟମାନେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରନ୍ତି ।

ବେକାର ଯୁବକମାନଙ୍କ ପାଇଁ ସହାନୁଭୂତିଶୀଳ ହୋଇ ବହୁ ଚିନ୍ତା କରିଛି; କିନ୍ତୁ ଉପାୟ ଖୋଜି ପାଉନାହିଁ । ସମ୍ୱଳ ଅଭାବରୁ ଯୋଜନା କାମ ଆଗେଇ ପାରୁନାହିଁ । କର୍ମଚାରୀମାନଙ୍କର ନବିନିଯୁକ୍ତି ବିଷୟରେ ଚିନ୍ତା କରିବା ବର୍ତ୍ତମାନ ପରିସ୍ଥିତିରେ ଅର୍ଥହୀନ ।

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ଦିନକୁ ଦିନ ବଢ଼ିଯାଉଛି । ପ୍ରତ୍ୟେକ ପରିବାରରେ ସମସ୍ୟା ଦେଖାଦେଲାଣି । କର୍ମଚାରୀମାନେ ହତାଶ ହେଲେଣି । ନିର୍ଦ୍ଧାରିତ ଦରମାରେ ବର୍ଦ୍ଧିତ ମୂଲ୍ୟ ଦେଇ ଜିନିଷ କିଣିବାପାଇଁ ତାଙ୍କର ଶକ୍ତି ନାହିଁ । ସର୍ଭିସ କଣ୍ଡକ୍ଟ ରୁଲ ତାଙ୍କ ମୁହଁ ବନ୍ଦ କରି ରଖିଛି । ସେମାନଙ୍କର ଅଶାନ୍ତି ଭିତରେ ଭିତରେ କହୁଳୁଛି ।

 

ରାଜକର୍ମଚାରୀମାନଙ୍କୁ ଅସନ୍ତୁଷ୍ଟ କରି ରାଜକର୍ମ ନିୟନ୍ତ୍ରଣ କରିବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ; ତଥାପି ଉପାୟ ନାହିଁ ।

 

ଅଗଣିତ ସମସ୍ୟା ଭିତରେ ନିଜ ଜୀବନର ସମସ୍ୟା ବିଷୟରେ ଚିନ୍ତା କରୁଛି ସୂର୍ଯ୍ୟକାନ୍ତ । ଆଇନ ବିଦ୍ୟାରେ ଉପାଧି ପାଇବାପରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ହୁଏତ କିଛିଟା ଉପକାର ହୋଇଥାନ୍ତା । ଅନିଶ୍ଚିତ ରାଜନୀତି ପଛରେ ଧାଇଁ ସେ ଭୁଲ କରିଛି । ତରୁଣ ବୟସରେ ମନ୍ତ୍ରିତ୍ୱ ପାଇଛି ବୋଲି ତା’ ଉପରେ ପ୍ରୌଢ଼ ରାଜନୈତିକ ସହକର୍ମୀମାନଙ୍କର ବିଷଦୃଷ୍ଟି ପଡ଼ିଛି । ତା’ ଛଡ଼ା ଯଦି ଆସନ୍ତା ନିର୍ବାଚନରେ ସେ ଜୟଯୁକ୍ତ ନ ହୁଏ, ଜୀବନଧାରଣ ପାଇଁ ଆଉ କିଛି ଉପାର୍ଜନର ରାସ୍ତା ନାହିଁ ।

ଅସ୍ଥିର ହୋଇପଡ଼ିଲା ସୂର୍ଯ୍ୟକାନ୍ତ ।

ସିପ୍ରା ଗଭୀର ନିଦରେ ଶୋଇଯାଇଛି । ଏତେଗୁଡ଼ାଏ କଥା ଭବିବାପାଇଁ ତା’ର ଅବକାଶ ନାହିଁ ।

ବରଂ ସିପ୍ରା କିଛି ଚିନ୍ତା ନ କରି ଭଲ କରିଛି । କୃଷକ ପରିବାରରେ ଜନ୍ମ ନେଇ ଧାନମୁଗ ଆମଦାନୀ ପ୍ରସଙ୍ଗରେ ତା’ର ଧାରଣା ଜନ୍ମିଛି । ମୋଟା ଖାଇ ରୋଟା ପିନ୍ଧିବା ଭିତରେ ଜୀବନର ବିଳାସକୁ ସେ ଅନୁଭବ କରିଛି । ଗୋଟିଏ ପରିବାର ଭିତରେ ସିପ୍ରା ଶାନ୍ତି ପାଇଛି । ଅଧିକ କିଛି କରିବାର କାମନା ତା’ର ନାହିଁ; କିନ୍ତୁ ଅସଂଖ୍ୟ କାମନାର ଶିକାର ହୋଇ ଜଞ୍ଜାଳର ବ୍ୟାଧଜାଲରେ ପଡ଼ି ସେ ବିଳାପ କରୁଛି-

ସିପ୍ରାକୁ ତା’ ସରଳତା ପାଇଁ ଅଭିନନ୍ଦନ ଜଣେଇବାକୁ ପ୍ରଗଳ୍‌ଭ ହୋଇପଡ଼ିଲା ସୂର୍ଯ୍ୟକାନ୍ତ-

କ୍ଳାନ୍ତ ମରାଳୀ ପରି ଜୀବନତଟିନୀରେ ସନ୍ତରଣ କରି କରି ଗ୍ରୀବା ଭାଙ୍ଗି ଅଳସରେ ସିପ୍ରା ଘୁମେଇପଡ଼ିଛି । ଲୋଭନୀୟ ହୋଇଉଠିଛି ତା’ ଚିନ୍ତାହୀନ ଚକ୍ଷୁମୂଦ୍ରିତ ମୂଖଶ୍ରୀ । ରକ୍ତିମ ପତଳା ଓଠ ଆହୁରି ରକ୍ତିମ ହୋଇଉଠିଛି ।

ଏଇ ନିସ୍ତବଧ୍‌ ନିଶାର୍ଦ୍ଧରେ ରତିପ୍ରତିମା ରୁଚି ଦେବନାଥ ପାଖରେ ଗୋଟାଏ ବିଛଣାରେ ଶୋଇପଡ଼ିଥିବ । କର୍ମକ୍ଳାନ୍ତ ଅବଶ ରାତ୍ରିରେ ଦେବନାଥ ତାକୁ ଏକାନ୍ତ ନିଜର କରି ଗ୍ରହଣ କରିଥିବ-

ରୁଚି ଜୀବନରେ ଅତୀତ ଇତିହାସକୁ ଉଦ୍‌ଘାଟନ କରିବାକୁ ଦେବନାଥ କେବେ ଚେଷ୍ଟା କରିଥିବ କି ନାହିଁ ସୂର୍ଯ୍ୟ ଜାଣେ ନା । ଯଦି ସେଭଳି କିଛି ବାଧ୍ୟତାମୂଳକ ପରିସ୍ଥିତି ଦେଖା ଦେଇଥିବ, ରୁଚି ନିର୍ବିକାର ଭାବରେ ଉତ୍ତର ଦେଇଥିବ, ସୂର୍ଯ୍ୟକାନ୍ତ କେବଳ ତା’ର ବାଲ୍ୟସହଚର । ବନ୍ଧୁତାର ସମ୍ପର୍କ ବ୍ୟତୀତ ଆଉ କୌଣସି ସମ୍ପର୍କ ତା’ ସହିତ ସ୍ଥାପନ କରିବା ସମ୍ଭବ ନୁହେଁ । ତା’ ପରି ଏକ ଶୁଷ୍କ ଆଦର୍ଶବାଦୀ ଚରିତ୍ରକୁ କୌଣସି ରୁଚିମନ୍ତ ତରୁଣୀ ସମର୍ଥନ କରି ନ ପାରେ ।

ଦେବନାଥ ତାକୁ ବିଶ୍ୱାସ କରିଥିବ । ସୂର୍ଯ୍ୟକାନ୍ତ ଉପରେ ତା’ ଆକ୍ଷେପକୁ ସମର୍ଥନ ନ ଜଣେଇବା ଭଳି ଯୁକ୍ତି ଦେବନାଥ ବି ଖୋଜି ପାଇ ନ ଥିବ ।

 

କଲେଜରେ ପଢ଼ିବା ଦିନରୁ ଦେବନାଥ ଦେଖିଛି, ସୂର୍ଯ୍ୟକାନ୍ତ ସେମିତି ଧୋତିପିନ୍ଧା ମଣିଷ-। ସାଙ୍ଗସାଥୀ ମେଳରେ ସିନେମା ଥିଏଟର ଯିବାପାଇଁ ପସନ୍ଦ କରେ ନାହିଁ । ସହପାଠିନୀ ଝିଅମାନଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଭଲ ମନେ କରେ ନାହିଁ । ଗୋଟାଏ ଗ୍ରନ୍ଥକୀଟ । ସବୁବେଳେ ଗୁଡ଼ାଏ ବହି ପଢ଼େ । ପରିପକ୍ୱ ମଣିଷ ପରି ସଭା ସମିତି ହେଲେ ଗୁଡ଼ାଏ ଅଯଥା ଆଦର୍ଶବାଣୀ ଶୁଣାଏ ।

 

କେତେ ଦାମିକା ପୋଷାକ ପିନ୍ଧି ସିଗାରେଟ ଧୁଆଁ ଛାଡ଼ି କଲେଜକୁ ଆସେ ଦେବନାଥ । ମହିଳା କମନ୍‌ରୁମ ପାଖରେ ଠିଆ ହୋଇ ଅଶ୍ଳୀଳ ସିନେମା ଗୀତ ଗୁଣୁ ଗୁଣୁ ହୋଇ ବୋଲେ । ଝିଅମାନଙ୍କୁ ଥଟା କରେ ।

 

ଦେବନାଥର ବ୍ୟବହାରକୁ ସୂର୍ଯ୍ୟ ସମର୍ଥନ ଜଣେଇପାରେନା, ମୁହଁ ଖୋଲି କିଛି ମନ୍ତବ୍ୟ ମଧ୍ୟ ଦେଇପାରେନା, ଅଯଥାରେ କାହା ସହିତ କଳହ କରିବାକୁ ସେ ଇଚ୍ଛା କରେନା ।

 

ଆଶ୍ଚର୍ଯ୍ୟ ହୁଏ ସୂର୍ଯ୍ୟକାନ୍ତ, ସହପାଠିନୀ ଝିଅମାନେ ବି ଦେବନାଥକୁ ପସନ୍ଦ କରନ୍ତି । ତା’ ବିଷୟରେ କଥାବାର୍ତ୍ତା ହୁଅନ୍ତି ।

 

ଦେବନାଥର ଅହମିକା ବୃଦ୍ଧିପାଏ ।

 

କଲେଜ ଡ୍ରାମାରେ ଦେବନାଥ ନାୟକ ଭୂମିକାରେ ଅବତୀର୍ଣ୍ଣ ହୁଏ । ଝିଅଗୁଡ଼ାକ ତାଳି ଦେଇ ତାକୁ ଗୌରବରେ ଅଭିଷିକ୍ତ କରନ୍ତି । ବଡ଼ଲୋକ ଘରର ପୁଅ ସେ । ପାଠ ପଢ଼ିବା ଅପେକ୍ଷା ରସିକତା କରି ରୋମାନସ୍‌ କରିବାପାଇଁ କଲେଜକୁ ଆସେ ।

 

ସହପାଠିନୀ ଝିଅମାନଙ୍କୁ ଏକାକିନୀ ଭେଟିବାର ସୁଯୋଗ ପାଇଲେ ଅଶ୍ଳୀଳ ମନ୍ତବ୍ୟ ଦିଏ । ଲାଜରେ ମୁହଁ ଉଠେଇ ନ ପାରି ବାଟ ଭାଙ୍ଗି ସେମାନେ ଚାଲିଯାନ୍ତି । କିଏ କିମିତି ପ୍ରତିବାଦ କରନ୍ତି; କିନ୍ତୁ ବହୁତ ଝିଅ ନୀରବ ରହିଯାନ୍ତି ।

 

ରୁଚି ଥିଲା ଅନ୍ୟ ଆଦର୍ଶର ଝିଅ । ମଦନବାବୁ ଆଉ ସୀମା ଅପାଙ୍କ ପ୍ରଭାବରେ ସେ ପ୍ରଭାବିତ ହେବା ସ୍ୱାଭାବିକ । ପାଠପଢ଼ା ବ୍ୟତୀତ ଆଉ କିଛି ବିଷୟରେ ଭାଗ ନେବାପାଇଁ ସେ ସୁବିଧା ପାଇପାରେ ନା ।

 

ଶୃଙ୍ଖଳିତ ନିୟମରେ ଛନ୍ଦିହୋଇ ଅନେକ ସମୟରେ କଚଡ଼ା ଖାଏ ରୁଚି । ପୁରୁଣା ଢଙ୍ଗରେ ଚାଲିବାକୁ ମନ ମାନେ ନାହିଁ । ତଥାପି ଆଶ୍ରମ ଜୀବନର ପ୍ରଭାବ । ବେଶଭୂଷା, ଖାଇବା ପିଇବା, ସବୁଥିରେ ସରଳତା । ଝିଅମାନଙ୍କୁ କୃତ୍ରିମ ରୂପରେ ସଜେଇବାକୁ ପସନ୍ଦ କରନ୍ତି ନାହିଁ ମଦନବାବୁ । ସୀମାଅପା କହନ୍ତି, ନାରୀଶିକ୍ଷାର ଆଭିମୁଖ୍ୟ ନ ବଦଳେଇଲେ ଦେଶର ପରିବର୍ତ୍ତନ ଆସିବ ନାହିଁ । ଉପଯୁକ୍ତ ସହଧର୍ମିଣୀ କିମ୍ୱା ଉପଯୁକ୍ତ ଜନନୀ ହେବାପାଇଁ ନାରୀମାନଙ୍କୁ ସ୍କୁଲ କଲେଜରେ ଶିକ୍ଷା ଦିଆଯାଇପାରିବ ନାହିଁ । ସେସବୁ କଥା ସମାଜ ଭିତରୁ ନାରୀକୁ ଗ୍ରହଣ କରିବାକୁ ହେବ ।

 

ତଥାପି ନାରୀ କେବଳ ପାଚିକା ହେବାପାଇଁ କିମ୍ୱା ସନ୍ତାନ ପ୍ରସବ ପାଇଁ ସୃଷ୍ଟି ହୋଇନି । ନାରୀ ଅପେକ୍ଷା ପୁରୁଷ ପୁଝାରୀମାନେ ଭଲ ରନ୍ଧନ କରିପାରନ୍ତି । ସାଧାରଣ ପୁରୁଷ ସୈନିକ ଅପେକ୍ଷା ବହୁଗୁଣରେ କୃତିତ୍ୱ ଦେଖାଇ ଝାନ୍‌ସିରାଣୀ ଲକ୍ଷ୍ମୀବାଈ ସମର କ୍ଷେତ୍ରରେ ରଣକୌଶଳ ପ୍ରଦର୍ଶନ କରିଥିଲେ ।

 

ଜନନୀ ହେବା ବ୍ୟତୀତ ପୁରୁଷ ଆଉ ନାରୀ ଭିତରେ ଆଉ କୌଣସି କାମରେ ପାର୍ଥକ୍ୟ ରହିବା ଉଚିତ ନୁହେଁ । କୌଣସି ପ୍ରଗତିଶୀଳ ରାଷ୍ଟ୍ରରେ ନାରୀ ପୁରୁଷ ମଧ୍ୟରେ ପାର୍ଥକ୍ୟ ନାହିଁ । ରୁଚିର ସେଥିପାଇଁ ସହପାଠୀ ପୁରୁଷବନ୍ଧୁମାନଙ୍କ ସହିତ ମିଳାମିଶାକୁ ସୀମାଅପା କେବେ ସନ୍ଦେହ କରିନାହାନ୍ତି । ସତର୍କତା ଅବଲମ୍ୱନ କରିବାପାଇଁ ସାଧାରଣ ମା’ ମାନେ ଯେମିତି ଝିଅମାନଙ୍କ ବ୍ୟବହାରକୁ ନିୟନ୍ତ୍ରଣ କରନ୍ତି, ସେପରି କରିନାହାନ୍ତି ସୀମାଅପା । ତାଙ୍କ ଦୃଷ୍ଟିଭଙ୍ଗୀ ଅନେକ ବିସ୍ତୃତ-। ଏମିତି କ୍ଷୁଦ୍ର କଥା ଉପରେ ମନୋନିବେଶ କଲେ ଅନେକ ବିରାଟ କଥା ଚିନ୍ତା କରିବାପାଇଁ ସମୟ ମିଳିବ ନାହିଁ ।

 

ସୀମାଅପାଙ୍କ ସରଳତାର ସୁଯୋଗ ନେଇଛି ରୁଚି । ପୁରୁଷବନ୍ଧୁ ସହପାଠୀମାନଙ୍କ ସହିତ ଅବାଧରେ ମିଶିଛି । ବୟସର ଫାଲ୍‌ଗୁନରେ ମନର କୋଇଲି କୁହୁକିଛି ।

 

ରୁଚି ମନରେ ମଳୟ ବହିଛି ।

 

ଦେବନାଥ ସହିତ ଯୋଉଦିନ ପ୍ରଥମ ଥର ପାଇଁ କଲେଜ ପଛପଟ ତ୍ରୋଟନଗଛ ଉହାଡ଼ରେ ରୁଚିକୁ ଏକାନ୍ତରେ ପାପ କରୁଥିବାବେଳେ ସୂର୍ଯ୍ୟକାନ୍ତ ଦେଖିଥିଲା, ସେଦିନ ମନରେ ତା’ର ସନ୍ଦେହ ହୋଇଥିଲା । ଏକ ନିର୍ଜନ ପରିବେଶରେ ଦେବନାଥ ପରି ଜଣେ ଉଚ୍ଚ୍ଥୃଙ୍ଖଳ ଯୁବକ ସହିତ କୋଉ ବିଷୟରେ ଆଲୋଚନା କରୁଥିବ ରୁଚି ?

 

ପାଠ ବିଷୟରେ ନିଶ୍ଚୟ ନୁହେଁ ।

 

ହୁଏତ ରୁଚି କହୁଥିବ, କଲେଜ ଡ୍ରାମାରେ ତୁମ ଅଭିନୟ ସବୁଠାରୁ ଆକର୍ଷଣୀୟ ହୋଇଥିଲା, ଦେବନାଥ ! ସବୁ ଝିଅମାନେ ତୁମକୁ ପସନ୍ଦ କରିଥିଲେ ।

 

ଦେବନାଥ ଉଚ୍ଚ୍ଥ୍ୱସିତ ପ୍ରଶଂସାରେ ମନେ ମନେ ଫୁଲିଉଠୁଥିବ । ଅଥବା ଦେବନାଥ କହୁଥିବ, ତୁମ ପରି ସରଳା ଝିଅ କଲେଜକୁ କେବେ ପଢ଼ିବାକୁ ଆଗରୁ ଆସି ନ ଥିଲେ ରୁଚି । ତୁମେ ନୂତନତା ସୃଷ୍ଟି କରିଛ । ଅସନା କଳାମେଘ ଭିତରେ ଜହ୍ନ ସୁନ୍ଦର ଦିଶେ । ମୋଟା ଶାଢ଼ୀ, ଅଯତ୍ନ ବେଶପରିପାଟୀ ଭିତରେ ତୁମ ରୂପ ସୁନ୍ଦର ଦିଶେ । ତୁମେ କଳାକାର ହୋଇଥିଲେ ବୁଝିପାରନ୍ତ ରୁଚି, ବିପରୀତାତ୍ମକ ସମାବେଶରେ କେତେ ଆନନ୍ଦ । କଳାମେଘରେ ବିଜୁଳି, ଧଳା କାଗଜରେ କଳାଲିପି ପରି ଅନେକ ଅଯତ୍ନ ଭିତରେ ତୁମ ଲାବଣ୍ୟ ଅତ୍ୟନ୍ତ ସ୍ପଷ୍ଟ ।

 

ରୁଚିର କାନମୁଣ୍ଡା ରକ୍ତିମ ହୋଇଉଠିଥିବ ଲାଜରେ ।

 

ଲାଜରେ ଫେରିଆସିବାକୁ ଇଚ୍ଛା ହେଉଥିବ । ଏକୁଟିଆ ଯୁବକବନ୍ଧୁ ସହିତ ଲୁଚି ଲୁଚି ଗପ କଲାବେଳେ ଡର ମାଡ଼େ; ତଥାପି ପାଦ ଅଟକିଯାଉଥିବ, ନିଜର ପ୍ରଶଂସା ଶୁଣିବାକୁ ଆଉ ଟିକିଏ ଇଚ୍ଛା ହେଉଥିବ ।

ବହୁତ ସମୟ ଧରି ସେମାନେ ଏକାଠି ଠିଆ ହୋଇ ଗପ କରିଥିଲେ ।

ସେଦିନ ଇତିହାସ ଶ୍ରେଣୀରେ ଦୁହେଁ ଯୋଗ ଦେଇ ପାରି ନ ଥିଲେ ।

ସୂର୍ଯ୍ୟକାନ୍ତର ମନେଅଛି, ଖୁବ୍‌ ଅସୁସ୍ଥତା ସେଦିନ ଅନୁଭବ କରିଥିଲା ସେ । ଅଧ୍ୟାପକ ଡକ୍ଟର ଦାସ ବକ୍ତୃତା ଦେଲାବେଳେ ସେ କିଛି ଶୁଣି ପାରୁ ନ ଥିଲା । କ’ଣ ସେଦିନର ପ୍ରତିକ୍ରିୟା, ଠିକ୍‌ ମନେ ପକେଇପାରୁନି ସୂର୍ଯ୍ୟ; କିନ୍ତୁ ଦେବନାଥ ଉପରେ ସେ ଅତିମାତ୍ରାରେ ବିରକ୍ତ ହୋଇଉଠିଥିଲା ।

ଦୋଷ ନ ଥିଲା ଦେବନାଥର ।

ପତଙ୍ଗ ଯଦି ଇଚ୍ଛା କରି ଝାସଦେବାକୁ ଚେଷ୍ଟା କରେ, ସେଥିପାଇଁ ଅଗ୍ନିଶିଖାକୁ ଦୋଷ ଦେଇ ଲାଭ କ’ଣ !

ସୂର୍ଯ୍ୟ ଭାବିଥିଲା, ରୁଚି ସେଦିନ ଶ୍ରେଣୀରେ ଯୋଗ ଦେଇପାରିନାହିଁ ବୋଲି ଅନୁତାପ କରିବ । ଭବିଷ୍ୟତରେ ଏମିତି ଭୁଲ କରିବ । ନାହିଁ ବୋଲି ସତର୍କତା ଅବଲମ୍ୱନ କରିବ । ସୀମାଅପା ଜାଣିଲେ ବିରକ୍ତ ହେବେ । ମଦନବାବୁ ଦୁଃଖ କରିବେ ।

ତା’ ମନରେ କିନ୍ତୁ କୌଣସି ପ୍ରତିକ୍ରିୟା ଲକ୍ଷ୍ୟ କରିପାରିଲା ନାହିଁ ସୂର୍ଯ୍ୟକାନ୍ତ ।

ଗୋଟାଏ ଦିନ ଲିଜ୍‌ର ପିରିୟଡ଼ରେ ଲାଇବ୍ରେରୀକୁ ବହି ପାଇଁ ଯାଇଥିଲା ସୂର୍ଯ୍ୟକାନ୍ତ । ରୁଚି ସହିତ ସାକ୍ଷାତ ହୋଇଗଲା । ଲାଇବ୍ରେରୀଆନ୍‌ଙ୍କ ସହିତ କୌଣସି ଏକ ନିର୍ଦ୍ଧିଷ୍ଟ ବହି ବିଷୟରେ ସେ କଥାବାର୍ତ୍ତା କରୁଥିଲା । କାହିଁକି କେଜାଣି ଅସହ୍ୟ ବୋଧ କରିଥିଲା ସୂର୍ଯ୍ୟକାନ୍ତ । ରୁଚି ସହିତ ଆଉ ଦେଖା କରିବାକୁ ସେ ଚାହୁଁ ନ ଥିଲା ।

ଫେରିଆସୁଥିଲା ସୂର୍ଯ୍ୟକାନ୍ତ ।

ତା’ ପଛେ ପଛେ ରୁଚି ବି ଫେରିଆସିଲା ।

ଉପର ମହଲାରୁ ତଳକୁ ଆସିବା ବାଟରେ ସିଡ଼ିରେ ମୋଡ଼ ବୁଲିଲାବେଳେ ରୁଚି କହିଲା, ତମେ ମୋ ଉପରେ ରାଗିଛ, ସୂର୍ଯ୍ୟ ! କେତେ ଦିନ ଧରି ଲକ୍ଷ୍ୟ କରୁଛି, ମୋତେ ଦେଖିଲେ ତମେ ବାଟଭାଙ୍ଗି ଚାଲିଯାଉଛି ।

ସୂର୍ଯ୍ୟ କହିଥିଲା, ତୁମ ଉପରେ ରାଗିବାର ଅଧିକାର ମୋର ନାହିଁ ।

ରୁଚି କହିଲା, ଆଗ ଭଳି ହାର୍ଦ୍ଦିକତା ଜ୍ଞାପନ କରିବାପାଇଁ ତୁମେ କିନ୍ତୁ ନିଶ୍ଚୟ କୁଣ୍ଠାବୋଧ କରୁଛ ।

–ତୁମ ପାଇଁ ବଦାନ୍ୟତା ଦେଖାଇବାର ଯୋଗ୍ୟତା ଯେତେବେଳେ ନାହିଁ, ହାର୍ଦ୍ଦିକତା ଦେଖାଇବାର ଅଭିଳାଷ ରଖିବା ବି ଅବାନ୍ତର ହେବ ।

–ବାପା କହୁଥିଲେ, କଲେଜରେ ପଢ଼ିବା ପରେ ତୁମେ କୁଆଡ଼େ ଆମ ପରିବାର ସହିତ ସମ୍ପର୍କକୁ କ୍ରମଶଃ ଦୂରେଇଦେଉଛ ।

–ବାପାଙ୍କ କହିଦେବ, ତାଙ୍କ ଧାରଣା ଅମୂଳକ ନୁହେଁ । ପରିସ୍ଥିତି ମୋତେ ବାଧ୍ୟ କରିଛି । ରବିଦାସଙ୍କ ପାଇଁ ତୁମ ପରିବାର ସହିତ ମୋର ଯୋଉ ସମ୍ପର୍କ ଗଢ଼ିଥିଲା, ତୁମ ପାଇଁ ମୁଁ ତାକୁ ଦୂରେଇଦେବାକୁ ଚେଷ୍ଟା କରୁଛି ।

 

ରୁଚି ମୁହଁରୁ ସରସତା ହଠାତ୍‌ ମଉଳିଗଲା । ସାମାନ୍ୟ ଉତ୍ତେଜିତ ହୋଇ ସେ କହିଲା, ସମ୍ପର୍କ ରଖିବା କିମ୍ୱା ନ ରଖିବା ମୋ ସ୍ୱାଧିକାର ଉପରେ ନିର୍ଭର କରେ । ମୋ ଉପରେ ଦୋଷାରୋପ କରିବାର ଅସମୀଚିନ ଆକ୍ଷେପ ଆଦୌ ଯୁକ୍ତିସଂଗତ ନୁହେଁ । ତୁମ ପ୍ରତି ସେଭଳି ଆଚରଣ କେବେ କରିଛି ବୋଲି ମୋର ମନେ ହୁଏନା ।

 

–ନିଜ ଦୃଷ୍ଟିରେ ନିଜର ଭୁଲ ଧରାପଡ଼େ ନା, ରୁଚି ! ଉପଦେଶ ଦେବାର ଅଭିଳାଷ ମୋର ନାହିଁ; ତଥାପି କହିବି, ତୁମର ଦାୟିତ୍ୱବୋଧ ଜ୍ଞାନ ରହିବା ଉଚିତ । କଲେଜକୁ ପାଠ ପଢ଼ିବାକୁ ଆସି ଶ୍ରେଣୀରେ ଯୋଗ ନ ଦେଇ ନିରୋଳାରେ ପୁଅମାନଙ୍କ ସହିତ କଥାବାର୍ତ୍ତା କରିବା ଭଳି ବିଶେଷ ଆବଶ୍ୟକତା ତୁମ ଜୀବନରେ ଦେଖା ଦେବା ଉଚିତ ନୁହେଁ ।

 

ରୁଚିଠାରୁ ଆଉ କିଛି ଉତ୍ତର ପାଇବାପାଇଁ ଅପେକ୍ଷା ନ କରି ଫେରିଆସିଥିଲା ସୂର୍ଯ୍ୟକାନ୍ତ-

 

ତା’ପରେ କଲେଜରେ ରୁଚି ସହିତ କୌଣସି ପ୍ରସଙ୍ଗରେ କଥାବର୍ତ୍ତା କରିବାପାଇଁ ସେ ଇଚ୍ଛା କରି ନ ଥିଲା ।

 

ଯେତେବେଳେ କଲେଜ ନିର୍ବାଚନରେ ସୂର୍ଯ୍ୟ ସଭାପତି ପଦପାଇଁ ପ୍ରତିଦ୍ୱନ୍ଦିତା କରିଥିଲା, ରୁଚି ତା’ ପାଇଁ ପ୍ରଚାର କରୁଥିଲା କି ନାହିଁ ସେ ଜାଣେନି; କିନ୍ତୁ ଦେବନାଥ ତା’ର ପ୍ରତିଦ୍ୱନ୍ଦୀକୁ ସାହାଯ୍ୟ କରୁଥିଲା ।

 

ପ୍ରଚାର ସଭାରେ ନିଜ ପ୍ରାର୍ଥୀକୁ ସାହାଯ୍ୟ କରିବାକୁ ଯାଇ ଦେବନାଥ କହିଥିଲା, ସୂର୍ଯ୍ୟକାନ୍ତ ଆଧୁନିକ ଅଗ୍ରଗାମୀ ଦୁନିଆରେ ଜଣେ ପ୍ରାଚୀନପନ୍ଥୀ ଯୁବକ । ଆଜିର ସମସ୍ୟାବହୁଳ ଛାତ୍ରସମାଜକୁ ନେତୃତ୍ୱ ଦେଲାଭଳି ଦକ୍ଷତା ତା’ର ନାହିଁ । ଏକା କଲେଜରେ ପାଠ ପଢ଼ି ମଧ୍ୟ ସେ ପୁଅଝିଅଙ୍କର ମିଳାମିଶାକୁ ଭଲ ଆଖିରେ ଦେଖିପାରେ ନାହିଁ, ଏପରିକି ଝିଅମାନଙ୍କୁ ଏକାନ୍ତରେ ସେଥିପାଇଁ ଆକ୍ଷେପ କରିବାକୁ କୁଣ୍ଠାବୋଧ କରେ ନା ।

 

ନିର୍ବାଚନ ସହିତ ସମ୍ପର୍କ ନ ଥିଲେ ବି ଦେବନାଥର ଇଙ୍ଗିତ ବୁଝିପାରିଥିଲା ସୂର୍ଯ୍ୟକାନ୍ତ । ନିଜ ପ୍ରାର୍ଥିତ୍ୱର ଆବଶ୍ୟକତା ବିଷୟରେ ସହାଧ୍ୟାୟୀ ବନ୍ଧୁମାନଙ୍କୁ କହିବାକୁ ଯାଇ ଏକ ସାରଗର୍ଭକ ଭାଷଣ ଦେଇଥିଲା ସେ । ବନ୍ଧୁମାନଙ୍କ ମନକୁ ହୁଏତ ତା କଥାଗୁଡ଼ାକ ସ୍ପର୍ଶ କରିଥିଲା ।

 

ନିର୍ବାଚନରେ ଜୟଲାଭ କରିଥିଲା ସୂର୍ଯ୍ୟକାନ୍ତ ।

 

ଆଉ ଦିନେ ତା’ର ବିଜୟକୁ ଅଭିନନ୍ଦନ ଜଣେଇ ରୁଚି ନିଜ ଇଚ୍ଛାରେ କହିଥିଲା, ତୁମ ପାଇଁ ମୁଁ ଗର୍ବ କରେ, ସୂର୍ଯ୍ୟ ! ବାପା କହୁଥିଲେ, ରବିଦାସଙ୍କ ପରି ବଡ଼ ହେବାର ଅନେକ ଆଶାପ୍ରଦ ସମ୍ଭାବନା ତୁମ ଭିତରେ ରହିଛି ।

 

ସୂର୍ଯ୍ୟ କହିଥିଲା, ବାପାଙ୍କୁ କହିଦେବ, ମୁଁ ତାଙ୍କର ଜଣେ ଆଶୀର୍ବାଦପ୍ରାର୍ଥୀ । ତାଙ୍କଠାରୁ ଆଶୀର୍ବାଦ ଲାଭ କଲେ ମୁଁ ନିଶ୍ଚୟ ଅନୁଗୃହିତ ହେବି ।

 

ରୁଚି କହିଥିଲା, ମୋ ଉପରେ ଅଭିମାନ କରି ତୁମେ ବାପାଙ୍କ ପ୍ରତି ଅବିଚାର କରିଛ । ତୁମକୁ କେବଳ ଦେଖିବାପାଇଁ ତାଙ୍କର ଅଶେଷ ଆଗ୍ରହ ।

 

ସୂର୍ଯ୍ୟ କହିଥିଲା, ଆମ ପିଲାଦିନ କଥା ତୁମର ମନେଥିବ, ରୁଚି ! ରବିଦାସ କହୁଥିଲେ, ମୋ ପାଇଁ ତୁମକୁ ବୋହୁ କରି ଘରକୁ ଆଣିବେ । ସେତେବେଳେ ତାଙ୍କ କହିବାର ତାତ୍ପର୍ଯ୍ୟ ମୁଁ ବୁଝିପାରୁ ନ ଥିଲି; କିନ୍ତୁ ବୁଝିବାର ବୟସ ହେଲାବେଳକୁ ଦେଖିଲି, ତୁମେ ତାଙ୍କ ଆକାଂକ୍ଷାକୁ ସମ୍ଭାବିତ କରିବାପାଇଁ ଇଚ୍ଛା ପ୍ରକାଶ କରୁନ ।

 

ଅଦିନ ମେଘର ଗାମ୍ଭୀର୍ଯ୍ୟ ଛାଇ ମୂହଁରେ ଖେଳିଯାଇଥିଲା । ଆଖି ଧାରରେ ବର୍ଷଣର ଆୟୋଜନ ସ୍ପଷ୍ଟ ହୋଇଉଠିଥିଲା ।

 

କମ୍ପିତ କଣ୍ଠରେ ସେ କହିଲା, ତୁମେ ଯେତେବେଳେ ଆମ ସମ୍ୱଳହୀନ ପାରିବାରିକ ଦୈନ୍ୟକୁ ଉପହାସ କରି ମୋତେ ବିଦ୍ରୂପ କରିପାର, ଘୃଣା କରିପାର, ମୋତେ ବଧୂ କରି ବରଣ କରିବାର ଅଭିଳାଷ କେତେ ଦୂର ତୁମ ପକ୍ଷରେ ଯଥାର୍ଥ, ମୁଁ ବୁଝିସାରିଛି ।

 

ରୁଚି ଆଖିରୁ ଲୁହ ଝରିପଡ଼ୁଥିଲା ।

 

ସମ୍ୱେଦନଶୀଳତାର ବଶବର୍ତ୍ତୀ ହୋଇ ସେଦିନ ସୂର୍ଯ୍ୟର ହାତ ସ୍ୱେଚ୍ଛାକୃତ ଭାବରେ ତା’ଆଖିରୁ ଲୁହ ପୋଛିଦେବା ପାଇଁ ଲମ୍ୱିଯାଇଥିଲା । କିନ୍ତୁ ସାଧ୍ୟମତେ ଚେଷ୍ଟା କରି ନିଜକୁ ସଂଯତ କରିନେଇଥିଲା ସୂର୍ଯ୍ୟ ।

 

ରୁଚିର କମ୍ପିତ ଗଣ୍ଡଦେଶକୁ ସ୍ପର୍ଶ କରିବାର କାମନା ଆପେ ଆପେ ପୁଣି ମରିଯାଇଥିଲା ।

 

ଖାଲି ଏତିକି ପଚାରିଥିଲା, ତୁମକୁ ମୁଁ କୌଣସି ସମୟରେ କେବେ ଘୃଣା କରିଛି ବୋଲି ପ୍ରମାଣ ଦେଇପାରିବ ?

 

ରୁଚି କହିଲା, ପରୀକ୍ଷାଗାରରେ ଜଡ଼କୁ ପରୀକ୍ଷା କଲାପରି ଜୀବନକୁ ତୁମେ ବାରମ୍ୱାର ପରୀକ୍ଷା କରିବ ବୋଲି ମୁଁ କେବେ କଳ୍ପନା କରି ନ ଥିଲି । ମୋ କୁମାରିତ୍ୱକୁ ମନର ଗବେଷଣାଗାରରେ ପରୀକ୍ଷା କରିବାପାଇଁ ତୁମକୁ ବହୁଦିନ ଧରି ସମୟ ଦେଇଥିଲି । ତୁମରି ସଙ୍ଗୀତର ସ୍ୱର ହୋଇ ଲହରିତ ହୋଇଥିଲି, ତୁମରି କବିତାର ଛନ୍ଦ ହୋଇ ବିକଶିତ ହୋଇଥିଲି, ତୁମ ମନର ମୁକୁରରେ ନିଜର ପ୍ରତିବିମ୍ୱ ପ୍ରତିଫଳିତ କରାଇଥିଲି, ନିଜ ବିକାଶର ସୌରଭକୁ ଆଘ୍ରାଣ କରିବାପାଇଁ ତୁମକୁ ସୁଯୋଗ ଦେଇଥିଲି । ତା’ର ପ୍ରତିଦାନରେ ତୁମଠାରୁ ପାଇଲି ବିଦ୍ରୂପ । ଆଘ୍ରାଣ କରିସାରି ଉପେକ୍ଷତ ଛଡ଼ାଫୁଲ ପରି ତୁମେ ମୋତେ ଦୂରକୁ ଫିଙ୍ଗିଦେଲ । ତୁମ ପାଖରେ ନିଜକୁ ଉତ୍ସର୍ଗ କରିବାର ଯାହା ପ୍ରାପ୍ୟ, ମୁଁ ପାଇସାରିଛି । ଆଉ ପ୍ରମାଣ ଯୋଗାଇବାର ଆବଶ୍ୟକତା ନାହିଁ । ତଥାପି ପୂର୍ବରୁ ସ୍ମୃତି ଟିକକ ମୋତେ ତୁମର ନିକଟତମ ହେବାକୁ ବାଧ୍ୟ କରୁଛି ବୋଲି ଅନେକ ସମୟରେ ନିଜକୁ ସଂଯତ କରି ମୁଁ ତୁମ ପଛରେ କେତେଥର ଧାଇଁଛି, ବାରମ୍ୱାର ଲାଞ୍ଛନା ସହିଛି ।

 

ରୁଚି ମୂହଁରୁ ସୁଦୀର୍ଘ ବେଦନାଭାର ବକ୍ତବ୍ୟ ଶୁଣି ନିଜର ସ୍ଥିତି ବିଷୟରେ କିଛି ଧାରଣା କରିପାରି ନ ଥିଲା ସୂର୍ଯ୍ୟ । ତା’ର ମନେହେଲା, ସେ ଯେମିତି ଗୁଡ଼ାଏ ଅନାବଶ୍ୟକ ପ୍ରଳାପ ଶୁଣୁଛି-

 

କେବଳ ଆଶ୍ଚର୍ଯ୍ୟ ନୁହେଁ, ହତାଶାରେ ଆହତ ହୋଇ କହିଥିଲା, ତୁମେ କ’ଣ କହିଯାଉଛ, ମୁଁ କିଛି ବୁଝିପାରୁନି, ରୁଚି !

 

–ନିଜକୁ ଲୁଚେଇବାକୁ ଆଉ ଚେଷ୍ଟା କରନା, ସୂର୍ଯ୍ୟ ! ମୁଁ ଦେବନାଥ ପାଖରୁ ତୁମର ସବୁ କଥା ଶୁଣିସାରିଛି । କେବଳ ତୁମରି କଥା ଶୁଣିବି ବୋଲି ଗୋଟାଏ ଦିନ ମୁଁ ଇତିହାସ ଶ୍ରେଣୀରେ ଯୋଗ ଦେଇପାରିନି । ମୁଁ ପୁରୁଷ ସହପାଠୀମାନଙ୍କ ସହିତ ଅବାଧରେ ମିଳାମିଶା କଲେ ତୁମର ଯଦି କିଛି କ୍ଷତି ହେଉଥିଲା, ମୋତେ କହିପାରିଥାନ୍ତ । ତୁମକୁ ମୁଁ ଯାହା ଦାନ ଦେଇଥିଲି, ସେଇ ଉଦାରତା ରକ୍ଷା କରି ମୁଁ କଣ ଆଉ ଟିକିଏ ସଂଯତ ହୋଇ ପୁରୁଷ ବନ୍ଧୁମାନଙ୍କ ମିଳାମିଶାକୁ ଛାଡ଼ିପାରି ନ ଥାନ୍ତି ? ପିଲାଦିନୁ ଆଶ୍ରମ ପ୍ରଭାବରେ ପଡ଼ି ପୁଅଝିଅ ସମସ୍ତଙ୍କ ସହିତ ମୁଁ କେବଳ ସମାନ ବନ୍ଧୁତାର ସମ୍ପର୍କ ରକ୍ଷା କରୁଥିଲି ।

 

ପିଲାଙ୍କ ପରି କାନ୍ଦି କାନ୍ଦି ରୁଚି କହିଲା, ତୁମ ପାଇଁ ମୁଁ ସବୁକିଛି ତ୍ୟାଗ କରିପାରିଥାନ୍ତି, ସୂର୍ଯ୍ୟ ! ମୋତେ ଭ୍ରଷ୍ଟା ବୋଲି ଚିତ୍ରଣ କରିବା ତୁମର ଆଦୌ ଉଚିତ ହୋଇନି ।

 

ମୋତେ ଘୃଣା କରି ତୁମେ ଆମ ଘରକୁ ଯିବା ପର୍ଯ୍ୟନ୍ତ ବନ୍ଦ କରିଦେଇଛ । ତଥାପି ମୁଁ ବାପାଙ୍କ ପାଖରେ କେବେ ତୁମକୁ ନୀଚ କରି କଥା କହିନି ।

 

ସୂର୍ଯ୍ୟକାନ୍ତର ସ୍ପଷ୍ଟ ମନେଅଛି, ରୁଚି ପାଖରେ ଠିଆହୋଇ ରୋଦନଶକ୍ତିକୁ ସେ ସଂଯତ କରିପାରି ନ ଥିଲା ।

 

ଏଇ ମଣିଷ ମହାପୁରୁଷ ହୋଇ ଜନ୍ମନେଇଛି, ପୁଣି ବି ଏଇ ମଣିଷ ମହାପୁରୁଷକୁ ହତ୍ୟା କରି ସଭ୍ୟତାକୁ କଳଙ୍କିତ କରିଛି । ଦେବନାଥ ଦାନବର ରୂପ ସାଜି ରୁଚିର ସରଳତାକୁ ହତ୍ୟା କରିଛି ବୋଲି ତାକୁ ବୁଝିବାପାଇଁ କିଛି ବାକି ରହିଲା ନାହିଁ ।

 

ରୁଚିର ହାତ ଦୁଇଟାକୁ ନିଜର ଦୁଇ ମୁଠା ଭିତରେ ଧରିନେଇ ସୂର୍ଯ୍ୟକାନ୍ତ ସେଦିନ କହିଲା, ମୋତେ ବିଶ୍ୱାସ କର, ରୁଚି ତୁମକୁ ନିନ୍ଦା କଲାପରି ପାପକୁ ମୁଁ କେବେ ନିଜ ଭିତରେ ସ୍ଥାନ ଦେଇପାରିବି ନାହିଁ । ଦିଗ୍‌ଭ୍ରାନ୍ତ କଳ୍ପନାର ଧ୍ରୁବତାରା ରୂପେ ମୁଁ ତୁମକୁ ଶୈଶବରୁ ଆବିଷ୍କାର କରିଛି-। ମାନସଦୃଷ୍ଟିରୁ ହଜେଇଦେବାର ଶକ୍ତି ମୋର ନାହିଁ । ଦେବନାଥ ଯଦି କିଛି ତୁମକୁ କହିଥାଏ, ସେ ତା’ର କଳ୍ପନାର କାହାଣୀ ।

 

ମୋତେ ବିଶ୍ୱାସ କର ରୁଚି, ମୁଁ ମଣିଷ । ମୋର ହୃଦୟ ଅଛି । ଜୀବନକୁ ଗ୍ରହଣ କରିବାଭଳି ଆତ୍ମଚେତନା ଅଛି । ମୁଁ କେବେ ଅକୃତଜ୍ଞ ହୋଇ ନ ପାରେ । ଦେବନାଥ ସହିତ ମୋର କେବେ କୌଣସି ଦିନ ତୁମ କଥା ନେଇ ଆଲୋଚନା ହୋଇନି । ମୁଁ ତାକୁ କେବେ ବିଶ୍ୱାସୀ ବନ୍ଧୁଭାବରେ ଗ୍ରହଣ କରି ନ ପାରେ ।

 

ସୂର୍ଯ୍ୟର ହାତମୁଠାରୁ ହାତ ଛଡ଼େଇ ନେଇ ରୁଚି କହିଲା, ତୁମ ହାତର ଉଷ୍ଣତାରେ ଜୀବନର ସ୍ୱାଦୁ ଅଛି, ତୁମ ହୃଦୟରେ ଜୀବନର ଇଙ୍ଗିତ ଅଛି; କିନ୍ତୁ ମୁଁ ଆଉ ଗ୍ରହଣ କରିପାରୁନି, ସୂର୍ଯ୍ୟ ! ମୋର ବିଚ୍ୟୁତି ହୋଇଛି; ଜୀବନକୁ ହାତ ବଢ଼େଇ ମୁଁ ମୃତ୍ୟୁକୁ ତୋଳିଆଣିଛି । ମୁଁ ତୁମର ଧ୍ରୁବତାର ହୋଇ ଆଉ ନାହିଁ । କଳଙ୍କର କାଳିରେ ମୋର ଜ୍ୟୋତି ଲିଭିଗଲାଣି । ଦେବନାଥଙ୍କୁ ଦାନ ଦେବା ପରେ ମୁଁ ରିକ୍ତା । ତୁମ ହୃଦୟକୁ ଅଭିନନ୍ଦନ ଜଣେଇବାପାଇଁ କିଛି ଅବଶିଷ୍ଟ ନାହିଁ ।

 

ଆଜିଠାରୁ ମନେକରିବ ସୂର୍ଯ୍ୟ, ତୁମ ରୁଚିର ମୃତ୍ୟୁ ହୋଇଛି । କେବଳ ଟିକିଏ ଭୁଲ ବୁଝାମଣାର ବିଷ ପାନ କରି ସେ ମରିଯାଇଛି ।

 

ସୂର୍ଯ୍ୟ କେବଳ କାନ୍ଦିଥିଲା ସେଦିନ, ହତାଶାର ଗ୍ଳାନିରେ ପାଗଳ ହୋଇପଡ଼ିଥିଲା ।

 

ଝଡ଼ର ସମ୍ମୁଖୀନ ହୋଇଥିଲା ।

 

ଏଇ ରୁଚିକୁ ନେଇ କ୍ଷୁଦ୍ର ନୀଡ଼ ରଚନା ପାଇଁ ଅନେକ ଦିନର ଆସକ୍ତି ଝଡ଼ବିପର୍ଯ୍ୟସ୍ତ ଏକାକୀ କପୋତ ପରି ଲକ୍ଷ୍ୟହୀନ ଭାବରେ ଭାସିଯାଇଥିଲା ବହୁତ ଦୂରକୁ ।

 

ସମ୍ମୁଖରେ ଥିଲା ମହାଶୂନ୍ୟର ସରଣୀ ।

 

ଦିଗହଜା ପାନ୍ଥ ସୂର୍ଯ୍ୟକାନ୍ତ ।

 

ରୁଚିକୁ ନେଇ ନୀଡ଼ ରଚନା କରିବାର ସ୍ୱପ୍ନ ଆଉ ସଫଳ ହେବନି ।

 

ବିନ୍ଦୁ ବିନ୍ଦୁ ଲୁହର ଅସଂଖ୍ୟ ମୁକ୍ତା ଅଜାଡ଼ି ଦେଇଥିଲା ରୁଚି । ଏତେଦିନ ନିବିଡ଼ତାର ଶେଷ ଉପହାର । ହୁଏତ କହିଥିଲା, ଏତିକି ବ୍ୟତୀତ ଆଉ କିଛି ଦେଇପାରିବି ନାହିଁ ।

 

ଜୀବନର ସବୁଠାରୁ ବଡ଼ ଦୁର୍ଘଟଣା ।

 

ସାମାନ୍ୟ ଟିକିଏ ଭୁଲ ବୁଝାମଣା ପାଇଁ ବିସ୍ତୃତ ଜୀବନଟାକୁ ସବୁ ଦିନ ପାଇଁ ଉତ୍ତପ୍ତ କରିଦେଲା ରୁଚି । ସାମାନ୍ୟ କେତେ ପଦ ଲଗାଯୋଡ଼ା କଥାକୁ ଭିତ୍ତି କରି ଦେବନାଥକୁ କେବଳ ବିଶ୍ୱାସ କଲା ନାହିଁ; ଅତି ନିକଟତମ ସହଚର ଭାବରେ ଗ୍ରହଣ କରିନେଲା ।

 

କଲେଜ ନିର୍ବାଚନ ପ୍ରତିଯୋଗିତା ସିନା ଜୟ କରିହେଲା; କିନ୍ତୁ ଜୀବନର ପ୍ରତିଯୋଗିତାରେ ଦେବନାଥ ପାଖରୁ ହାରିଯାଇଥିଲା ସୂର୍ଯ୍ୟ ।

 

ରୁଚି ବିଦାୟ ନେବାରେ ଅନେକ ପରେ ଆସିଲା ସିପ୍ରା ।

 

ତା’ ଆସିବାରେ ସେମିତି କିଛି ବିଶେଷତ୍ୱ ନାହିଁ । ଖାଲି ଜୀବନପାଇଁ ଆଶ୍ୱାସନା, ତଥାପି ମନ୍ଦ ନୁହେଁ ।

 

ସିପ୍ରା ଅନେକ ଗୁଣରେ ବରଂ ରୁଚି ଅପେକ୍ଷା ଅଧିୀକ ପ୍ରଶଂସନୀୟା ।

 

କଲେଜରେ ପଢ଼ିଲାବେଳେ ଆଉ ରୁଚି ମୁହଁକୁ ଚାହିଁପାରେ ନା ସୂର୍ଯ୍ୟ । ଘୃଣାରେ ନୁହେଁ; ଅନୁଶୋଚନାର ପ୍ରତିକ୍ରିୟା ।

 

ମନରେ ଭାବେ, ବିଚାରୀ ରୁଚି ସୁଖୀ ହେଉ । ଦେବନାଥ ବଡ଼ଲୋକ ପିଲା, ଅଭାବର ସମ୍ମୁଖୀନ ହେବାର ଆଶଙ୍କା ଅନ୍ତତଃ ରୁଚିର ନାହିଁ ।

 

ପୁଣି ମନେକରେ, ରୁଚିର ମଙ୍ଗଳ କାମନା କରିବାପାଇଁ ସେ କିଏ ?

 

ରୁଚିର ସ୍ମାରକୀ ବିଗତ ବସନ୍ତର ଅର୍ଥହୀନ କାକଳୀ । ଉତ୍ତୀର୍ଣ୍ଣ ଋତୁରେ ସେସବୁ ମୂଲ୍ୟହୀନ ।

 

ଆହୁରି ଏକ ଚମକପ୍ରଦ ଘଟଣା : ଆଖିରେ ଆଖିଏ ଲୁହ ପୂରେଇ ରୁଚି ଦିନେ ହଠାତ୍‌ ଆସି ପାଖରେ ଠିଆ ହେଲା । କହିଲା, ସୁଦିନର ସାଥୀ କରି ତୁମକୁ ପାଇପାରିଲି ନାହିଁ । ଦୁର୍ଦ୍ଦିନରେ ତୁମ ଉପରେ ଭରସା ରଖି ଆସିଛି, ମୋତେ ସାହାଯ୍ୟ କରିବ । ଦେବନାଥ ମୋତେ ପ୍ରତାରିତ କରିବାପାଇଁ ଚେଷ୍ଟା କରୁଛନ୍ତି । ମୁଁ ବୋଧହୁଏ ତାଙ୍କ ସମକକ୍ଷ ହୋଇପାରିନି ।

 

ସୂର୍ଯ୍ୟକାନ୍ତ କହିଲା, ତୁମର ଏଇ ଦୁର୍ଦ୍ଦିନ ଆସିବ ବୋଲି ମୁଁ ଆରମ୍ଭରୁ ଅନୁମାନ କରିଥିଲି-

 

ରୁଚି କହିଲା, ମୋର ଦୁର୍ଦ୍ଦିନକୁ ପ୍ରତିଶୋଧମୂଳକ ପ୍ରକ୍ରିୟାରେ ଉପଭୋଗ କରି ସୁଖୀ ହେବ ବୋଲି ଯଦି ମନେ କରୁଥାଅ, ମୁଁ ମୋର ଭାଗ୍ୟ ନେଇ ଫେରିଯିବି । ଥରେ ମନେପକାଅ ସୂର୍ଯ୍ୟ, ତୁମ ପାଖରେ ମୁଁ ଗୋଟିଏ ରାତି କଟେଇଥିଲି । ବାହାରେ ଆଷାଢ଼ର ପ୍ରଥମ ବର୍ଷା ଝରୁଥିଲା । ତୁମେ କହିଥିଲ, ମୋତେ ଯେ କୌଣସି ପରିସ୍ଥିତିରେ ବି ସାହାଯ୍ୟ କରିବାପାଇଁ କୁଣ୍ଠାବୋଧ କରିବ ନାହିଁ । ଅବଶ୍ୟ ସେଦିନ ମୁଁ ଥିଲି ତୁମ ଫୁଲବନର ନାୟିକା, ଆଜି ଶୂନ୍ୟ ରାସ୍ତାର ସାହାଯ୍ୟପ୍ରାର୍ଥିନୀ । ତଥାପି କଥା ଦେଇ ତୁମକୁ କଥା ରଖିବାକୁ ହେବ ।

 

ସୂର୍ଯ୍ୟର ଇଚ୍ଛା ହେଉଥିଲା ପଚାରିଦେବାକୁ, ତୁମେ କେତେ ଦୂର ତୁମ କଥା ରକ୍ଷା କରିଛ-?

 

ପାରିଲା ନାହିଁ । ଆଘାତ ଉପରେ ଆହୁରି ଆଘାତ ସହିବାଭଳି ପରିସ୍ଥିତି ରୁଚିର ନ ଥିଲା-

 

ସୂର୍ଯ୍ୟ କହିଥିଲା, ଦାନ ଗ୍ରହଣ କଲେ ପ୍ରତିଦାନ ଦେବାକୁ ପଡ଼େ । ଗୋଟିଏ ରାତିରେ ତୁମେ ଯାହା ଦାନ ଦେଇଛ, ସାରାଜୀବନ ପାଇଁ ମୁଁ ଋଣୀ ହୋଇ ରହିଛି । ତୁମର ସୁଖ ପାଇଁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ; କିନ୍ତୁ ଦେବନାଥକୁ ବୁଝେଇପାରିବାଭଳି ଦମ୍ଭ ମୋର ନାହିଁ । ତୁମକୁ ପରିସ୍ଥିତି ସହିତ ସମନ୍ୱୟ ରଖିବାପାଇଁ ବରଂ ମୁଁ କହିପାରେ ।

 

ରୁଚି କହିଲା, ମୁଁ ପାରିବି ତ ସୂର୍ଯ୍ୟ ?

 

ସୂର୍ଯ୍ୟ କହିଲା, ତୁମର ଶିକ୍ଷା ଅଛି, ପାରଦର୍ଶିତା ଅଛି ଚେଷ୍ଟା କଲେ ପାରିବ ବୋଲି ମୋର ବିଶ୍ୱାସ ଅଛି । ଏଇ ସରଳ ବେଶଭୂଷା, ମୋଟା ଶାଢ଼ୀ ପିନ୍ଧି ତୁମେ ଦେବନାଥକୁ ଜୟ କରିପାରିବ ନାହିଁ । ପରାଜିତ ହେଲେ ସାରାଜୀବନ ପାଇଁ ହତାଶ ହେବ । ଦେବନାଥର ନାୟିକା ହେବାପାଇଁ ତୁମକୁ ଅଧ୍ୟବସାୟ କରିବାକୁ ପଡ଼ିବ । ଆଧୁନିକ ନାୟିକାର ରୂପସଜ୍ଜା, ଆଚାର ବ୍ୟବହାର ତୁମକୁ ଗ୍ରହଣ କରିବାକୁ ପଡ଼ିବ । ଅବଶ୍ୟ ସୀମାଅପା କିମ୍ୱା ମଦନବାବୁ ବିରୋଧ କରିବେ; କିନ୍ତୁ ତୁମର ଆଉ କିଛି ଉପାୟ ନାହିଁ ।

 

କିଛିଟା ଆଶ୍ୱସନା ଗ୍ରହଣ କରି ଫେରିଥିଲା ରୁଚି ।

 

ଅଳ୍ପ କେତେଟା ଦିନ ଭିତରେ ସୂର୍ଯ୍ୟକାନ୍ତ ଲକ୍ଷ୍ୟ କଲା, ସତରେ ରୁଚି ବଦଳିଗଲା । ସଜଫୁଟା ଫୁଲଟିଏ ପରି ନିଜକୁ ରୂପାୟିତ କରି କଲେଜ ଆସିଲା, ଝଲକାଏ ପବନରେ ଯେମିତି ସେ ରୂପର ଗନ୍ଧ ମହକିଉଠିବ ।

 

ପ୍ରସାଧନରେ ଚମତ୍କାର କଳାକୌଶଳ ।

 

ବେଶପରିପାଟୀରେ ଅର୍ଦ୍ଧାବୃତ ଦେହର ବିକାଶ ।

 

ସତରେ କ’ଣ ରୁଚି ଏତେ ସୁନ୍ଦର ହୋଇପାରେ ! ବିଶ୍ୱାସ କରି ନ ଥିଲା ସୂର୍ଯ୍ୟକାନ୍ତ ।

 

କେତେ ତରୁଣ ଆଖିରେ ତା’ପାଇଁ ତୃଷ୍ଣାକାତର ଦୃଷ୍ଟି ।

 

ସିନେମା ହଲ୍‌ରେ ରୁଚି ।

 

ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଗହଣରେ ରୁଚି ।

 

ସେ ଯେମିତି ସମୟର ଶ୍ରେଷ୍ଠ ନାୟିକାମାନଙ୍କର ପ୍ରତିନିଧିତ୍ୱ କରି ବିଜ୍ଞାପନ ପ୍ରଚାର କରିବା ଆରମ୍ଭ କରିଛି ।

 

ଦେବନାଥ କୁଆଡ଼େ ତାକୁ କହିଲା, ତୁମ ପ୍ରତି ମୋର ଭୁଲ ଆଚରଣ ପାଇଁ ମୋତେ କ୍ଷମା ଦିଅ । ତୁମେ ମୋ ବୁଭୁକ୍ଷାର ଖାଦ୍ୟ । ତୁମକୁ ନ ପାଇଲେ ମୁଁ କେବଳ ହତାଶ ହେବିନି, ଜୀବନ ମୋ’ର ବ୍ୟର୍ଥ ହୋଇଯିବ ।

 

ଖେଳିବାକୁ ଆରମ୍ଭ କରିଥିଲା ରୁଚି । ସହଜଲଭ୍ୟ ନ ହୋଇ ଦୁଷ୍ପ୍ରାପ୍ୟ ହେବାପାଇଁ ଅଭିନୟ କରିଥିଲା ।

 

ଆହୁରି କ୍ଳାନ୍ତ ହୋଇପଡ଼ିଥିଲା ଦେବନାଥ । ତଥାପି ଚେଷ୍ଟାରୁ ବିରତି ହୋଇ ନ ଥିଲା । ରୁଚିକୁ ପାଖରେ ପାଇବାପାଇଁ ଆକୁଳରେ ହାତ ବଢ଼ାଇଥିଲା । ଏମିତି ଜଣେ ତରୁଣୀକୁ ସାଥୀ କରି ନ ପାଇଲେ ଜୀବନ ଅସଂପୂର୍ଣ୍ଣ ରହିଯିବ ।

 

ମୁହଁ ବୁଲେଇ ହସୁଥିଲା ରୁଚି ।

 

ସେତିକିବେଳେ ଥରେ ସୀମାଅପାଙ୍କ ସହିତ ରାସ୍ତାରେ ଦେଖା ହୋଇଥିଲା ସୂର୍ଯ୍ୟକାନ୍ତର-। ରୁଚିର ବ୍ୟବହାରରେ ପରିବର୍ତ୍ତନ ଦେଖି ସେ ଉଦ୍‌ବେଗ ପ୍ରକାଶ କରିଥିଲେ ।

 

ସୂର୍ଯ୍ୟକାନ୍ତ ଅତି ସଂକ୍ଷେପରେ କହିଥିଲା, ଆଧୁନିକ ସଭ୍ୟତା ସହିତ ପାଦ ମିଶାଇ ଚାଲିବା ପ୍ରତ୍ୟେକ କଲେଜପଢ଼ା ଝିଅ ପକ୍ଷରେ ଅତ୍ୟନ୍ତ ସ୍ୱାଭାବିକ । ସେଥିପାଇଁ ଉଦ୍‌ବେଗର କାରଣ ନାହିଁ । ଯେତେ ଶୀଘ୍ର ସମ୍ଭବ ତା’କୁ ବିବାହ ଦେଇଦେଲେ ଆପଣଙ୍କର ମାନସିକ ଅଶାନ୍ତି ଦୂର ହୋଇଯିବ ।

 

ସୀମାଅପା କହିଲେ, ରବି ଦାସଙ୍କ ଇଚ୍ଛା ପୂରଣରେ ମୁଁ ବାଧା ଦେବି ବୋଲି ତୁମର ଭାବିବା ଉଚିତ ନୁହେଁ । କିନ୍ତୁ ସେଥିପାଇଁ ତୁମେ ଏମିତି ଦିନେ ହଠାତ୍‌ ଦାବି କରିବ ବୋଲି ମୁଁ ଆଶା କରି ନ ଥିଲି ।

 

ସୂର୍ଯ୍ୟକାନ୍ତ ହସି ହସି ସେଦିନ କହିଥିଲା, ଦାବି ମୋର ନୁହେଁ କିମ୍ୱା ରୁଚିର ନୁହେଁ, ଦାବି ରୁଚି ବୟସର ।

 

ସୀମାଅପା ବ୍ୟଥିତ ହୋଇ କିଛି ସମୟ ନୀରବ ରହି କହିଲେ, ତୁମ ପ୍ରସ୍ତାବରେ ମୁଁ ସମ୍ମତ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରୁଚିକୁ ନେଇ ତୁମର କେବଳ ବ୍ୟସ୍ତତା ବଢ଼ିଯିବ ।

 

ସୂର୍ଯ୍ୟକାନ୍ତ କହିଲା, କ୍ଷମା କରିବେ, ମୁଁ ଏଥିଭିତରେ ଅନ୍ୟ ନିଷ୍ପତ୍ତି ନେଇସାରିଛି । ରୁଚିର ବିବାହ ପାଇଁ ମୋ ପ୍ରାର୍ଥତ୍ୱର ଆବଶ୍ୟକତା ଆଉ ନାହିଁ । ତାକୁ ମୁଁ ଅନ୍ୟ ଦୃଷ୍ଟିରେ ଆଜି ସୁଦ୍ଧା ଦେଖିଆସିଛି; ବଧୂ ଭାବରେ ଗ୍ରହଣ କଲେ ମୋର ଅନ୍ୟାୟ ହେବ ।

 

ସୀମାଅପା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ ପ୍ରହେଳିକା ସୃଷ୍ଟି କରୁନାହିଁ ତ ?

 

ସୂର୍ଯ୍ୟକାନ୍ତ କହିଲା, ମୋତେ ବିଶ୍ୱାସ କରନ୍ତୁ, ମୁଁ ରୁଚିପାଇଁ ତା’ର ସମ୍ମତି ନେଇ ପ୍ରାର୍ଥୀ ନିର୍ବାଚନ କରିସାରିଛି । ଆପଣ ସମ୍ମତ ହେଲେ ସେ ଦୁହେଁ ସୁଖୀ ହେବେ ।

 

ଦେବନାଥ ବିଷୟରେ ସୀମାଅପାଙ୍କୁ କହିଥିଲା ସୂର୍ଯ୍ୟ, ରୁଚି ପାଇଁ ଉପଯୁକ୍ତ ବର ।

 

ସମ୍ମତି ପ୍ରକାଶ କରିଥିଲେ ସୀମାଅପା ।

 

ବିରାଟ ସମସ୍ୟାରୁ ଉଦ୍ଧାର ପାଇଗଲା ରୁଚି । ଦେବନାଥକୁ ସ୍ୱାର୍ଥସିଦ୍ଧି ପାଇଁ ଆଉ କ୍ଳାନ୍ତିର ବହନ କରି ରୁଚିଠାରୁ ଅନୁଗ୍ରହ ଭିକ୍ଷା କରିବାକୁ ପଡ଼ିଲା ନାହିଁ ।

 

ଦୁହିଁଙ୍କର ବିବାହ ହୋଇଗଲା ।

 

ଉଗ୍ର ଆଧୁନିକା ନାରୀ ରୁଚି ।

 

ଆଧୁନିକ ପ୍ରେମିକର ଅପ୍ରତିଦ୍ୱନ୍ଦୀ ଚରିତ୍ର ଦେବନାଥ ।

 

ଦୁହେଁ ସୁଖୀ ହୋଇଥିଲେ ।

 

ଅଦରକାରୀ ପୂର୍ଣ୍ଣଛେଦ ପରି ଦୁଇଟି ସଂଯୋଗୀ ବାକ୍ୟ ମଧ୍ୟରୁ ଇଚ୍ଛା କରି ବିଦାୟ ନେଇଥିଲା ସୂର୍ଯ୍ୟକାନ୍ତ ।

 

କ୍ଳାନ୍ତିରେ ହାଇ ମାରିଲା ସୂର୍ଯ୍ୟ । ଅତୀତ ଇତିହାସର ଗୋଟାଏ ଅଭୁଲା ଅଥଚ ଅପ୍ରକାଶିତ ଅଧ୍ୟାୟ ଏତେ ରାତିରେ ମନେ ପଡ଼ିଗଲା । ସବୁ କାମ ବନ୍ଦ ହୋଇଗଲା ।

 

ସିପ୍ରାର ହୁଏତ ସେମିତି କିଛି ଗୋପନ ଇତିହାସ ନାହିଁ । ମନେ ପକେଇ ବିନିଦ୍ର ରାତ୍ରିରେ ବ୍ୟଥିତା ହେବାର ଉପାଦାନ ନାହିଁ । ନିର୍ବିକାର ଭାବରେ ଶୋଇଯାଇଛି ।

 

ତା’ ସହିତ ସୂର୍ଯ୍ୟର ବିବାହ ଏକାନ୍ତ ଭାବେ ଅପ୍ରତ୍ୟାଶିତ ।

 

ରୁଚିର ବିବାହ ପରେ ପ୍ରତ୍ୟାଖ୍ୟାତ ପ୍ରେମିକ ଭାବରେ ସୂର୍ଯ୍ୟକାନ୍ତ ନିଜେ ବିବାହ କରିବ ନାହିଁ ବୋଲି ସ୍ଥିର କରିଥିଲା । ବିଗତ ପ୍ରେମର ଦଂଶନକୁ ସାଧାରଣ ପ୍ରେମିକମାନେ ସହ୍ୟ କରି ନ ପାରି ଯେମିତି ସିଦ୍ଧାନ୍ତ କରନ୍ତି ଠିକ୍‌ ସେଇ ଭନୋଭାବ ।

 

କାମର ଜଞ୍ଜାଳ, ରାଜନୀତି ଭିତରେ ନିଜକୁ ନିବିଡ଼ ଭାବରେ ନିୟୋଜିତ କଲା । ବୟସର ଆହ୍ୱାନକୁ ଏଡ଼େଇଦେବା ପାଇଁ ଏକ ପ୍ରକାର ଛଳନା ।

 

ଛଳନାରେ ଆଉ ଯାହାକୁ ଠକିଦେଇହୁଏ, କିନ୍ତୁ ବୟସକୁ ଠକିହୁଏନା । ଏକୁଟିଆବେଳେ ବ୍ୟସ୍ତ ଲାଗେ । ମନକୁ ସନ୍ତୁଷ୍ଟ କରିବାପାଇଁ ସାନ୍ତ୍ୱନା । ପ୍ରକୃତିକୁ ସନ୍ତୁଷ୍ଟ କରିବାପାଇଁ ରାଜନୀତି । ସମାଜକୁ ସନ୍ତୁଷ୍ଟ କରିବାପାଇଁ ସିନା ଜନସେବା କରିହୁଏ, କିନ୍ତୁ ଦେହକୁ ସନ୍ତୁଷ୍ଟ କରି ନ ପାରି ବ୍ୟସ୍ତ ଲାଗେ ।

Unknown

 

ଏକା ଏକା ଉଦାସରେ ହାଇ ମାରେ ।

 

ଏତେଗୁଡ଼ାଏ କର୍ତ୍ତବ୍ୟର ପ୍ରେରଣା ଭିତରେ ଦେହ ପ୍ରତି ଅବିଚାର କରି ଶାନ୍ତି ମିଳେ ନାହିଁ-। ରାସ୍ତାଘାଟରେ ପ୍ରେମିକା ପ୍ରେମିକମାନଙ୍କୁ ଦେଖିଲେ, ସ୍ତ୍ରୀ ପୁରୁଷଙ୍କୁ ଏକୁଟିଆ ଗଳ୍ପ କରିବାର ଦେଖିଲେ, ନବ ବିବାହିତ ଦମ୍ପତିଙ୍କ ଠିକଣାରେ ନୀଳ ଲଫାପାରେ ଡାକବାଲା ଚିଠି ଦେଇଗଲେ ମନ ଭିତରେ କିମିତି ଗୋଟାଏ ଶୂନ୍ୟତା ଅନୁଭବ କରେ ସୂର୍ଯ୍ୟ ।

 

ସେଇ ଶୂନ୍ୟତାକୁ ପୁରଣ କରିବାପାଇଁ କେତେ ଜଞ୍ଜାଳକୁ ସ୍ଥାନ ଦିଏ, ତଥାପି ପାରେ ନାହିଁ ।

 

ସୂର୍ଯ୍ୟର ମନେଅଛି, ଜହ୍ନ ରାତିରେ ଝର୍କା କବାଟ ବନ୍ଦ କରି ଘର ଭିତରେ ସେ ଏକୁଟିଆ ଶୋଇଯାଇଛି । ସକାଳୁ ଉଠି ଘର ସାମନା ଗୋଲାପ ଗଛର ଫୁଲଗୁଡ଼ାକୁ ଲୁଚେଇ ଲୁଚେଇ ଦଳିଦେଇଛି । କେବଳ ଈର୍ଷାପରାୟଣ ବୟସର ପ୍ରତିକ୍ରିୟା । ଧୋତି କାମିଜ ସଫା କରିନାହିଁ । ଦାଢ଼ି ବି ଖିଅର ହୋଇନି । ମହାପୁରୁଷମାନଙ୍କର ଜୀବନୀ ପଢ଼ି ମନକୁ ସଂଯତ କରିବାପାଇଁ ଚେଷ୍ଟା କରିଛି । ଆଧ୍ୟାତ୍ମିକ ଚେତନାକୁ ମନରେ ଦୃଢ଼ କରିବାପାଇଁ କିଛି ଦିନ ଆମିଷ ଭକ୍ଷଣ ବନ୍ଦ କରିଛି ।

 

ସାଙ୍ଗସାଥୀମାନେ ହସିଛନ୍ତି । ଗୁରୁଜନମାନେ ଆତଙ୍କ ପ୍ରକାଶ କରିଛନ୍ତି । ସେମାନଙ୍କର ଧାରଣା, ସୂର୍ଯ୍ୟକାନ୍ତ ସନ୍ୟାସୀ ହୋଇଯିବ ।

 

ସଫେଇ ଦେଇଛି ସୂର୍ଯ୍ୟକାନ୍ତ, ରାଜନୈତିକ କର୍ମୀ । ଜନସେବା କରିବାକୁ ହେଲେ ବିଳାସ ଛାଡ଼ିବାକୁ ପଡ଼ିବ । ଆବଶ୍ୟକୀୟ ପଦାର୍ଥ କେତେଟାକୁ ଛାଡ଼ିଦେଇ ଅଧିକ ପ୍ରାପ୍ତିର ଆଶା କଲେ ଲୋଭ ବଢ଼ିବ । ବିଳାସ ବଢ଼ିବ । ବିଳାସୀ ଲୋକ ଅନ୍ୟକୁ ଈର୍ଷା କରେ । ଈର୍ଷାଭାବ ମନକୁ ସ୍ପର୍ଶ କଲେ ଜନସେବା କରିହୁଏନା ।

 

ରାଜନୈତିକ ଦଳର ମୁଖ୍ୟ ପୁରୁଖା ବ୍ୟକ୍ତିମାନେ ଉପଦେଶ ଦେଇ କହିଛନ୍ତି, ଜୀବନକୁ ଏତେ ଶୀଘ୍ର ସରଳ କରିଦେଲେ ତମେ ହାରିଯିବ, ସୂର୍ଯ୍ୟ ! ଶୁଷ୍କ ଆଦର୍ଶକୁ ନେଇ ବଞ୍ଚିବା ଯଦି ସମାଜର କାମ୍ୟ ହୁଏ ରାଜନୈତିକ ଦଳର ଆବଶ୍ୟକତା ନାହିଁ । ମଣିଷ ଜୀବନର ସବୁ ଇଙ୍ଗିତ ତୁମକୁ ବୁଝିବାକୁ ହେବ । ସବୁ ଶ୍ରେଣୀର ବ୍ୟକ୍ତିଙ୍କ ସହିତ ମିଶିବାକୁ ପଡ଼ିବ । ସନ୍ନ୍ୟାସୀମାନଙ୍କ ପାଇଁ ମଠ ବିହାରରେ ସିନା ସ୍ଥାନ ଅଛି, ରାଜନୀତିରେ ନାହିଁ ।

 

ରାଜନୀତି ଅର୍ଥ ସ୍ୱଚ୍ଛଳ ଜୀବନ ପାଇଁ ସଂଗ୍ରାମ ।

 

ମନେପକାଇଥିଲା ସୂର୍ଯ୍ୟ, ପ୍ରକୃତରେ ସ୍ୱଚ୍ଛଳ ସ୍ୱାଧୀନ ଜୀବନ ପାଇଁ ରବି ଦାସ ଏବଂ ମଦନବାବୁ ସଂଗ୍ରାମ କରିଥିଲେ ତାଙ୍କର ବି କାମନା ଥିଲା; ବଞ୍ଚିବା ପାଇଁ ଅଭିଳାଷ ଥିଲା ।

 

ପୁଣି ମଣିଷର ସମସ୍ତ କ୍ଷୁଧା ନେଇ ନିଜକୁ ଗଢ଼ିବାପାଇଁ ଆଶାୟୀ ହୋଇଥିଲେ ସୂର୍ଯ୍ୟ । ବିବାହ କରିବ । ସଂସାର ବାନ୍ଧିବ । ଜନସେବା ପାଇଁ ନିଜ ଜୀବନକୁ ପ୍ରତାରଣା କରି ଲାଭ ନାହିଁ ।

 

ରୁଚି ନିଜର ସ୍ୱାର୍ଥସିଦ୍ଧି ପାଇଁ ଏକ ଅଭିନୟ କରିପାରିଲା । ତା’ପାଇଁ ଅଭିମାନ କରି ନିଜ ନିର୍ବୋଧତାକୁ ଅନୁମୋଦନ କରିବାକୁ ସୂର୍ଯ୍ୟର ଇଚ୍ଛା ହେଲା ନାହିଁ ।

 

ଏଇ ଗତ ସାଧାରଣ ନିର୍ବାଚନରେ ନିଜ ପ୍ରାର୍ଥିତ୍ୱକୁ ପ୍ରଚାର କରିବାପାଇଁ ନିର୍ବାଚନମଣ୍ଡଳିର ଏକ ନିବିଡ଼ ମଫସଲ ଅଞ୍ଚଳକୁ ସୂର୍ଯ୍ୟ ଯାଇଥିଲା । କର୍ମୀମାନେ ପୂର୍ବରୁ ସାଧାରଣ ସଭାର ଆୟୋଜନ କରିଥିଲେ । ସଭାରେ ଭାଷଣ ଦେଇ ଲୋକପ୍ରିୟତା ଅର୍ଜନ କରିଥିଲା ସୂର୍ଯ୍ୟ । ବ୍ୟକ୍ତିଗତ ଭାବରେ କେତେଜଣଙ୍କୁ ସାକ୍ଷାତ କରି ଫେରିଆସିବା ପାଇଁ ସ୍ଥିର କରିଥିଲା ।

 

ଗାଁର ଜଣେ ମୁଖିଆ ବ୍ୟକ୍ତିଙ୍କ ସହିତ ଆଲୋଚନା କଲାବେଳେ ଏକ ଦୁଃଖଦାୟକ ଦୁର୍ଘଟଣାର ସୂଚନା ପାଇଥିଲା । ସେଇ ଗାଁର ଜଣେ ଗୃହକର୍ତ୍ତା ଠିକ୍‌ ସେଇଦିନକୁ ତାଙ୍କୁ କନ୍ୟାର ବିବାହ ସ୍ଥିର କରିଥିଲା । ସରକାରୀ ଚାକିରିଆ ସହରୀ ବର ଶେଷ ମୁହୂର୍ତ୍ତରେ ଆସିଲେ ନାହିଁ । କନ୍ୟାପିତା ନିଜର ଶକ୍ତିବହିର୍ଭୁତ ଯୌତୁକ ଦେବା ପାଇଁ ଅସାମର୍ଥ୍ୟ ପ୍ରକାଶ କରିବାକୁ ବରପାତ୍ର ବିବାହ କରିବାକୁ ଅସ୍ୱୀକାର କରିଦେଇଥିଲେ ।

 

ବିଚାରୀ କନ୍ୟା ମଙ୍ଗୁଳା ହୋଇସାରିଥିଲା ।

 

କନ୍ୟାପିତା ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ମଙ୍ଗୁଳା କନ୍ୟା ଘରେ ରଖିଲେ ଗାଁ ଲୋକେ ବିଦ୍ରୂପ କରିବେ । ଲାଜରେ ମୁଣ୍ଡ ଉଠେଇହେବନି । ଅବଶ୍ୟ ବିଚାର କରି ଦେଖିଲେ ନିରୀହ କନ୍ୟାପିତାଙ୍କର କିଛି ତ୍ରୁଟି ନାହିଁ କିମ୍ୱା ସରଳା କନ୍ୟାଟିର କିଛି ଅପରାଧ ନାହିଁ । ତଥାପି ସେମାନଙ୍କୁ ସାମାଜିକ ଲାଞ୍ଛନା ସହିବାକୁ ପଡ଼ିବ ।

 

ସେ ଦୁର୍ଘଟଣାର ଦୁଃଖ ଗାଁର ସମସ୍ତଙ୍କୁ ସ୍ପର୍ଶ କରିଥିଲା ବୋଲି ଅନୁଭବ କଲା ସୂର୍ଯ୍ୟ । କେବଳ ସାମାଜିକ ସହାନୁଭୂତି ଦୃଷ୍ଟିରୁ କନ୍ୟାପିତାଙ୍କୁ ସମବେଦନା ଜ୍ଞାପନ କରିବାପାଇଁ ଉଚିତ ମନେ କରିଥିଲା ସେ । ସାମାନ୍ୟ ଟିକିଏ ସହାନୁଭୂତି ପାଇଁ ତାକୁ ଅବଶ୍ୟ କିଛି ବ୍ୟୟ କରିବାକୁ ପଡ଼ିବ ନାହିଁ; କିନ୍ତୁ ଜନପ୍ରିୟତା ଅର୍ଜନ କରିହେବ ।

 

କନ୍ୟାପିତାଙ୍କ ଦ୍ୱାରସ୍ଥ ହୋଇ ପ୍ରକୃତରେ ଦୁଃଖଦାୟକ ବାତାବରଣକୁ ଅନୁଭବ କରିଥିଲା ସୂର୍ଯ୍ୟ ।

 

ବିବାହ ନିମନ୍ତ୍ରଣରେ ଅତିଥିମାନେ ଆସି ଭୋଜିରେ ଆପ୍ୟାୟିତ ହୋଇ ଫେରିଯାଇଥିଲେ-। ବାଜାବାଲାମାନେ ବରକୁ ସ୍ୱାଗତ ଜଣେଇଲାବେଳେ ବାଜା ବଜେଇବେ ବୋଲି ପ୍ରସ୍ତୁତ ହୋଇ ଆସି ନୀରବରେ ବସିରହିଥିଲେ । କୋଳାହଳଶୂନ୍ୟ ଶାନ୍ତ ମଣିଷ କେତେଜଣଙ୍କୁ ଉପହାସ କରି ପେଟ୍ରୋମାକ୍‌ସ ଲାଇଟ୍‌ କେତେଟା ଆଲୋକ ଉଦ୍‌ଗୀରଣ କରୁଥିଲେ ।

 

ବରପାତ୍ରର ନିର୍ବୋଧତା ପାଇଁ ଦୁଃଖ କରିଥିଲା ସୂର୍ଯ୍ୟକାନ୍ତ । ଯୌତୁକ ପାଇଁ ଗୋଟାଏ ଝିଅର ଜୀବନ ଉପରେ ପ୍ରତିଶୋଧ ନେବା ଅପେକ୍ଷା ସେ ନିଜେ କୁମାର ରହିବା ତା’ର ଉଚିତ ଥିଲା । ଯୋଉ ସମାଜକୁ ଗଢ଼ିବାର ଶକ୍ତି ତା’ର ନାହିଁ, ସେଇ ସମାଜରେ ବିଭ୍ରାଟ ସୃଷ୍ଟି କରିବାର ଅଧିକାର ମଧ୍ୟ ତା’ର ନାହିଁ ।

 

ସମାଜ ସହିତ ଯୋଉମାନେ ଏଭଳି ଶତ୍ରୁତା ଆଚରଣ କରନ୍ତି ସେମାନେ ମଣିଷ ନୁହନ୍ତି । ଅସାମାଜିକ ଇତର ପ୍ରାଣୀ ଅପେକ୍ଷା ବି ସେମାନେ ଆହୁରି ନୀଚ । ସେମାନେ ଶାସ୍ତି ପାଇବା ଉଚିତ ।

 

କିଏ ଜଣେ କହିଥିଲା, ରମ୍ଭା ପରି ସୁନ୍ଦରୀ ଝିଅ, ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ିଛି, ରୂପଗୁଣରେ କାହାରି ପଦେ କହିବାର ଅଧିକାର ନାହିଁ; ତା’ ଭାଗ୍ୟରେ ଏମିତି ଦୁର୍ଦ୍ଧଶା ! ଭୟ ହେଉଛି, ତା’ପରି କୋମଳମତି ଝିଅ ଯଦି ଏଇ ଦୁର୍ଘଟଣାକୁ ଜୀବନର ପରାଜୟ ବୋଲି ମନେ କରେ, ଜୀବନ ହାରିଦେବା ତା’ ପକ୍ଷରେ ବିଚିତ୍ର ନୁହେଁ ।

 

ଚମକିପଡ଼ିଥିଲା ସୂର୍ଯ୍ୟକାନ୍ତ ।

 

–ଏଇ ସାମାନ୍ୟ କଥା ପାଇଁ ଜଣେ ଝିଅ ତା’ ଜୀବନକୁ ନଷ୍ଟ କରି ଦେଇପାରେ ? ଜିବନର କ’ଣ ଆଉ କିଛି ମୂଲ୍ୟ ନାହିଁ ବରଂ ଗୋଟାଏ ନିର୍ବୋଧକୁ ବିବାହ ନ କରିବା ଫଳରେ ତା’ର ଅନେକ ମଙ୍ଗଳ ହୋଇଛି ।

 

ସେ ବ୍ୟକ୍ତି ଜଣକ କହିଥିଲେ, ଆପଣଙ୍କ ଶିକ୍ଷାର ମୂଲ୍ୟ ସିନା ଆପଣଙ୍କୁ ବିଚାରଶକ୍ତି ଦେଇଛି; କିନ୍ତୁ ଏଠାକାର ନିପଟ ମୂର୍ଖ ମଫସଲିଆମାନେ କ’ଣ ସେ କଥା ଭାବିବାପାଇଁ ଚେଷ୍ଟା କରିବେ ?

 

ମନେ ମନେ କିଛିକ୍ଷଣ ଚିନ୍ତା କରିଥିଲା ସୂର୍ଯ୍ୟକାନ୍ତ । ରୁଚିର ବିବାହ ସ୍ଥିର କରି ନିଜ ପାଖରୁ ତାକୁ ଦିନେ ବିଦାୟ ଦେଇଥିଲା । ତା’ ଉପରେ ପ୍ରତିଶୋଧ ନ ଦେଇ ବରଂ ଦୟା କରିଥିଲା-। ସେ ଦୟାର ଅର୍ଥ ସମସ୍ତଙ୍କ ପାଖରେ ଅଜ୍ଞାତ ରହିଗଲା-

ନିଜ ମନର କ୍ଷତ ଆଜିସୁଦ୍ଧା ପୂରଣ ହୋଇପାରିଲା ନାହିଁ ।

ଯଦି ଆକସ୍ମିକ ଭାବରେ ଏଇ ପଲ୍ଲୀବାଳାକୁ ନେଇ ରୁଚିର କ୍ଷତକୁ ପୂରଣ କରିହୁଏ କ୍ଷତି କ’ଣ ?

ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ିଛି ।

ରମ୍ଭା ପରି ସୁନ୍ଦରୀ ।

ରୁଚି ପରି ପ୍ରହେଳିକା ସୃଷ୍ଟି କରିପାରିବ ନାହିଁ ନିଶ୍ଚୟ । ସେ ହୁଏତ ଗାଁର ସମସ୍ତଙ୍କୁ ଭାଇ ଭଉଣୀ ଡାକିବା ଭିତରେ ଜୀବନର ସନ୍ଧାନ ପାଇଥିବ । ଆଶ୍ୱିନ ଜହ୍ନକୁ ଫୁଲ ବଉଳ ବେଣୀ ଗୀତ ଛନ୍ଦରେ ଉପଭୋଗ କରିଥିବ । ରୁଚି ପରି କଲେଜପଢ଼ୁଆ ଝିଅଙ୍କର କାହାଣୀ ସିନା ଶୁଣିଥିବ; କିନ୍ତୁ ସଂସ୍ପର୍ଶରେ ଆସିବା ପାଇ ସୁଯୋଗ ପାଇ ନ ଥିବ ।

ସୂର୍ଯ୍ୟକାନ୍ତ ସେଦିନ ଗାଁଲୋକଙ୍କୁ ସ୍ତମ୍ଭିତ କରି କନ୍ୟାପିତାଙ୍କୁ ଦୁର୍ଦ୍ଦଶାରୁ ଉଦ୍ଧାର କରିବାପାଇଁ ନିଜେ ବିବାହ କରିବ ବୋଲି ସ୍ୱୀକୃତି ଦେଇଥିଲା ।

ଏଇ ସିପ୍ରାକୁ ସଙ୍ଗରେ ନେଇ ସେଦିନ ନିର୍ବାଚନ ପ୍ରଚାର ସଭାରୁ ଫେରିଥିଲା ସୂର୍ଯ୍ୟକାନ୍ତ-

ବର୍ତ୍ତମାନ ଜାଣିବାକୁ ପାଇଛି ସୂର୍ଯ୍ୟ, ଯାହାକୁ ସିପ୍ରା ବିବାହ କରିବ ବୋଲି ସ୍ଥିର ହୋଇଥିଲା ସେ ଏଇ ସଚିବାଳୟରେ କିରାଣୀ । ଅଳ୍ପ କେତେଦିନ ହେବ ଚାକିରି ଆରମ୍ଭ କରିଛି । ଉପାର୍ଜନ ସେତେ ସ୍ୱଚ୍ଛଳ ନୁହେଁ ।

ନିର୍ବିକାର ମନରେ ବିଚାରୀ ସିପ୍ରା ଶୋଇଛି । କିରାଣୀକୁ ବିବାହ କରିବାର ବ୍ୟର୍ଥତା କିମ୍ୱା ଜଣେ ରାଜନୈତିକ ନେତାକୁ ବିବାହ କରିବାର ଗୌରବ ବିଷୟରେ ସେ ବୋଧହୁଏ କୌଣସି ସମୟରେ ଚିନ୍ତା କରି ନି ।

ସରଳା ସିପ୍ରାର ଜୀବନ ସରଳ ହେଉ ଭଗବାନ !

 

ରୁଚି ଚିଠି ଦେଇଛି ।

ଦୀର୍ଘ ଚିଠି ।

ତା’ ମନର ଅତୀତ ଆସକ୍ତି ଚିଠି ଭିତରେ ରୂପାୟିତ ହୋଇଛି : ତୁମକୁ ପ୍ରତାରିତ କରିବାକୁ ଯାଇ ମୁଁ ନିଜେ ପ୍ରତାରିତ ହୋଇଛି, ସୂର୍ଯ୍ୟ ! ଦେବନାଥଙ୍କ ପାଖରେ ଗୃହିଣୀର ମର୍ଯ୍ୟାଦା ପାଇପାରିନି । ଜୀବନମରୁର ଉତ୍ତପ୍ତ ବାଲି ଉପରେ ଚାଲିବାର ପ୍ରୟାସ କରି ମୁଁ କ୍ଳାନ୍ତ ହୋଇପଡ଼ିଛି-। ଖାଲି ବ୍ୟର୍ଥତା, ଆହତ ନାରୀତ୍ୱ ନେଇ ହତାଶ ହୋଇଛି । ନିଜକୃତ କର୍ମଳ ଫଳ । କାହାରିକୁ ଦୋଷ ଦେବାର ଦମ୍ଭ ନାହିଁ କିମ୍ୱା ବିଫଳତାର କାହାଣୀକୁ କାହା ପାଖରେ ବ୍ୟକ୍ତ କରିବାର ସାହସ ନାହିଁ ।

ତମେ ଯୋଉ ଦିନ ଉପମନ୍ତ୍ରୀର ଆସନ ପାଇଲ, କିନ୍ତୁ ଅଭିନନ୍ଦନ ଜଣେଇବା ପାଇଁ ସାହସ ଖୋଜି ପାଇଲି ନାହିଁ । ଭଗ୍ନ ଅତୀତର ସ୍ତୂପୀକୃତ ନାରୀତ୍ୱକୁ ସମ୍ୱଳ କରି ନିରାଶ ହେଲି । ତଥାପି ସୁଖୀ ହୋଇଥିଲି । ତୁମକୁ ଆହୁରି ବଡ଼ କରି ଦେଖିବାପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲି-। ତୁମେ ଯେତେ ବଡ଼ ହେବ ମୁଁ ସେତିକି ପୂର୍ବପାପର ପ୍ରାୟଶ୍ଚିତ ଭୋଗ କରିବ ।

ରବି ଦାସ କହିଥିଲେ, ତୁମ ପାଇଁ ମୋତେ ସେ ବଧୂ କରି ଥାନ୍ତେ । ତାଙ୍କ ଇଚ୍ଛା ପୂରଣ ହୋଇଥିଲେ, ମୁଁ ପ୍ରାୟଶ୍ଚିତ ଭୋଗ କରି ପାରି ନ ଥାନ୍ତି ।

ଦେବନାଥ ସେମିତି ଦୁଷ୍ଟ ପ୍ରଜାପତି ହୋଇ ରହିଛନ୍ତି । ଏତେ ଦିନ ବିବାହ ପରେ ମଧ୍ୟ ସେ ତାଙ୍କ ଚରିତ୍ରକୁ ବଦଳାଇ ପାରିନାହାନ୍ତି । ଏଠାକାର ତାମିଲ ଝିଅ ଚିତ୍ରା ମୋ ସହିତ ପ୍ରତିଦ୍ୱନ୍ଦିତା କରିଛି । ଏଇ ବ୍ଳକରେ ସେ ସମାଜ ଶିକ୍ଷା ସଙ୍ଗଠିକା । ତା’ ରୂପରେ ବିଶେଷତ୍ୱ ନାହିଁ । ତଥାପି କାହିଁକି କେଜାଣି ଦେବନାଥ ତା’ ପ୍ରତି ନିବିଡ଼ ଭାବରେ ଅନୁରକ୍ତ । ଦିନକୁ ଦିନ ଦୁହିଁଙ୍କ ଭିତରେ ନିବିଡ଼ତା ବଢ଼ିଚାଲିଛି ।

ତମେ ବିଶ୍ୱାସ କରିବନି ସୂର୍ଯ୍ୟ, ଆମ ଘର ଭିତରେ ଚିତ୍ରାକୁ ନେଇ ଦେବନାଥ ତାଙ୍କ ବାସନା ଚରିତାର୍ଥ କଲାବେଳେ, ମୁଁ ପାଷାଣର ହୃଦୟ ନେଇ ନୀରବରେ ସମୟ କଟାଏଁ । ନାରୀ ମୁଁ-। ମୋ ହୃଦୟର ବେଦନା ତୁମେ ଅନୁମାନ କରିବ, କେତେ ଦାରୁଣ । ଦୁଃଖ କରେଁ ନାହିଁ । ମୋ ପାଇଁ ସେ ଶାସ୍ତି ଭଗବାନ ବିଧାନ କରିଛନ୍ତି । ମୋର ଯାହା କିଛି କୁମାରୀତ୍ୱ ଥିଲା ସେତିକି ତୁମକୁ ଦାନ ଦେବା ପରେ କ’ଣ ବା ଆଉ ବାକି ଥିଲା ? ସେହି ବଳକା ସମ୍ପଦକୁ ଦେବନାଥଙ୍କୁ ଦାନ କରି ତାଙ୍କୁ ଠକିବାପାଇଁ ଚେଷ୍ଟା କଲାବେଳେ, ମୁଁ ନିଜେ ଠକିଯିବା ସ୍ୱାଭାବିକ ।

ଦୁନିଆ ଦୃଷ୍ଟିରେ ଆମେ ସ୍ୱାମୀ ସ୍ତ୍ରୀ । ଦେବନାଥଙ୍କୁ ମୋର ଦୋଷ ଦେବାପାଇଁ ସତ୍‌ସାହସ ନାହିଁ ।

ସେଦିନ ତାଙ୍କର ବଦଳି ପାଇଁ ତୁମକୁ ଅନୁରୋଧ କରିବାକୁ ଯାଇଥିଲି । ସତ କଥାଟା କହିପାରିଲି ନାହିଁ । ସେଇ ଚିତ୍ରା ପାଇଁ ତାଙ୍କର ଏଠାରେ ଶତ୍ରୁତା ଦିନକୁ ଦିନ ବଢ଼ିଚାଲିଛି । ତଥାପି ସେଥିପାଇଁ ଦେବନାଥଙ୍କର ଅନୁଶୋଚନା ନାହିଁ । ଚିତ୍ରାର ପ୍ରେମ ବିନିମୟରେ ସେ ଶତ୍ରୁତା ବୃଦ୍ଧିର ଯନ୍ତ୍ରଣା ଦେବନାଥଙ୍କ ପାଖରେ ଅତି ନଗଣ୍ୟ ।

ଏଠାରୁ ବଦଳିହେବା ପାଇଁ ସେ ଆଦୌ ଇଚ୍ଛା କରନ୍ତି ନାହିଁ । କିନ୍ତୁ ମୁଁ ଚାହେଁ, ତାଙ୍କର ବଦଳି ହୋଇଗଲେ ଚିତ୍ରାଠାରୁ ସେ ଦୂରେଇଯିବେ । ମୁଁ ମାନସିକ ପୀଡ଼ାରୁ ରକ୍ଷା ପାଇବି ।

ସେ ଦିନ ସିନା ଦେବନାଥ ବାହାରେ ଅପେକ୍ଷା କରିଥିଲେ ବୋଲି ମୁଁ ମିଛରେ କହିଥିଲି । କିନ୍ତୁ ମୁଁ ନିଜର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ତାଙ୍କ ଅଜ୍ଞାତରେ ତୁମକୁ ଅନୁରୋଧ କରିବାପାଇଁ ଯାଇଥିଲି ।

ମୋ ପ୍ରତି ସହାନୁଭୂତିଶୀଳ ହୋଇ ବିପଦରୁ ମୋତେ ଉଦ୍ଧାର କରିବ ବୋଲି ମୋର ଭରସା ଅଛି । ଆଶା କରେଁ, ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ କରିବ ।

ଚିଠି ପଢ଼ିସାରି ସ୍ତମ୍ଭିତ ହୋଇପଡ଼ିଲା ସୂର୍ଯ୍ୟକାନ୍ତ । ଜ୍ୱାଳାମୟୀ ବିପଦରୁ ଉଦ୍ଧାର ପାଇବା ହୁଏତ ରୁଚି ପକ୍ଷରେ ସମ୍ଭବ ହେବନି । ଦଳଗତ ଶାସନ । ଏକୁଟିଆ ସେ ଇଚ୍ଛା କଲେ ବି ଦେବନାଥକୁ ବଦଳି କରିପାରିବ ନାହିଁ । ଦଳର ସ୍ୱାର୍ଥ ଦୃଷ୍ଟିରୁ ଦେବନାଥ ସେଇ ବ୍ଲକରେ ଅନେକ ଦିନ ହୁଏତ ରହିବ ।

 

ରୁଚି ପାଇଁ ଦୟାଶୀଳ ହୋଇ ଚିନ୍ତା କରିବା ବର୍ତ୍ତମାନର ସମସ୍ୟାବହୁଳ ଜୀବନରେ ଅସମ୍ଭବ । ହୁଏତ ସେ କହିବ ସୂର୍ଯ୍ୟକାନ୍ତ କ୍ଷମତାରେ ଅନ୍ଧ ହୋଇଯାଇଛି । ନିଜ ଜଣାଶୁଣା ଲୋକମାନଙ୍କ ପାଇଁ ମଧ୍ୟ ସହାନୁଭୂତି ନାହିଁ । ଉପରକୁ ଉଠିଲେ ସବୁ ମଣିଷ ଏମିତି ବଦଳିଯା’ନ୍ତି ।

 

ଅନେକ କଟୁ ସମାଲୋଚନା ଭିତରେ ରୁଚିର ଆକ୍ଷେପକୁ ମଧ୍ୟ ଆତ୍ମସ୍ଥ କରିବାପାଇଁ ବାଧ୍ୟ ହେବ ସୂର୍ଯ୍ୟକାନ୍ତ । ରୁଚି ବୁଝିବ ନାହିଁ, ସେ ଜଣେ ସାମାନ୍ୟ ଉପମନ୍ତ୍ରୀ । ସ୍ୱାଧୀନ ମତ ବ୍ୟକ୍ତ କରିବାର ଅଧିକାର ତା’ର ନାହିଁ । ବିଭାଗୀୟ ମନ୍ତ୍ରୀ ଅଛନ୍ତି । ମୁଖ୍ୟ ମନ୍ତ୍ରୀ ଅଛନ୍ତି । ସୂର୍ଯ୍ୟକାନ୍ତ ସେମାନଙ୍କର ଆଦେଶବାହକ ମାତ୍ର ।

 

ମନ୍ତ୍ରୀ ମଣ୍ଡଳର ବୈଠକର ଯୋଗ ଦେଇଥିଲା ସୂର୍ଯ୍ୟକାନ୍ତ । କୌଣସି ସଭ୍ୟ ନିର୍ଭୀକ ଭାବରେ ତାକୁ ସମର୍ଥନ କଲେ ନାହିଁ । ଶାସନ ପରିଚାଳନା ପାଇଁ ସେ ନିଜ ମତ ବ୍ୟକ୍ତ କରିବାର ସୁଯୋଗ ପାଇଲା ନାହିଁ । ସେମାନେ ସମସ୍ତେ ପ୍ରବୀଣ । ଶାସନ ନାଁରେ ଲୋକଙ୍କୁ ବିଭ୍ରାନ୍ତ କରି ଦଳର ବିଜ୍ଞାପନ ପ୍ରଚାର କରିବାରେ ସେମାନେ ଅଭିଜ୍ଞ । ଦଳର ସ୍ୱାର୍ଥ ଦୃଷ୍ଟିରୁ ଅନେକ କ୍ଷେତ୍ରରେ ସମୂହ ସ୍ୱାର୍ଥକୁ ଉପେକ୍ଷା କରିବାକୁ ସେମାନେ ଚାହିଁଛନ୍ତି ।

 

ମନ ଭିତରେ ପ୍ରତିବାଦ କରିଛି ସୂର୍ଯ୍ୟ, କିନ୍ତୁ ପ୍ରକାଶ କରିପାରି ନାହିଁ ।

 

ବିଦେଶୀ ବ୍ୟବସାୟ ସଂସ୍ଥା ଜରିଆରେ ନୂଆ ଯୋଜନା କର୍ଯ୍ୟକାରୀ ହୋଇଚି–ର’ ମ୍ୟାଟେରିଆଲସ୍ କର୍ପୋରେସନ । କଞ୍ଚା ଦ୍ରବ୍ୟ ଯୋଗାଣ ଯୋଜନା । ସାରା ଦେଶର ସବୁ କଳକାରଖାନାକୁ କଞ୍ଚାମାଲ ସେମାନେ ଯୋଗେଇବେ । ସାଧାରଣ ସ୍ଥାନୀୟ ଠିକାଦାରମାନଙ୍କ ଅପେକ୍ଷା ଅଧିକ ଟଙ୍କା ରୟାଲିଟି ଦେଇ ସବୁ ଖଣି, ଖାଦାନ ପଟା ନେବାକୁ ସରକାରଙ୍କ ସହିତ ତାଙ୍କର ଚୁକ୍ତି ସ୍ୱାକ୍ଷର ହୋଇଛି ।

 

ବିଦେଶୀ ବ୍ୟବସାୟୀ ସେମାନେ । ସମଗ୍ର ବିଶ୍ୱଭିତରୁ ଏଇ ଅନୁନ୍ନତ ରାଜ୍ୟରେ ବ୍ୟବସାୟ କରି ସମୃଦ୍ଧ ହେବାକୁ ସେମାନେ ପ୍ରୟାସ କରିଛନ୍ତି । ଅଧିକ ଟଙ୍କା ରୟାଲ୍ଟି ଦେବାର ପ୍ରଲୋଭନ ଦେଖାଇଛନ୍ତି । ସରକାର ସେଥିରେ ସମ୍ମତ ଅଛନ୍ତି ।

 

ଏମିତି ଦିନେ ଇଂରେଜମାନେ ବାଣିଜ୍ୟ କରିବା ପାଇଁ ଏ ଦେଶକୁ ଆସିଥିଲେ । ସେତେବେଳର ଶାସକମାନେ ତାଙ୍କୁ ସ୍ୱାଗତ ଜଣେଇଥିଲେ ।

 

ଆଜି ବି ସେଇ ବିଦେଶୀ ବାଣିଜ୍ୟ ବଂସ୍ଥାର ଶ୍ୟେନ ଦୃଷ୍ଟି ଦେଶରେ ପଡ଼ିଛି । ଶିଳ୍ପର ବିକାଶ ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ବିଶେଷ କିଛି ଲାଭ ହେବ ନାହିଁ ବୋଲି ସେମାନେ ବୁଝେଇଛନ୍ତି । ଖାଲି ଖଣି ଖାଦାନରେ ମାଟିଗୋଡ଼ିର ବ୍ୟବସାୟ । ଅନୁନ୍ନତ ବନ୍ଧୁରାଷ୍ଟ୍ରକୁ ଶିଳ୍ପବିକାଶ ଦିଗରେ ସାହାଯ୍ୟ କରିବାପାଇଁ ଭ୍ରାତୃଭାବ ଧରି ସେମାନେ ଆସିଛନ୍ତି । ବନ୍ଧୁତାର ସହୃଦୟତା ତୁଳନାରେ ତାଙ୍କର ଲାଭ କରିବା ମନେବୃତ୍ତି ଆଦୌ ନାହିଁ ।

 

ଇଂରେଜମାନଙ୍କର ଇଷ୍ଟଇଣ୍ଡିଆ କମ୍ପାନୀ ଏମିତି ସହୃଦୟତା ଦେଖାଇବା ପାଇଁ ଭାରତକୁ ଆସିଥିଲେ । ସୂର୍ଯ୍ୟକାନ୍ତ ଇତିହାସରୁ ପଢ଼ିଛି, କମ୍ପାନୀର କିରାଣୀ ଲର୍ଡ଼କ୍ଲାଇବ ଦିନେ ସୁଯୋଗ ନେଇ କଲମ ଛାଡ଼ି ବନ୍ଧୁକ ଧରିଥିଲେ ।

 

ମାଟିଗୋଡ଼ିର ବ୍ୟବସାୟ ବୋଲି ସେମାନେ ଯାହା ବୁଝେଇଛନ୍ତି ତାକୁ ସହଜରେ ସୂର୍ଯ୍ୟକାନ୍ତ ସ୍ୱୀକାର କରିବାକୁ ସମ୍ମତ ହୋଇ ନି । ଲୁହା, ମାଙ୍ଗାନିଜକୁ ଆଜିର ଯୁଗରେ ମାଟିଗୋଡ଼ି କହି ଫାଙ୍କିଦେଇ ହେବ ନି । ସୁନାରୂପାଠାରୁ ବି ଅଧିକ ମୂଲ୍ୟବାନ ।

 

ଏତେ ବଡ଼ ବାଣିଜ୍ୟ ସଂସ୍ଥା ଗଢ଼ିଉଠିଛି । ତଥାପି କର୍ପୋରେସନର କର୍ତ୍ତାମାନେ ଆମ ଦେଶର ଯୁବକମାନଙ୍କୁ କର୍ମ ସଂସ୍ଥାନର ସୁଯୋଗ ଦେବାକୁ ସମ୍ମତ ନୁହନ୍ତି । ହୁଏତ ତାଙ୍କ ସ୍ୱାର୍ଥରେ ବାଧା ଆସିବ ।

 

ଯୁକ୍ତି ବାଢ଼ିଥିଲା ସୂର୍ଯ୍ୟକାନ୍ତ, ଏଠି ବାଣିଜ୍ୟ ସଂସ୍ଥା ଖୋଲିଲେ ଅଫିସ ପରିଚାଳନା ପାଇଁ ଶିକ୍ଷିତ ସ୍ଥାନୀୟ ଯୁବକମାନଙ୍କୁ କାମ ଦେବାପାଇଁ କର୍ପୋରେସନ ବାଧ୍ୟ ହେବ ।

 

କର୍ପୋରେସନ କିନ୍ତୁ ଅବାଧ୍ୟ ହୋଇଛି । ତାଙ୍କ ଦେଶର ଦକ୍ଷ ବ୍ୟକ୍ତି ନ ଆଣିଲେ କାମ ପରିଚାଳନା ସୂଚାରୁରୂପେ ହେବା ସମ୍ଭବ ହେବ ନି । ସେଥିପାଇଁ ଅଯଥା ଚାପା ଦେବା ସରକାରଙ୍କ ପକ୍ଷରେ ଯୁକ୍ତିସଙ୍ଗତ ମଧ୍ୟ ନୁହେଁ । କେବଳ ରୟାଲ୍ଟି ସର୍ତ୍ତ ବ୍ୟତୀତ ପରିଚାଳନାରେ ହସ୍ତକ୍ଷେପ କରିବାର ଅଧିକାର ସରକାରଙ୍କର ରହିବା ଉଚିତ ନୁହେଁ ।

 

ମୁଖ୍ୟମନ୍ତ୍ରୀ ତାଙ୍କୁ ସମର୍ଥନ ଜଣେଇଛନ୍ତି । କେବଳ ଅଧିକ ରୟାଲଟି ପାଇବାର ପ୍ରଲୋଭନ । ଦେଶର ଅଗଣିତ ଶିକ୍ଷିତ ଯୁବକଙ୍କର ମାନସିକ ଦୁର୍ଦ୍ଦଶା ବିଷୟରେ ଚିନ୍ତା କରିନାହାନ୍ତି-। ସେମାନଙ୍କ ମନରେ ବିଦ୍ରୋହଭାବ ଦେଖାଦେଲାଣି । ଯୁବଶକ୍ତିକୁ ଅସନ୍ତୁଷ୍ଟ କରି ଦେଶ ଅଗ୍ରଗତି କରିବ ଏକାନ୍ତଭାବେ ଅସମ୍ଭବ ।

 

ମୁଖ୍ୟମନ୍ତ୍ରୀ ଶାସନର ମୁଖ୍ୟ । ତାଙ୍କୁ ସମର୍ଥନ ନ ଜଣେଇଲେ ମନ୍ତ୍ରୀମଣ୍ଡଳର ଅନ୍ୟ ସଭ୍ୟମାନଙ୍କର ବ୍ୟକ୍ତିଗତ କ୍ଷତି ହୋଇପାରେ । ତେଣୁ ମନ୍ତ୍ରୀମଣ୍ଡଳର ଅନ୍ୟ ସଭ୍ୟମାନଙ୍କର ବ୍ୟକ୍ତଗତ କ୍ଷତି ହୋଇପାରେ ତେଣୁ ମନ୍ତ୍ରୀମଣ୍ଡଳର ସମସ୍ତ ସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

 

ସାମାନ୍ୟ ପ୍ରତିବାଦ କରି ସୂର୍ଯ୍ୟକାନ୍ତ ଚକ୍ଷୁଶୂଳ ହୋଇଛି । ଅଧିକ ପ୍ରତିବାଦ କଲା ଭଳି ସାହସ ମଧ୍ୟ ତା’ର ନାହିଁ । ନିରର୍ଥକ ମତାନ୍ତର ହୁଏତ ଦଳ ଭିତରେ ମନାନ୍ତର ସୃଷ୍ଟି କରିପାରେ ।

 

ସେଇ ସାମନ୍ୟ ପ୍ରତିବାଦର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବସୁଲଭ ଚପଳତା ନେଇ ଶାସନ ପରିଚାଳିତ ହୁଏନି । ସବୁ ଶ୍ରେଣୀର ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ । କେତେଜଣ ଶିକ୍ଷିତ ଯୁବକଙ୍କୁ କାମ ଦେବା ପାଇଁ ୫ଦାବି କରିବା ଫଳରେ ଆମକୁ ହୁଏତ ଅଧିକ ଉପାର୍ଜନର ମାର୍ଗ ପ୍ରତିରୋଧ କରିବାକୁ ପଡ଼ିପାରେ । ଆମ ସର୍ତ୍ତରେ ଯଦି କର୍ପୋରେସନ ପରିଶେଷରେ ଏକମତ ନ ହୁଏ ଆମକୁ ରୟାଲ୍ଟି ହରେଇବାକୁ ପଡ଼ିବ ।

ନୀରବ ରହିଛି ସୂର୍ଯ୍ୟକାନ୍ତ ।

ଖଣି ଖାଦାନରେ ସ୍ଥାନୀୟ ଶ୍ରମିକ ଦେହରୁ ରକ୍ତ ନିଗାଡ଼ି ବିଦେଶୀ ବାଣିଜ୍ୟକୁ ପରିପୃଷ୍ଟ କରିବେ । ମଜୁରୀରେ ପେଟ ପୂରିବ ନାହିଁ । ଅଶାନ୍ତି ବଢ଼ିବ । ବିଦେଶୀ ପରିଚାଳକମାନେ ତାଙ୍କର ସର୍ବନିମ୍ନ ମଜୁରୀ ଦାବିକୁ ହୁଏତ ଗ୍ରହଣ କରିବେ ନାହିଁ ।

କ୍ଲାନ୍ତ ହୋଇଛି ସୂର୍ଯ୍ୟକାନ୍ତ । ଏଇ ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ପ୍ରତିଶ୍ରୁତି ଦେଇ କହିଥିଲେ, ବେକାର ଶିକ୍ଷିତ ବ୍ୟକ୍ତିଙ୍କର କର୍ମସଂସ୍ଥାନକୁ ଆମ ସରକାର ଅଗ୍ରାଧିକାର ଦେବ । ଯଦି କେହି ଜଣେ ନାଗରିକର ଖାଦ୍ୟାଭାବରୁ ପ୍ରାଣନାଶ ହୁଏ ଆମ ସରକାରକୁ ପାତକ ଲାଗିବ । ଜନତାର ଦରବାର ସେଥିପାଇଁ ଆମଠାରୁ କେବଳ କୈଫିୟତ ଦାବି କରିବ ନାହିଁ, ଆମକୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିପାରିବ ।

କେତେ ପ୍ରାଣହାନିର ନିର୍ଭରଯୋଗ୍ୟ ବିବରଣୀ ପାଇଛି ସୂର୍ଯ୍ୟକାନ୍ତ । ବିରୁଦ୍ଧ ଦଳ ସଭ୍ୟମାନେ ଖବରକାଗଜ ସ୍ତମ୍ଭରେ ବିବୃତ ଦେଇଛନ୍ତି, ବିଧାନସଭାର ପ୍ରଶ୍ନ ପଚାରିଛନ୍ତି । ସବୁ ଅସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂର୍ଯ୍ୟକାନ୍ତର ମନେପଡ଼ିଛି, ପ୍ରତ୍ୟକ୍ଷଦର୍ଶୀ ସାମ୍ୱାଦିକ ବନ୍ଧୁ ସରୋଜବାବୁଙ୍କ ବିବରଣୀ । ଏଇ ପ୍ରକୋଷ୍ଠରେ ବସି ବାତ୍ୟାବିଧ୍ୱସ୍ତ ଅଞ୍ଚଳର କାହାଣୀ ସେ ଶୁଣେଇଥିଲେ । ଫଟୋ ଉଠେଇ ଦେଖାଇ ଥିଲେ ।

ପ୍ରଳୟଙ୍କରୀ ବାତ୍ୟାରେ କୋଠାଘର ଭଗ୍ନସ୍ତୂପରେ ପରିଣତ ହୋଇଛି । ଗାଁ ଗାଁ ଧରି ଚାଳଘର ନିଶ୍ଚିହ୍ନ ହୋଇଯାଇଛି । ଭାତ ନାହିଁ, ଲୁଗା ନାହିଁ । ପ୍ରଳୟର ବିଭୀଷିକା । ଜୀବନ ଧରି ଶିଶୁପୁତ୍ରକୁ ନେଇ ରୁଗ୍‍ଣା ଜନନୀ ରୋଗଶେଯରୁ ଉଠିଆସିଛି ଗଛମୂଳକୁ । ସ୍ୱାମୀ ଉପରେ କାନ୍ଥ ମାଡ଼ିବସିଛି । ଅର୍ଦ୍ଧ ମୁମୂର୍ଷୁ ଅବସ୍ଥାରେ ସେ ଚିତ୍କାର କରୁଛି । ପୁଅକୁ ମଧ୍ୟ ବଞ୍ଚେଇ ପାରିନି । ଯେଉଁ ଗଛତଳେ ଆଶ୍ରୟ ନେଇଥିଲା ସେ ଗଛ ପୁଅ ଉପରେ ଭାଙ୍ଗିପଡ଼ିଛି ।

 

ବାହାରେ ବର୍ଷାର ପ୍ରଳୟ ପାଇଁ ଆହ୍ୱାନ, ଭିତରେ ପ୍ରଳୟଲୁହର ସାଗର । ବିଚାରୀ ନିରାଶ୍ରୟା ନାରୀ କାତର ହୋଇ ସାହାଯ୍ୟ ଭିକ୍ଷା ପାଇଁ ଧାଇଁଯାଇଛି ଦୂର କୋଠାଘରକୁ । କେତେଜଣ ସରକାରୀ ଲୋକ ନିରାପଦରେ ସେଠି ଅଛନ୍ତି । ହୁଏତ ସେମାନେ ସାହାଯ୍ୟ କଲେ ସ୍ୱାମୀଙ୍କର ଜୀବନରକ୍ଷା ହୋଇପାରେ ।

 

ସାହାଯ୍ୟ ପରିବର୍ତ୍ତେ ଏକାକିନୀ ନାରୀର ରୂପକୁ ପ୍ରଲୁବ୍ଧ ଦୃଷ୍ଟିରେ ସେମାନେ ଚାହିଁଛନ୍ତି । ଦେହରେ ଓଦା ଶାଢ଼ି ଜଡ଼ିଯାଇଛି । ନାରୀର ଗୋପନତା ଯତ୍ନ ଅଭାବରୁ ରକ୍ଷା ହୋଇପାରିନି । ହୁଏତ ଆକୁଳ ମୁହୂର୍ତ୍ତରେ ନିଜର ପରିସ୍ଥିତି ପ୍ରତି ଦୃଷ୍ଟି ଦେଇହୋଇନି ।

 

ସେମାନଙ୍କ ମନରେ ନିଆଁ ଧରୁଛି । କୁହୁଳିଛି । ଯୌନବୁଭୁକ୍ଷ ଆହୁରି ଉଗ୍ରତର ହୋଇ ଜଳିବାପାଇଁ ଆରମ୍ଭ କରିଛି ।

 

ଏତେ ଝଡ଼, ଏତେ ବର୍ଷା, ଏତେ ପ୍ରବଳ ବାତ୍ୟାରେ ବି ମନରେ ଏମିତି ନିଆଁ ଜଳେ । ସେ ନିଆଁ ଲିଭିପାରେନା ବର୍ଷଣକ୍ଲାନ୍ତ ମୁହୂର୍ତ୍ତରେ ଦୁର୍ବଳ ଏକାନ୍ତରେ ଆହୁରି ଉଗ୍ର ହୁଏ ।

 

କ୍ରସ୍ତା ହରିଣୀଟିଏ ପରି ଅବ୍ୟକ୍ତ କାରୁଣ୍ୟ ବ୍ୟକ୍ତ କରି ନ ପାରି ବିଚାରୀ ଲୁହ ନିଗାଡ଼ିଛି । ସେ ଲୁହ ଆହୁରି ପ୍ରଳୟମୁଖୀ ।

 

ହିଂସ୍ର ପଶୁମାନଙ୍କ କବଳରୁ ରକ୍ଷା ନାହିଁ । ସେମାନେ ମାଂସାଶୀ ହୋଇଉଠିଛନ୍ତି । ସୁବିଧାରେ ଶିକାର ମିଳିଛି । କେହି ରକ୍ଷା କରିପାରିବେ ନାହିଁ ।

 

ବିଚାରୀ ହତଭାଗିନୀ ଆକାଶକୁ ଚାହିଁଛି ।

 

ବଞ୍ଚିବାପାଇଁ ପାଥେୟ ନାହିଁ ।

 

ମରିବା ପାଇଁ ଆଶୀର୍ବାଦ ନାହିଁ ।

 

ପବନର ବେଗ ଆହୁରି ବଢ଼ିଛି । ଆଖି ଆଗରେ ତାର ଖୁଣ୍ଟଗୁଡ଼ାକ ଗୋଟିକ ପରେ ଗୋଟିଏ ଟଳିପଡ଼ୁଛି । ରଣକ୍ଳାନ୍ତ ପ୍ରହରି ପରି ଠିଆ ହେବାପାଇଁ ଦମ୍ଭ ନାହିଁ ।

 

ହିଂସ୍ର ପଶୁମାନଙ୍କ କବଳରୁ ରକ୍ଷା ପାଇବାପାଇଁ ବାହାରକୁ ବିଚାରୀ ଧାଇଁଗଲା । ବିଜୁଳି ତାରରେ ଛନ୍ଦିହୋଇ ଅଟକିଗଲା । ଗୋଟାଏ ମୁହୂର୍ତ୍ତରେ ସବୁ ଶେଷ । ସେ ବି ଚାଲିଗଲା । ଗୋଟାଏ ପରିବାର ନିଶ୍ଚିହ୍ନ ହୋଇଗଲା ।

 

ଝଡ଼ବାତ୍ୟାର ଅଦ୍ଭୂତପୂର୍ବ ବିବରଣୀ ଇତିହାସରେ କେବେ ଏମିତି ଲିପିବଦ୍ଧ ହୋଇଛି ବୋଲି ସୂର୍ଯ୍ୟକାନ୍ତ ଜାଣିନି । ଶୁଖିଲା ପତ୍ର ପରି ପଥଚାରୀ ମଣିଷ ଆକାଶରେ ଉଡ଼ି ଉଡ଼ି ତଳେ ପଡ଼ି ଜୀବନ ତ୍ୟାଗ କରିଛି । ଘର ଭିତରେ ଆଶ୍ରୟ ନେଇ ମଧ୍ୟ କେତେ କିଏ ଜୀବନ ରକ୍ଷା କରିପାରିନାହାନ୍ତି । ଛାତ ଭୁଷୁଡ଼ିପଡ଼ିଛି । କାନ୍ଥ ମାଡ଼ିବସିଛି ।

 

ଗାଁ ଦାଣ୍ଡରେ ବର୍ଷାପାଣି ନୂଆ ନଈଧାର ସୃଷ୍ଟି କରିଛି । ରାଜରାସ୍ତା ଉପରେ ମହାଦ୍ରୁମ ଟଳିପଡ଼ି ପଥ ଅବରୋଧ କରିଛି । ପାଣିସୁଅରେ ମଣିଷର ଶବ ଭାସିଯାଇଛି ।

 

ଘୂର୍ଣ୍ଣିବାତ୍ୟାରେ ନଈଗର୍ଭରୁ ପାଣି ଉପରକୁ ଉଠିଯାଇଛି । ସମୁଦ୍ର ଗର୍ଭରେ ପ୍ରଳୟର ଆଲୋଡ଼ନ ସୃଷ୍ଟି ହୋଇଛି । ଶହ ଶହ ମତ୍ସ୍ୟଜୀବୀ ସମୁଦ୍ରଗର୍ଭରୁ ଆଉ ଫେରିନାହାନ୍ତି । ହୁଏତ ଆକାଶର ଅନନ୍ତ ସତ୍ତା କିମ୍ୱା ସାଗରର ଅସୀମ ଗର୍ଭରେ ସେମାନେ ମହାକାଳ ସହିତ କିଛିକ୍ଷଣ ସଂଗ୍ରାମ କରି ବିଫଳ ହୋଇ ଟଳିପଡ଼ିଛନ୍ତି । ତାଙ୍କ ଫେରିବା ବାଟକୁ ଚାହିଁ ଚାହିଁ କେତେ ବିଧବାଙ୍କ ଆଖିରୁ ଲୁହ ଶୁଖିଛି । ଖାଇବାକୁ ଦାନା ନାହିଁ । ଶିଶୁମାନେ କ୍ଷୁଧାର ଜ୍ୱାଳାରେ ଅସ୍ଥିର ହୋଇ ଚିତ୍କାର କରିଛନ୍ତି ।

 

ସରୋଜବାବୁଙ୍କ ବିବରଣୀକୁ କାନ ଡେରି ଆଉ ଶୁଣିପାରିନି ସୂର୍ଯ୍ୟକାନ୍ତ ।

 

ତଥାପି ବନ୍ଧୁ ବାଧ୍ୟ କରି ଶୁଣେଇଛନ୍ତି । ଶୁଣିବାକୁ ହେବ । ତମେ ଉପମନ୍ତ୍ରୀ । ବେକରେ ଯାହାଙ୍କ ପାଖରୁ ଫୁଲମାଳ ପିନ୍ଧିଛ, ଯେଉଁମାନଙ୍କର ଭୋଟ ପାଇ ଶାସନ ପରିଚାଳନାର ଦାୟିତ୍ୱ ଗ୍ରହଣ କରିଛ, ପ୍ରତିପତ୍ତି ବିସ୍ତାର କରିଛ, ଦୁର୍ଦ୍ଦିନରେ ତମେ ତାଙ୍କୁ କେତେ ଦୂର ସାହାଯ୍ୟ କରିଛ ତୁମର ଜାଣିବା ଉଚିତ ।

 

ପୁଣି ଆରମ୍ଭ କରିଛନ୍ତି ବନ୍ଧୁ ସରୋଜବାବୁ । ପ୍ରତ୍ୟକ୍ଷଦର୍ଶୀର ବିବରଣୀ ନୁହେଁ, ବରଂ ସୂର୍ଯ୍ୟକାନ୍ତର ସରକାର ଉପରେ ଆକ୍ରମଣ ।

 

ତୁମ ସରକାରକୁ ଅପଦସ୍ଥ କରିବାର ଅଭିଳାଷ ମୋର ନାହିଁ । କେବଳ ତୁମ ବନ୍ଧୁତ୍ୱ ମୋତେ ପଛକୁ ଟାଣିରଖିଛି । ନଚେତ୍ ଖବରକାଗଜ ସ୍ତମ୍ଭରେ ସେହି ଅନାଥିନୀ, ସାହାଯ୍ୟପ୍ରାର୍ଥିନୀ ନାରୀର ଅପମୃତ୍ୟୁ ପାଇଁ ତୁମକୁ ମୁଁ ଦାୟୀ କରିଥାନ୍ତି । ତୁମ ସରକାରର ଲୋକେ ତାକୁ ମରଣମୁହଁକୁ ପେଲିଦେଇଛନ୍ତି । ତୁମେ ସେ ଅମୂଲ୍ୟ ଜୀବନକୁ ଶିକାର କରିଛ ।

 

ଉତ୍ତର ଦେଇପାରିନି ସୂର୍ଯ୍ୟକାନ୍ତ ।

 

ସରୋଜବାବୁଙ୍କ ଆକ୍ଷେପ ଅମୂଳକ ନୁହେଁ ।

 

ପୁଣି ସେ କହିଛନ୍ତି, ସରକାରୀ ବଙ୍ଗଳାରେ ରହି, ବିଳାସକୁ ଚରିତାର୍ଥ କରିବାବେଳେ ତୁମେ ଆଦୌ ଅନୁମାନ କରିପାରିବ ନି କି ଭୟଙ୍କର ସେ ଦୁର୍ଦ୍ଦିନରେ ବିଭୀଷିକା ।

 

ଘୂର୍ଣ୍ଣିବାତ୍ୟାରେ ନଈ ମୁହାଣରୁ ପାଣି ଉଠିଯାଇ ମାଛମାନେ ଚଢ଼େଇପରି ଆକାଶରେ ଉଡ଼ିଛନ୍ତି ।

 

ଶୁଖିଲାରେ ବାଳିଆ ପିଟିଛନ୍ତି ତୁମ ରାଜନୈତିକ ଦଳର ସନାତନ ମିଶ୍ର ।

 

ଝଡ଼ ଥମିଛି, ବାତ୍ୟା କମିଛି । ତମେ ଯୋଉମାନଙ୍କ ପାଖରେ ହାତ ପାତି ଦାନ୍ତ ନିକୁଟି ଭୋଟ ଭିକ୍ଷା ମାଗୁଥିଲ ସେଇମାନେ ପେଟ ପାଇଁ ତୁମ କରୁଣାପ୍ରାର୍ଥୀ ହୋଇ ସରକାରୀ ସାହାଯ୍ୟ ଭିକ୍ଷା ମାଗିଛନ୍ତି । ତମ ସରକାର ତାଙ୍କ ଭିକ୍ଷାଥଳୀ ଆଡ଼େଇଦେଇ ପୌଢ଼ି ଦେଖାଇଛନ୍ତି । ରାସ୍ତାଘାଟ ନାହିଁ । ଭଙ୍ଗା ତାରଖୁଣ୍ଟି । ଭଗ୍ନ ମହାଦ୍ରୁମ ରାସ୍ତା ଅବରୋଧ କରିଛି । ଗାଁ ଦାଣ୍ଡରେ ପାଣି ଠିଆ ହୋଇଛି । ସରକାରୀ ମଟରଗାଡ଼ି ବର୍ତ୍ତମାନ ସାହାଯ୍ୟ ନେଇ ଯାଇପାରିବ ନାହିଁ । କିଛିଦିନ ବିଳମ୍ୱ ହେବ । ପ୍ରଥମେ ମିଲିଟାରୀ ପୋଲିସମାନଙ୍କୁ ରାସ୍ତା ପରିଷ୍କାର କରିବାପାଇଁ ପଠାଯାଇଛି ।

 

ବେସରକାରୀ ସଙ୍ଘ ସମିତି ସଂଗଠନ ପକ୍ଷରୁ ସାହାଯ୍ୟ ଠିକ୍ ସମୟରେ ପହଞ୍ଚିଛି । ଉପାସିଆ ପେଟରେ ଦାନା ପଡ଼ିଛି । ଜୀବନ ସରକାରୀ ସାହାଯ୍ୟ ପାଇଁ ପ୍ରତୀକ୍ଷାରେ ରହିଛି ।

 

ପେଟ ପାଇଁ ନଥିଲା ଘରର ଝିଅ ରାଧୀ ଭୋକ ବିକଳରେ ଦେହ ବିକ୍ରି କରିଛି । କଞ୍ଚା ମାଂସ ବିନିମୟରେ ଖାଲି ମୁଠାଏ ଦାନା । କଞ୍ଚା ମାଂସ ବିନିମୟରେ ଖାଲି ମୁଠାଏ ଦାନା । ହୀରା ନୀଳା ନୁହେଁ ।

 

ବ୍ୟଭିଚାରିଣୀ ହୋଇ ଏବେ ବି ଏଇ ରାଜଧାନୀରେ ଗୁଡ଼ିଆ ଘର ଝିଅ ରାଧୀ କୁଳ କିନାରା ହରେଇ ତେଲେଙ୍ଗା ରିକ୍ସାବାଲା ବାବୁରାଓର ଘରଣୀ ହୋଇଛି । ପେଟ ପାଇଁ ଦେହ ବିକ୍ରିକରିବାର ଅପରାଧକୁ ସମାଜ କ୍ଷମା ଦେଇନି । ଗାଁରୁ ରାଧୀ ବାହାରିଆସିଛି ।

 

ତୁମ ଶିକ୍ଷିତ ସମାଜରେ, କେତେ କ୍ଲବ, ପାର୍କରେ, ହୋଟେଲ ପାନ୍ଥଶାଳାରେ, କେତେ ତରୁଣୀ ଦେହକୁ ଛଜାଡ଼ି ଦେଇଛନ୍ତି ତା’ର ହିସାବ କେହି ରଖିନି । ମଇଳା ଲୁଗା ସଫା ହେଲା ପରି ହସର ମଲ୍ଲୀ ପାଖୁଡ଼ା ବୁଣି ବୁଣି ସେମାନେ ଦେହର କଳଙ୍କ ଧୋଇ ଦେଇଛନ୍ତି ।

 

ତୁମେ ତାଙ୍କୁ ଗ୍ରହଣ କରି ସହୃଦୟତାର ପଣତ ତଳେ ତାଙ୍କ କଳଙ୍କ ଘୋଡ଼େଇଦେଇଛ; କିନ୍ତୁ ରାଧୀକୁ ଅଙ୍ଗୁଳି ନିର୍ଦ୍ଦେଶ କରି କଳଙ୍କିନୀ ବୋଲି ଚିହ୍ନେଇଦେଇଛ ।

 

ବିଳମ୍ୱରେ ହେଲେ ବି ସାଧାରଣ ମଣିଷଙ୍କ ପାଖରେ ତୁମ ସରକାରୀ ସାହାଯ୍ୟ ପହଞ୍ଚିପାରିନି । ସନାତନ ମିଶ୍ରେ ସାହାଯ୍ୟ ବଣ୍ଟନର ଦାୟିତ୍ୱ ନେଇ, ଗୋଟାଏ କୋଠାଘର ଏବଂ ଗୋଟାଏ ଧାନକଳର ଅଧିକାରୀ ହୋଇପାରିଛନ୍ତି ।

 

ଅନ୍ନଛତ୍ରରୁ ନିରାଶ ହୋଇ ନଈପାଣି ପିଇ ବୁଭୁକ୍ଷୁ ଫେରିଯାଇଛି । ସରକାରୀ ଚାଉଳ ଶସ୍ତା ଦରରେ ଚୋରା ବେପାରୀକୁ ବିକା ହୋଇଛି । ଆଶ୍ରୟହୀନ ମଣିଷ ପାଣିକାଦୁଅ ଗଛମୂଳେ ଆକାଶକୁ ଚାହିଁ ଦିନ କାଟିଛି; ଅଥଚ ସରକାରୀ କମ୍ୱଳ ଖଣ୍ଡେ ପାଇପାରିନି ।

 

ତୁମର ଦୁର୍ନୀତି ନିବାରଣ ବିଭାଗ ସନାତନ ମିଶ୍ରଙ୍କ ନାଁରେ ସରକାରୀ ରିପୋର୍ଟ ଦେଇଛନ୍ତି । ସନାତନଙ୍କୁ ଅପରାଧି ବୋଲି ସାବ୍ୟସ୍ତ କରିବା ପରିବର୍ତ୍ତେ ତୁମ ସରକାର ଦୁର୍ନୀତି ନିବାରଣ ବିଭାଗର ତଦନ୍ତକାରୀ ଅଫିସରଙ୍କୁ ଅପରାଧୀ ବୋଲି ଜ୍ଞାନ କରିଛନ୍ତି । ଦୂର ବିଦେଶକୁ ଶାସ୍ତି ପାଇଁ ବଦଳି କରିଛନ୍ତି । ସନାତନ ମିଶ୍ରଙ୍କ ବିରୁଦ୍ଧରେ ତଦନ୍ତ କରିବା ପୂର୍ବରୁ ସେ ସରକାରୀ ଦଳର ବ୍ୟକ୍ତି ବୋଲି ଜାଣିବା ତାଙ୍କର ଉଚିତ ଥିଲା । ତଦନ୍ତକାରୀ ଅଫିସରଙ୍କ ଔଦ୍ଧତ୍ୟ ପାଇଁ ତାଙ୍କୁ ହୁଏତ ଆହୁରି ଶାସ୍ତି ମିଳିବ ।

 

ସନାତନ ମିଶ୍ରଙ୍କ ରିପୋର୍ଟ ଫାଇଲ ଭିତରୁ କୁଆଡ଼େ ହଜି ଗଲାଣି ।

 

ସରୋଜବାବୁ କହିଲେ, ସମ୍ୱାଦିକ ଭାବରେ ସବୁ ସମ୍ୱାଦ ଉପଯୁକ୍ତ ପ୍ରମାଣ ସହ ସାଇତି ରଖିଛି । କହିଲେ କୁଳକୁଟୁମ୍ୱକୁ ଲାଜ । କିଛି କହିଦେଉନି । ତମେ ମୋର ନିକଟତମ ବନ୍ଧୁ । ସନାତନ ମିଶ୍ର ଆଉ ତମେ ଏକା ରାଜନୈତିକ ଗୋଷ୍ଠୀର ଅନ୍ତର୍ଭୁକ୍ତ । ତୁମ ବ୍ୟକ୍ତିତ୍ୱରେ କଳଙ୍କ ଲାଗିବ । ସମସ୍ତେ କହିବେ, ତମେ ବି କଇଁଥ ଚୋର ।

 

ସରୋଜବାବୁଙ୍କ ବିଦାୟ ଦେଇ ନୀରବରେ ଚିନ୍ତା କଲା ସୂର୍ଯ୍ୟକାନ୍ତ, ହୁଏତ ରାଜନୀତି କରି ସେ ଭୁଲ କରିଛି ।

 

ଗୁଡ଼ିଆ ଘର ଝିଅ, ସେଇ ଅନାମଧେୟା ରାଧୀକୁ ବାବୁରାଓ ରିକ୍ସାବାଲା ଘରୁ ଉଦ୍ଧାର କରିବାପାଇଁ ଇଚ୍ଛା ହେଲା । ବିଚାରୀର ସତରେ କିଛି ଦୋଷ ନାହିଁ ।

 

ରୁଚି ବି ଏମିତି ଦିନେ ଲୁଚି ଲୁଚି ରାଧୀ ପରି ସୂର୍ଯ୍ୟକାନ୍ତ ପାଖକୁ ଆସିଥିଲା । ସେ ଅନେକ ଦିନ ତଳର ଅଧଭୁଲା ଅତୀତର ଉପାଖ୍ୟାନ ।

 

ରାତିରେ ଅଧ୍ୟାପିକା ମହାପାତ୍ରଙ୍କ ଘରକୁ ଯିବ ବୋଲି ସୀମାଅପାଙ୍କ ପାଖରୁ ଅନୁମତି ନେଇ ହାତରେ ବହିଖାତା ଧରି ରୁଚି ପଶିଆସିଥିଲା ସୂର୍ଯ୍ୟକାନ୍ତର କୋଠରୀକୁ ।

 

ଚକିତ ହୋଇ ସୂର୍ଯ୍ୟକାନ୍ତ ରୁଚିକୁ ଚାହିଁଥିଲା ।

 

ଖୁବ୍ ସୁନ୍ଦର ଦିଶୁଥିଲା ରୁଚି ।

 

ଅଜଣା ଭୟରେ ଶିହରି ଉଠିଥିଲା ସୂର୍ଯ୍ୟକାନ୍ତ । ରୁଚି ସହିତ ଅନେକ ଥର ମଧୁର ସମ୍ଭାଷଣ କରିଛି । ଅନେକ ଚପଳତାର କାହାଣୀ ଦୁହେଁ ସୃଷ୍ଟି କରିଛନ୍ତି; କିନ୍ତୁ ବୟସ ଲାଗିବା ପରେ ଏମିତି ନିରୋଳା କୋଠରୀ ଭିତରେ ଆନତ ସଂଧ୍ୟାରେ ଦୁହିଙ୍କର କେବେ ସାକ୍ଷାତ ହୋଇନି-। ଏଇ ସାକ୍ଷାତରେ ହୁଏତ କିଛି ଦୁର୍ବଳତା ଅଛି, ରୋମାଞ୍ଚ ବି ଅଛି ।

 

କିଛି ପଚାରିପାରିଲା ନାହିଁ ସୂର୍ଯ୍ୟକାନ୍ତ ।

 

ରୁଚି ବି କିଛି କହିପାରିଲା ନାହିଁ ।

 

ପିଲାଦିନର ସ୍ମୃତି ଦୁହିଁଙ୍କୁ ଆଲୋଡ଼ିତ କରିଛି ଦୁହିଁଙ୍କର ପରସ୍ପର ପ୍ରତି ସେଇ ଆକର୍ଷଣ । ମନକୁ ମନ ଅଜାଣତରେ ସମର୍ଥନ କରିନେଇଛି । ଗୋଧୂଳି ଗ୍ରାମ୍ୟ ଜୀବନର କିଛିଟା ଅବଶିଷ୍ଟ ବିଲୁପ୍ତ ଚେତନା ଦୁହିଁଙ୍କ ମନକୁ ଛନ୍ଦି ରଖିଛି ।

 

ଊଣେଇଶ ଶ’ ସତଚାଳିଶ ପରେ ମଦନବାବୁଙ୍କ ସହିତ ଗାଁ ଆଶ୍ରମ ଛାଡ଼ି ରୁଚି ସହରକୁ ଆସିଛି । ସ୍ୱାଧୀନତା ପ୍ରାପ୍ତି ପରେ ଆଶ୍ରମର ଆବଶ୍ୟକତା ଆଉ ନାହିଁ ।

 

ସୂର୍ଯ୍ୟକାନ୍ତ ପାଠ ପଢିବାକୁ ଆସିଛି ସହରକୁ ।

 

ପୁଣି ଦୁହିଁଙ୍କ ଭିତରେ ପୂର୍ବ ସଂପର୍କ ସଜାଗ ହୋଇଉଠିଛି ।

 

ହାଡ଼ୁଆ ଦିହରେ ରୁଚିର ବୟସର ରଙ୍ଗ ମାତିଉଠିଛି ।

 

ସୂର୍ଯ୍ୟକାନ୍ତର ମୁହଁରେ ନିଶ ଗଜୁରିଉଠିଛି ।

ଦୁହିଁଙ୍କର ପରସ୍ପର ପ୍ରତି ଆନ୍ତରିକତା ବୃଦ୍ଧି ପାଇଛି । ରୁଚି ଦିହକୁ ଛୁଇଁପାରିନି ସୂର୍ଯ୍ୟ । ତା’ ଦେହରେ ଯେମିତି ବିଦ୍ୟୁତ୍ ପ୍ରବାହ । ହାତ ଦେଲେ ଚମକ ଲାଗିବ ।

ପିଲାଦିନେ ତା’ ଚୁଟି ଧରି କେତେ ବିଧା ମାରିଥିଲା । ଗାଲକୁ ଚୁମୁଟି ଦେଇଥିଲା ।

ରୁଚିର ଗାଲରେ ସେଦିନର ନଖଚିହ୍ନ ଆହୁରି ସ୍ପଷ୍ଟ ହୋଇଉଠିଛି । ଦର୍ପଣରେ ମୁହଁ ଦେଖିଲାବେଳେ ତା’ର ମନେ ପଡ଼ୁଥିବ । କହୁଥିବ, ସୂର୍ଯ୍ୟକାନ୍ତ ଭାରି ଦୁଷ୍ଟ । ସାରାଜୀବନ ପାଇଁ ଦିହରେ ଖୁଣ ରଖିଦେଲା ।

ରୁଚିର ସେଇ ଅସନା ଧୂଳିଧୂସରିତ ଦେହରେ ଏତେ ଜ୍ୟୋତି, ଏତେ ସୌରଭ !

ସୂର୍ଯ୍ୟକାନ୍ତ ପ୍ରଲବ୍ଧ ହୋଇଛି । ସୀମାଅପା ଏକାଠି ଦୁହିଁଙ୍କୁ କୋଳକୁ ଟାଣିନେଉଥିଲେ । ଆଜି ସେଇ ସୀମାଅପାଙ୍କ ଅମାନିଆ ହୋଇ ଦୁହେଁ ଲୁଚି ଦୁହିଁଙ୍କୁ ଭେଟିଛନ୍ତି ।

ସୂର୍ଯ୍ୟକାନ୍ତ ପଚାରିଥିଲା, ତମେ ଏଠିକି ଆସିଛ ବୋଲି ଯଦି କିଏ ଜାଣେ ?

ରୁଚିର ଓଠ ଥରିଉଠିଥିଲା । ଶଙ୍କାକୁଳ ଚାହାଣୀରେ ସୂର୍ଯ୍ୟକାନ୍ତର ଭୟକୁ ସେ ଆହୁରି ଦ୍ୱିଗୁଣିତ କରିଦେଲା ।

ଛେପ ଢୋକି ଭୟମିଶ୍ରିତ ସ୍ୱରରେ କହିଲା, ମୁଁ ତେବେ ଚାଲିଯାଉଛି, ସୂର୍ଯ୍ୟ !

ଫାଲ୍ଗୁନ ସନ୍ଧ୍ୟାରେ ମଳୟର ବନ୍ଦନା ଗାଇ ବସନ୍ତ ଫେରି ଯିବା ସମ୍ଭବ ନୁହେଁ । ସୂର୍ଯ୍ୟକାନ୍ତ ରୁଚିର ବାହୁ ଦୁଇଟାକୁ ଧରିନେଇ କହିଥିଲା, ତମେ ଫେରିଯାଇ ପାରିବନି । ତୁମେ ଆସିଛ । ଜୀବନକୁ ନୂଆ କରି ଉଦ୍‍ଘାଟନ କରିବ । ତୁମର ଆଗମନ ସବୁଦିନ ପାଇଁ ଦୁହିଁଙ୍କର ମନେ ରହିବ ।

ରୁଚି କହିଲା, ଖାଲି ଭାସିଗଲେ ହେବନି । ତୁମକୁ ମନେ ରଖିବାକୁ ପଡ଼ିବ, ମୁଁ ତୁମ ସୀମାଅପାଙ୍କ ଝିଅ । ଖେଳକଣ୍ଢେଇ ବୋଲି ଭାବିବ ନାହିଁ ।

ସୂର୍ଯ୍ୟକାନ୍ତ କହିଥିଲା–ମୁଁ କ’ଣ ରବି ଦାସର କେହି ନୁହେଁ ବୋଲି ତମେ ଭାବୁଛ ? ମୋ ବ୍ୟକ୍ତିତ୍ୱର କିଛି ନିଷ୍ଠା ଅଛି ବୋଲି ମୁଁ ମନେକରେ ।

ରୁଚି କହିଥିଲା, ବାହାରେ ସୁନ୍ଦର ଜହ୍ନ ।

ସୂର୍ଯ୍ୟକାନ୍ତ କହିଥିଲା, ମୋତେ କିନ୍ତୁ ଅନ୍ଧାର ଭଲ ଲାଗେ । ଆଲୁଅରେ ଯାହା ଦେଖ ନ ଯାଏ, ଅନ୍ଧାରରେ ଅନୁଭବ କରିହୁଏ ।

ଦୁହେଁ ହସିଥିଲେ ।

ରୁଚି ସେଦିନ ବୟସର ମୂଲ୍ୟ ବୁଝିବା ପାଇଁ ଯୋଉ ସମ୍ପଦ ସୂର୍ଯ୍ୟକାନ୍ତ ପାଖରେ ଛାଡ଼ିଯାଇଥିଲା, କ୍ଷୁଧା ସଂଯତ କରି ନ ପାରି ରାଧୀ ସେଇ ସମ୍ପଦକୁ ମୁଠାଏ ଦାନା ବିନିମୟରେ ବିକ୍ରି କରିଛି ।

ରୁଚିକୁ ସମାଜ ଅନୁମୋଦନ କରିଛି । ଦେବନାଥ ଅଶାନ୍ତି ହେଲେ ବି ଅନୁମୋଦନ କରିଛି ।

ରାଧୀ ଗୋଡ଼ କାଢ଼ି ଚାଲିଆସିଛି ପଦାକୁ ।

ସୂର୍ଯ୍ୟକାନ୍ତ ମୁଣ୍ଡରେ କିଏ ଯେମିତି ଗଦାଏ ଅଳିଆର ବୋଝ ଲଦିଦେଲା । ମୁଣ୍ଡ ନଇଁପଡ଼ୁଛି । ଦୁର୍ଗନ୍ଧବି ବାହାରୁଛି ।

କର୍ମଚାରୀଙ୍କ ଛଟେଇ ପାଇଁ ନିଷ୍ପତ୍ତି ଦେଇପାରିନି । ଫାଇଲ ପଡ଼ିରହିଛି ।

ସିପ୍ରା ବାରମ୍ୱାର ଅରୁଭାଇଙ୍କ ପୁଅର କର୍ମସଂସ୍ଥାନ ପାଇଁ ଅଳି କରୁଛି । କ୍ଷମତାର ରହି ଯଦି ନିଜର ଜଣେ କାହାର ସୁବିଧା କରି ହେବନି, ସେମିତି କ୍ଷମତାରେ ଲାଭ ନାହିଁ । କେତେ ମନ୍ତ୍ରୀ ଉପମନ୍ତ୍ରୀ କେତେ ସମ୍ପତ୍ତି କଲେଣି । ନିଜର ଗାଡ଼ି କିଣିଲେଣି । ଲକ୍ଷ ଲକ୍ଷ ଟଙ୍କାର କୋଠାବାଡ଼ି କଲେଣି । କଳକାରଖାନାର ମାଲିକ ହେଲେଣି । କେତେ ବ୍ୟବସାୟ ସଂସ୍ଥାର ଅଂଶ କିଣିଲେଣି ।

 

ସୂର୍ଯ୍ୟକାନ୍ତ କିଛି କରିପାରିନି । ସିପ୍ରା କହୁଛି, ସୂର୍ଯ୍ୟକାନ୍ତର କିଛି କରିବା ଭଳି ବୋଧହୁଏ ଦକ୍ଷତା ନାହିଁ ।

 

ସିପ୍ରାକୁ ବୁଝେଇପାରିନି ସୂର୍ଯ୍ୟ । ସଚ୍ଚୋଟ ଭାବରେ କାହାର କିଛି କରିବାର ନାହିଁ । ସ୍ୱାର୍ଥରକ୍ଷା ପାଇଁ ସମସ୍ତେ ମାନବିକତାକୁ ଭୁଲି ବଡ଼ଲୋକ ହେବାର ସ୍ୱପ୍ନ ଦେଖିଛନ୍ତି । ମାତ୍ର ପାଞ୍ଚବର୍ଷର ସମୟ । ମଣିଷ ଭାବରେ ଗଣାହେବାପାଇଁ ଏକମାତ୍ର ସୁଯୋଗ ।

 

ସମସ୍ତେ ସୁଯୋଗର ଉପଯୋଗ କରିଛନ୍ତି । ଏକୁଟିଆ ସୂର୍ଯ୍ୟ ପାରିନି । ବୋଧହୁଏ ଆଉ ପାରିବ ନାହିଁ । ସେଭଳି ମନୋବୃତ୍ତି ନାହିଁ ।

 

ଉତ୍ତପ୍ତ ଝାଞ୍ଜି ଖରାରେ ମରୁଭୂମି ଭିତରେ ସୂର୍ଯ୍ୟ ଚାଲିଛି । ଏକା ଏକା କେତେଦୂର ଚାଲିବ ଜାଣେ ନା; ତଥାପି ଚାଲିଛି ।

 

ଆଇ. ଏ. ଏସ୍. ସେକ୍ରେଟେରୀମାନେ ମନ୍ତବ୍ୟ ଦେଇଛନ୍ତି, ସୂର୍ଯ୍ୟକାନ୍ତ ଉପମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ନୁହନ୍ତି । ଫାଇଲ ପକେଇରଖି ବାହାରେ ବୁଲୁଛନ୍ତି । ସଭା ସମିତିରେ ଭାଷଣ ଦେଲେ ମନ୍ତ୍ରୀର ଦାୟିତ୍ୱ ଶେଷ ହୁଏନି । ଅଫିସରେ କାମ କରିବାକୁ ପଡ଼େ ।

 

କାମ ନ କରି ଅଫିସରେ ବସି କ’ଣ କରୁଛନ୍ତି ସୂର୍ଯ୍ୟକାନ୍ତ ! ସେ ବିଷୟରେ ଚିନ୍ତା କରିବାପାଇଁ ଆବଶ୍ୟକ ତାଙ୍କ ପଡ଼ି ନି । ଚାକିରି କଳରେ ପଶି ସେମାନେ ଖାଲି କାଗଜ କଲମକୁ ଚିହ୍ନିଛନ୍ତି । ବାହାର ଦୁନିଆର ମଣିଷକୁ ଚିହ୍ନିବାପାଇଁ ଚେଷ୍ଟା କରିବା ତାଙ୍କର ଅନାବଶ୍ୟକ । ତାଙ୍କର ଦରମାପାଇଁ ଚାକିରି । କାଗଜ ଚାଷରେ ଜୀବନ ଆରମ୍ଭ ହୋଇଛି, ତା’ରି ଭିତରେ କର୍ତ୍ତବ୍ୟ ପାଳନ-। ଚାକିରି ଶେଷ ହେଲେ ଘରେ ବସି ପେନ୍‍ସନ ପାଇବେ । କୋଉ ଗାଁର ଝିଅ ରାଧୀ କୋଉ ରିକ୍ସାବାଲା ରକ୍ଷିତା ହୋଇ କୋଉ ପରିସ୍ଥିତିରେ ରହିଛି, ସେମାନେ ବୁଝିବେ ନାହିଁ ।

 

ରବି ଦାସ ଯୋଉ ସ୍ୱାଧୀନତା ଆଣିଛନ୍ତି, ତାକୁ କେବଳ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ସମାପ୍ତ କରିବାପାଇଁ ସେମାନେ ଭାବିଛନ୍ତି । ଇଂରେଜମାନେ ଥିଲାବେଳେ ସଚିବାଳୟ ଭିତରେ ବସି ସେମାନେ ଯେମିତି କାଗଜ କାମ କରୁଥିଲେ, ଏବେ ବି ସେମିତି କାମ କରୁଛନ୍ତି । ସେଦିନ ଏବଂ ଆଜି ଭିତରେ ପାର୍ଥକ୍ୟ ତାଙ୍କ ପାଇଁ ହୁଏତ ବିଶେଷ କିଛି ନୁହେଁ ।

 

ରବି ଦାସଙ୍କ କଥା ମନେପଡ଼ିଲା । ସୂର୍ଯ୍ୟକାନ୍ତ ସେତେବେଳେ ଶିଶୁ । କିଛି ମନେପଡ଼ୁଛି । ବୋଧହୁଏ ପଞ୍ଚମ କିମ୍ୱା ଷଷ୍ଠଶ୍ରେଣୀର ଛାତ୍ର ଥିଲା ସେ । ବାହାରେ ଅବିରାମ ବର୍ଷା ଝରୁଥିଲା । ଅନ୍ଧାର ଘର ଭିତରେ ବୋଉ ପାଖରେ ଶୋଇଥିଲା ସୂର୍ଯ୍ୟ । ରାତି ବୋଧହୁଏ ବାରଟା ହେବ ।

 

ରବି ଦାସ ବର୍ଷାରେ ଓଦା ହୋଇ ଘରଭିତରକୁ ପଶିଆସିଲେ । ମନରେ ଭୟଙ୍କର ଅସ୍ଥିରତା । ଧୋତି କାମିଜରୁ ପାଣି ନିଗିଡ଼ି ପଡ଼ୁଥିଲା ।

 

ବାପା ବିରକ୍ତ ହେଲେ । ରବି ଦାସଙ୍କର ଅନେକ ଦୁଃସାହସିକ କାମ ପାଇଁ ବାପା ବିରକ୍ତ ହୁଅନ୍ତି । ତଥାପି ସେ ବିରକ୍ତି ଭିତରେ ସ୍ନେହ ଥାଏ । ସାନ ଭାଇ ପାଇଁ ବଡ଼ଭାଇଙ୍କର ସ୍ନେହସିକ୍ତ କଟୁକ୍ତି । ହୁଏତ ମନଭିତରେ ସେ ରବି ଦାସଙ୍କ କାମକୁ ଅଭିନନ୍ଦନ କରନ୍ତି; କିନ୍ତୁ କର୍ତ୍ତବ୍ୟବୋଧ ଦୃଷ୍ଟିରୁ ବିରକ୍ତ ହୁଅନ୍ତି । ଦେଶ ପାଇଁ ଯୋଉମାନେ ପ୍ରକୃତରେ ଜୀବନକୁ ବିପନ୍ନ କରି ବ୍ୟକ୍ତିତ୍ୱକୁ ତିଳ ତିଳ କରି ଆହୁତି ଦେଇଛନ୍ତି, ସେମାନେ କିଛି ପାଇନାହାନ୍ତି । ନିର୍ବୋଧ ଆଦର୍ଶବାଦ ନାଁରେ ନିଜକୁ ପୀଡ଼ିତ କରିବା ବ୍ୟତୀତ ଆଉ କିଛି ଅର୍ଥ ନାହିଁ ।

 

ରବି ଦାସ କିଛି ଉତ୍ତର ଦିଅନ୍ତି ନାହିଁ । ନୀରବତା ଭିତରେ ସେ ବୋଧହୁଏ ନିଜର ବ୍ୟକ୍ତିଗତ ଉତ୍ପୀଡ଼ନ ସହିତ ଅଗଣିତ ନିଷ୍ପେଷିତ ମଣିଷର କଷଣକୁ ତୁଳନା କରନ୍ତି । ସଂଘର୍ଷ ପାଇଁ ଆହ୍ୱାନ । ଅଗଣିତ ମାନବର ଆର୍ତ୍ତନାଦ ତାଙ୍କ ହୃଦୟରେ ପ୍ରତିଧ୍ୱନିତ୍ୱ ହୁଏ । ସ୍ୱାଧିନତା କେବଳ ଇତିହାସର କାହାଣୀ ନୁହେଁ, ଜଣେ ଦେଶସେବକର ଈପ୍ସିତ ଅଭିଳାଷ ନୁହେଁ; ସବୁ ମଣିଷଙ୍କର ଜନ୍ମଗତ ଅଦିକାର । ସେଇ ଅଧିକାରକୁ ସାବ୍ୟସ୍ତ କରିବାକୁ ହେଲେ ଜୀବନକୁ ଆହୁରି ସଙ୍କଟାପନ୍ନ କରିବାକୁ ହେବ । ଅଗଣିତ ଜନତାର ସ୍ୱାର୍ଥସିଦ୍ଧି ପାଇଁ ଗୋଟାଏ ଜୀବନର ମୂଲ୍ୟ ତାଙ୍କ ପାଖରେ ଗରୀୟାନ ନୁହେଁ ।

 

ସବୁ ଦିନ ପରି ସେଦିନ ବି ରବି ଦାସ କିଛି ଉତ୍ତର ନ ଦେଇ ନୀରବ ରହିଲେ । ଦେହରୁ ଓଦା କାମିଜ ବାହାର କରି ଚିପୁଡ଼ିଲେ । ସବୁ ସେଇ ଅନ୍ଧାରରେ । ଆଲୁଅ ଜାଳିବାପାଇଁ ଦିଆସିଲି ନାହିଁ । କିରାସିନି ନାହିଁ । ଯୁଦ୍ଧକାଳୀନ ପରିସ୍ଥିତି । ଘରେ ଘରେ ହତାଶାର ବହ୍ନି ଜଳୁଛି । ବଜାରରେ ଲୁଗା ନାହିଁ । ଖାଇବାପାଇଁ ତେଲ ଲୁଣ ନାହିଁ । ପେଟରେ ଭୋକ । ମୁହଁରେ ଭୟାର୍ତ୍ତ ରାଜଭକ୍ତିର ନିଷ୍ଠାପରତା । ଇଂରେଜ ବିରୁଦ୍ଧରେ ତୁଣ୍ଡ ଖୋଲିବାର ସାହସ ନାହିଁ । ଚାବୁକର ଧମକ ।

 

ସେଇ ଅନ୍ଧାର ଭିତରେ ରବି ଦାସ କହିଲେ, ‘‘ମୁଁ ପୁଣି ଚାଲିଯିବି, ଭାଇ ! ମୋତେ ଧରିବାପାଇଁ ଆଉ କିଛି ସମୟ ପରେ ପୋଲିସ ହୁଏତ ଆସି ଏଠାରେ ପହଞ୍ଚିଯାଇପାରେ ।’’

 

ବାପା କହିଲେ, ‘‘ଏତେ ବଡ଼ ଝଡ଼ ରାତିରେ କେହି କେବେ ବାହାରକୁ ଯାଇପାରେ ନା ।’’

 

ରବି ଦାସ କହିଲେ, ‘‘ମୋତେ କିନ୍ତୁ ଯିବାକୁ ହେବ । ପୋଲିସ ଲାଠିର ଶିକାର ହେବାପାଇଁ ମୋ’ ପକ୍ଷରେ ଘରେ ରହିବା ଆଦୌ ନିରାପଦ ନୁହେଁ । ଆବଶ୍ୟକ ମନେକଲେ ଇଂରେଜ ସରକାର ମୋତେ ଧରିନେଇ ଫାଶୀ ଦେଇପାରନ୍ତି ।’’

 

ତାଙ୍କ କଥା ଶୁଣି ବୋଉ ଭୟରେ ଥରିଉଠିଥିଲା । ବାପାଙ୍କର ବାକ୍ରୁଦ୍ଧ ହୋଇଯାଇଥିଲା କିଛିକ୍ଷଣ ପାଇଁ ।

 

ରବି ଦାସ କହିଥିଲେ, ‘‘ମୋ’ ପାଇଁ ବ୍ୟଥିତ ହେବ ନାହିଁ । ତୁମ ସମସ୍ତଙ୍କ ପରି ମୁଁ ବି ଜୀବନକୁ ଭଲପାଏ । ବଞ୍ଚିବାପାଇଁ ଏକାନ୍ତ ଇଚ୍ଛା କରେ । ମୁଁ ଆତ୍ମଗୋପନ କରିବି । ଭବିଷ୍ୟତରେ ଆଉ ହୁଏତ ଘରକୁ ଫେରି ନ ପାରେ । ଇଂରେଜ ସରକାରର ତୀକ୍ଷଣ୍‍ ଅନ୍ତରାଳରେ ଲୁଚିଛପି ମୋତେ ବଞ୍ଚିବାକୁ ହେବ ।’’

ସେଇ ଅନ୍ଧାର ଭିତରେ କେତେ ଖଣ୍ଡ ଲୁଗାପଟା, କାଗଜପତ୍ର ଧରି ରବି ଦାସ ନିଶ୍ଚିହ୍ନ ହୋଇଗଲେ । ବାହାରେ ଅଶାନ୍ତ ବର୍ଷାର ରଣନିର୍ଘୋଷ ।

ବୋଉ କହିଲା, ‘‘ସତରେ କ’ଣ ରବି ଆଉ ଫେରିବେ ନାହିଁ ?’’

ଦିର୍ଘନିଶ୍ୱାସ ଛାଡ଼ି ବାପା କହିଲେ, ‘‘ହୁଏତ ଆଉ ଫେରିପାରେ ! ଆଜି ଗୋଟାଏ ଗୁରୁତର ଅପକର୍ମରେ ସେ ହୁଏତ ହାତ ଦେଇଛି, ଯାହାପାଇଁ ସରକାରଙ୍କର କ୍ଷମା ନାହିଁ । ଗଲାବେଳେ ଆଲୁଅ ଜାଳି ତା’ ମୁହଁକୁ ଟିକିଏ ଦେଖିହେଲା ନି ।’’

ବୋଉ କହିଲା, ‘‘ମୋତେ କିନ୍ତୁ ଭାରି ଭୟ ଲାଗୁଛି । ତୁମ ଶାସନର ଅବହେଳାଯୋଗୁଁ ସେ ଏସବୁ କାମରେ ହାତ ଦେବାକୁ ସୁଯୋଗ ପାଇଛନ୍ତି ।

ବାପା କହିଲେ, ‘‘ଇଂରେଜମାନଙ୍କ ସଙ୍ଗୀନ ମୁନର ଅବାଧ୍ୟ ହୋଇ ଯିଏ ଜୀବନକୁ ତୁଚ୍ଛ ମନେକରିଛି, ତାକୁ ମୁଁ ଶାସନ କରିପାରିବି ବୋଲି ତୁମେ ଭାବିପାରୁଛ କିମିତି ? ଟିକିଏ ଆଲୁଅ ଜାଳିବା କିମ୍ୱା ଲୁଗା ଖଣ୍ଡେ କିଣିବାର ଅଧିକାର ଯୋଉଠି ବିଲୋପ ହୋଇଛି, ସେଠି ବରଂ ମରିବାରେ ସ୍ୱାଦ ଅଛି । ହତାଶ ମନର ଅଗ୍ନି ଦାହରେ ସମସ୍ତେ ଜଳୁଛନ୍ତି, ସମସ୍ତଙ୍କ ମନର ଅଗ୍ନି ରବି ମନରେ ପ୍ରଜ୍ଜ୍ୱଳିତ ହୋଇଉଠିଛି । ତାକୁ ନିର୍ବାପିତ କରିବାର ଶକ୍ତି ମୋର ନାହିଁ ।’’

ସତକୁ ସତ ଅଳ୍ପ କିଛିକ୍ଷଣ ପରେ ଦାଣ୍ଡ କବାଟରେ ଘନ ଘନ ଆଘାତ ଶୁଭିଲା । ସୂର୍ଯ୍ୟକାନ୍ତ ଭୟରେ ବୋଉକୋଳକୁ ଆବୋରି ନେଇଥିଲା । ବିଭୀଷିକାମୟ ସେଦିନ ରାତିର ଅନୁଭୂତି ମନେପଡ଼ିଲେ ସୂର୍ଯ୍ୟର ଲୋମମୂଳ ଏବେ ବି ଟାଙ୍କୁରିଉଠେ ।

 

ବାପା ଶଙ୍କିତ ସ୍ୱରରେ ପଚାରିଥିଲେ, କିଏ ?

 

ଗମ୍ଭୀର ସ୍ୱରରେ ଜବାବ ଆସିଲା, ଶୀଘ୍ର କବାଟ ଖୋଲ । ଆମେ ରବି ଦାସଙ୍କୁ ଚାହୁଁ ।

 

ବାଧ୍ୟ ରାଜଭକ୍ତ ପରି ବାପା କବାଟ ଖୋଲିଦେଇଥିଲେ । ଅନ୍ଧାର ଘର ଭିତରେ ପୋଲିସ ଦାରୋଗାଙ୍କ ଟର୍ଚ୍ଚ ଆଲୁଅ ଜଳିଉଠିଥିଲା ।

 

ରବି ଦାସ ?

 

ମିଥ୍ୟାର ଆଶ୍ରୟ ନେଇ ବାପା କହିଥିଲେ, ଜାଣୁନା । କେତେଦିନ ହେବ ସେ ଆଉ ଘରକୁ ଫେରିନି । ଆମେ ବରଂ ତା’ ଅପେକ୍ଷାରେ ଅଛୁଁ ।

 

ଦୁର୍ଦ୍ଦାନ୍ତ ଦାରୋଗା ବାପାଙ୍କୁ ଧମକ ଦେଇ କହିଲେ, ମିଛ କହିଲେ ତୁମର ପରିଣାମ ଶୋଚନୀୟ ହେବ । ଏଇ କେତେ ସମୟ ପୂର୍ବରୁ ସେ ଘରକୁ ଫେରିଛନ୍ତି । ଗାଁ ଚୌକିଦାର ତାଙ୍କୁ ଦେଖିଛି ।

 

ବାପା କହିଲେ, ବିଶ୍ୱାସ କରନ୍ତୁ, ସେ ଘରେ ନାହିଁ ।

 

ତାତ୍ସଲ୍ୟରେ ହସିଥିଲେ ଦାରୋଗା । ନିହାତି ରୁକ୍ଷ ତାଙ୍କର ବ୍ୟବହାର । କହିଲେ, ରାତି ଅଧରେ ଆମକୁ ଅସୁବିଧାରେ ପକାଇବାର ପ୍ରତିକ୍ରିୟା ତୁମ ପାରିବାରିକ ଜୀବନ ପାଇ ଆଦୌ ସୁବିଧାଜନକ ହେବ ନାହିଁ । ବର୍ତ୍ତମାନ ତୁମ ଘର ଖାନତଲାସ କରିବାପାଇଁ ଆମେ ବାଧ୍ୟ ହେବୁଁ ।

 

ବାପା କହିଲେ, କେତେଥର ଆପଣ ଆସିଛନ୍ତି । ଆମ ଆଖି ଆଗରେ ରବି ପିଠିରେ ଲାଠିମାନ ଦେଇଛନ୍ତି । ରବି ଯେଉଁ ସ୍ୱାଧୀନତା ପାଇଁ ଜୀବନକୁ ବିପନ୍ନ କରିଛି, ତାହା ଯଦି ପ୍ରାପ୍ତ ହୁଏ, ଆପଣ କ’ଣ ଉପକୃତ ହେବେନି ? ଆପଣ ବି ଏଇ ଦେଶରେ ଜନ୍ମ ହୋଇଛନ୍ତି । ରବି ଆପଣଙ୍କର ଭାଇ । ତା’ ପ୍ରତି ଏତେଟା ନିଷ୍ଠୁର ହୁଅନ୍ତୁ ନାହିଁ ।

 

କିଛି ନ ଶୁଣି ଦାରୋଗା କହିଲେ, ରାତି ଅଧରେ ବକ୍ତୃତା ଶୁଣିବା ପାଇଁ ଆମେ ଆସିନୁ । ଆମେ ରବି ଦାସଙ୍କୁ ଖୋଜି ବାହାର କରିବୁଁ । ସେ ଦେଶର ମଙ୍ଗଳ କରିବା ପରିବର୍ତ୍ତେ ଅକ୍ଷମଣୀୟ ଦୋଷ କରିଛନ୍ତି । ଘଣ୍ଟାକ ପୂର୍ବରୁ ରେଳଲାଇନ୍ ଉପରୁ ଫିସ୍ ପ୍ଲେଟ କାଢ଼ିନେଇଛନ୍ତି । ଟେଲିଫୋନ ତାର କାଟିଦେଇଛନ୍ତି । ଭିଲେଜ୍ ଗାର୍ଡ଼ର ଦୃଷ୍ଟିରେ ପଡ଼ି ନ ଥିଲେ ପାସେଞ୍ଜର ଗାଡ଼ି ଲାଇନଚ୍ୟୁତ ହୋଇ ଶହ ଶହ ଲୋକ ପ୍ରାଶ ହରେଇଥାନ୍ତେ । ରବି ଦାସଙ୍କୁ ସେଥିପାଇଁ ମୁକ୍ତି ଦିଆଯାଇପାରିବ ନାହିଁ । ସରକାର ତାଙ୍କ ପାଇଁ ପ୍ରାଣଦଣ୍ଡ ପର୍ଯ୍ୟନ୍ତ ଆଦେଶ ଦେଇପାରନ୍ତି ।

 

ବାପାଙ୍କ ଗାଲରେ ଗୋଟାଏ ଜାବୁଡ଼ି ମାରି ମାଂସାଶୀ ହିଂସ୍ର ଜନ୍ତୁ ପରି ଦାରୋଗା ଲାଲ ପଡ଼ିଗଲେ ରାଗରେ । ଘର ଗୋଟାକ ଟର୍ଚ୍ଚ ଆଲୁଅରେ ଖୋଜିନେଲେ । ଠାକୁର ଘର ଭିତରକୁ ଜୋତା ମାଡ଼ି ଯିବା ପାଇଁ କୁଣ୍ଠାବୋଧ କଲେ ନାହିଁ ।

 

ରବି ଦାସଙ୍କୁ ନ ପାଇ ପୋଲିସ ବିଫଳ କ୍ରୋଧରେ ଫେରିଗଲେ । ବାପା ମାଡ଼ ଖାଇ ଅନ୍ଧାରରେ କାନ୍ଦୁଥିଲେ କି ନାହିଁ ସୂର୍ଯ୍ୟ ଦେଖିପାରୁ ନ ଥିଲା; କିନ୍ତୁ ସେଦିନର ଘଟଣା ମନେପଡ଼ିଲେ ଦେହ ଶୀତେଇଉଠେ ।

 

ସେ ଦାରୋଗାବାବୁ ଏଇ କେତେଦିନ ହେବ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ସ୍ୱାଧୀନ ଦେଶର କର୍ମଚାରୀ ଭାବରେ ଅନେକ ଦିନ ନିଜକୁ ନିୟୋଜିତ କରିଛନ୍ତି । ଯେଉଁ ତ୍ରିରଙ୍ଗା ପତାକା ପାଇଁ ରବି ଦାସଙ୍କ ପ୍ରତି ମଣିଷର ମର୍ଯ୍ୟାଦା ଦେବାକୁ ତାଙ୍କ କ୍ଷମତା ପ୍ରତିରୋଧ କରିଥିଲା, ସେଇ ପତାକା ତଳେ ମଥା ନତ କରି ଜାନୁୟାରୀ ଛବିଶରେ ମାର୍ଚ୍ଚିଙ୍ଗ୍ କରିଚନ୍ତି । ରବି ଦାସଙ୍କ କଥା ଥରକପାଇଁ ବୋଧହୁଏ ଆଉ ଚିନ୍ତା କରିନାହାନ୍ତି ।

 

ବଉଦର ପାତକ ଚଦର ତଳେ ଜହ୍ନ ଶୋଇପଡ଼ିଛି ।

 

ଫିକା ଜ୍ୟୋତ୍ସ୍ନାରେ ଚାରିଆଡ଼ ଫର୍ଚ୍ଚା ଦେଖାଯାଉଛି । ଦୂରରେ ଲଘୁ ଅନ୍ଧାର । ବୁଦିବୁଦିଆ ମଣିଷବସ୍ତି । ନୁଆଁଣିଆ ଚାଳ ଉପରେ ଜ୍ୟୋତ୍ସ୍ନାର ଧୁଲେଇ ହୋଇଛି । ଜୀବନସଙ୍ଗୀତର ସ୍ୱର ଲହରିତ ହେଉଛି ।

 

ଏ ଜୀବନ ସ୍ୱପ୍ନର ।

 

ସୂର୍ଯ୍ୟକାନ୍ତର ମନେହେଲା, ବାସ୍ତବ ଜୀବନରେ ସ୍ୱପ୍ନ ବି ଏମିତି ସୁଯୋଗ ପାଇଲେ ଅତିଷ୍ଠ କରେ । ସ୍ୱପ୍ନର ସରଣୀରେ ଜୀବନସଙ୍ଗୀତର ସ୍ୱର ଶୁଣି ଶୁଣି ଚାଲିଯିବାକୁ ଭଲ ଲାଗେ । ଛନ୍ଦହୀନ ମୁକ୍ତ ଜୀବନ ।

 

ନିକଟରେ ସିପ୍ରା ।

 

ମଫସଲ ଡାକବଙ୍ଗଳାର ଚୌକିଦାର ଶୋଇଗଲାଣି । ରାତି ଅନେକ ହେଲାଣି । ଘଣ୍ଟା ଦେଖିବାକୁ ସୂର୍ଯ୍ୟର ଇଚ୍ଛା ହେଲା ନାହିଁ । ନିୟମବନ୍ଧା ସମୟରୁ ସେ ମୁକ୍ତ । କାରଖାନାର ଯନ୍ତ୍ର ପରି ଶୃଙ୍ଖଳାବଦ୍ଧ ଦାସତ୍ୱକୁ ମନେପକାଇ ସ୍ୱାଧିକାର ମାନବିକ ଚେତନାକୁ ଆହତ କରିବାକୁ ସମୟ ସମର୍ଥନ କରୁନାହିଁ ।

 

ସବୁଦିନର ରାତ୍ରି ଦାୟିତ୍ୱବୋଧ ଭିତରେ ସ୍ପନ୍ଦିତ କରିଛି ଉପମନ୍ତ୍ରୀର କର୍ତ୍ତବ୍ୟପରାୟଣ ଚେତନାକୁ । ଆଜି ତା’ର ମନେହେଉଛି, ସେ ଉପମନ୍ତ୍ରୀ ନୁହେଁ, ଖାଲି ମଣିଷ । ସମସ୍ତଙ୍କ ପରି ସେ ନାଚିବ ଏଇ ଜ୍ୟୋତ୍ସ୍ନାର ଗାଲିଚାରେ । ଜୀବନର ତନ୍ତ୍ରୀରେ ରସାଣିତ ମନର ରାଗ ତୋଳିବ ।

 

ସିପ୍ରାର ହାତ ଧରି ଠିଆହେଲା ସୂର୍ଯ୍ୟ । ସିପ୍ରା ବି ଠିଆହେଲା ।

 

ସୂର୍ଯ୍ୟ କହିଲା, ‘‘ବାହାରେ ଅଙ୍କାବଙ୍କା ସର୍ପିଳ ଧୂଳିଆ ଗାଉଁଲି ରାସ୍ତା ଉପରେ ଛାପିଛାପିକା ଜ୍ୟୋତ୍ସ୍ନା ଲୋଟି ପଡ଼ିଛି । ସାଙ୍ଗ ହୋଇ କିଛି ଦୂର ଯାଇ ପୁଣି ଫେରିଆସିବା । ରାଜଧାନୀ ପରି ଏଠି ଆମକୁ କେହି ଚିହ୍ନିବେ ନାହିଁ । ଜଗୁଆଳି ପୋଲିସର ପହରାଦିଆ ଧମକ ତଳେ ଆମକୁ ରାତି କଟାଇବାକୁ ପଡ଼ୁନାହିଁ । ଏଠି ଜୀବନ ଯେମିତି ବିସ୍ତୃତ, ରାତି ବି ସେମିତି ଦୀର୍ଘ-।’’

 

ସୂର୍ଯ୍ୟ ମୁହଁକୁ ଚାହିଁଲା ସିପ୍ରା । କିମିତି ଗୋଟାଏ ଦୁର୍ବୋଧ୍ୟ ବୁଝାମଣା । ଯାହା ପାଖରେ ଅନେକବାର ନାରୀତ୍ୱକୁ ପରାସ୍ତ କରି ସେ ବିଛଣାରେ ଶୋଇପଡ଼ିଛି, ଇଏ କ’ଣ ସେଇ ସୂର୍ଯ୍ୟକାନ୍ତ-!

 

ସୂର୍ଯ୍ୟ କହିଲା, ‘‘ବିଶ୍ୱାସ କର, ସିପ୍ରା, ଉପମନ୍ତ୍ରୀର ଅର୍ଥହୀନ ଜଞ୍ଜାଳବାହୀ ସୂର୍ଯ୍ୟକାନ୍ତ ଭାବରେ ମୁଁ ତୁମ ପାଖରେ ଆଜି ପରିଚୟ ଦେବାକୁ ଇଚ୍ଛା କରୁନି । ମୋ’ର ପରିଚୟ ଆଜି ସମ୍ପୂର୍ଣ୍ଣ ନୂତନ । ଆଜି ରାତିକପାଇଁ ଅନ୍ତତଃ ମୁଁ ତୁମ ପାଖରେ ପ୍ରେମିକ ହେବାକୁ ଚାହେଁ ।’’

 

ସିପ୍ରାର କାନ୍ଧ ଉପରେ ହାତ ରଖି ସୂର୍ଯ୍ୟକାନ୍ତ ବାହାରକୁ ଆସିଲା । ଡାକବଙ୍ଗଳା ହତା ରହିଗଲା ଅନେକ ଦୂରରେ ।

 

ଶୀତ ଶେଷର ଗହୀର ବିଲରୁ ମୁଗଫୁଲର ବାସ୍ନା ପବନରେ ପହଁରି ଆସୁଥିଲା । ରାସ୍ତା ଭାଙ୍ଗି ହିଡ଼ ଉପରେ ଚାଲିଲା ସୂର୍ଯ୍ୟ ।

 

ସିପ୍ରା ଗୁଣୁ ଗୁଣୁ ହୋଇ ଗୀତ ବୋଲୁଥିଲା ।

 

ସୂର୍ଯ୍ୟ ପଚାରିଲା, ‘‘ତମେ ଗୀତ ବୋଲି ଜାଣ, ସିପ୍ରା ?’’

 

ସିପ୍ରା କହିଲା, ‘‘ତମେ ପ୍ରେମିକ ହେବାଠାରୁ ମୋ’ର ଗୀତ ଗାଇବା କ’ଣ ଆହୁରି ଆଶ୍ଚର୍ଯ୍ୟ ବୋଲି ମନେ କରୁଛ ?’’

 

ସୂର୍ଯ୍ୟ ବୁଝିଲା ସିପ୍ରାର ଇଙ୍ଗିତ । କହିଲା, ‘‘ମୋତେ କ୍ଷମାକର, ସିପ୍ରା ! କର୍ତ୍ତବ୍ୟ ପାଳନର ନିଷ୍ଠା ଭିତରେ ମୁଁ ତୁମକୁ ହତାଶ କରିଛି । ମୋର ଆସକ୍ତି ନାହିଁ ବୋଲି ମନେକରିବ ନାହିଁ । ମୁଁ ନିରୁପାୟ । ଜ୍ୱଳନ୍ତ ଜୀବନର ଦହନକ୍ରିୟା ମୋ ସରସତାକୁ ଦଗ୍ଧ କରିଛି । ତୁମକୁ ସୁଖୀ କରିପାରିନି-।’’

 

ସୂର୍ଯ୍ୟର ଆଖିପତା ଓଦା ହୋଇଆସିଲା ।

 

ସିପ୍ରା କହିଲା, ‘‘ମୋତେ କ୍ଷମା ଦିଅ । ତୁମକୁ ଆଘାତ ଦେଇ ମୁଁ ଭୁଲ୍ କରିଛି । ଜୀବନଟା ଖେଳ କଣ୍ଢେଇ ନୁହେଁ । ପଥର ନ ହେଲେ ପବନର ଧକ୍କାରେ ପଡ଼ିଯିବାର ସମ୍ଭାବନା ଅଛି ।’’

 

ଉଲଗ୍ନ ଆକାଶତଳେ ସୂର୍ଯ୍ୟକାନ୍ତ ସିପ୍ରାକୁ ଚାପିନେଲା ନିଜ ଛାତି ଉପରକୁ ।

 

ସେ ଉପମନ୍ତ୍ରୀ ନୁହେଁ । ସାଧାରଣ ମଣିଷ । ତା’ର କିଛି ଦାୟିତ୍ୱ ନାହିଁ । ପଲ୍ଲୀ ପୃଷ୍ଠଭୂମିର ସେ ଜଣେ ଗୋପନ ପ୍ରେମିକ । ଏକୁଟିଆ ହିଡ଼ ବାଟରେ ଚାଲିବାବେଳେ ତା’ର ସାକ୍ଷାତ୍ ହୋଇଛି ତା’ପ୍ରେମିକା ସହିତ । ମନଭିତରେ ବିଶୃଙ୍ଖଳତା ଦେଖାଦେଇଛି । ଏକାନ୍ତର ସୁଯୋଗ । ପ୍ରଣୟିନୀର ପଣତକୁ ଟାଣିଧରିଛି ସେ ।

 

ହୁଏତ ସିପ୍ରା ତା’ର ସେଇ ଗ୍ରାମ୍ୟ ପ୍ରଣୟିନୀ ।

 

କେଦାର–ଗୌରୀଙ୍କ ପରି ବୟସର ସଉଦା କିଣାବିକା କଲାବେଳେ ଦୁହିଁଙ୍କ ଭିତରେ ସମ୍ପର୍କ ଅତି ନିବିଡ଼ ହୋଇପଡ଼ିଛି । କେହି କାହାର ବିଚ୍ଛେଦକୁ ସହିପାରିବେ ନାହିଁ ।

 

ହିଡ଼ମୁଣ୍ଡରେ ଦୁହେଁ ବସିପଡ଼ିଲେ ।

 

ନୀରବ ନିସ୍ପନ୍ଦ ଜ୍ୟୋତ୍ସ୍ନାରାତିରେ ଯେମିତି ଦୁଇଟି ଚକୁଆ ଚକୋଈ ହଜିଥିବା ଜୀବନକୁ ଖୋଜୁଛନ୍ତି ।

 

ନିସ୍ତବ୍‍ଧତା ଭିତରେ ସିପ୍ରା ହାତର ଚୁଡ଼ି ଟୁଂ ଟାଂ ସଙ୍ଗୀତ ସୃଷ୍ଟି କରୁଥିଲା ।

 

ସୂର୍ଯ୍ୟକାନ୍ତର ମନେହେଲା, ଏଇ ସଙ୍ଗୀତକୁ ନେଇ ସିପ୍ରା ଜୀବନ ସୃଷ୍ଟି କରିଛି । ସେ ଭାବୁଥିବ, ଉପମନ୍ତ୍ରୀର ପତ୍ନୀ ଭାବରେ ସମାଜରେ ତା’ର ଗୋଟାଏ ସ୍ୱତନ୍ତ୍ର ସ୍ଥାନ ଅଛି । ରାଜନୀତି ଆଜିର ଦୁନିଆରେ ଜୁଆଖେଳ । ଅନେକ ଉତ୍‍ଥାନ ପତନ । ନିର୍ବାଚନରେ ହାରିଗଲେ ସ୍ୱତନ୍ତ୍ରତାର କିଛି ମୂଲ୍ୟ ନାହିଁ । ଗତ ନିର୍ବାଚନରେ ଜୟ କରି ଯିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେ ଆଜି ସାଧାରଣ ମଣିଷ ।

 

ଆଗାମୀ ନିର୍ବାଚନରେ ଯଦି ତାଙ୍କ ରାଜନୈତିକ ଦଳକୁ ସଂଖ୍ୟାଗରିଷ୍ଠ ହୋଇ ଜୟ କରିବାର ସୁବିଧା ନ ମିଳେ, ତେବେ ସେ କେବଳ ହତାଶ ହେବ ନାହିଁ, ଜୀବନନିର୍ବାହ ପାଇଁ ତା’ର ଉପାର୍ଜନର ମାର୍ଗ ଅବରୁଦ୍ଧ ହୋଇଯିବ । ସେ ବାଧ୍ୟ ହୋଇ ଫେରିଯିବ ମଫସଲକୁ । କୃଷିକୁ ଜୀବିକା କରିବ । ଅନ୍ୟ କିଛି ଉପାୟ ନାହିଁ । ସେତେବେଳେ କ’ଣ ସିପ୍ରା ଠିକ୍ ଆଜି ଭଳି ନିଜକୁ ଗୌରବାନ୍ୱିତ ବୋଧ କରି ସୂର୍ଯ୍ୟକୁ ଅଭିନନ୍ଦନ ଜଣେଇପାରିବ ?

 

ସୂର୍ଯ୍ୟକାନ୍ତ କହିଲା, ଏଇ ରାତିରେ ଜୀବନର ସ୍ୱାଦ ଅଛି । ମୁକ୍ତ ଆକାଶର ପକ୍ଷୀ ପରି ଆମେ ସ୍ୱାଧୀନ । ମନ୍ତ୍ରୀତ୍ୱର ଜଞ୍ଜାଳ ନାହିଁ । କାମର ତାଡ଼ନା ନାହିଁ । ପୁଲିସ ପହରାଦିଆ ସରକାରୀ ବଙ୍ଗଳାର ଅର୍ଗଳ ନାହିଁ । ପବନର ପ୍ରବାହ ପରି ଜୀବନକୁ ଭସେଇଦେବାର ଆନନ୍ଦ ଅଛି-

 

ସିପ୍ରା କହିଲା, ତମେ ଏମିତି ମୁକ୍ତ ଜୀବନକୁ ଭଲ ପାଅ ବୋଲି ମୁଁ କେବେ ଧାରଣା କରି ନ ଥିଲି ।

 

ହସିଲା ସୂର୍ଯ୍ୟକାନ୍ତ । ମୁକ୍ତ ଜୀବନକୁ କାମନା କରି ସମଗ୍ର ଜାତି ପୂର୍ଣ୍ଣ ଗୋଟାଏ ଶତାବ୍ଦୀବ୍ୟାପୀ ଆନ୍ଦୋଳନ କରିଆସିଲା । ସିପାହୀବିଦ୍ରୋହଠାରୁ ଆରମ୍ଭ କରି ଊଣେଇଶ ବୟାଳିଶ ପର୍ଯ୍ୟନ୍ତ ଜୀବନକୁ ସଙ୍କଟାପନ୍ନ କରି ଗୋଟାଏ ଜାତିର ଇତିହାସ ମୁକ୍ତିର ସ୍ୱପ୍ନ ଭିତରେ କଟିଗଲା, ଅଥଚ ମୁକ୍ତ ଜୀବନକୁ ସୂର୍ଯ୍ୟକାନ୍ତ ଭଲ ପାଏ ବୋଲି ସିପ୍ରାର ଧାରଣା ହୋଇପାରିଲା ନାହିଁ ।

 

ସୂର୍ଯ୍ୟ କହିଲା, ମୁଁ ଯଦି ଜଣେ କୃଷକ ଭାବରେ ଜୀବନକୁ ଗଢ଼ିଥାନ୍ତି, ମୁକ୍ତ ଜୀବନର ସ୍ୱାଦ ଉପଭୋଗ କରିବାପାଇଁ ପ୍ରଚୁର ସୁବିଧା ମିଳିଥାନ୍ତା । ରାଜଧାନୀର ସରକାରୀ ବଙ୍ଗଳାରେ ନ ରହି ତମେ କ’ଣ ପଲ୍ଲୀ–କୃଷକର ବଧୂ ଭାବରେ ଚାଳଘରେ ରହିବାକୁ ଭଲ ପାଇଥା’ନ୍ତ ! ଟେଲିଫୋନରେ ମନ୍ତ୍ରୀ–ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରିବା ପରିବର୍ତ୍ତେ ଧାନ, ମୁଗ, କୋଳଥ, ମାଣ୍ଡିଆର ଆଲୋଚନା ଭିତରେ ଜୀବନ ପଙ୍କକାଦୁଅରେ ଉଜୁଡ଼ିଯାଇଥାନ୍ତା ।

 

ସିପ୍ରା କହିଲା, ମୋ ପାଇଁ ସବୁ ସମାନ । ମନ୍ତ୍ରୀଙ୍କର ସ୍ତ୍ରୀ ବୋଲି କେବେ ସ୍ପର୍ଦ୍ଧିତ ମନେ କରିନି କିମ୍ୱା କୃଷକର ବଧୂ ଭାବରେ କେବେ କାତର ହୋଇ ନ ଥାନ୍ତି । ଜୀବନ ପାଇଁ ବୃତ୍ତି । ତମେ ଯୋଉ ବୃତ୍ତିକୁ ଜୀବନରେ ଅବଲମ୍ୱନ କରିବ, ମୁଁ ତାକୁ ନିଶ୍ଚୟ ସମର୍ଥନ କରିବି । ତୁମ ବୃତ୍ତି ସହିତ ମୋର କୌଣସି ସମ୍ପର୍କ ନାହିଁ । ତୁମ ସହିତ ମୋର ଯୋଗସୂତ୍ର । ତୁମକୁ ସନ୍ତୁଷ୍ଟ କରିବା ମୋର କର୍ତ୍ତବ୍ୟ । ମୁଁ ଧର୍ମପତ୍ନୀ ।

 

ସୂର୍ଯ୍ୟକାନ୍ତ ନିବିଡ଼ ଆଲିଙ୍ଗନରେ ସିପ୍ରାକୁ ଭିଡ଼ି ଧରିଲା । ଗହୀର ବିଲର ମୁଗପତ୍ରରେ ଜ୍ୟୋତ୍ସ୍ନା କ୍ରୀଡ଼ା କରୁଥିଲା ।

 

ଯଦି ସିପ୍ରା ପରିବର୍ତ୍ତେ ଆଜି ରୁଚି ପାଖରେ ଥା’ନ୍ତା, ସେ ନିଶ୍ଚୟ କହିଥାନ୍ତା ମନ୍ତ୍ରୀତ୍ୱରେ ସାର୍ଥକତା ଅଛି । କୃଷକ–ଜୀବନକୁ ଅଭିନନ୍ଦନ ଜଣେଇବାପାଇଁ ସେ କୁଣ୍ଠାବୋଧ କରିଥାନ୍ତା ।

 

ସୂର୍ଯ୍ୟ କହିଲା, ମୁଁ ଯଦି ସତରେ କୃଷିକୁ ଜୀବନରେ ଜୀବିକା କରିନିଏ, ଏମିତି ହିଡ଼ ମୁଣ୍ତରେ ବସି ଖଇଫୁଟା ଖରାରେ କାମ କରିସାରି ବିଶ୍ରାମ ନିଏ, ତୁମର କ’ଣ କର୍ତ୍ତବ୍ୟ, ଅନୁମାନ କରିପାରୁଛ ?

 

ସିପ୍ରା କହିଲା, ଭାତ କଂସା ନେଇ ତୁମ ପାଖକୁ ମୁଁ ଆସନ୍ତି । ତୁମେ ଖାଇବସିଲାବେଳେ ଏମିତି ତୁମ ପାଖରେ ବସି ରହନ୍ତି । ଲୁଗାକାନିରେ ତୁମ ଦେହରୁ ଝାଳ ପୋଛିଦିଅନ୍ତି ।

 

ସିପ୍ରାର ହାତ ଧରି ଠିଆ ହେଲା ସୂର୍ଯ୍ୟକାନ୍ତ । ଆଜିର ପାଠପଢ଼ୁଆ ପୁଅଝିଅମାନେ ଯଦି ଠିକ୍ ସିପ୍ରା ପରି ଜୀବନକୁ ଗ୍ରହଣ କରିପାରେନ୍ତେ, ଦେଶରେ ବେକାର ସମସ୍ୟା ଅସ୍ଥିରତା ସୃଷ୍ଟି କରିପାରନ୍ତା ନାହିଁ ।

 

ସୂର୍ଯ୍ୟକାନ୍ତ କହିଲା, ଗୋଟାଏ ଗୀତ ଗାଇପାରିବ, ସିପ୍ରା ? ତୁମ ଗୀତ ଶୁଣି ଶୁଣି ମୁଁ ପୁଣି ଡାକବଙ୍ଗଳାରେ ପହଞ୍ଚିଯାନ୍ତି ।

 

ସିପ୍ରା କଣ୍ଠରେ ପୁରୁଣା ଛାନ୍ଦରୁ ପଦେ ଫୁଟି ଉଠିଲା । ଆଧୁନିକ ସମସ୍ୟାବହୁଳ ଜୀବନରେ ପ୍ରାଚୀନ ଛାନ୍ଦର ସ୍ୱର ସୂର୍ଯ୍ୟକାନ୍ତକୁ ଖୁବ୍ ଭଲ ଲାଗିଲା ।

 

ଦୁହେଁ ଡାକବଙ୍ଗଳାରେ ପହଞ୍ଚିଗଲେ । ଆଖିକୁ ନିଦ ଆସିଲା ନାହିଁ । ସୂର୍ଯ୍ୟ କହିଲା, ଆଜି ଜୀବନରେ ଗୋଟାଏ ନୂତନ ଅଧ୍ୟାୟ ତୁମ ସହିତ ଉଦ୍‍ଘାଟନ ହେଲା, ସିପ୍ରା ! ରାଜଧାନୀକୁ ଫେରିଗଲେ ଅସଂଖ୍ୟ ସମସ୍ୟାର ଜଞ୍ଜାଳ ଭିତରେ ତୁମ କଥା ଭାବିବାପାଇଁ ସମୟ ମିଳିବ ନାହିଁ । ଏକୁଟିଆ ବିଛଣାରେ ତମେ ଶୋଇ ରହିଲାବେଳେ ବିଳମ୍ୱ ରାତିରେ ଆଲୁଅ ଜାଳି ମୁଁ କାମରେ ବ୍ୟସ୍ତ ରହିବ ।

 

ସିପ୍ରା ସୁଯୋଗ ପାଇ ପଚାରିଲା, ସତରେ କ’ଣ ଏତେଗୁଡ଼ାଏ ଜଞ୍ଜାଳ ନେଇ ତୁମକୁ କାମ କରିବାକୁ ଭଲ ଲାଗେ ?

 

ହସିଲା ସୂର୍ଯ୍ୟ । ସେ ଜଞ୍ଜାଳରେ ଅଶେଷ ଆନନ୍ଦ । ରନ୍ଧାଘରର ବନ୍ଧନରେ ବାନ୍ଧିହୋଇ କୃଷକ ପରିବାରର ଧାନମୁଗ ଅମଳର ପୃଥିବୀଟାକୁ ଖୁବ୍ ସଂକୁଚିତ ମନେକରିଛି ସିପ୍ରା ।

 

ବାହାରେ ଭାତ ଆଉ ଲୁଗା ପାଇଁ ଚିତ୍କାର ତା’ କାନରେ ପଡ଼ୁନାହିଁ । ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବାପାଇଁ ଅର୍ଥ ସଂଗ୍ରହ କରିବ ବୋଲି ବିନିଦ୍ର ରାତିରେ ତାକୁ ଚିନ୍ତା କରିବାକୁ ପଡ଼ୁନି । ଜନତା ଦାବି କରୁଛି ସରଳ ସ୍ୱଚ୍ଛଳ ଜୀବନ । ବଞ୍ଚିବାପାଇଁ ଅଧିକ ଖାଦ୍ୟ ଆବଶ୍ୟକ । ଦିନକୁ ଦିନ ଜନସଂଖ୍ୟା ବଢ଼ି ଚାଲିଛି । ଆହୁରି ଉତ୍ପାଦନ କରିବାକୁ ପଡ଼ିବ । ବର୍ଷକୁ ଗୋଟାଏ ଫସଲ ପରିବର୍ତ୍ତେ ତିନିଟା ଫସଲ ଉତ୍ପାଦନ କରିବାକୁ ପଡ଼ିବ । କଳକାରଖାନାରେ ଦିନରାତି କାମ କରିବାକୁ ପଡ଼ିବ । ଆନ୍ତର୍ଜାତିକ କ୍ଷେତ୍ରରେ ଜୀବନର ମୂଲ୍ୟ ନିର୍ଦ୍ଧାରଣ କରିବାପାଇଁ ଆହୁରି ପରିଶ୍ରମୀ ହେବାକୁ ପଡ଼ିବ । ବିରାମହୀନ ଜୀବନ । ବଞ୍ଚିବାପାଇଁ ସଂଗ୍ରାମ । ଗୋଟାଏ ମୁହୂର୍ତ୍ତ ଅଳସରେ ବିତେଇଦେଲେ ଅନେକ କିଛି ବାକି ରହିଯିବ । ଆମେ ଯୋଉ ସମୟରେ ଜନ୍ମ ନେଇଛୁଁ, ସେଠି ବିଳାସ କରିବାପାଇଁ ସୁଯୋଗ ନାହିଁ ।

 

ଅଭିଶପ୍ତ ଜୀବନ ।

 

କାମ, ଆହୁରି କାମ, ଖାଲି, କାମ ।

 

ରବି ଦାସ ବିବାହ କରି ନ ଥିଲେ । ଜନସେବା ପେଇଁ ବୟସର ତାଡ଼ନାକୁ କଠୋର ସଂଯମରେ ଦମନ କରିଥିଲେ ।

 

ସୂର୍ଯ୍ୟର ମନେଅଛି, ବାପା ଦିନେ ତାଙ୍କୁ ବିବାହ କରିବାପାଇଁ ବାଧ୍ୟ କରିଥିଲେ । ବିବାହ କେବଳ ବୟସର ବିଳାସ ନୁହେଁ, ଜୀବନ ପାଇଁ ପ୍ରୟୋଜନ । ସୃଷ୍ଟିର ପ୍ରାରମ୍ଭରୁ ଆଜିସୁଦ୍ଧା ବିବାହର ଆବଶ୍ୟକତାକୁ ନାରୀ ପୁରୁଷ କେହି ଅସ୍ୱୀକାର କରିନାହାନ୍ତି ।

 

ରବି ଦାସ କହିଥିଲେ, ସାମାଜିକ ପରମ୍ପରା ପ୍ରତି ପ୍ରତିବାଦ କରିବା ମୋର ଅଭିଳାଷ ନୁହେଁ; କିନ୍ତୁ ଯେତେବେଳେ ସମଗ୍ର ଦେଶରେ ବଞ୍ଚିରହିବାପାଇଁ କାତର ଧ୍ୱନି ଉଠୁଛି, ମଣିଷର ସଂଜ୍ଞା ଦାସତ୍ୱର ଅତ୍ୟାଚାର ନିକଟରେ ପ୍ରତିପାଦିତ ହୋଇପାରୁନି, ସେତେବେଳେ ବିବାହର କୌଣସି ଅର୍ଥ ନାହିଁ । ବିବାହ କଲେ ଜୀବନରେ ଆସକ୍ତି ବଢ଼ିବ, କାମ କରିବାର ପ୍ରେରଣା ଶିଥିଳ ହୋଇଯିବ ।

 

ବାପା କହିଥିଲେ, ତେବେକ’ଣ ଆଜୀବନ କୁମାର ରହିଲେ ତୋର କର୍ମପ୍ରେରଣା ଅକ୍ଷତ ରହିବ ?

 

ରବି ଦାସ କହିଥିଲେ, ମୋ ନିଜ ପାଇଁ ମୋର ଠିକ୍ ସେଇ ଧାରଣା । ନିର୍ଭୀକ ଭାବରେ କାମ କଲାବେଳେ ପଛରୁ ଜଣକର ଆକର୍ଷଣ ଭିଡ଼ିଧରିବ, ମୁଁ ଆଗେଇପାରିବି ନାହିଁ । ମୁଁ ଗୋଟାଏ ପଦଦଳିତ ଏବଂ ରୋଦନକ୍ଳାନ୍ତ ମଣିଷ ସମାଜର ସେବକ । କେତେ ଆଶା ଆଶ୍ୱାସନାର ଆସ୍ଥା ମୋ ଉପରେ ପ୍ରତିଫଳିତ ହୋଇଛି । ଯୋଉମାନଙ୍କ ପାଇଁ ମୋ ପିଠିରେ ଲାଠିପଡ଼ିଛି, କାରାଗାରରେ ଜୀବନ ବିତିଛି, ସେମାନଙ୍କୁ ଠକି ଦେଇ ବିବାହ ବନ୍ଧନରେ ଆବଦ୍ଧ ରହି ଜୀବନର ଗତି ବଦଳେଇ ଦେଇପାରିବି ନାହିଁ ।

 

ସେ ରବି ଦାସ ଯଦି ଥା’ନ୍ତେ, ସିପ୍ରାକୁ ବୁଝେଇ ଦେଇଥାନ୍ତେ, ଜୀବନରେ ଜଞ୍ଜାଳର ମୂଲ୍ୟ କେତେ ବେଶି । ଜଞ୍ଜାଳକୁ ଭୟ କରି ଯିଏ ସାମାଜିକ କାମରେ ଅବହେଳା କରେ, ସେ ଜନସେବକ ହୋଇପାରେନା । ମନ୍ତ୍ରୀତ୍ୱର ଦାୟିତ୍ୱ ବହନ କରି ଅସଂଖ୍ୟ ମଣିଷଙ୍କୁ ନେତୃତ୍ୱ ଦେବା ତା’ପକ୍ଷରେ ଆଦୌ ଯୁକ୍ତିସଙ୍ଗତ ନୁହେଁ ।

 

ଏତେ ନିଷ୍ଠା, ଏତେ ନିର୍ମମ ଅତ୍ୟାଚାର ବିନିମୟରେ କିଛି ପାଇବାର ଆଶା ରବି ଦାସଙ୍କର ନ ଥିଲା । କେବଳ ଆତ୍ମତୃପ୍ତି । କେବଳ ଆତ୍ମବିଶ୍ୱାସ ।

 

ଯୋଉ ନିଷ୍ଫଳ ଆତ୍ମଚେତନାକୁ ଅର୍ଘ୍ୟ ଦେଇ ରବି ଦାସ ଦେଶପାଇଁ ସ୍ୱରାଜ୍ୟ ଆଣିଥିଲେ, ସେଇ ସ୍ୱରାଜ୍ୟର ଭାଗ୍ୟ ନିୟନ୍ତ୍ରଣ କରିବାର ଦାୟିତ୍ୱ ଉପମନ୍ତ୍ରୀ ସୂର୍ଯ୍ୟକାନ୍ତ ଉପରେ କିଛିଟା ନ୍ୟସ୍ତ ହୋଇଛି ।

 

ସିପ୍ରା ହୁଏତ ଏତେବଡ଼ ଦାୟିତ୍ୱର ଅର୍ଥ ବୁଝିବ ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ହୁଏତ ବୁଝି ବି ବୁଝିବାପାଇଁ ଚେଷ୍ଟା କରୁନାହାନ୍ତି ।

 

ଆଜି ଏଇ ଗ୍ରାମାଞ୍ଚଳକୁ ଗୋଟାଏ ପଞ୍ଚାୟତ ଚିନି କାରଖାନା ଉଦ୍‍ଘାଟନ କରିବାପାଇଁ ସୂର୍ଯକାନ୍ତ ଆସିଛି । ଆନୁଷ୍ଠାନିକଭାବେ ଆଡ଼ମ୍ୱର ସହକାରେ ଉଦ୍‌ଘାଟନ ଉତ୍ସବ ପାଳିତ ହୋଇଛି । ସ୍ଥାନୀୟ ଲୋକମାନଙ୍କର ଏ ଚିନି କାରଖାନା ଫଳରେ ଅଶେଷ ଉପକାର ହେବ ବୋଲି ଉତ୍ସବରେ ଭାଷଣ ଦେଇଛି । କର୍ତ୍ତବ୍ୟ ଦୃଷ୍ଟିରୁ ଉଦ୍‌ବୋଧନ ଦେବାକୁ ଯାଇ କେତେ ଆଶ୍ୱାସନା ବାଣୀ ଶୁଣେଇଛି । ଆସନ୍ତା କାଲି ଖବରକାଗଜରେ ତା’ ବିବୃତ ପ୍ରକାଶ ପାଇବ । ସାଧାରଣ ଲୋକେ ଧାରଣା କରିବେ, ସୂର୍ଯ୍ୟକାନ୍ତର ସରକାର ଏଇ ଚିନି କାରଖାନା ଉଦ୍‌ଘାଟନ କରି ଦେଶର ଶିଳ୍ପ ସଂପ୍ରସାରଣ ପାଇଁ କିଛିଟା ପଦକ୍ଷେପ ନେଇଛି । ଯେତେବେଳେ କାରଖାନାର ଚିନି ସ୍ଥାନୀୟ ଲୋକଙ୍କୁ ବିକ୍ରି ନ କରି ସରକାର ସହରକୁ ବୋହିନେବେ ଏବଂ ନିର୍ଦ୍ଧାରିତ ମୂଲ୍ୟ ଅପେକ୍ଷା ଅଧିକ ମୂଲ୍ୟ ଦେଇ ଚୋରା ବଜାରରେ ମୁଠାଏ ଚିନିପାଇଁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିବ, ସେତେବେଳେ ସୂର୍ଯ୍ୟକାନ୍ତକୁ ସେମାନେ ଭର୍ତ୍ସନା କରିବେ ।

 

ଆଜିର ଅଭିନନ୍ଦନର ଅର୍ଥ କେବଳ ସାମୟିକ ପ୍ରବଞ୍ଚନା । ଏମିତି କେତେ ଆସ୍ଥା ପ୍ରବଞ୍ଚନାରେ ପରିଣତ ହୋଇଛି । କେତେ ଚିନି କାରଖାନାରେ ତାଲା ପଡ଼ିଛି । ସରକାର ଚଳେଇପାରିନାହାନ୍ତି । କର୍ମଚାରୀ ପେଟରେ ଓଦା କନା ଦେଇ ଘରକୁ ଫେରିଛନ୍ତି । ଜନତା ନିରାଶ ହୋଇଛି ।

ସଫେଇ ଦେବାକୁ ଯାଇ ସରକାର କହିଛନ୍ତି, ଚଢ଼ା ଦରରେ ଆଖୁ କିଣି ହ୍ରାସ ମୂଲ୍ୟରେ ଚିନି ବିକ୍ରି କରିବା ସମ୍ଭବ ନୁହେଁ । ଅନ୍ୟ ଦେଶର ଚିନି ଅଳ୍ପ ମୂଲ୍ୟରେ ମିଳୁଥିବାବେଳେ ସ୍ଥାନୀୟ ଚିନି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ନିର୍ବୋଧତା । ଆମେ ବରଂ ବାହାରୁ ଚିନି ଆମଦାନୀ କରିବା ଉଚିତ ।

ଜନତା ସନ୍ତୁଷ୍ଟ ହୋଇଛି ।

ଚିନି କାରଖାନା କରିବା ପୂର୍ବରୁ ଆଖୁ ଚାଷର ଉନ୍ନତି ପାଇଁ ସରକାର ଚେଷ୍ଟା କରିନାହାନ୍ତି-। ଫସଲ ଉଠେଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇଛି ନିରୀହ କୃଷକ । ନିକଟରେ ପାଣି ନାହିଁ । ଉନ୍ନତ ସାର କିଣିବା ପାଇଁ ସମ୍ୱଳ ନାହିଁ । ହୁଏତ କରଜ ଟଙ୍କାରେ ଚାଷ କରିଛି । ମହାଜନକୁ ସୁଧ ଗଣିବାରେ ନିଜ ପରିଶ୍ରମର ମୂଲ୍ୟ ପାଇ ପାରିନି । ଅଳ୍ପ ମୂଲ୍ୟରେ ଚିନି କାରଖାନାକୁ ଆଖୁ ବିକିବା ତା’ ପକ୍ଷରେ ଏକାନ୍ତ ଅସମ୍ଭବ ହୋଇପଡ଼ିଛି ।

କର୍ମଚାରୀମାନଙ୍କର ପରିଚାଳନାରେ ଅନେକ ତ୍ରୁଟି ରହିଛି । ମାସ ଶେଷରେ ସେମାନେ ଦରମା ପାଇଛନ୍ତି । କାରଖାନାର ଲାଭକ୍ଷତି ପାଇଁ ତାଙ୍କର ତତ୍ପରତା ନାହିଁ । ଦରମାପାଇଁ ଚାକିରି । କାରଖାନାର କ୍ଷତି ହେଲେ ବି ତାଙ୍କ ଦରମା ଅକ୍ଷୁର୍ଣ୍ଣ ରହିଛି ।

ସରକାର ସବୁ ବୁଝିଛନ୍ତି; ତଥାପି ନୀରବ ରହିଛନ୍ତି । ପାଞ୍ଚବର୍ଷ ପାଇଁ ଶାସନ । ପାଞ୍ଚବର୍ଷ ପରେ ଆଉ ଥରେ ସେମାନେ ସରକାର ଗଠନ କରିବାର କୌଣସି ସ୍ଥିରତା ନାହିଁ । ଯଦି ଆଉ କେଉଁ ଦଳ ସଂଖ୍ୟାଗରିଷ୍ଠ ହୋଇ ଶାସନ ଦାୟିତ୍ୱ ଗ୍ରହଣ କରିବେ, ସେମାନଙ୍କୁ ଦାୟୀ କରିବାପାଇଁ ସୁଯୋଗ ମିଳିବ । ତାଙ୍କ ପ୍ରତି ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବ । ବିଧାନ ସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ଆବଶ୍ୟକ ସ୍ଥଳେ ସରକାରକୁ ଭାଙ୍ଗିଦିଆଯିବ ।

ସବୁ ରାଜନୈତିକ କୌଶଳ । ସ୍ୱାର୍ଥପରତା ।

ଜନତାର ମଙ୍ଗଳ ପାଇଁ କାହାରି ଅନୁକମ୍ପା ନାହିଁ ।

ଅନ୍ଧାର ଭିତରେ ସୂର୍ଯ୍ୟର ନୀରବତା ଏବଂ ନିଷ୍କ୍ରିୟତା ପାଇଁ ସନ୍ଦେହ କରି ସିପ୍ରା କହିଲା, ତମେ କ’ଣ ଏତେ ଚଞ୍ଚଳ ଶୋଇପଡ଼ିଲ ?

ସୂର୍ଯ୍ୟ କହିଲା, ଆଉ ଶୋଇ ହେବ ନି । ମନରେ ଝଡ଼ ଉଠିଲାଣି । ବିଶ୍ରାମ ପାଇଁ ସମୟ ନାହିଁ । କାମର ପ୍ରେରଣା । ପୁଣି ରାଜଧାନୀକୁ ଫେରିବାକୁ ହେବ । ଗଦା ଗଦା ଫାଇଲ୍ ବାକି ରହିଛି । ଆସନ୍ତା ମାସରେ ପାର୍ଟି ମିଟିଂ ହେବ । ଆମେ ସରକାର ଗଢ଼ିବାପାଇଁ ସକ୍ଷମ ହୋଇଛୁ ବୋଲି ଆମ ପାର୍ଟିର ଅନେକ ଆସ୍ପର୍ଦ୍ଧା ।

ଜନତା ଆମକୁ ଲାଭକ୍ଷତିର ହିସାବ ମାଗିଲାବେଳେ ଆମେ ନିର୍ବାକ୍ । ପାର୍ଟି ମିଟିଂରେ ମୁଖ୍ୟମନ୍ତ୍ରୀ ଦଳର ନେତା ଭାବରେ ଯେତେ ଆସ୍ଫାଳନ କଲେ ବି ଜନତାକୁ ସନ୍ତୁଷ୍ଟ କରିବାପାଇଁ ତାଙ୍କର ସନ୍ତୋଷଜନକ କୈଫିୟତ୍ କିଛି ନାହିଁ ।

ସିପ୍ରା କହିଲା, ତମେ ସାମାନ୍ୟ ଜଣେ ଉପମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଦାୟିତ୍ୱ ବୁଝିବେ, ସେଥିପାଇଁ ତୁମେ ଏତେ ଚିନ୍ତା କରିବା ଅନାବଶ୍ୟକ ।

ସୂର୍ଯ୍ୟକାନ୍ତ କହିଲା, ଶାସନ ପରିଚାଳନା ପାଇଁ ହୁଏତ ଆମ ଭିତରେ ଉଚ୍ଚ ନୀଚର ପାର୍ଥକ୍ୟ ଅଛି; କିନ୍ତୁ ମୁଖ୍ୟମନ୍ତ୍ରୀ ଯେମିତି ଗୋଟାଏ ନିର୍ବାଚନମଣ୍ଡଳୀର ପ୍ରତିନିଧି, ମୁଁ ମଧ୍ୟ ସେହିପରି ଆଉ ଗୋଟାଏ ନିର୍ବାଚନମଣ୍ଡଳୀର ପ୍ରତିନିଧି । ଜନତାକୁ ସନ୍ତୁଷ୍ଟ କରିବା ପାଇଁ ଆମ ଦୁହିଁଙ୍କର ସମାନ ଦାୟିତ୍ୱ ।

ସିପ୍ରା କହିଲା, ଦାୟିତ୍ୱ ପାଇଁ ତମେ ଯେମିତି ପାଗଳ ହୋଇଛ, ମୁଖ୍ୟମନ୍ତ୍ରୀ ସେମିତି ହୋଇନାହାନ୍ତି ନିଶ୍ଚୟ ।

ରାତିର ବୟସ ଅନେକ ବଢ଼ିଛି । ଡାକବଙ୍ଗଳା ହତା ବାହାରେ ଆମ୍ୱତୋଟା ଭିତରେ ଚିରଗୁଣୀ ଆଲୁଅ ଜାଳୁଛି । କେତେ ମଣିଷଙ୍କର ଜୀବନ ଜଳି ଜଳି ମଶାଣିପଦାର ଜୁଇଗାଡ଼ରେ ମୁଠାଏ ପାଉଁଶ ହୋଇ ରହିଯାଇଛି । ସୃଷ୍ଟିର ଆରମ୍ଭରୁ ଆଜିପର୍ଯ୍ୟନ୍ତ ମଣିଷ ସମୃଦ୍ଧ ଜୀବନକୁ କାମନା କରି ହତାଶ ହୋଇଛି । ବହୁତ କିଛି ପାଇଛି, ତଥାପି ଆହୁରି ପାଇବାର କାମନା ତାକୁ ଯୁଗ ଯୁଗ ଧରି ଅତିଷ୍ଠ କରିଛି ।

ମଣିଷର କାମନାର ଶେଷ ନାହିଁ ।

ସୂର୍ଯ୍ୟକାନ୍ତ କହିଲା, ତମେ ଜାଣିଚ, ସିପ୍ରା, ଭଗବାନ ତଥାଗତ କହିଥିଲେ, କାମନାର ବିନାଶରେ ଦୁଃଖର ବିନାଶ । ଏମିତି ଗୋଟାଏ ବୈଶାଖୀ ରାଜା ରାତିରେ ଜନ୍ମ ହୋଇ ପାପ ତାପ କଳୁଷରୁ ମଣିଷର ନିର୍ବାଣ ପାଇଁ ରାଜପରିବାରର ସମସ୍ତ ସଂଭୋଗରେ ଜଳାଞ୍ଜଳି ଦେଇ ଭିକ୍ଷାଥାଳ ଧରି ଗ୍ରାମେ ଗ୍ରାମେ ଘୁରି ବୁଲିଥିଲେ । ସ୍ୱାର୍ଥାନ୍ଧ ମଣିଷ ତାଙ୍କୁ ଭୁଲିଗଲା । କାମନାର ମୋହ ଛାଡ଼ିବା ମଣିଷ ପକ୍ଷରେ ସମ୍ଭବ ନୁହେଁ । ସେ ସବୁ ସ୍ୱାର୍ଥ ନେଇ ବଞ୍ଚିବାକୁ ଚାହେଁ ।

ସିପ୍ରା କହିଲା, ତମେ କ’ଣ ଭାବୁଛ, ରାଜନୀତି କରି ତୁମେ ସମସ୍ତଙ୍କୁ ସବୁ ସ୍ୱାର୍ଥର ଭରସା ଦେଇପାରିବ ? ଅରୁଭାଇଙ୍କ ପୁଅ ପାଇଁ ଚାକିରି ଖଣ୍ଡେ ବ୍ୟବସ୍ଥା କରିବା ତୁମଦ୍ୱାରା ସମ୍ଭବ ହୋଇପାରିଲା ନାହିଁ । ଅରୁଭାଇ ଭାବୁଥିବେ, ତୁମେ ତାଙ୍କ ପାଇଁ ଆଦୌ ଯତ୍ନବାନ୍ ନୁହଁ । କ୍ଷମତାକୁ ଆସିଲେ ସମସ୍ତେ ସ୍ୱାର୍ଥପର ହୁଅନ୍ତି ।

ସୂର୍ଯ୍ୟକାନ୍ତ କହିଲା, ଅରୁଭାଇଙ୍କ ପୁଅ ପାଇଁ ପ୍ରକୃତରେ ଦୁଃଖ କରିବା ବ୍ୟତୀତ ମୋର ଆଉ କିଛି କରିବାର ନାହିଁ ।

ସିପ୍ରା କହିଲା, ବାପା ଚିଠି ଦେଇଥିଲେ, ଆମ ଅଞ୍ଚଳକୁ ଆଜିସୁଦ୍ଧା କେନାଲ ଯାଇପାରିଲା ନାହିଁ । ଲୋକଙ୍କୁ ଭୁଲେଇବାପାଇଁ କୁଆଡ଼େ ଗୋଟାଏ ଡେଲ୍ଟା ଇରିଗେସନ୍ ପ୍ରୋଜେକ୍ଟ ଅଫିସ ଖୋଲିଛି । ବର୍ଷ ବର୍ଷ ଧରି ଗାଡ଼ିମଟର ଦୌଡ଼ଧାପଡ଼ ଚାଲିଛି । ଜମି ମପାଚୁପା ଚାଲିଛି । କେନାଲ ଖୋଳା ହୋଇପାରୁନି । ପାଣି ଆସିପାରୁନି । ଦୁଇ ବର୍ଷ ହେଲା ଫସଲ ମରୁଡ଼ିରେ ଉଜୁଡ଼ିଛି, ଏ ବର୍ଷ ମଧ୍ୟ ମରୁଡ଼ିର ଆଶଙ୍କା ଅଛି ।

ବାପା ଲେଖିଥିଲେ, ତୁମେ ଚେଷ୍ଟା କଲେ ହୁଏତ ଶୀଘ୍ର କିଛି ବ୍ୟବସ୍ଥା ହୋଇପାରନ୍ତା; କିନ୍ତୁ ମୁଁ ତୁମକୁ କହିନାହିଁ । ମୁଁ ଜାଣେ, ଅରୁଭାଇଙ୍କ ପରି ତୁମେ ବାପାଙ୍କ କାମକୁ ମଧ୍ୟ କାନ ଦେବନି । ଖୁବ୍ ବେଶି ହେଲେ ଦାୟିତ୍ୱ ଖଣ୍ଡନ ପାଇଁ କହିବ, ସେ ମୋ ବିଭାଗର କାମ ନୁହେଁ ।

କିଛି ଉତ୍ତର ଦେଇ ନ ପାରି ନୀରବ ରହିଲା ସୂର୍ଯ୍ୟକାନ୍ତ । ଝରକା ବାଟେ ପାହାନ୍ତିଆ ଶୀତଳ ପବନ ଭାସିଆସୁଥିଲା । ଶେଷରାତ୍ରିର ଅଳସ । ବିଭ୍ରାନ୍ତିକର ଭାବନାର ଶିକାର ହେବାକୁ ଇଚ୍ଛା କଲାନି ସେ ।

ଉପରେ ଦୁଧିଆ ରଙ୍ଗର ଚେନାଏ ଜ୍ୟୋତ୍ସ୍ନାଧୁଆ ଆକାଶ, ତଳେ ଶାଗୁଆ ରଙ୍ଗର ଅରାଏ ମାଟି ।

ଏଇ ମାଟିରେ ମିଶିଛି ରବି ଦାସଙ୍କ ଦେହାବଶେଷ, ଆଉ ଆକାଶରେ ଭରିଛି ତାଙ୍କ କାମନାର ଅଶେଷ ତପ୍ତ ନିଶ୍ୱାସ ।

ଶୋଇପଡ଼ିଲା ସୂର୍ଯ୍ୟକାନ୍ତ ।

ବାହାରେ ଶ୍ରାବଣ କନ୍ୟା କାନ୍ଦୁଛି ।

ଲୁହନିଗିଡ଼ା ମୁହଁ ଫୁଲିଛି । ଓଠ ଥରୁଛି । ଅଭିମାନ ବି କରିଛି ବୋଧହୁଏ ।

ଅଭିମାନ କରିଛି ରୁଚି ।

ବାହାରେ ବର୍ଷା । ଭିତରେ ବି ବର୍ଷା ।

ସୂର୍ଯ୍ୟକାନ୍ତ ଆର୍ଦ୍ର ହୋଇପଡ଼ିଛି । ତା’ ପାଇଁ ରୁଚିର ଅଭିମାନ । ସାମାନ୍ୟ ଟିକିଏ ସହାନୁଭୂତି ତା’ ପାଇଁ ଯଥେଷ୍ଟ । ହୀରାନୀଳାର ଭିକ୍ଷା ନୁହେଁ, ଅତି ନଗନ୍ୟ ଅନୁରୋଧ, ଦେବନାଥର ବଦଳି । ଏତିକି ସହାନୁଭୂତି ଦେଖାଇପାରିନାହିଁ ସୂର୍ଯ୍ୟ । ଗୋଟାଏ ପଦ କଥାରେ, ଗୋଟାଏ ଧାଡ଼ି ଆଦେଶରେ ଯାହା ହୋଇପାରନ୍ତା, ସେତିକି ପାଇ ରୁଚି ଚରମ ସୌଭାଗ୍ୟ ବୋଲି ମନେକରନ୍ତା ।

ରୁଚି କହିଲା, ମୁଁ ଯେତେବେଳେ ଫୁଲର ଫେରି କରି ଗ୍ରାହକ ଖୋଜୁଥିଲି, ତୁମେ ଥିଲ ମୋର ଏକମାତ୍ର ଗ୍ରାହକ । ଖାଲି ଫୁଲ ନୁହେଁ, ବୟସର ସବୁ ରଙ୍ଗ, ସୌରଭ ତୁମରି ପାଖରେ ଦାନ ଦେଇଥିଲି । ବିକ୍ରି ମୂଲ୍ୟ ମାଗି ନ ଥିଲି । ଖୋଜିଥିଲି ତୁମ ଜୀବନର ଭଗ୍ନାଂଶ, ତୁମ କରୁଣାର କଣିକାଏ ସହାନୁଭୂତି । ସେତିକି ପାଇଁ ସେଦିନ ତମେ କୃପଣ ହୋଇଥିଲ । ଆଜି ବି କୃପଣ ହୋଇଛ ।

ରୁଚିର ସ୍ପଷ୍ଟ ସ୍ୱୀକୃତିକୁ ଲକ୍ଷ୍ୟ କରୁଥିଲା ସୂର୍ଯ୍ୟ । କୌଣସି ନାରୀ ତା’ ବିଗତ ପ୍ରେମିକ ପାଖରେ ଅତୀତର ଉପାଖ୍ୟାନକୁ ହୁଏତ ରୁଚି ପରି ଆଉ ଥରେ ପ୍ରକାଶ କରିପାରେନା । ଆଗଭଳି ଆଜି ବି ସ୍ପଷ୍ଟ ।

କାୟା ଅପସରିଯାଇଛି; କିନ୍ତୁ ଛାୟା ମନରେ ସେମିତି ରେଖାପାତ କରିଛି । ସେଇ ଛାଇର ସ୍ମୃତି, ଅତୀତର ତୀର୍ଥ । ହଜିଯାଇଥିବା ମନରେ ଭରସା ଦିଏ । ଦୁନିଆ ଆଖିରେ କେହି କାହାର ନୁହନ୍ତି । ଦୁହେଁ କିନ୍ତୁ ଦୁହିଁଙ୍କ ପାଖରେ ଥିଲେ ଅତି ନିକଟତମ ।

ଯୋଉ ମନ ଭିତରେ ରୁଚିର ସ୍ଥିତିକୁ ଦିନେ ସୂର୍ଯ୍ୟକାନ୍ତ ଏକାନ୍ତରେ ସ୍ଥାନ ଦେଇଥିଲା, ତା’ର ଅବସ୍ଥିତ ହୁଏତ ଲିଭିଯାଇଛି; କିନ୍ତୁ ଦାଗ ରହିଛି । ସେଇ ଦାଗ ମନେପକେଇଦେଉଛି, ରୁଚି ଏକାନ୍ତ ପର ନୁହେଁ । ତା’ ସହିତ ସେଇ ପୁରୁଣା ସୂତ୍ରକୁ ଧରି ହୁଏତ ଏବେ ବି ଯେମିତି କିଛି ସମ୍ପର୍କ ଅଛି ।

ଉପମନ୍ତ୍ରୀ ସୂର୍ଯ୍ୟକାନ୍ତ ଆଉ ବି.ଡ଼ି.ଓ. ଦେବନାଥଙ୍କ ସ୍ତ୍ରୀ ରୁଚି କୋଉ ଯୋଗସୂତ୍ରକୁ ସମ୍ୱଳ କରି ଦୁହେଁ ଦୁହିଁଙ୍କ ପାଖରେ ସମ୍ପର୍କ ଉପସ୍ଥାପିତ କରିଛନ୍ତି କହିହେବନି ।

ରୁଚି ହୁଏତ ଭାବୁଥିବ, ବୟସକୁ ଯିଏ ପ୍ରଥମ ଥର ପାଇଁ ଉଦ୍‍ଘାଟନ କରିଛନ୍ତି, ତାଙ୍କ ସ୍ମୃତିକୁ ଚେଷ୍ଟା କରି ମଧ୍ୟ ଭୁଲି ହୁଏ ନା । ଭୁଲିବାପାଇଁ ଚେଷ୍ଟା କରିବା ଅର୍ଥ କେବଳ ଛଳନା ।

ସୂର୍ଯ୍ୟକାନ୍ତ ବି ଭାବୁଥିବ, ପ୍ରଥମ ସୌରଭ ଆଘ୍ରାଣ କରିବାର ସ୍ମୃତିକୁ ଭୁଲିବା ଅର୍ଥ ନିଜ ପରମ୍ପରା ପ୍ରତି ଅବମାନନା । ନିଜର ଅତୀତକୁ ବିଶ୍ଳେଷଣ କରି ମଣିଷ ସମାଜ ଆଗେଇ ଚାଲିଛି । ରୁଚି ତା’ ଅତୀତର ସ୍ମାରକୀ । ଭୁଲିବା ସମ୍ଭବ ନୁହେଁ ।

ତଥାପି ଭୁଲିବାକୁ ହେବ । ରୁଚି ଦେବନାଥର ସ୍ତ୍ରୀ । ଆଉ ସେ ନିଜେ ସିପ୍ରାର ସ୍ୱାମୀ ।

 

ସିପ୍ରା ପାଇଁ ଯଥେଷ୍ଟ ଉଦାର ସୂର୍ଯ୍ୟ । ସବୁ କିଛି ତା’ ପାଖରେ ଦାନ ଦେବାପାଇଁ ସେ ପ୍ରସ୍ତୁତ; ତଥାପି କାହିଁକି କେଜାଣି ରୁଚି କଥା ମନେପଡ଼ିଲେ ମନରେ ଦୁର୍ବଳତା ଦେଖାଦିଏ ।

 

ମଦନବାବୁ ଆଉ ସୀମାଅପାଙ୍କ ଝିଅ ରୁଚି । ଗୋଟାଏ ଜାତିର ମୁକ୍ତି ପାଇଁ ଯୋଉମାନେ ସମସ୍ତ ସ୍ୱାର୍ଥକୁ ଆହୁତି ଦେଇ ନୂଆ ଇତିହାସ ସୃଷ୍ଟି କଲେ, ସେମାନଙ୍କ ଆଦର୍ଶକୁ ଗ୍ରହଣ କରିପାରିଲାନି ରୁଚି । ସେ କ’ଣ ସୂର୍ଯ୍ୟକାନ୍ତକୁ ଗ୍ରହଣ କରିଥାନ୍ତା ?

 

ତଥାପି ସେଇ ଶୈଶବର ନିବିଡ଼ତା, କିଛି ବୁଝିବା ଏବଂ ନ ବୁଝିବାର ସମ୍ପର୍କ, କିଛି ମନେରଖିବା ଏବଂ ଭୁଲିଯିବାର ସ୍ମୃତି ।

 

ରବି ଦାସ କହୁଥିଲେ, ରୁଚି ହୋଇଥାନ୍ତା ସୂର୍ଯ୍ୟକାନ୍ତର ବନ୍ଧୁ ।

 

ସୂର୍ଯ୍ୟର ମନ ଭିତରେ ଯେମିତି ପଞ୍ଝାଏ ପ୍ରତିକ୍ରିୟାଶୀଳ ବିକ୍ଷୁବ୍‍ଧ ଜନତା ବିଦ୍ରୋହର ଧ୍ୱଜା ଧରି ଆଗେଇ ଚାଲିଲେ ।

 

ରୁଚି କହିଲା, ତମର ମନେ ଅଛି, ସୂର୍ଯ୍ୟ,ରବି ଦାସ କହୁଥିଲେ ତମେ ମୋତେ ବିବାହ କରିଥାନ୍ତ । ବୋଉର ମଧ୍ୟ ଏଇ ପ୍ରସ୍ତାବରେ ସମର୍ଥନ ଥିଲା ।

 

ମୋ’ର ଏଇ ଧୋତିପିନ୍ଧା ଜୀବନକୁ ସମର୍ଥନ ଜଣେଇବାକୁ ଯେତେବେଳେ ତୁମେ କୁଣ୍ଠାବୋଧ କଲ, ଆଜି ସେକଥା ମନେ ପକେଇବାର କିଛି ଅର୍ଥ ନାହିଁ । ତୁମେ ଦେବନାଥର ସ୍ତ୍ରୀ । ଇଚ୍ଛା କରି ତୁମେ ବିବାହ କରିଛ । ଅତୀତକୁ ମନେକଲେ ତୁମର ପାପ ହେବ ।

 

ରୁଚି କହିଲା, ପାପପୁଣ୍ୟ ଉପରେ ମୋର ବିଶ୍ୱାସ ନାହିଁ । ବାସ୍ତବତାକୁ କେନ୍ଦ୍ରକରି ଜୀବନର ବୃତ୍ତରେ ମୁଁ ପରିକ୍ରମା କରିଚାଲିଛି । ସବୁ କ୍ଷେତ୍ରରେ ମୁଁ ପ୍ରତାରିତା । ଦେବନାଥଙ୍କୁ ବିବାହ କରିବା ପରେ ମନେ କରିଥିଲି, ତୁମକୁ ଭୁଲିବି, ଅତୀତକୁ ଭୁଲିବି; କିନ୍ତୁ ପାରିଲି ନାହିଁ ।

 

ତୁମ ପାଖରେ କରୁଣା ଭିକ୍ଷା କରିବା ଫଳରେ ମୁଁ ଅବଶ୍ୟ ମୋ’ର ନାରୀତ୍ୱକୁ ମର୍ଯ୍ୟାଦା ଦେଇପାରିନି । ଥରେ ଫେରିଯାଇ ଆଉ ଥରେ ଆସି ତୁମ ପାଖରେ ଠିଆ ହେବାରେ ତମେ ହୁଏତ ଭାବୁଥିବ, ମୁଁ ତୁମକୁ ଭୁଲିପାରିନି; କିନ୍ତୁ ତୁମ ଘରେ ବସି ମୁଁ ସୌଜନ୍ୟ ଦୃଷ୍ଟିରୁ ସତ କଥା କହିବାପାଇଁ କୁଣ୍ଠାବୋଧ କରୁଛି ।

 

ସୂର୍ଯ୍ୟ କହିଲା, ମୁଁ ଜାଣିଛି, ପିଲାଦିନୁ ଆଜିସୁଦ୍ଧା ତମେ ସ୍ପଷ୍ଟବାଦିନୀ । ପିଲାଦିନର ସ୍ମୃତି ଉପରେ ଆସ୍ଥା ରଖି ତୁମର ଅସୌଜନ୍ୟ ପାଇଁ ମୁଁ ବ୍ୟଥିତ ହେବିନି ।

 

ରୁଚି କହିଲା, ମୁଁ ତୁମକୁ ଘୃଣା କରେ, ସୂର୍ଯ୍ୟ !

ସୂର୍ଯ୍ୟକାନ୍ତ କେବଳ ନିଷ୍କ୍ରିୟ ପଥର ଦୃଷ୍ଟିରେ ଚାହିଁ ରହିଲା । ରୁଚି ତା’ ଉପରେ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହୋଇଆସିଛି ।

ଆଜି ରବିବାର । ସଚିବାଳୟରେ କାମ ନାହିଁ । ବାହାରେ ବି କାମ ନାହିଁ । ସିପ୍ରା ଗୋଟାଏ ଦିନ ପାଇଁ ତା’ ବାପାଙ୍କ ସାଙ୍ଗରେ ଗାଁକୁ ଯାଇଛି । ଏମିତି ଏକ ବ୍ୟସ୍ତତାହୀନ ଶାନ୍ତ ପରିବେଶରେ ଜୀବନକୁ କ୍ଷତବିକ୍ଷତ କରିବା ଅତ୍ୟନ୍ତ ଅସହ୍ୟ । ତଥାପି ଉପାୟ ନାହିଁ । ରୁଚିର ଭର୍ତ୍ସନା ସହିବାକୁ ସେ ବାଧ୍ୟ ହେବ ।

ରୁଚିର ସୁନ୍ଦର ମୁହଁ ରାଗରେ ଲାଲ ପଡ଼ି ଯାଇଥିଲା । ଦେବନାଥକୁ ସେ ଘୃଣା କରେ ବୋଲି କେବେ କହିପାରି ନ ଥିବ । ବିବାହ କରିଛି, ତଥାପି ତା’ ପାଖରେ ଏଭଳି ଆକ୍ଷେପ କରିବାର ଅଧିକାର ତା’ର ନାହିଁ । ଭିନ୍ନ ମଣିଷ ଦେବନାଥ ।

ସୂର୍ଯ୍ୟ ପାଖରେ ତା’ର ଯେମିତି ସବୁ ଦାବି । ନିବିଡ଼ ଆତ୍ମୀୟତା ନ ଥିଲେ ଭର୍ତ୍ସନା କରିବାର ଅଧିକାର ନ ଥାଏ ।

ଏଇ ରୁଚି ଅନେକ ସରଳତା ଭିତରେ ଜୀବନ ଗଢ଼ିବାପାଇଁ ଶିକ୍ଷା ପାଇଥିଲା । ତା’ ଭିତରେ ଏତେ ରୁକ୍ଷତା କାହିଁକି ସ୍ଥାନ ପାଇଛି, ଜାଣିବାକୁ ବାକି ନାହିଁ । ତଥାପି ତା’ର ଜାଣିବା ଉଚିତ, ବିବାହ କରିବା ପରେ ସୂର୍ଯ୍ୟକାନ୍ତ ତା’ର କେହି ନୁହେଁ । କେବଳ ଅତୀତର ସାଥୀ । ଅତୀତର ସାଗରମନ୍ଥନ କରି ବିଷ ବାହାର କଲେ ନିଜକୁ ସେଇ ବିଷରେ ନିଃଶେଷ କରିବାକୁ ହେବ । ସାଧାରଣ ଶିଷ୍ଟାଚାର ଥିବା କୌଣସି ବିଗତ ପ୍ରେମିକା କୋଉ ଅବଶିଷ୍ଟାଶଂ ନେଇ ତା’ର ପ୍ରେମିକକୁ ଆଘାତ କରିବ ?

ରୁଚି କହିଲା, ସବୁ ବିଷ ପାନ କରି ନୀଳକଣ୍ଠଙ୍କ ପରି ନିଜକୁ ବିଷାକ୍ତ କରିବାର କ୍ଷମତା ତୁମର ଅଛି ବୋଲି ମୁଁ ଜାଣିଛି । ମୋ ପାଇଁ ତୁମେ ହୁଏତ କଳଙ୍କିତ ହୋଇନ । ମୁଁ କିନ୍ତୁ ତୁମ ଦେହର କଳଙ୍କ ନେଇ ଅଶାନ୍ତି ଭୋଗ କରୁଛି । ତୁମେ ସ୍ୱାର୍ଥ ଆଦାୟ କରିବାପାଇଁ ମୋତେ ଆଧୁନିକ ନାୟିକା ହେବାକୁ ପରାମର୍ଶ ଦେଇଥିଲ । ଦେବନାଥଙ୍କ ମନକୁ ଜୟ କରିବା ଅପେକ୍ଷା ତୁମ ପ୍ରତି ଦୟା କରି ମୁଁ ତୁମ ପରାମର୍ଶ ଗ୍ରହଣ କରିଥିଲି । ସତରେ କକ୍ଷଣ ମୋ’ର ଉଗ୍ର ଅଧୁନିକା ନାରୀତ୍ୱକୁ ତୁମେ ପସନ୍ଦ କରିଥିଲ ? ଯୁବସମାଜରେ ମୋ ରୂପ ନେଇ ଆଲୋଚନା ହେଉଥିଲା । ମୋ ରୂପର ଇନ୍ଦ୍ରଜାଲ ଯୋଉମାନଙ୍କ ଚକ୍ଷୁବନ୍ଧନ କରିଥିଲା, ସେମାନେ ମୋତେ ହୁଏତ ମନେ ମନେ ପାଖରେ ପାଇବାପାଇଁ ଚାହୁଁଥିଲେ । କର୍ତ୍ତବ୍ୟଦୃଷ୍ଟିରୁ ମୋତେ ବାଧ୍ୟ ହୋଇ ଅଭିନୟ କରିବାକୁ ପଡ଼ୁଥିଲା । ସେଭଳି ଅଭିନୟ କରି ମୁଁ ସିନା ଦେବନାଥଙ୍କୁ କିଛିଦିନ ପାଇଁ ଜୟ କଲି; କିନ୍ତୁ ଜୀବନରେ ହାରିଗଲି ।

ମୋ ପରାଜୟ ପାଇଁ ତମେ ବିଜୟର ବୈଜୟନ୍ତୀ ଉଡ଼ାଇବ ବୋଲି ମୁଁ କଳ୍ପନା କରି ନ ଥିଲି ।

ସୂର୍ଯ୍ୟକାନ୍ତ କହିଲା, ତୁମ କଥାର କୌଣସି ଅର୍ଥ ନାହିଁ । ନିଜ ଇଚ୍ଛାରେ ତୁମେ ଯୋଉ ପଥ ବାଛି ନେଇଥିଲ, ସେଥିରେ ତୁମେ ସାବଲୀଳ ଛନ୍ଦରେ ପାଦପାତ କରି ଆଗେଇପାରିବ ନାହିଁ ବୋଲି ମୁଁ ଆଗରୁ ଜାଣିଥିଲି ।

 

ରୁଚି କହିଲା, ତଥାପି ମୋ’ର ଭରସା ଥିଲା ମୋ’ର ଜୀବନକୁ ସୁଖମୟ କରିବାପାଇଁ ତୁମେ ନିଶ୍ଚୟ ସାହାଯ୍ୟ କରିଥାନ୍ତ । ମୁଁ ତୁମକୁ ଯାହା ଦାନ ଦେଇଛି ତା’ ବିନିମୟରେ ଏତିକି ଅନୁକମ୍ପା କରିବାପାଇଁ କୁଣ୍ଠାବୋଧ କରିବ ବୋଲି ବିଶ୍ୱାସ କରି ନ ଥିଲି ।

 

କିଛି ଉତ୍ତର ଦେଇପାରିଲା ନାହିଁ ସୂର୍ଯ୍ୟ । ଜଣେ ଉପମନ୍ତ୍ରୀ ଭାବରେ ବି.ଡ଼ି.ଓ. ଦେବନାଥକୁ ବଦଳି କରିବାପାଇଁ ସେ ଅସମର୍ଥ ବୋଲି କହିଲେ ରୁଚି. ବିଶ୍ୱାସ କରିବ ନାହିଁ । ବରଂ କହିବ, ସୂର୍ଯ୍ୟକାନ୍ତ ଛଳନା କରୁଛି, ଖୁସାମତ ଆଶା କରୁଛି । କ୍ଷମତାକୁ ଆସିଲେ ସମସ୍ତେ ସେହିଭଳି ହୁଅନ୍ତି ।

 

ସୂର୍ଯ୍ୟକାନ୍ତ କହିଲା, ଦେବନାଥର ବଦଳି ପରିବର୍ତ୍ତେ ଯଦି ଚିତ୍ରାକୁ ସ୍ଥାନାନ୍ତରିତ କରିବାପାଇଁ ମୁଁ ଚେଷ୍ଟା କରେଁ, ତୁମର ହୁଏତ ନିଶ୍ଚୟ ଉପକାର ହେବ ।

 

ରୁଚି କହିଲା, ସେତକ ତୁମେ ବହୁଆଗରୁ କରିପାରିଥାନ୍ତ । ମୁଁ ଜାଣିଛି, ମୋତେ ଶାସ୍ତି ଦେଇ ଅତୀତର ଭୁଲ ପାଇଁ ପ୍ରତିଶୋଧ ନେବାକୁ ତମେ ଅପେକ୍ଷା କରିଛ ।

 

ପ୍ରତିଶୋଧ ନେବାର ଉଦ୍ଦେଶ୍ୟ ଯଦି ମନଭିତରେ କେବେ ପୋଷଣ କରିଥାନ୍ତା ତେବେ ଦେବନାଥ ସହିତ ତା’ର ବିବାହ ପାଇଁ ସେ ସୀମାଅପାଙ୍କ ପାଖରେ କେବେ ପ୍ରସ୍ତାବ ଆଗତ କରି ନ ଥାନ୍ତା ।

 

ସୂର୍ଯ୍ୟ କହିଲା, ବିଶ୍ୱାସ କର, ରୁଚି, ତୁମଠାରୁ ବହୁଗୁଣରେ ମୁଁ ନିର୍ଯ୍ୟାତିତ । ଉପମନ୍ତ୍ରୀ ହୋଇଛି ବୋଲି ତୁମେ ଭାବୁଥିବ ଅନେକ କିଛି କରିବାର କ୍ଷମତା ମୋ’ର ଅଛି । କିନ୍ତୁ ମୋ’ର ସ୍ୱାଧୀନ ମତ ବ୍ୟକ୍ତ କରିବାର ଅଧିକାର ନାହିଁ । ମୁଖ୍ୟମନ୍ତ୍ରୀ ମନେକରୁଛନ୍ତି, ମୁଁ ତାଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ପ୍ରତିକ୍ରିୟାଶୀଳ ସଭ୍ୟ । ମୁଁ ଜଣେ ଲୋକପ୍ରତିନିଧି, କିନ୍ତୁ ପ୍ରକୃତରେ ପ୍ରତିନିଧିତ୍ୱ କରିବାପାଇଁ ମୋ’ର ବ୍ୟକ୍ତିତ୍ୱ ନାହିଁ । ସ୍ୱାମୀ ଭାବରେ ସ୍ତ୍ରୀର ମନକଥା ବୁଝିବାପାଇଁ ମୋ’ର ସମୟ ନାହିଁ, ପ୍ରିୟ ପରିଜନଙ୍କର କିଛିଟା ସାହାଯ୍ୟ କରିବାପାଇଁ ରାଜନୈତିକ କ୍ଷମତା ନାହିଁ-। ଏମିତ ଅସହାୟ ଭାବରେ ନିରାଶ ହେବା ଅପେକ୍ଷା ମୁଁ ଇସ୍ତଫା ଦେବାପାଇଁ ଅନେକ ସମୟରେ ଚିନ୍ତା କରୁଛି ।

 

ରୁଚିର କ୍ରୋଧ କ୍ରମଶଃ ମଉଳି ଆସିଲା । ସତରେ ଉପମନ୍ତ୍ରୀ ସୂର୍ଯ୍ୟକାନ୍ତ ଦାସ ଏତେ ଅସହାୟ ବୋଲି ସେ କେବେ ଧାରଣା କରି ନ ଥିଲା । ବାହାରେ ତା’ର ଅନେକ ସୁନାମ ଶୁଣିଛି । ଲୋକମାନଙ୍କର ତା’ ଉପରେ ଯଥେଷ୍ଟ ଆସ୍ଥା ଅଛି ।

 

ସ୍ୱର ବଦଳେଇ ରୁଚି କହିଲା, ରାଜନୀତି କରି ତମେ ହାରିଯାଇଛ ବୋଲି ମୋ’ର କେବେ ବିଶ୍ୱାସ ନ ଥିଲା । ଶୁଣିଥିଲି, ରାଜନୀତି ଗୋଟାଏ ଜୁଆଖେଳ । ବାଜି ଜିଣିପାରିଲେ ଅନେକ ସୌଭାଗ୍ୟ ମିଳେ । ତୁମେ ସବୁ ସୌଭାଗ୍ୟ ପାଇଛ ବୋଲି ମୋର ଧାରଣା ଥିଲା । ଆଜି ସୁଦ୍ଧା ସାଧାରଣତନ୍ତ୍ର ଦେଶରେ ଯେଉଁମାନେ ମନ୍ତ୍ରୀ ଉପମନ୍ତ୍ରୀ ହୋଇଛନ୍ତି ସମସ୍ତେ ନିଜର ଭାଗ୍ୟ ବଦଳେଇ ପାରିଛନ୍ତି । ତମେ କ’ଣ ସତରେ କିଛି କରିପାରିନ ?

 

ସୂର୍ଯ୍ୟ କହିଲା, ସମ୍ପତ୍ତି ବୃଦ୍ଧି କରିବାର ଅଭିଳାଷ ଥିଲେ ମନ୍ତ୍ରୀତ୍ୱ ସମୟ ଭିତରେ ସାରା ଜୀବନ ପାଇଁ ଯଥେଷ୍ଟ ଉପାର୍ଜନ କରିପାରିଥାନ୍ତି । ଦେଶର କିନ୍ତୁ ଯୋଉ ଅଭିଶପ୍ତ ମଣିଷ ପେଟପୂରା ଖାଇବାକୁ ନ ପାଇ ରାଧୀ ପରି ଦେହ ବିକ୍ରି କରେ ସେ ଦେଶର ରାଜକୋଷ ଖାଲି କରି ସ୍ୱାର୍ଥରକ୍ଷା କରିବା କେଡ଼େ ନିର୍ବୋଧତା !

 

ରୁଚି କହିଲା, କୋଉ ରାଧୀ ?

 

ସେ ଗଣତାନ୍ତ୍ରିକ ଦେଶର ଏକ କଳଙ୍କିତ ଇତିହାସ । ତା’ ଇଜ୍ଜତର ହାସ୍ୟାସ୍ପଦ କାହାଣୀ ଉପରେ ଭିତ୍ତିକରି ସନାତନ ମିଶ୍ରଙ୍କର କୋଠାଘର ତିଆରି ହୋଇଛି, ଧାନକଳ କିଣା ହୋଇଛି । ବିଚରା ଦୁର୍ନୀତି ନିବାରଣ ବିଭାଗର ପୋଲିସ କର୍ମଚାରୀ ସତ କହିଛି ବୋଲି ଦୂର ଜାଗାକୁ ବଦଳି ନାଁରେ ତାକୁ ନିର୍ବାସନ କରାଯାଇଛି ।

 

ରୁଚି କହିଲା, ଗଣତନ୍ତ୍ର ଶାସନ କେତେଗୁଡ଼ାଏ ନିର୍ବୋଧ ଏବଂ ନିର୍ବୁଦ୍ଧିଆଙ୍କ ଖେଳ ପାଲି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତୁମର ମନେଥିବ, ସ୍ୱରାଜ୍ୟ ଦେବା ପୂର୍ବରୁ ଇଂରେଜ ସରକାର କହିଥିଲେ, ସ୍ୱାଧୀନତା ଦାବି କରିବା ପୂର୍ବରୁ ତାକୁ ଉପଯୋଗ କରିବାଭଳି ଶିକ୍ଷା ପ୍ରଥମେ ଆହରଣ କରିବା ଆବଶ୍ୟକ । ନଚେତ୍ ବ୍ୟକ୍ତି–ସ୍ୱତନ୍ତ୍ରତାକୁ ପ୍ରାଧାନ୍ୟ ଦେବାକୁ ଯାଇ ପରସ୍ପର ଭିତରେ କଳହ ବଢ଼ିବ; ହୁଏତ ସେଇ କଳହ ଦେଶକୁ ଧ୍ୱଂସ ମୁହଁକୁ ଟାଣିନେବ ।

 

ଆଶ୍ରମ ଘରେ ଖବରକାଗଜ ସ୍ତମ୍ଭରୁ ଇଂରେଜ ସରକାରଙ୍କର ଏଇ ତିକ୍ତ ମନ୍ତବ୍ୟ ପଢ଼ି ରବି ଦାସ ଆଉ ମଦନବାବୁ ଖୁବ୍ ଉତ୍ତେଜିତ ହୋଇପଡ଼ିଥିଲେ । ରବି ଦାସ ଚାଲିଗଲେଣି, କିନ୍ତୁ ମଦନବାବୁ ସେଇ ଅପ୍ରିୟ ମନ୍ତବ୍ୟର ସତ୍ୟତା ମନ ଭିତରେ ନିଶ୍ଚୟ ଉପଲବ୍‍ଧି କରୁଥିବେ । ଦୂରଦ୍ରଷ୍ଟା ଇଂରେଜମାନଙ୍କୁ ଧନ୍ୟବାଦ ଦେଉଥିବେ ହୁଏତ ।

 

ସୂର୍ଯ୍ୟ କହିଲା, ରାଜନୀତି ନ କରି ଦେବନାଥ ପରି ଚାକିରି କରିଥିଲେ ହୁଏତ ଜୀବନ ପାଇଁ କିଛି ସ୍ଥାୟୀ ପ୍ରତିକାର କରିପାରିଥାନ୍ତି । କିନ୍ତୁ କାହିଁକି କେଜାଣି ମୋର ମନେହୁଏ, ଚାକିରି ଅର୍ଥ ଗୋଲମୀ । ଇଂରେଜମାନଙ୍କ ଆଦେଶପାଳନକାରୀ ଯୋଉ ପୋଲିସ ଦାରୋଗା ରବି ଦାସଙ୍କ ମୁହଁକୁ ଜୋତାରେ ଗୋଇଠା ମାରି ତାଙ୍କ ହାତରୁ ପତାକା ଛଡ଼େଇନେଇ ଚିରି ଦେଇଥିଲା, ସ୍ୱାଧୀନତା ପରେ ସେଇ ଦାରୋଗା ସେଇ ତ୍ରିରଙ୍ଗା ପତାକା ତଳେ ସାଲ୍ୟୁଟ ଦେବା ମୁଁ ଦେଖିଛି । ଚାକିରି କଲେ ମାନବିକତାକୁ ବିକ୍ରି କରିବାକୁ ହୁଏ । ତ୍ରିରଙ୍ଗା ପତାକାକୁ ପ୍ରଣାମ କଲାବେଳେ ସେଇ ଦାରୋଗା କ’ଣ ଲଜ୍ଜା ବୋଧ କରୁ ନଥିବ ? ହୁଏତ ନିଜେ ଆତତାୟୀ ବୋଲି ମନ ଭିତରେ ସ୍ୱୀକାର କରିଥିବ ।

 

ରୁଚି କହିଲା, ତମେ ମୋତେ କ୍ଷମା କର, ସୂର୍ଯ୍ୟ ! ତୁମକୁ ଆଘାତ ଦେବାପାଇଁ ପ୍ରୟାସ କରି ମୁଁ ନିଜେ ଆଘାତ ପାଇଛି । ପିଲାଦିନେ ତମେ ଯେମିତି ଏକଜିଦିଆ ଥିଲ ଏବେ ବି ଠିକ୍ ସେମିତି ରହିଛ । ସେଇ ଆତ୍ମବିଶ୍ୱାସ ତୁମ ଭିତରେ ଅକ୍ଷୂର୍ଣ୍ଣ ରହିଛି ।

 

ରାଜନୀତି କରି ରବି ଦାସ ଶାନ୍ତି ପାଇ ନ ଥିଲେ । ମଦନବାବୁ ଶାନ୍ତି ପାଇନାହାନ୍ତି । ତୁମେ ବି ଶାନ୍ତି ପାଇପାରିବ ନାହିଁ ।

 

ସୂର୍ଯ୍ୟ କହିଲା, ଆଜି ସିପ୍ରା ନାହିଁ । ମୋତେ ହାତରେ ରାନ୍ଧିବାକୁ ହେବ । ଉପମନ୍ତ୍ରୀର ଉପାର୍ଜକୁ ଆସ୍ଥା କରି ସାହାଯ୍ୟ କରିବା ପାଇଁ ଘରେ ଗୋଟାଏ ଲୋକ ବି ରଖିପାରିନି । ଅନେକ ସଙ୍ଘ ସଙ୍ଗଠନର କର୍ମକର୍ତ୍ତା ଭାବରେ ଉପାର୍ଜନରୁ କିଛି ଭାଗ ଚାନ୍ଦା ଦେବାକୁ ପଡ଼େ । ତା’ପରେ ମୋତେ ଆଶ୍ରା କରି ଦୁଇଟି ଗରିବ ଏବଂ ମେଧାବୀ ଛାତ୍ର କଲେଜରେ ପାଠ ପଢ଼ନ୍ତି । ସବୁ ଖର୍ଚ୍ଚ ଯିବା ପରେ ବଳକା ସମ୍ୱଳକୁ ନେଇ ସିପ୍ରା କୌଣସି ପ୍ରକାରେ ପରିବାର ଚଳେଇନିଏ ।

 

ରୁଚି କହିଲା, ତୁମେ ସବୁଦିନ ଅପଦାର୍ଥ ହୋଇ ରହିଗଲ । ଆଜିକାଲି ଦୁନିଆରେ ଶୁଷ୍କ ଆଦର୍ଶବାଦର କିଛି ମୂଲ୍ୟ ନାହିଁ । ଜୀବନକୁ ନିର୍ଯ୍ୟାତିତ କରି ପର ପାଇଁ ନିଜକୁ ଉତ୍ସର୍ଗ କରି ବାପା କ’ଣ ପାଇଲେ, ତୁମେ ଦେଖିଛ । ତଥାପି କିଛି ଶିକ୍ଷା ତମେ ପାଇପାରିଲ ନାହିଁ ?

 

ସୂର୍ଯ୍ୟ କହିଲା, ବାପାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇ ତମେ କେତେଦୂର ଜୀବନରେ ସଫଳ ହୋଇଛ ତା’ ବି ନିଜେ ଅନୁଭବ କରିପାରୁଛ । ଆଜିର ଦୁନିଆରେ ଜୀବନ ଗୋଟାଏ ପରୀକ୍ଷା । ବଞ୍ଚିବାର ପରୀକ୍ଷାଗାରରେ ତମେ ଯେମିତି ବିଫଳ ହୋଇଛ, ମୁଁ ବି ଠିକ୍ ସେମିତି ବିଫଳ ହୋଇଛି-

 

କିଛି ଉତ୍ତର ଦେଇପାରିଲାନି ରୁଚି ।

 

ନୀରବତା ଭିତରେ କିଛି ସମୟ କଟିଗଲା । ଦୁହେଁ ବୋଧହୁଏ ପରସ୍ପର ପ୍ରତି ସହାନୁଭୂତିଶୀଳ ହୋଇପଡ଼ିଥିଲେ; ଅତୀତକୁ ମନେ ପକାଉଥିଲେ । ରବି ଦାସଙ୍କ ସଙ୍ଗରେ ଆଶ୍ରମକୁ ଯାଉଥିଲା ସୂର୍ଯ୍ୟ । ତାକୁ ଦେଖି ସୀମାଅପାଙ୍କ ପାଖରୁ ରାଲିଆସୁଥିଲା ରୁଚି । ଦୁହେଁ ସାଙ୍ଗ ହୋଇ ଆଶ୍ରମ ବଗିଚାରୁ ଫୁଲ ତୋଳୁଥିଲେ । ଆକାଶରେ ଉଡ଼ିଯାଉଥିଲା ବ୍ୟୋମଯାନ । ଫୁଲତୋଳା ଛାଡ଼ିଦେଇ ଦୁହେଁ ଉପରକୁ ଚାହୁଁଥିଲେ ।

 

ଆକାଶରେ ଉଡ଼ାଜାହାଜ ଦେଖିଲେ ଶିକ୍ଷକ ଛାତ୍ର ବିଦ୍ୟାଳୟ ଛାଡ଼ି ବାହାରକୁ ଚାଲି ଆସୁଥିଲେ । ଘରକୋଣରୁ ଝିଅବୋହୂ ପଦାକୁ ଧାଇଁ ଆସୁଥିଲେ । ଚଢେଇ ପରି ଆକାଶରେ ଉଡ଼ିବା ମଣିଷ ପକ୍ଷରେ ସେତେବେଳେ ଥିଲା ଅପୂର୍ବ ସାଫଲ୍ୟ, ବିସ୍ମୟକର ଘଟଣା ।

 

ରବି ଦାସ କହୁଥିଲେ ସେଗୁଡ଼ାକ କୁଆଡ଼େ ଯୁଦ୍ଧ ଜାହାଜ । ଇଂରେଜ ସରକାର ଯୁଦ୍ଧକାଳୀନ ପରିସ୍ଥିତିକୁ ଲକ୍ଷ୍ୟ କରିବାପାଇଁ ସାମରିକ ଅଫିସରମାନଙ୍କୁ ପଠାଉଥିଲେ ।

 

ଉଡ଼ାଜାହାଜ ଦେଖି ଜାଣିବାଶୁଣିବା ଲୋକେ ବିସ୍ମିତା ହେବା ପରିବର୍ତ୍ତେ ଉଦ୍‍ବେଗ ପ୍ରକାଶ କରୁଥିଲେ; ଘର ଭିତରେ ଲୁଚିଯାଉଥିଲେ । ଆଶଙ୍କା, ଶତ୍ରୁ ପକ୍ଷ ଲୋକେ ଉଡ଼ାଜାହାଜରେ ଆସି ବୋମା ପକାଇଦେବେ ।

 

ଦେଶରେ ଆତଙ୍କରାଜ ସୃଷ୍ଟି ହୋଇଥିଲା । ଜୀବନକୁ ଉପହାସ କରି ମରଣ ବିଦ୍ରୁପର ହସ ହସୁଥିଲା । କାହାରି ପାଖରେ ଖାଇବାକୁ ଦାନା ନ ଥିଲା । ଆଲୁଅ ଜାଳିବାପାଇଁ ଟୋପାଏ କିରାସିନି ମିଳୁ ନ ଥିଲା । ପିନ୍ଧିବାପାଇଁ ଲୁଗା ମିଳୁ ନ ଥିଲା । ପାଠ ପଢ଼ିବାପାଇଁ କାଗଜ ଖଣ୍ଡେ ମିଳୁ ନ ଥିଲା ।

 

ବୁଭୁକ୍ଷୁ ମଣିଷର ଆର୍ତ୍ତନାଦକୁ କର୍ଣ୍ଣପାତ ନ କରି ଇଂରେଜ ସରକାର ଯୁଦ୍ଧ ପାଇଁ ସମ୍ୱଳ ସଂଗ୍ରହ କରୁଥିଲେ । ରାସ୍ତାଘାଟରେ ସୈନ୍ୟମାନେ ଆତଙ୍କ ସୃଷ୍ଟି କରୁଥିଲେ । ଏକାକିନୀ ପଥଚାରିଣୀ ରମଣୀକୁ ଦେହର ବୁଭୁକ୍ଷା ତୃପ୍ତି ପାଇଁ ଧରିନେଇଯାଉଥିଲେ । ଦାସିଆ ଭୋଇ ଝୁଅ ମଲ୍ଲୀ ପତର ଗୋଟେଇବାକୁ ତୋଟାକୁ ଯାଇ ଆଉ ଫେରିଲା ନାହିଁ; ପଲଟଣିଆ ଧରିନେଲେ ।

 

ଆଶ୍ରମ ଘର ଭିତରେ ବସି ରବି ଦାସ ଆଉ ମଦନବାବୁ ଗୁରୁତର ମନ୍ତ୍ରଣାରେ ବ୍ୟସ୍ତ ରହୁଥିଲେ । କେବଳ ଯୁଦ୍ଧରେ ବିଭୀଷିକା ନୁହେଁ, ତା’ ସାଙ୍ଗକୁ ବନ୍ୟା ଆଉ ମରୁଡ଼ିର ପ୍ରାକୃତିକ ବିପର୍ଯ୍ୟୟ । ବଞ୍ଚିରହିବାପାଇଁ ମଣିଷକୁ ସାହସ ଦେବାକୁ ହେବ ।

 

ପ୍ରତି ଗାଁରେ ସଭାକରି ମଦନବାବୁ ଆଉ ରବି ଦାସ ଲୋକଙ୍କ ଭିତରେ ସାହସ ସୃଷ୍ଟି କରୁଥିଲେ । ସରକାର ନିରାପତ୍ତାର ପ୍ରତିଶ୍ରୁତି ଦେବାପାଇଁ ଅକ୍ଷମ । ନିଜ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ।

 

ହାତରେ ସୂତା କାଟି ଲୁଗା ବୁଣିବାକୁ ପଡ଼ିବ । ପୋଲାଙ୍ଗ ତେଲ ଜାଳି ଅନ୍ଧାର ଦୂର କରିବାକୁ ପଡ଼ିବ । ଅନ୍ନଛତ୍ରର ଦାନା ଉପରେ ନିର୍ଭର ନ କରି ବାଡ଼ିବଗିଚାରେ କୋଳଥ ମାଣ୍ଡିଆ କରି ଜାଉ ପଇତିରେ ଜୀବନ ରଖିବାକୁ ପଡ଼ିବ, ଆଉ ଇଂରେଜମାନଙ୍କୁ ତଡ଼ିବାପାଇଁ ସଙ୍ଘବଦ୍ଧ ହେବାକୁ ପଡ଼ିବ ।

 

ରାତିଦିନ ଯୁଦ୍ଧ । ବନ୍ଧୁକ କମାଣର ଗର୍ଜନ । କ୍ଷୁଧାର ତାଡ଼ନା । ମରଣ ପାଇଁ ଭୟ । ରବି ଦାସ ଆଉ ମଦନବାବୁଙ୍କର ଅଖିଆ ଅପିଆ ପ୍ରଚେଷ୍ଟା । ଯୁଦ୍ଧଚାନ୍ଦା ଦେବାକୁ ସେମାନେ ବାରଣ କରୁଥିଲେ । ଆମେ ଯୁଦ୍ଧ ଚାହୁଁନା । ଆମେ ଚାହୁଁ ଶାନ୍ତି । ଆମେ ଇଂରେଜମାନଙ୍କୁ ଚାହୁଁନା । ନିଜ ମାଟିକୁ ନେଇ ଆମେ ସ୍ୱାଧୀନ ଜୀବନ ଚାହୁଁ ।

 

ରବି ଦାସଙ୍କ ପିଠିରେ ପୋଲିସର ନିର୍ମମ ଲାଠି ରକ୍ତର ରେଖା ଆଙ୍କିଦେଉଥିଲା । ତଥାପି ସେ ନିର୍ଭୀକ ଭାବରେ କହୁଥିଲେ, ‘ବନ୍ଦେ ମାତରମ୍,’ ‘ଭାରତମାତାର ଜୟ’ ।

 

ଆଶ୍ରମର ଅନେକ ସ୍ୱେଚ୍ଛାସେବକ ରବି ଦାସଙ୍କୁ ସମ୍ମାନିତ କରିବା ପାଇଁ ଧ୍ୱନି ଦେଉଥିଲେ, ‘ମହାତ୍ମାଗାନ୍ଧୀଙ୍କର ଜୟ’ ।

 

ମଦନବାବୁ ଭାବପ୍ରବଣ ହୋଇ ନିର୍ଭୀକ ଗମ୍ଭୀର କଣ୍ଠରେ କହୁଥିଲେ, ‘ବିପ୍ଳବୀ ରବି ଦାସ, ଜିନ୍ଦାବାଦ୍’ ।

 

ସୂର୍ଯ୍ୟକାନ୍ତ ଯେତିକ ବୁଝିଥିଲା ସେତିକି ଜ୍ଞାନକୁ ସମ୍ୱଳ କରି କେତେଥର ପାଟିକରି କହିଥିଲା, ‘ଇଂରେଜ, ଭାରତ ଛାଡ଼’ ।

 

ସୀମାଅପା ସ୍ୱେଚ୍ଛାସେବକମାନଙ୍କ ପାଇଁ ବ୍ୟସ୍ତ ରହି ରୋଷେଇ କଲାବେଳେ, ରୁଚି ନୂଆ କରି ଶିଖିଥିବା ଗୀତ ବୁଲି ବୁଲି ଗାଉଥିଲା, ସୁଜଳାଂ ସୁଫଳାଂ ଶସ୍ୟ ଶ୍ୟାମଳାଂ ମାତରଂ....

 

ମୁରୁକି ମୁରୁକି ମଦନବାବୁ ହସୁଥିଲେ । ରବି ଦାସ ହସୁଥିଲେ । ଏଇ ସୂର୍ଯ୍ୟ ଆଉ ରୁଚି ଯଦି ଭବିଷ୍ୟତରେ ଦେଶପାଇଁ ନିଜକୁ ଉତ୍ସର୍ଗ କରନ୍ତି, ଜନସେବା କରିବାର ସୁଯୋଗ ପାଇବେ ନାହିଁ, ରାଜନୀତିରେ ଭାଗ ନେବେ, ଶାସନ ଗଢ଼ିବେ ।

 

ସୀମାଅପା କହୁଥିଲେ, ତମେ କ’ଣ ବିଶ୍ୱାସ କରୁଛ ଇଂରେଜମାନେ ସତରେ ଦେଶଟାକୁ ଛାଡ଼ିଦେଇ ଚାଲିଯିବେ ?

ରବି ଦାସ କହୁଥିଲେ, ସେମାନଙ୍କର କ୍ଷେତ୍ରରେ ଇଂରେଜମାନଙ୍କର ଆଉ ଦମ୍ଭ ନାହିଁ । ଜାଲିଆନାବାଗରେ ଡାୟାର ସାହେବର କଳଙ୍କିତ ଇତିହାସ ପାଇଁ ବିଶ୍ୱର ମଣିଷ ସମାଜ ଇଂରେଜମାନଙ୍କୁ ଘୃଣା କରୁଛି । ଯଦି ସେମାନେ ଭାରତ ଛାଡ଼ିବା ପାଇଁ ତଥାପି ନିର୍ଲ୍ଲଜ୍ଜଭାବରେ କୁଣ୍ଠାବୋଧ କରନ୍ତି ଅସ୍ଥିଜର୍ଜରିତ ଶୋଷଣକ୍ଳିଷ୍ଟ ଜନତା ଦେଶର ପ୍ରତି ସ୍ଥାନରେ ଜାଲିଆନାବାଗ ପରି ଦେହରୁ ଅବଶିଷ୍ଟ ରକ୍ତ ନିଗାଡ଼ିଦେବାକୁ ପ୍ରସ୍ତୁତ ଅଛନ୍ତି । ତଥାପି ଯଦି ଇଂରେଜମାନେ ରହନ୍ତି, ରହିବେ ଭାରତର ମଶାଣିରେ ଭାରତୀୟମାନଙ୍କ ଭୂତପ୍ରେତ ଉପରେ ରାଜତ୍ୱ କରିବାପାଇଁ ।

 

ବିପ୍ଳବୀ ରାଜନୈତିକ କର୍ମୀ ରବି ଦାସ ନିଜର ଦୃଢ଼ତା ବିନିମୟରେ ଅନ୍ୟମାନଙ୍କ ମନକୁ ଦୃଢ଼ କରିଦେଉଥିଲେ ।

 

ଅନେକ ସମୟ ନୀରବତା ଭିତରେ କଟିବା ପରେ ରୁଚି କହିଲା, ବାପା ସେତେବେଳେ ଯେମିତି ଉଦାରପନ୍ଥୀ ଥିଲେ, ବର୍ତ୍ତମାନ ବି ସେମିତି ଅଛନ୍ତି; କିନ୍ତୁ ରବି ଦାସ ଯଦି ବଞ୍ଚିଥାନ୍ତେ, ଶାସନର ଆଭିମୁଖ୍ୟ ଅନ୍ୟ ରୂପ ନେଇଥା’ନ୍ତା ।

 

ସୂର୍ଯ୍ୟ କହିଲା, ସେ ଲାଠିମାଡ଼ ଖାଇବାପାଇଁ, ଦେହରୁ ଟୋପା ଟୋପା ରକ୍ତ ନିଗାଡ଼ି ମାଟିକୁ ରକ୍ତରଞ୍ଜିତ କରିବାପାଇଁ, ଜେଲ ଯିବା ପାଇଁ ରାଜନୀତିରେ ଭାଗ ନେଇଥିଲେ । ନିଜର ଯାହା ଥିଲା, ଦେଇଦେବାରେ ତାଙ୍କର ଥିଲା ଆନନ୍ଦ । ମଣିଷ ପାଇଁ ମଣିଷର ଉଦାର କର୍ତ୍ତବ୍ୟବୋଧ ତାଙ୍କ ଚେତନାକୁ ଆବୃତ୍ତ କରି ରଖିଥିଲା । କିଛି ପାଇବାର କାମନା ନ ଥିଲା । ନିର୍ବାଚନରେ ଲଢ଼ି ମନ୍ତ୍ରୀ ଉପମନ୍ତ୍ରୀ ହେବାପାଇଁ ସେ ରାଜନୀତି କରୁ ନ ଥିଲେ ।

 

ଆଜି ରାଜନୀତି ଅର୍ଥ, ମିଥ୍ୟା ପ୍ରତିଶ୍ରୁତି, ପ୍ରବଞ୍ଚନା ।

 

ରୁଚି କହିଲା, ମୁଁ ଶୁଣିଛି, ଚାକିରି କରିବା ଲୋକେ ସେତେବେଳେ ସୁଖରେ ଥିଲେ । ବାପା କହୁଥିଲେ, ସେମାନଙ୍କର ସମାଜରେ ସ୍ୱତନ୍ତ୍ର ସ୍ଥାନ ଥିଲା । ରାଜକର୍ମଚାରୀ ସେମାନେ । ତାଙ୍କୁ ମର୍ଯ୍ୟାଦା ଦେବା ଅର୍ଥ ଶାସନକୁ ସମ୍ମାନିତ କରିବା । ଆଜି କିନ୍ତୁ ସବୁଠାରୁ ଅବହେଳିତ ଏଇ ରାଜକର୍ମଚାରୀମାନେ । ଭାରତୀୟ ସଂବିଧାନ ତାଙ୍କୁ ସ୍ୱାଧୀନତା ଦେଇଛି ବୋଲି ମନେହୁଏନି । ସମସ୍ତଙ୍କର ସବୁ କଥା କହିବାର ଅଧିକାର ଅଛି; କିନ୍ତୁ ସେମାନେ ମୂକ, ଚାକିରିର ଶୃଙ୍ଖଳିତ ଆଇନ ତାଙ୍କୁ ନିର୍ବାକ୍ କରି ରଖିଛି । ଦରମାରେ ପେଟ ପୁରୁନି, ତଥାପି କହିବାପାଇଁ ଉପାୟ ନାହିଁ । ତାଙ୍କ ପାଇଁ ସ୍ୱାଧୀନତା ଅର୍ଥହୀନ, ତାଙ୍କର ସେଇ କ୍ରୀତଦାସର ଜୀବନ । ଦେବନାଥ ପରି ଉଚ୍ଚଶିକ୍ଷିତ ଡେପୁଟି କଲେକ୍ଟର, ବି.ଡି.ଓ. ଚାକିରୀରେ ଅବସ୍ଥାପିତ ହୋଇଛନ୍ତି ବୋଲି ତାଙ୍କ ପ୍ରତି ପଞ୍ଚାୟତ ସମିତିର ଅର୍ଦ୍ଧଶିକ୍ଷିତ ଚେୟାରମ୍ୟାନ ଅସୌଜନ୍ୟ ଦେଖାଇବ । ଦେବନାଥଙ୍କ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ନିଶ୍ଚୟ ସରକାରଙ୍କୁ ସମର୍ଥନ ଜଣେଇବାପାଇଁ କୁଣ୍ଠାବୋଧ କରିବ । ଯଦି ଦେବନାଥଙ୍କ ପରି ଆଉ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତ ତୁମ ସରକାରଙ୍କୁ ଏମିତି ଅବମାନନା କରନ୍ତି, ତୁମେ କ’ଣ ମନେକରୁଛ କେବଳ ଖଣ୍ଡେ ଭୋଟ ଲାଞ୍ଚ ପାଇବାର ଆସ୍ଥା ରଖି, ସେଇ ଅଜ୍ଞମାନଙ୍କୁ ନେଇ ଶାସନ ଚଳେଇପାରିବ ?

 

ସୂର୍ଯ୍ୟ କହିଲା, ଦେବନାଥଙ୍କ ପ୍ରତି ତଥାପି ଦେଖୁଛି ତୁମର ଶ୍ରଦ୍ଧା କମ୍ ନୁହେଁ ।

 

ହସିଲା ରୁଚି । ଶ୍ରଦ୍ଧା ନ କରିବା ଭଳି କାରଣ ଥିଲେ, ତୁମର ଦ୍ୱାରସ୍ଥ ହେବାପାଇଁ ମନସ୍ଥ ନ କରି, ମୁଁ ଆଇନର ଆଶ୍ରୟ ନେଇପାରିଥାନ୍ତି । ହିନ୍ଦୁ ବିବାହ ଆଇନ ସଂଶୋଧନ ହେବା ପରେ ଶିକ୍ଷିତା ହିନ୍ଦୁ ନାରୀମାନଙ୍କ ପାଇଁ ଅନେକ ସୁବିଧା ମିଳିଛି ।

 

ସୂର୍ଯ୍ୟ କହିଲା, ତୁମର ବିଶ୍ୱାସ ଅଛି, ଦେବନାଥକୁ ନେଇ ଅବଶିଷ୍ଟ ଜୀବନକୁ ସଖମୟ କରିପାରିବ ?

 

ହସିଲା ରୁଚି । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଅତି ଅଦ୍ଭୁତ । ମନାନ୍ତର ହୁଏ, ପୁଣି ମନ ମିଶିଯାଏ । ଦେବନାଥଙ୍କ ବ୍ୟତୀତ ମୋ ନାରୀତ୍ୱର ଆଉ କିଛି ସଫଳତା ଅଛି ବୋଲି ତୁମର ଭାବିବା ଉଚିତ ନୁହେଁ । ସେ ସ୍ୱାର୍ଥପର ହୋଇ ମୋ ପ୍ରତି ଅବିଚାର କରିପାରନ୍ତି, କିନ୍ତୁ ମୁଁ ତାଙ୍କୁ ଅସମ୍ମାନ କରିପାରିବି ନାହିଁ ।

 

ସୂର୍ଯ୍ୟ କହିଲା, ତୁମ ନିଷ୍ଠା ପାଇଁ ଧନ୍ୟବାଦ । ତୁମେ ମୋର ଛୁଟିଦିନର ଅତିଥି । ଅନେକ ଅତୀତର ଅନେକ ସ୍ମୃତି ଉପରେ ଆମ ଦୁହିଁଙ୍କର ସମ୍ପର୍କ ପ୍ରତିଷ୍ଠିତ । ନିଜ ହାତରନ୍ଧାରେ ଆପ୍ୟାୟିତ ନ କରି ମୁଁ ତୁମକୁ ବିଦାୟ ଦେଇପାରିବି ନାହିଁ ।

Unknown

 

ରୁଚି କହିଲା, ବରଂ ତୁମ ପାଇଁ ଗୋଟାଏ ଥର ରାନ୍ଧିଦେଲେ ମୁଁ ଖୁସି ହେବି । ସିପ୍ରା ପରି ତୁମକୁ ସନ୍ତୁଷ୍ଟ କରିବାପାଇଁ ମୋର ଆଗ୍ରହ ନାହିଁ, ସାହସ ମଧ୍ୟ ନାହିଁ; କିନ୍ତୁ ନିଜକୁ ସନ୍ତୁଷ୍ଟ କରିବାପାଇଁ ଅନ୍ତତଃ ଥରେ ମାତ୍ର ସୁଯୋଗ ନେବା ଉଚିତ । ମୁଁ ତୁମର ସୀମାଅପାଙ୍କ ଝିଅ ।

 

ସୂର୍ଯ୍ୟ କହିଲା, ରବି ଦାସଙ୍କ ପାଖରେ ସୀମାଅପାଙ୍କ ସତ୍ୟ ଯଦି ପ୍ରତିପାଦିତ ହୋଇଥାନ୍ତା, ତୁମେ ମୋର କ’ଣ ହୋଇଥା’ନ୍ତ ?

 

ରୁଚିର ମାର୍ବୁଲ ପଥର ପରି ଆଖି ଦୁଇଟା କ୍ଷଣକ ପାଇଁ ସୂର୍ଯ୍ୟକାନ୍ତ ଉପରେ ସ୍ଥିର ହୋଇଗଲା ।

 

ଅନେକ ଅବୁଝା ମନର ବୁଝାମଣା । ଅନେକ ଆସକ୍ତି ଆସକ୍ତ ଦୃଷ୍ଟି ।

 

ସିପ୍ରା ନାହିଁ । ଖାଲି ବଙ୍ଗଳାରେ ସୂର୍ଯ୍ୟକାନ୍ତ ଆଉ ରୁଚି । ହୁଏତ ହୁହିଁଙ୍କର ମନେପଡ଼ୁଥିବ ସେଇ ପ୍ରାକ୍–ଯୌବନ ସମୟର ଫଗୁଣ ସନ୍ଧ୍ୟା, ଯୋଉଦିନ ଅଧ୍ୟାପିକା ମହାପାତ୍ରଙ୍କ ଘରକୁ ପଢ଼ିବାକୁ ଯାଉଛି ବୋଲି କହି ସୂର୍ଯ୍ୟ ପାଖରେ ବୟସକୁ ଉଦ୍‍ଘାଟନ କରିଥିଲା ରୁଚି, ଆଉ ସୂର୍ଯ୍ୟ ବୁଣିଯାଇଥିବା ମୁକ୍ତା ପରି ତାକୁ ତୋଳିଧରିଥିଲା ।

ବର୍ତ୍ତମାନ ରୁଚି ଆଗରେ ଦେବନାଥ ।

ସୂର୍ଯ୍ୟ ପଛରେ ସିପ୍ରା ।

ଦୁହେଁ କ୍ଷଣକପାଇଁ ଏକତ୍ର, ତଥାପି ଦୁହିଁଙ୍କ ଭିତରେ ଯୁଗ–ଯୁଗାନ୍ତରର ଦୂରତ୍ୱ ।

ସୂର୍ଯ୍ୟକାନ୍ତର ମୁହଁ କିମିତି ଲାଲ ପଡ଼ିଗଲା ।

ରୁଚି କହିଲା, ଆମେ ଦୁହେଁ ପୁଣି ଆଜି ଏକାଠି....ଏକା ।

ସୂର୍ଯ୍ୟ କହିଲା, ତମେ ନ ଆସିଥିଲେ ଖୁବ୍ ଭଲ ହୋଇଥାନ୍ତା ।

ରୁଚି କହିଲା, ତମେ ଏକୁଟିଆ ଥିବ ବୋଲି ମୁଁ ଆଶା କରି ନ ଥିଲି ।

ରୁଚି ଆଖିରୁ ଲୁହ ନିଗିଡ଼ିପଡ଼ିଲା । ସେ ଜାଣେନା, ଏଇ ବିନ୍ଦୁଏ ଲୁହର ଦାମ ଅତୀତରେ ସୂର୍ଯ୍ୟ ପାଇଁ କେତେ ଅମୂଲ୍ୟ ଥିଲା ।

ସୂର୍ଯ୍ୟ କହିଲା, ଝଡ଼ବିପର୍ଯ୍ୟସ୍ତ ପକ୍ଷୀ ପରି ଆମେ ଦୁହେଁ ନୀଡ଼ହରା । ଅନ୍ୟ ନୀଡ଼ରେ ଆଶ୍ରୟ ନେଇଛୁଁ । ଅତୀତ ଆମ ପକ୍ଷରେ ବିଭ୍ରାନ୍ତିକର ଛାୟାପଥ, ଆମକୁ ଭୁଲିଯିବାକୁ ହେବ । ନିକଟରେ ଥାଇ ମଧ୍ୟ ଆମେ ଅନେକ ଦୂରରେ । କାହା ଆହ୍ୱାନରେ ଉତ୍ତର କେହି ଦେଇପାରିବା ନାହିଁ ।

ରୁଚି କେବଳ କାନ୍ଦୁଥିଲା ।

ଟେଲିଫୋନ ଧରିବାପାଇଁ ସୂର୍ଯ୍ୟକାନ୍ତ ଚାଲିଗଲା ।

ରୁଚି ଭାବିଲା, ତା’ ଉପସ୍ଥିତି ଆଜିକାଲି କାହାରିକୁ ଶାନ୍ତି ଦେଇପାରୁନି । ସୂର୍ଯ୍ୟ କହୁଛି, ସେ ତା’ ପାଖକୁ ନ ଆସିଥିଲେ ଭଲ ହୋଇଥାନ୍ତା । ଦେବନାଥ ମଧ୍ୟ ଠିକ୍ ଏଇ କଥା ଭାବୁଛନ୍ତି । ରୁଚିର ଅନୁପସ୍ଥିତିରେ ସେ ଚିତ୍ରାକୁ ନେଇ ଦେହ ଆଉ ମନର ଉତ୍ତାପକୁ ଶାନ୍ତ କରିବା ପାଇଁ ସୁଯୋଗ ଖୋଜୁଛନ୍ତି ।

କିଏ ଚାହୁଁଛି ରୁଚିକୁ ?

ବାପା ବୋଉ ବି ଚାହୁଁ ନାହାନ୍ତି । ତାଙ୍କ ଆଦର୍ଶରୁ ବିଦାୟ ନେଲା ପରେ ହୁଏତ ତାଙ୍କର ମନେହୋଇଛି, ରୁଚି ତାଙ୍କର ନିଜର କେହି ନୁହେଁ । ଦେଶର ସାଧାରଣ ଅଗଣିତ ମଣିଷ ସମାଜ ଭିତରେ ରୁଚି ହୁଏତ ଜଣେ ନାରୀ । ତା’ ପାଇଁ ବିଶେଷତ୍ୱ ଆରୋପ କରିବା ଆବଶ୍ୟକ ପଡ଼ୁନି ଆଉ ।

ଏମିତି ଅଦରକାରୀ ଭାବରେ ବଞ୍ଚିବାକୁ ପଡ଼ିବ ବୋଲି ରୁଚି କେବେ କଳ୍ପନା ବି କରି ନ ଥିଲା ।

ଆହୁରି ବେଶି ବେଶି କାନ୍ଦିଲା ରୁଚି ।

ଟେଲିଫୋନ ପାଖରୁ ଫେରିଆସିଲା ସୂର୍ଯ୍ୟକାନ୍ତ । ମୁହଁଟା ଫିକା ପଡ଼ିଯାଇଥିଲା, ଫୁଲଟିଏ ଯେମିତି ନିଆଁ ଧାସରେ ହଠାତ୍ ମଉଳିପଡ଼ିଛି ।

 

ବାହାରେ ଡାକିବା ଘଣ୍ଟାର ବୋତାମ୍ କିଏ ଚିପିଲା । ଘର ଭିତରେ ଘଣ୍ଟି ବାଜିଉଠିଲା । ରୁଚି ସାମାନ୍ୟ ଅସୁବିଧା ଅନୁଭବ କଲା । ଯଦି କେହି ଆଗନ୍ତୁକ ହଠାତ୍ ପ୍ରବେଶ କରି ସିପ୍ରା ନ ଥିବା ଅବସ୍ଥାରେ ନିର୍ଜନ ବଙ୍ଗଳା ଭିତରେ ସୂର୍ଯ୍ୟ ପାଖରେ ତାକୁ ଏକାକିନୀ ଆବିଷ୍କାର କରନ୍ତି, ସେ କ’ଣ ଧାରଣା କରିବେ କେଜାଣି ! ହୁଏତ ମନେକରିବେ ସେ ସୂର୍ଯ୍ୟକାନ୍ତର...

 

ସୂର୍ଯ୍ୟକାନ୍ତ ସ୍ୱାଗତ ଜଣେଇ ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କୁ ଘର ଭିତରକୁ ଘେନିଆସିଲା । ସେ କୁଆଡ଼େ ସୂର୍ଯ୍ୟକାନ୍ତର ସାମ୍ୱାଦିକ ବନ୍ଧୁ ସରୋଜବାବୁ । ବନ୍ଧୁତାର ସମ୍ଭାଷଣ ପାଇଁ ଅନେକ ବ୍ୟସ୍ତତାହୀନ ସମୟରେ ସୂର୍ଯ୍ୟକୁ ବ୍ୟସ୍ତ କରିବା ପାଇଁ ସେ ଆସନ୍ତି । ସୂର୍ଯ୍ୟକାନ୍ତର କ୍ଷମତା ଆଉ ଶାସନ ଉପରେ ଅନେକ ସମୟରେ ଅପ୍ରିୟ ମତ ବ୍ୟକ୍ତ କରନ୍ତି । ତାଙ୍କ ମୁହଁ ଉପରେ କିଛି କହିପାରେନା ସୂର୍ଯ୍ୟ । ହୁଏତ ସାହସ ନାହିଁ ।

 

ନିଜର ଦୁର୍ବଳତା ନ ଥିଲେ, ଛାତ୍ରନେତା ସୂର୍ଯ୍ୟକାନ୍ତ ଦାସ, ଯିଏ ପଦେ କଥାରେ ହଜାର ହଜାର ଉଚ୍ଛୃଙ୍ଖଳ ଛାତ୍ରଙ୍କୁ ଆପଣାର କରିପାରୁଥିଲା, ଟିକିଏ ଧମକରେ ବିଶ୍ୱବିଦ୍ୟାଳୟରେ ଅସ୍ଥିରତା ସୃଷ୍ଟି କରିପାରୁଥିଲା, ସେ ସରୋଜବାବୁଙ୍କ ପାଖରେ ନୀରବ ରହୁଛି କାହିଁକି ?

 

ସୌଜନ୍ୟ ଦୃଷ୍ଟିରୁ ଫିକା ମୁହଁରେ ହସ ଖେଳାଇଦେଇ ସୂର୍ଯ୍ୟ କହିଲା, ରବିବାରର ସୁଯୋଗ ନେଇ ଆପଣ ମଧ୍ୟାହ୍ନରେ ଦ୍ୱାରସ୍ଥ ହୋଇଛନ୍ତି । ଅନେକ କଥା ଆଜି କହିବେ ।

 

ସରୋଜବାବୁ କହିଲେ, ଏମିତି ଭୟ କଲେ ଆପଣ ଆଉ ମଣିଷ ସମାଜର ସମ୍ମୁଖୀନ ହୋଇପାରିବେ ନାହିଁ । ଅଧିକ ସମୟ ବ୍ୟୟ କରି ଆପଣଙ୍କୁ ଅଧିକ ଶଙ୍କିତ କରିବାପାଇଁ ମୋର ସମୟ ନାହିଁ । ଗୋଟାଏ ଗୁରୁତର ପରିସ୍ଥିତିରେ ଆପଣଙ୍କ ପାଖକୁ ଆସିବାକୁ ବାଧ୍ୟ ହେଲି । ମୋର ଆପଣଙ୍କ ପାଖରୁ ପାଞ୍ଚଶହ ଟଙ୍କା ସାହାଯ୍ୟ ଏଇ ମୁହୂର୍ତ୍ତରେ ଆବଶ୍ୟକ ।

 

ସୂର୍ଯ୍ୟ ଆଶ୍ଚର୍ଯ୍ୟ ହୋଇ କହିଲା, ମୋ ପାଖରୁ ଆର୍ଥିକ ସାହାଯ୍ୟ !

 

ସରୋଜବାବୁ କହିଲେ, ଆଶ୍ଚର୍ଯ୍ୟ ହେବା କଥା ନୁହେଁ । ମୋର ଟଙ୍କା ନିହାତି ଆବଶ୍ୟକ ଏବଂ ଫେରାଇବା ଭଳି କ୍ଷମତା ମଧ୍ୟ ନାହିଁ । ଏଇ ସାହାଯ୍ୟ ପାଇଁ ମୁଁ ଆପଣଙ୍କୁ ବାଧ୍ୟ କରିବି । କାରଣ ଆପଣଙ୍କ ଅପାରଗତା ପାଇଁ ମୋର ଏଇ ଅର୍ଥର ଆବଶ୍ୟକତା ପଡ଼ିଛି ।

 

ସୂର୍ଯ୍ୟ କହିଲା, ସମାଜରେ ଏତେ କଳାବଜାରୀ, କୋଟିପତି ଅଛନ୍ତି । ଘଣ୍ଟାକ ଭିତରେ ହଜାର ହଜାର ଟଙ୍କା ଉପାର୍ଜନ କରି–ପାରୁଛନ୍ତି । ସେମାନଙ୍କର ଅନେକ ଦୁର୍ବଳତା ଅଛି । ସାମ୍ୱାଦିକମାନଙ୍କୁ ଭୟକରି ହୁଏତ ସେମାନେ ଏମିତି ଅସମୟରେ ସାହଯ୍ୟ କରିପାରନ୍ତି । ମୋ ପରି ଜଣେ କ୍ଷମତାହୀନ ବ୍ୟକ୍ତି ପାଖରେ ସାହାଯ୍ୟ ପାଇଁ ଦାବି କରିବା ଆପଣଙ୍କ ପକ୍ଷରେ ଅସଙ୍ଗତ ସମ୍ଭାବନା ।

 

ସରୋଜବାବୁ କହିଲେ, ଆପଣ ସବୁ ପ୍ରକାର ଅନ୍ୟାୟ ଏବଂ ଦୁର୍ନୀତିକୁ ସୁବିଧା ଦେଇ ଆମ ଆଖିରେ ଭଲ ହେବାପାଇଁ ଚେଷ୍ଟା କରୁଛନ୍ତି । କଳାବଜାରୀ, ଦଲାଲମାନଙ୍କ ଅପେକ୍ଷା ଆପଣମାନେ ଆହୁରି ଭୟଙ୍କର । ସେମାନଙ୍କର କେତେକ ଶ୍ରେଣୀର ଲୋକମାନଙ୍କ ପ୍ରତି ଭୟ ଅଛି-। ଦୁର୍ନୀତି ନିବାରଣ ବିଭାଗ ସାମ୍ୱାଦିକ ତଥା ସମାଜର ଅପବାଦ ପ୍ରତି ସେମାନଙ୍କର ଭୟ ଅଛି; କିନ୍ତୁ ଆପଣମାନେ ସମ୍ପୂର୍ଣ୍ଣ ନିର୍ଭୟ । ଆପଣଙ୍କ ହାତରେ ସରକାର ଅଛି । ନିଜ ରାଜନୈତିକ ଦଳ ପାଇଁ, ନିର୍ବାଚନ ଖର୍ଚ୍ଚ ପାଇଁ ରାତାରାତ ଆପଣ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିପାରନ୍ତି । ଆପଣମାନଙ୍କ ସମର୍ଥନ ପାଇ ସମାଜରେ କଳାବଜାର ବଢ଼ିଚାଲିଛି– ଶୋଷଣ ବଢ଼ିଚାଲିଛି ।

 

ସୂର୍ଯ୍ୟ କହିଲା, କ୍ଷମା କରନ୍ତୁ ବନ୍ଧୁ, ଆପଣଙ୍କ ଆକ୍ଷେପର ଯଥେଷ୍ଟ ଅର୍ଥ ମୁଁ ଉପଲବ୍ଧି କରିପାରୁଛି; କିନ୍ତୁ ମନ୍ତ୍ରିମଣ୍ଡଳ ମତରେ ମୁଁ ଜଣେ ଅଦରକାରୀ ସଭ୍ୟ । ଶାସନର ହିସାବ ଖାତାରେ ଏକ କ୍ଷୁଦ୍ର ବିନ୍ଦୁ । ସାମାନ୍ୟ ଅବସ୍ଥିତି ଅଛି; କିନ୍ତୁ ଆୟତନ ନାହିଁ, ଦୈର୍ଘ୍ୟ ପ୍ରସ୍ଥ ନାହିଁ ।

 

ହସିଲେ ସରୋଜବାବୁ; ଆପଣଙ୍କ ଅସହାୟତା ପାଇଁ ମୁଁ ହୁଏତ ଅନ୍ୟ ଦିନ ହୋଇଥିଲେ ସହାନୁଭୂତିଶୀଳ ହୋଇପାରିଥାନ୍ତି, କିନ୍ତୁ ମୁଁ ଆପଣଙ୍କ ଆହୁରି ଅସହାୟ । ମୋର ଜଣେ ଆତ୍ମୀୟଙ୍କୁ ଆଜି ରୋଗର ଅସହ୍ୟ ଯନ୍ତ୍ରଣାରୁ ରକ୍ଷା କରିବାକୁ ପଡ଼ିବ । ସେ କିଛି ଦିନ ହେବ ମରଣାନ୍ତକ ଯନ୍ତ୍ରଣା ଭୋଗ କରୁଛନ୍ତି । ତାଙ୍କର ଉଦର ରୋଗ । ଡାକ୍ତର ପରାମର୍ଶ ଦେଲେ, ତାଙ୍କର ଉପଶମ ପାଇଁ ଯଥାଶୀଘ୍ର ତାଙ୍କ ଉଦରର ଅସ୍ତ୍ରୋପଚାର ଆବଶ୍ୟକ । ଛ’ ମାସରୁ ବେଶି ହେବ ଡାକ୍ତରଖାନାରେ ରହି ମଧ୍ୟ ତାଙ୍କର ଅସ୍ତ୍ରୋପଚାର ହୋଇପାରୁନି । ଦିନକୁ ଦିନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଉଛି । ପରିଶେଷରେ ବିଭାଗୀୟ ମୁଖ୍ୟ ଚିକିତ୍ସକ କହିଛନ୍ତି, ପାଞ୍ଚଶହ ଟଙ୍କା ପାଇଲେ ସେ ଶୀଘ୍ର ବ୍ୟବସ୍ଥା କରିଦେବେ ।

 

ସରୋଜବାବୁ ପୁଣି କହିଲେ, ଗୋଟାଏ ଜୀବନ ବିନିମୟରେ ଆମକୁ ପାଞ୍ଚଶହ ଟଙ୍କା ବ୍ୟୟ କରିବାକୁ ପଡ଼ିବ । କିନ୍ତୁ ସରକାରୀ ଡାକ୍ତରଖାନାରେ ଏଭଳି ଉତ୍କୋଚ ଦେଇ ଚିକିତ୍ସିତ ହେବା ଅପେକ୍ଷା ଏ ଦେଶରୁ ଗଣତନ୍ତ୍ର ଲୋପ କରିଦେବା ଉଚିତ ନୁହେଁ କି ? ଆପଣମାନଙ୍କ ପାଇଁ ଆମ ଦେଶର ଗଣତନ୍ତ୍ର ବିପନ୍ନ । ଆପଣଙ୍କ ଶାସନର ଦୁର୍ବଳତା ପାଇଁ ଚିକିତ୍ସକ ମହାଶୟ ଉତ୍କୋଚ ପାଇଁ ସଙ୍କୋଚହୀନ ଭାବରେ କହିପାରିଛନ୍ତି । ତେଣୁ ଆପଣଙ୍କୁ ସେଇ ପାଞ୍ଚଶହ ଟଙ୍କା ଦେବାକୁ ପଡ଼ିବ ।

 

ସରୋଜବାବୁଙ୍କ ମୁହଁକୁ ନିର୍ବାକ୍ ହୋଇ ଚାହିଁରହିଲା ସୂର୍ଯ୍ୟକାନ୍ତ । ତା’ର ମାନବିକତାର ସମସ୍ତ ଅହମିକା ଯେମିତି ଉଲଗ୍ନ ଅସହାୟତାରେ ବିଳାପ କରିବାପାଇଁ ଆରମ୍ଭ କରିଛି । ଜୀବନ ରକ୍ଷା ପାଇଁ ଏ ଦେଶରେ ଉତ୍କୋଚ ଦେବାକୁ ପଡ଼ୁଛି । ଲୋକପ୍ରତିନିଧି ହୋଇ ଶାସନର ଦାୟିତ୍ୱ ବହନ କରିବା କେବଳ ଅର୍ଥହୀନ ଆସ୍ଫାଳନ ।

 

ରୁଚି ପାଖଘରେ ରହି ସବୁ ଶୁଣୁଥିଲା । ସରୋଜବାବୁଙ୍କ ଉପରେ ସେ ମନେ ମନେ ବିରକ୍ତ ହୋଇଉଠିଥିଲା । ସାଧାରଣ ସୌଜନ୍ୟ ଲଙ୍ଘନ କରି କେହି ବୋଧହୁଏ ଜଣେ ଉପମନ୍ତ୍ରୀଙ୍କୁ ଏପରି ଆକ୍ଷେପ କରିବା ଏଇ ପ୍ରଥମ । ସୂର୍ଯ୍ୟକାନ୍ତ ବୋଧହୁଏ ପ୍ରତିବାଦ କରି ସରୋଜବାବୁଙ୍କୁ ଏଥିପାଇଁ ଅପମାନିତ କରିବ । ଆଘାତ ଦେବାପାଇଁ ଚେଷ୍ଟା କଲେ ପ୍ରତିଘାତ ସହିବାକୁ ପଡ଼େ ।

 

ସୂର୍ଯ୍ୟକାନ୍ତ କିଛି ବ୍ୟକ୍ତ ନ କରି ନୀରବରେ ପାଖଘର ଭିତରକୁ କିଛିକ୍ଷଣ ପାଇଁ ଚାଲିଗଲା-। ଗୋଟାଏ ସୁନା ହାର ଆଣି ସରୋଜବାବୁଙ୍କୁ ବିନିମୟରେ କହିଲା, ଆର୍ଥିକ ସାହାଯ୍ୟ ଦେବାଭଳି ଅବସ୍ଥା ମୋର ନାହିଁ । ଆଶା କରୁଛି ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ ଏଇ ହାର ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ।

 

ସରୋଜବାବୁଙ୍କ କହିଲା, ସଙ୍କୋଚ କରି ନିଜକୁ ବିପନ୍ନ କରିବାର କାରଣ ନାହିଁ । ଆପଣଙ୍କ ଆତ୍ମୀୟଙ୍କର ରୋଗର ଉପଶମ ମୁଁ କାମନା କରୁଛି ।

 

ସରୋଜବାବୁ କହିଲେ, ଗୋଟିଏ ସୁନାହାର ଦାନ କରି ହୁଏତ ଗୋଟିଏ ରୋଗୀର ଉପଶମ ଆପଣ କାମନା କରିପାରନ୍ତି; କିନ୍ତୁ ଶହ ଶହ ରୋଗୀଙ୍କ ପାଇଁ ଆପଣ ଏମିତି ବଦାନ୍ୟତା ଦେଖାଇପାରିବେ ନାହିଁ ।

 

ସୂର୍ଯ୍ୟକାନ୍ତ କହିଲା, ସତରେ ମୁଁ ଅପାରଗ, ସରୋଜବାବୁ ! ପକ୍ଷାଘାତ ଶାସନ ପାଇଁ କେବଳ ମୋତେ ଦାୟୀ କଲେ, ମନ୍ତ୍ରୀତ୍ୱରୁ ଇସ୍ତଫା ଦେବା ବ୍ୟତୀତ ଅଧିକ କିଛି ମୁଁ କରିପାରିବି ନାହିଁ । ଲୋକ ପ୍ରତିନିଧି ହୋଇ ଶାସନ ପରିଚାଳନାର ଦାୟିତ୍ୱ ଗ୍ରହଣ କରି ମୁଁ ହତାଶ ହୋଇଛି ।

 

ସରୋଜବାବୁ କହିଲେ, ଏତେ ଦୁର୍ବଳ ହେଲେ ଆପଣ ହାରିଯିବେ । ମନ୍ତ୍ରିମଣ୍ଡଳର ଆପଣ ଜଣେ ପ୍ରଗତିଶୀଳ ସଭ୍ୟ । ଆପଣ ଚେଷ୍ଟା କଲେ ହୁଏତ କିଛି ପରିବର୍ତ୍ତନ ସମ୍ଭବ ହୋଇପାରେ ।

 

ଉଠି ଚାଲିଗଲେ ସରୋଜବାବୁ । ସୁନାହାର ନେବାପାଇଁ ସେ ଆସି ନ ଥିଲେ । ଚାରିଆଡ଼େ ଦହନର ଜ୍ୱାଳା । ସମସ୍ତେ ଯନ୍ତ୍ରଣା ଭୋଗ କରୁଛନ୍ତି । ଉଦାରପଣିଆ ଦେଖାଇ ଗୋଟାଏ ସୁନାହାର ଦାନ କରିଦେଲେ ସବୁ ଯନ୍ତ୍ରଣାରୁ ମୁକ୍ତି ମିଳିବ ନାହିଁ ।

 

ପୁଣି ଟେଲିଫାନ ବାଜିଉଠିଲା । ବିରକ୍ତ ହେଲା ସୂର୍ଯ୍ୟକାନ୍ତ । ବାରମ୍ୱାର ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ଅଯଥାରେ ବିରକ୍ତ କରୁଛନ୍ତି । ସେଇ ସନାତନ ବିଦ୍ୟାନିକେତନର ଶୁଭ ଦେବାପାଇଁ ତାକୁ ଆଦେଶ ଦେବେ । ଅଳ୍ପ କିଛିକ୍ଷଣ ପୂର୍ବରୁ ସେଇ ଆଦେଶ ଥରେ ଜାହିର କରିଥିଲେ ମୁଖ୍ୟମନ୍ତ୍ରୀ । ସୂର୍ଯ୍ୟକାନ୍ତ କହିଥିଲା, ତା’ର ଅନେକ କାମ, ସେ ଯାଇପାରିବ ନାହିଁ, ଶରୀର ଭଲ ନାହିଁ, ମାନସିକ ଅବସ୍ଥା ଭଲ ନାହିଁ । ମୁଖ୍ୟମନ୍ତ୍ରୀ କହିଥିଲେ, ଯଦି ଆଉ କୌଣସି ମନ୍ତ୍ରୀଙ୍କର ଯିବା ସମ୍ଭବ ନ ହୁଏ, ତେବେ ତାକୁ ନିଶ୍ଚିତ ଭାବରେ ଯିବାକୁ ହେବ । ବୋଧହୁଏ ଅନ୍ୟ ମନ୍ତ୍ରୀମାନଙ୍କ ପାଖରୁ ନିରାଶ ହୋଇ ପୁଣି ତାକୁ ବାଧ୍ୟ କରିବାପାଇଁ ଆଉ ଥରେ ଟେଲିଫୋନ୍ କରିଛନ୍ତି ।

 

ସନାତନ ମିଶ୍ରଙ୍କର ବ୍ୟକ୍ତିତ୍ୱ ବିଷୟରେ ସମସ୍ତ ବିବରଣୀ ପାଇସାରିଛି ସୂର୍ଯ୍ୟକାନ୍ତ । ସାମ୍ୱାଦିକ ବନ୍ଧୁ ସରୋଜବାବୁ ସମସ୍ତ କଥା କହିଛନ୍ତି । ବ୍ୟଥା–ବିପର୍ଯ୍ୟସ୍ତ ଉପାସିଆ ପେଟରୁ ଦାନା କାଟି ସେ ନିଜର ବିତ୍ତ ବୃଦ୍ଧି କରିଛନ୍ତି । ସରକାରୀ ସମର୍ଥନ ପାଇ ଚୋରା ଚାଉଳ କାରବାରରେ ବଡ଼ଲୋକ ହୋଇଛନ୍ତି । ଦୁର୍ନୀତିନିବାରଣ ବିଭାଗ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାହସ କରିନାହାନ୍ତି ।

 

ସେଇ ଅଧର୍ମବିତ୍ତ ବୃଦ୍ଧି କରି ଆଖପାଖ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୋଟାଏ ହାଇସ୍କୁଲ ନିଜ ନାମରେ ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି । ସେଇ ସନାତନ ବିଦ୍ୟାନିକେତନ ।

 

ସୂର୍ଯ୍ୟକାନ୍ତ ସ୍ଥିର କଲା, ଏଥର ଯଦି ପୁନର୍ବାର ମୁଖ୍ୟମନ୍ତ୍ରୀ ତାଙ୍କୁ ବାଧ୍ୟ କରନ୍ତି, ସେ ପରିଷ୍କାର କହିଦେବ, ସେଭଳି ଏକ ଅନୁଷ୍ଠାନର ଶୁଭ ଦେଇ ନିଜର ବ୍ୟକ୍ତିତ୍ୱକୁ ରୁଗ୍‍ଣ କରିବାକୁ ସେ ଇଚ୍ଛା କରେ ନାହିଁ; ବରଂ ଅଧିକ ବାଧ୍ୟ କଲେ ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇପାରେ ।

 

ସୂର୍ଯ୍ୟକାନ୍ତର ଇଚ୍ଛା ହେଲା, କୋଉ ତେଲେଙ୍ଗା ରିକ୍‍ସାବାଲା ବାବୁରାଓର ଭଙ୍ଗା ଚାଳତକୁ ଯଦି କିଏ ମଫସଲ ଗାଁର ଝିଅ ରାଧୀକୁ ଆବିଷ୍କାର କରେ ଏବଂ ସନାତନ ବିଦ୍ୟାନିକେତନର ଶୁଭ ଦେବାପାଇଁ ନିମନ୍ତ୍ରଣ କରେ, ଅନେକାଂଶରେ ଭଲ ହୁଅନ୍ତା । ସନାତନ ମିଶ୍ରଙ୍କ ପାପର କିଛିଟା ପ୍ରାୟଶ୍ଚିତ୍ତ ହୋଇପାରନ୍ତା ।

 

ଟେଲିଫୋନ୍ ସେମିତି ବାଜୁଥିଲା ।

 

ରୁଚି ପାଖଘରୁ ବାହାରିଆସି କହିଲା, ସାଧାରଣ ଭଦ୍ରତାଜ୍ଞାନ ତୁମର ନାହିଁ, ସୂର୍ଯ୍ୟ ! ଟେଲିଫୋନ୍ ଏତେ ସମୟ ଧରି ରିଙ୍ଗ୍ କରୁଛି, ଅଥଚ ତମେ ସ୍ଥାଣୁ ପରି ଠିଆହୋଇ ରହିଛ ।

 

ସୂର୍ଯ୍ୟ କହିଲା, ଟେଲିଫୋନ୍‌ ଧରିବାପାଇଁ ମୋର ସାହସ ନାହିଁ । ତମେ ହୁଏତ ମୋତେ ପଳାୟନପନ୍ଥୀ ବୋଲି ଘୃଣା କରିପାର ।

 

ରୁଚି ନିଜେ ଟେଲିଫୋନ୍‌ ଧରିଲା ।

 

ମୁଖ୍ୟମନ୍ତ୍ରୀ ପ୍ରକୃତରେ ସୂର୍ଯ୍ୟକାନ୍ତକୁ ଖୋଜୁଥିଲେ । ରୁଚି ମିଛରେ କହିଲା, ସେ ଘରେ ନାହାନ୍ତି ।

 

ମୁଖ୍ୟମନ୍ତ୍ରୀ କହିଲେ, ଆପଣ ନିଶ୍ଚୟ ସୂର୍ଯ୍ୟକାନ୍ତଙ୍କ ସ୍ତ୍ରୀ । ସେ ଘରକୁ ଫେରିଲେ କହିଦେବେ, କାଲି ସକାଳୁ ତାଙ୍କୁ ସନାତନ ବିଦ୍ୟାନିକେତନର ଶୁଭ ଦେବାପାଇଁ ଯିବାକୁ ହେବ । ଏଇ ବର୍ତ୍ତମାନ ମୁଁ ବିଦ୍ୟାନିକେତନର କର୍ତ୍ତୃପକ୍ଷଙ୍କୁ କଥା ଦେଇ ବିଦାୟ କରିଦେଇଛି । କାଲି ଏକ ଜରୁରୀ ବୈଠକ ଥିବା ଦୃଷ୍ଟିରୁ ମନ୍ତ୍ରିମଣ୍ଡଳର ଆଉ କୌଣସି ପ୍ରବୀଣ ସଭ୍ୟ ରାଜଧାନୀ ଅନୁପସ୍ଥିତ ରହିପାରିବେ ନାହିଁ ।

 

ସୂର୍ଯ୍ୟକାନ୍ତ ସବୁ ଶୁଣିସାରି କହିଲା, ମନ୍ତ୍ରିମଣ୍ଡଳର ନୂତନ ସଭ୍ୟ ଭାବରେ ମୋର ସବୁଠାରୁ ବଡ଼ ସୌଭାଗ୍ୟ । ମୁଖ୍ୟମନ୍ତ୍ରୀଙ୍କର ମୋ ପ୍ରତି ସବୁବେଳେ ବିଶେଷ ଅନୁଗ୍ରହ ଯେ, ସେ ମୋତେ ପ୍ରାଧାନ୍ୟ ଦେବାପାଇଁ ସାଧାରଣଙ୍କ ସହିତ ଯୋଗସୂତ୍ର ସ୍ଥାପନ ପାଇଁ ନିରୂପଣ କରିଥାନ୍ତି ।

 

ରୁଚି କହିଲା, ରାଜନୀତିକୁ ବାଦ୍‌ ଦେଲେ ମଣିଷ ଭାବରେ ତୁମର ବଞ୍ଚିବାର ଅଧିକାର ଅଛି । ସେଥିପାଇଁ ତୁମକୁ ଖିଆପିଆ କରିବାକୁ ପଡ଼ିବ, ନିଜର ଯତ୍ନ ନେବାକୁ ପଡ଼ିବ । ଆଜି ସିପ୍ରା ନାହିଁ ବୋଲି ତୁମକୁ କ’ଣ ଉପାସ ରହିବାକୁ ପଡ଼ିବ ?

 

ସୂର୍ଯ୍ୟ କହିଲା, ମୁଁ ବରଂ ତୁମ ପାଇଁ ଦୁଃଖିତ । ତୁମେ ମୋର ଅତିଥି; ଅଥଚ ତୁମ ପାଇଁ ମୁଁ କିଛି ବ୍ୟବସ୍ଥା କରିପାରିନି ।

 

ରୁଚି କହିଲା, ଯିଏ ନିଜର ଯତ୍ନ ନେବାପାଇଁ ଅସମର୍ଥ, ସେ ଅନ୍ୟ ପାଇଁ କିଛି କରିପାରେ ନା । ତୁମେ ଅମଣିଷ ହୋଇ ସତରେ ରହିଗଲ । ବାପାଙ୍କ ପରି ଆଦର୍ଶ ଦ୍ୱାହି ଦେଇ ନିଜର ବ୍ୟକ୍ତିତ୍ୱକୁ ତୁମେ ନିଜ ହାତରେ ନଷ୍ଟ କରିଦେବ । ଶୁଷ୍କ ଆଦର୍ଶବାଦର କିଛି ଅର୍ଥ ନାହିଁ ।

 

ସୂର୍ଯ୍ୟ କହିଲା, ତଥାପି ଆଦର୍ଶକୁ ବାଦ ଦେଇ ସୁସ୍ଥ ମାନବିକତାକୁ ମୂଲ୍ୟ ଦେଇହେବନି । ଆମକୁ ପ୍ରଥମେ ମଣିଷ ଭାବରେ ବଞ୍ଚିବାକୁ ପଡ଼ିବ ।

 

ରୁଚି କହିଲା, ଡିବେଟିଂ କ୍ଳାସ୍‌ରେ ଯୁକ୍ତି କରିବା ଭଳି ତୁମ ସହିତ ଆଉ ତର୍କ କରିବାକୁ ମୁଁ ଚାହେନି । ସମୟ ଅନେକ ହେଲାଣି । ଖାଇବା ପାଇଁ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ।

 

ହୋଟେଲରୁ ଦୁଇଟା ମିଲ୍ ଆଣିବା ପାଇଁ ବ୍ୟବସ୍ଥା କରି ସୂର୍ଯ୍ୟ ଖୁବ୍‌ ଗମ୍ଭୀର ହୋଇ ବସିରହିଲା । ସେ ବୋଧହୁଏ ଚିନ୍ତା କରୁଥିଲା ସେଇ ସନାତନ ବିଦ୍ୟାନିକେତନର ଶିଳାନ୍ୟାସ ବିଷୟ ।

 

ବାହାରେ ରବିବାର ଅଳସଭରା ମଧ୍ୟାହ୍ନ । କାମ କରିବାର ବ୍ୟସ୍ତତା ନାହିଁ, ସଂପ୍ରସାରିତ ଜୀବନ ଯେମିତି ସଂକୁଚିତ ହୋଇଯାଇଛି । ତା ମୁହଁରୁ ହଠାତ୍‌ ବାହାରିପଡ଼ିଲା Contraction is death (ସଂକୋଚନ ଅର୍ଥ ମୃତ୍ୟୁ) ।

 

ରୁଚି କହିଲା, ତମେ ଦାର୍ଶନିକ ହୋଇପଡ଼ିଛ, ସୂର୍ଯ୍ୟ ! ଇତିହାସର ଛାତ୍ର ତୁମେ, ବରଂ ସେଇ ପୁରୁଣା ଐତିହ୍ୟକୁ ମନରେ ଧରି ପ୍ରାଚୀନପନ୍ଥୀ ଜୀବନକୁ ବିଶ୍ଳେଷଣ କରିବା ଉଚିତ । ବାହାରେ ରବିବାରର ଘୁମନ୍ତ ସୂର୍ଯ୍ୟ, ଏତେବଡ଼ ବଙ୍ଗଳାରେ ତୁମେ ଏବଂ ମୁଁ; ତୁମ ମନକୁ ଆଉ କିଛି ଭାବନା ଆସିପାରୁନି ?

 

ସୂର୍ଯ୍ୟର ମନଭିତରେ ଗୋଟାଏ ଝଡ଼ ବହିଗଲା । ଜୀବନର ଆବର୍ତ୍ତନରେ କିଛିଦିନ ଘୂରି ଘୂରି ସେମାନେ ପୁଣି ଏକତ୍ର ହୋଇଛନ୍ତି । ରୁଚିର ସେଇ ଦେହ, ଯାହାର ଗନ୍ଧ ଦିନେ ସେ ଉପଭୋଗ କରିଥିଲା । କିନ୍ତୁ ସେଇ ମନ ଆଜି ଆଉ ନାହିଁ । ରୁଚି ସମ୍ପୂର୍ଣ୍ଣ ଦେବନାଥର, ଆଉ ତା ନିଜ ଦେହର ସବୁ କ୍ଷୁଧା ସିପ୍ରା ପାଇଁ ।

 

ତଥାପି ଏକାନ୍ତ ବଙ୍ଗଳାରେ ରୁଚିର ଦେହ ମହକ ଖେଳେଇ ଦେଇଛି । ପ୍ରଚୁର ଗନ୍ଧ, ପ୍ରଚୁର ଲିପ୍‌ସା ।

 

ସେ କ’ଣ ସତରେ ଦେବନାଥକୁ ପ୍ରତାରିତ କରିବାକୁ ଚାହୁଁଛି ?

 

ସୂର୍ଯ୍ୟ ପଚାରିଲା, ତୁମକୁ ଅନେକ ସ୍ୱାଧୀନତା ଦେଇଛି । ଚିତ୍ରା ପାଇଁ ତମେ ଯେମିତି ତାକୁ ସନ୍ଦେହ କରୁଛ, ସେ ତୁମକୁ ସେମିତି ସନ୍ଦେହ କରୁନାହିଁ ତ ?

 

ରୁଚି କହିଲା, ହୁଏତ କରୁଥିବେ । କିନ୍ତୁ ବିବାହ କରିବା ପରେ ମୁଁ ତାଙ୍କ ପୁରୁଷତ୍ୱକୁ ସମ୍ମାନିତ କରିଆସିଛି । ଦେହମନ ସବୁକିଛି ତାଙ୍କ ପାଖରେ ଅର୍ପଣ କରିଛି । ଚିନ୍ତାର ଚଲାବାଟରୁ ତୁମର ଛାଇକୁ ବାରମ୍ବାର ଭୁଲିଯିବାପାଇଁ ଚେଷ୍ଟା କରିଛି । ତଥାପି...

 

ସୂର୍ଯ୍ୟ ମୁହଁରେ ବିନ୍ଦୁ ବିନ୍ଦୁ ଝାଳ ଝଳିଉଠିଲା ।

 

କ’ଣ ତଥାପି... ?

 

ମୁଁ କହିପାରିବି ନାହିଁ, ସୂର୍ଯ୍ୟ ! ଦେବନାଥଙ୍କ ପରି ତୁମର ସୁନ୍ଦର ସ୍ୱାସ୍ଥ୍ୟ ନାହିଁ, ତାଙ୍କ ପରି ସମ୍ପଦ ନାହିଁ, ତଥାପି ତୁମ ପାଖରେ କାହିଁକି କେଜାଣି ମୋ ନାରୀତ୍ୱ ଦୁର୍ବଳ ହୋଇପଡ଼େ । ବୋଧହୁଏ ତୁମେ ମୋ ଦେହକୁ ପ୍ରଥମେ ସ୍ପର୍ଶ କରିଥିଲ ବୋଲି ତୁମ ପାଇଁ ମନ ଭିତରେ ଦାଗ ରହିଯାଇଛି, ଲିଭିପାରୁନି ।

 

ରବିବାରର କର୍ମହୀନ ସଂକୋଚନ ଆହୁରି ସଂକୁଚିତ ହୋଇ ଆସୁଛି ।

 

ସୂର୍ଯ୍ୟ ମୁହଁରୁ ଝାଳ ପୋଛି କହିଲା, ତୁମକୁ ମନେରଖିବାକୁ ପଡ଼ିବ, ତମେ ଦେବନାଥର ସ୍ତ୍ରୀ । ତାକୁ ସନ୍ତୁଷ୍ଟ କରିପାରିଲେ ତୁମ ନାରୀତ୍ୱର ସାର୍ଥକତା ।

 

ରୁଚି ଆଖିରୁ ଲୁହ ଗଡ଼ିପଡ଼ିଲା । ସେ କହିଲା, ବିବାହିତା ନାରୀର କର୍ତ୍ତବ୍ୟ ବିଷୟରେ ମୋର ଧାରଣା ଅଛି । ସେଥିପାଇଁ ଏଇ ଟିକିଏ ଆଗରୁ ମୁଁ ତୁମକୁ କହିଥିଲି, ଦେବନାଥଙ୍କ ପାଇଁ ମୋର ସମସ୍ତ ଅନୁକମ୍ପା, ତାଙ୍କର ଉନ୍ନତି ମୁଁ କାମନା କରେ । ତାଙ୍କ ଉନ୍ନତିରେ ମୋ ନାରୀତ୍ୱର ବିକାଶ, ତାଙ୍କ ପାଇଁ ସୀମନ୍ତରେ ସିନ୍ଦୁର । କିନ୍ତୁ ତୁମ ପାଇଁ ମୁଁ ଦ୍ୱନ୍ଦର ଶିକାର ହୋଇଛି । ନିଜକୁ ଆଜିସୁଦ୍ଧା ଦୃଢ଼ ରଖିଛି । ମୋତେ ବିଶ୍ୱାସ କର, ସୂର୍ଯ୍ୟ, ମୁଁ ସେଇ ଦୃଢ଼ତା ନେଇ ସବୁଦିନ ବଞ୍ଚିବାପାଇଁ ଚେଷ୍ଟା କରିବି । ତୁମ ପାଖକୁ ଆଉ କେବେ ଆସିବି ନାହିଁ । ମୋତେ କ୍ଷମା କର ।

 

ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଲା ରୁଚି ।

 

ସୂର୍ଯ୍ୟକାନ୍ତ ବି କାନ୍ଦିପକାଇଲା । ତୁମକୁ ଆଘାତ ଦେଲି ବୋଲି ଭାବିବି ନାହିଁ । ଅତୀତକୁ ଭୁଲିଯାଇ କେବଳ ଏତିକି ମନେ ରଖିବ, ବର୍ତ୍ତମାନ ଜୀବନରେ ଆମେ ଦୁଇ ବନ୍ଧୁ, ଜଣେ ନାରୀ ଆଉ ଜଣେ ପୁରୁଷ, କାହାର କାହା ଦେହ ପ୍ରତି ଦୁର୍ବଳତା ନାହିଁ, କିନ୍ତୁ ସୁସ୍ଥ ଜୀବନ ପାଇଁ ପରସ୍ପର ପ୍ରତି ଗଭୀର ହାର୍ଦିକତା ଅଛି ।

 

ହୋଟେଲରୁ ଖାଦ୍ୟ ଚାଲିଆସିଲା । ଗୋଟିଏ ଟେବୁଲରେ ଦୁହେଁ ଖାଇବସିଲେ ।

 

ସୂର୍ଯ୍ୟକାନ୍ତ ହସୁଥିଲା ।

 

ରୁଚି ହସୁଥିଲା ।

 

ଦୁହେଁ ବନ୍ଧୁ ।

 

ସୂର୍ଯ୍ୟକାନ୍ତ କହିଲା, ଦେବନାଥ ସହିତ ତୁମର ଜୀବନକୁ ମଧୁର କରିବାପାଇଁ ମୁଁ ନିଶ୍ଚୟ ଚିତ୍ରାକୁ ସେଠାରୁ ସ୍ଥାନାନ୍ତରିତ କରିବାକୁ ଚେଷ୍ଟା କରିବି । ଆଜିସୁଦ୍ଧା କ୍ଷମତାର ଅପବ୍ୟୟ କରି ମୁଁ ନିଜ ସ୍ୱାର୍ଥସିଦ୍ଧି ପାଇଁ ଦୁର୍ବଳ ହୋଇ ନ ଥିଲି । କେବଳ ତୁମର ମଙ୍ଗଳ ପାଇଁ ମୋତେ ସାମାନ୍ୟ ସ୍ୱାର୍ଥପର ହେବାକୁ ପଡ଼ିବ ।

 

ଏଇ ସନ୍ଧ୍ୟାରେ ଅନେକ ଇଙ୍ଗିତ । ହୁଏତ ବଞ୍ଚିବାପାଇଁ ଚଉମୁହୀଁ ଛକରେ ଅଜଣା ପଥିକ ପରି ଏଇ ସନ୍ଧ୍ୟାରେ ମନ ହଜିଯାଇଛି । ଚାରିଦିଗର ଆହ୍ୱାନ ।

 

ଦିନସାରା କାଳି କଲମରେ ଦିନ କାଟି ବିଶ୍ରାମ ପାଇଁ କିରାଣୀ ଘରକୁ ଫେରିଛି, କିନ୍ତୁ ଘରେ ସେ ବିରାମହୀନ । ଅନେକ ଅଭାବ । ଅଖଣ୍ଡ ଅଭାବକୁ ଭୟ କରି ଅନ୍ଧାରିଆ ସନ୍ଧ୍ୟାରେ ସେ ଲୁଚିବାପାଇଁ ଚେଷ୍ଟା କରୁଛି ।

 

ବାହାରେ ହାଲୁକା ପବନରେ କୃଷ୍ଣଚୂଡ଼ାର ସ୍ତବକ ନାଚୁଛି । ନୂତନ ପ୍ରେମିକ କିଏ ହାତରେ ଉପହାର ଧରି ଲଘୁ ଅନ୍ଧାର ଭିତରେ ସେଇ କୃଷ୍ଣଚୂଡ଼ା ଗଛ ତଳେ ଅପେକ୍ଷା କରିଛି । ମନରେ ଅନେକ ଉତ୍କଣ୍ଠା । ପ୍ରେମିକା ଆସୁଥିବ । କିଛି ଗୋଟାଏ ମିଛକଥାରେ ବାହାନା କରି ଘରୁ ବିଦାୟ ନେବାପାଇଁ ତା ପକ୍ଷରେ ବିଳମ୍ବ ହୋଇଥିବ ।

 

ମୁଣ୍ଡରେ ଫୁଲ ଖୋସୁଥିବ ବରାଙ୍ଗନା । ଅତିଥି ଅଭ୍ୟର୍ଥନା ପାଇଁ ତା ଚିତ୍ତ ଚଞ୍ଚଳ ହୋଇଉଠିଥିବ ।

 

ଏଇ ସନ୍ଧ୍ୟାରେ ଅନେକ କାମନା, ଅନେକ ତୃପ୍ତି, ଆଉ ବି ଅନେକ ଅସ୍ଥିରତା ।

 

ଏକା ଏକା ଚାଲିଥିଲା ସୂର୍ଯ୍ୟକାନ୍ତ ।

 

ଘରେ ସିପ୍ରା ଅସୁସ୍ଥ । ଗାଁରୁ ଫେରିବା ଦିନଠାରୁ ତା ଦେହ ଭଲ ରହୁନି । ଥଣ୍ଡା, କାଶ, ଜର । ଦେହରେ ଉତ୍ତାପ ଭରିରହୁଛି । ସୂର୍ଯ୍ୟର ମନ ସେଥିପାଇଁ ଭଲ ରହୁନି ।

 

ମୁଖ୍ୟମନ୍ତ୍ରୀ ଘରକୁ ଡାକିଛନ୍ତି । ବୋଧହୁଏ କୌଣସି ଗୋପନ ପରାମର୍ଶ ଦେଇପାରନ୍ତି । ସଚିବାଳୟରେ ଆଜି ଦେଖା ହୋଇଥିଲା । କିଛି ନ କହି କେବଳ ମୁହଁ ବୁଲାଇ ହସିଦେଇ ଚାଲିଗଲେ । ତାଙ୍କ ସଙ୍ଗରେ ସେଇ ର’ ମ୍ୟାଟେରିଆଲସ୍‌ କର୍ପୋରେସନର ଜଣେ ଡାଇରେକ୍‌ଟର-

 

ପୁଣି ସେଇ କର୍ପୋରେସନ୍‌ ସହିତ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ସଂପର୍କ କାହିଁକି ? ବିରୋଧୀ ଦଳ ପକ୍ଷରୁ ଯାହା ସବୁ ପ୍ରଚାର ହେଉଛି ତାକୁ ହୁଏତ ସଂପୂର୍ଣ୍ଣ ମିଛ ବୋଲି କହିହେବନି । ପୁରୀ, ରାଉରକେଲା, ଭୁବନେଶ୍ୱର ଏବଂ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କର ଘର ତିଆରି ହେଉଛି । ଏକ ସମୟରେ ଚାରିଟା ବିରାଟ ସୌଧ ! ଚିନ୍ତା କରିପାରିଲା ନାହିଁ ସୂର୍ଯ୍ୟ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାବେଳେ, ସୂର୍ଯ୍ୟକାନ୍ତ ଭଲକରି ଜାଣିଛି, ପ୍ୟାଡ଼ି ପର୍‌ଚେଜିଂ ଏଜେଣ୍ଟ ମୋଫତଲାଲ ପାଖରେ ତାଙ୍କ କଟକ ଘର ବନ୍ଧା ପଡ଼ିଥିଲା । ସ୍ତ୍ରୀଙ୍କ ହାତରୁ ସୁନାଚୂଡ଼ି ବିକ୍ରି ହୋଇଥିଲା । ତଥାପି ଆହୁରି କେତେ କରଜ ଥିଲା । ଝିଅ ବାହାଘର ପାଇଁ ସମ୍ବଳ ନ ଥିଲା ବୋଲି ଯୋଗ୍ୟ ବରପାତ୍ରଟିଏ ଦେଖିପାରିଲେ ନାହିଁ । ଏଇ ସଚିବାଳୟର ଜଣେ ସହକାରୀଙ୍କ ସହିତ ଝିଅକୁ ବାହା ଦେଇଥିଲେ । ବାଦ୍ୟ ନ ଥିଲା, ସମାରୋହ ନ ଥିଲା । ନିରାଡ଼ମ୍ବର ବିବାହ । ସେଦିନ ସୂର୍ଯ୍ୟକାନ୍ତ ଆଦର୍ଶ ଦୃଷ୍ଟିରୁ ସେଭଳି ବିବାହକୁ ସମର୍ଥନ କରିଥିଲା । କିନ୍ତୁ ଅନ୍ୟମାନେ ସମାଲୋଚନା କରିଥିଲେ ।

 

ମାତ୍ର ତିନୋଟି ବର୍ଷ ଭିତରେ ବିରାଟ ପରିବର୍ତ୍ତନ ହୋଇଛି । କ୍ଷମତାକୁ ଆସିବା ପରେ ଜାମାତାଙ୍କ ତିନି ଥର ପଦୋନ୍ନତି ହେଲାଣି । ସୁଦୀର୍ଘ ଭବିଷ୍ୟତ ଅଛି । ଅବସର ସମୟକୁ ନିଶ୍ଚୟ କୌଣସି ବିଭାଗର ସଚିବ ହୋଇପାରିଥିବେ । ଅନ୍ୟ ସହକାରୀମାନେ ସେଇ ଗୋଟିଏ ଆସନରେ ବସିରହିଛନ୍ତି । କଳା ବାଳ ଧଳା ହେଲାଣି, ଉନ୍ନତି ନାହିଁ, ଅବନତି ନାହିଁ । ସେମାନଙ୍କ ଜୀବନ ଜଳୁଛି । ମନରେ ହତାଶ ଭାବ । ପରିବାର ସଂଖ୍ୟା ବଢ଼ିଚାଲିଛି, ରୋଜାଗାର ସୀମିତ । ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବାପାଇଁ ସମ୍ବଳ ନାହିଁ । ସେମାନଙ୍କ ପିଲାମାନେ ଅଧାପାଠରୁ ଫେରିଆସି, ସଘଂ ସମିତି ଗଢ଼ି ସରକାର ବିରୁଦ୍ଧରେ ବିଦ୍ରୋହ କରିବେ । ଜେଲ ଯିବେ, ଲାଠିମାଡ଼ ଖାଇବେ । ଅଥଚ ଏଇ ମୁଖ୍ୟମନ୍ତ୍ରୀଙ୍କ ଅନୁଗୃହୀତ ଆତ୍ମୀୟମାନେ ମଟର ଚଢ଼ି ରାସ୍ତାରେ ଯିବାବେଳେ ସେମାନଙ୍କୁ ସମାଲୋଚନା କରିବେ :

 

ଏମାନେ ସୃଷ୍ଟିଛଡ଼ା–କାହାରିକୁ ଶାନ୍ତିରେ ରଖିଦେବାକୁ ଏମାନେ ଚାହାନ୍ତି ନାହିଁ ଏମାନଙ୍କ ପାଇଁ ଆହୁରି ଶାସ୍ତି ଦରକାର ।

 

ମୁଖ୍ୟମନ୍ତ୍ରୀଙ୍କ କୋଠା ତିଆରି ପାଇଁ କୁଆଡ଼େ ଏଇ ର’ ମ୍ୟାଟେରିଆଲସ୍‌ କର୍ପୋରେସନ୍‌ ନିଜ ଟ୍ରକ୍‌ରେ ଇଟା ସିମେଣ୍ଟ ଲୁହାଛଡ଼ ଇତ୍ୟାଦି ବୋହିଆଣୁଛନ୍ତି । ଅନ୍ୟମାନେ କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୁଆଡ଼େ ଇଟା ସିମେଣ୍ଟର ବି ଦାମ ଦେବାକୁ ପଡ଼ୁନି । ସବୁ ସେଇ କର୍ପୋରେସନ୍‌ର ଉପହାର, ଉତ୍କୋଚ ନୁହେଁ ।

 

ସୂର୍ଯ୍ୟକାନ୍ତକୁ ହସ ମାଡ଼ିଲା । ରାସ୍ତାକଡ଼ରେ ଧାଡ଼ି ଧାଡ଼ି ଆଲୋକର ସମାରୋହ । ରାଜଧାନୀ ଅଳସରେ ଅବଶ ହୋଇପଡ଼ିଛି । ବିଧାନସଭା ଗୃହ, ସଚିବାଳୟ, ସମବାୟ ବିଭାଗର ମୁଖ୍ୟ କାର୍ଯ୍ୟାଳୟ, ଜଳଭଣ୍ଡାର ଏବଂ ପରିଶେଷରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ, ରାଜଧାନୀର ସବୁଠାରୁ ଆକର୍ଷଣୀୟ ସୌଧମାଳା, ଲଜ୍ଜାଶୀଳ ରତିକ୍ଳାନ୍ତ ରମଣୀ ପରି ଘୁମେଇପଡ଼ିଛନ୍ତି । ଉତ୍ତାପ ହ୍ରାସ ପାଇଛି, ତତ୍ପରତା ନାହିଁ । ସମଗ୍ର ରାଜ୍ୟର କେନ୍ଦ୍ରବିନ୍ଦୁ ଏଇ ରାଜଧାନୀ ନିସ୍ପନ୍ଦ ହୋଇ ପଡ଼ିଛି ।

 

ଏମିତି ଏକ ବେଦନାମଥିତ ନିର୍ଜନ ସଂଧ୍ୟାରେ ଯଦି କୋଉ ନାରୀ ସହିତ ଦେଖାହୁଅନ୍ତା, ମୁହଁରେ ଶସ୍ତା ପାଉଡ଼ର ମାଖି, ମୁଣ୍ଡରେ ଫୁଲ ଖୋସି, ହାତକଟା ବ୍ଳାଉଜ ପିନ୍ଧି ଆନତ ସଂଧ୍ୟାର ଏକାକୀ ପାନ୍ଥ ସୂର୍ଯ୍ୟକାନ୍ତକୁ ଦେଖି ପଚାରନ୍ତା, ମୋତେ ଚିହ୍ନିପାରୁଚ, ବାବୁ ?

 

ସୂର୍ଯ୍ୟକାନ୍ତର ପାଟି ଖନିମାରିଯାନ୍ତା । ଭୟାତୁର କଣ୍ଠରେ କହନ୍ତା, ତୁମକୁ... ନା ନା, ଆପଣଙ୍କୁ ଚିହ୍ନିବା ମୋର ନିଷ୍‌ପ୍ରୟୋଜନ । ହୁଏତ ଆପଣ ଜଣେ ସମାଜସେବିକା ଭାବରେ ପରିଚୟ ଦେଇ, ସ୍ୱାଧିକାର ଭାବରେ ଯେକୌଣସି ସମୟରେ ଯେ କୌଣସି ସ୍ଥାନରେ ଭ୍ରମଣ କରିବାର ସୁବିଧା ପାଇଛନ୍ତି । ରାଜଧାନୀର ଲୋକମାନଙ୍କ ପାଖରେ ଆପଣ ହୁଏତ ପରିଚିତା ହୋଇଥିବେ । ମୋତେ କ୍ଷମା କରିବେ, ମୁଁ ଆପଣଙ୍କୁ ଚିହ୍ନିପାରୁନି ।

 

ସେ ହସିବ; କହିବ, ରାଜଧାନୀର ସବୁ ଅବସରବିନୋଦନ କେନ୍ଦ୍ର, ଭୋଜନାଳୟ, ଅତିଥିଶାଳା ଏବଂ ଉଦ୍ୟାନର ନିରୋଳା ରାତିରେ କେତେ ବଡ଼ ବଡ଼ ବାବୁମାନଙ୍କ ସହିତ ମୋର ପରିଚୟ ହୋଇଛି, କିନ୍ତୁ ଆପଣଙ୍କୁ କେବେ ଏଠି ସାକ୍ଷତ କରିପାରିନି, ଅନେକ ଖୋଜିଛି ।

 

ସୂର୍ଯ୍ୟ ଇତସ୍ତତଃ ହୋଇପଡ଼ିବ; ପଚାରିବ, ଆପଣ ମୋତେ ଚିହ୍ନନ୍ତି ?

 

ସେ ହସି ହସି କହିବ, କେବଳ ଚିହ୍ନିନି, ଆପଣଙ୍କ କଥା ଶୁଣିଛି । ଆମ ରାଜନୈତିକ ଦଳ କ୍ଷମତାକୁ ଆସି ଶାସନଭାର ଗ୍ରହଣ କଲେ ଦେଶର ପରିବର୍ତ୍ତନ ହେବ । ଅନାହାରରେ କାହାର ମୃତ୍ୟୁ ହେବନି, ବନ୍ୟା ମରୁଡ଼ିରେ କେହି ବାସ୍ତୁହରା ହେଲେ ତା ପାଇଁ ନିଶ୍ଚୟ ପ୍ରତିକାର କରାଯିବ । ନିଜର ପ୍ରତିଶ୍ରୁତି ଆପଣ ରଖିପାରିନାହାନ୍ତି ।

 

ସୂର୍ଯ୍ୟକାନ୍ତ ଆହୁରି ମର୍ମାହତ ହୋଇ ପଚାରିବ, ଆପଣଙ୍କ ବୟସର ନାରୀ ଏକା ଏକା ଏମିତି ହୋଟେଲ ପାର୍କରେ ରାତି କାଟିବା ଆଦୌ ଶୋଭନୀୟ ନୁହେଁ । ରାଜନୈତିକ ଦଳର ଶାସନ ଶୃଙ୍ଖଳା ସମ୍ପର୍କରେ କଥା କହିବାର ଅଧିକାର ଆପଣଙ୍କର ନାହିଁ ।

 

ସେ ବିଦ୍ରୁପ କରି କହିବ, ଶାସନ ନାଁରେ ବ୍ୟଭିଚାର କରି ଆପଣ ମୋତେ ଘରକୋଣରୁ ପଦାକୁ ଆସିବାପାଇଁ ବାଧ୍ୟ କରିଛନ୍ତି । ନିଜକୁ ବଞ୍ଚେଇ ରଖିବା ପାଇଁ ମୋତେ ଦେହ ବିକ୍ରି କରିବାକୁ ପଡ଼ିଲା । ବଞ୍ଚିବାର କାମନା ପାଖରେ ନାରୀର ଇଜ୍ଜତ ଅର୍ଥହୀନ । ଥରେ ଦେହକୁ ଅପବିତ୍ର କରି ନାରୀତ୍ୱରେ କଳଙ୍କ ଲଗାଇବା ପରେ ଆଉ ଥରେ ସତ୍‌ଚରିତ୍ରା ବୋଲି ଦାବି କରିବାର କୌଣସି ଅର୍ଥ ନାହିଁ ।

 

ମୁଁ ଦେହ ବିକି ମହତ ହରେଇଛି ବୋଲି ଆପଣ ଘୃଣା କରିପାରନ୍ତି; କିନ୍ତୁ ସେଥିପାଇଁ ଆପଣ ଦାୟୀ ରହିବେ ।

 

ସୂର୍ଯ୍ୟକାନ୍ତ କହିବ, ଅଦ୍ଭୁତ ନାରୀ ଆପଣ । ବେଶ୍‌ କଥା କହି ନିଜର ଦୋଷ ଅନ୍ୟ ଉପରେ ଲଦିଦେବାପାଇଁ ଶିକ୍ଷା ପାଇଛନ୍ତି !

 

ଆପଣମାନେ ସେଇ ଶିକ୍ଷା ଦେଇଛନ୍ତି । ଶାସନ ନାଁରେ ଆମକୁ ପ୍ରତାରିତ କରି ମନ୍ତ୍ରୀ ଉପମନ୍ତ୍ରୀ ହୋଇଛନ୍ତି । ଆପଣଙ୍କ ମନଭୁଲା କଥାରେ ଭରସା ରଖି ଆପଣଙ୍କୁ ଭୋଟ ଦେଇଛି, ଆପଣ କ୍ଷମତାର ସମ୍ମାନିତ ଆସନ ଲାଭ କଲାବେଳେ ମୁଠାଏ ଭାତ ପାଇଁ ଦେହ ବିକ୍ରି କରି ସମାଜର ସମସ୍ତ ନିର୍ଲ୍ଲଜ୍ଜତାକୁ ମୁଁ ଗ୍ରହଣ କରିନେଇଛି । ଆପଣଙ୍କ ଦେହର କଳଙ୍କ ମୋ ଦେହକୁ ଧୋଇହୋଇ ଆସିଛି । କ୍ଳବ ହୋଟେଲରୁ ଆପଣ ଭଦ୍ର ହୋଇ ଘରକୁ ଫେରିଛନ୍ତି, ମୁଁ ରାଜରାସ୍ତାରେ ଏକା ଫେରିଛି ରାତିଅଧରେ । ବାବୁରାଓ ମୋର ସ୍ୱାମୀ ବୋଲି ପରିଚୟ ଦେଇ ମୋତେ ତା ପାଖରେ ଆଶ୍ରୟ ଦେଇଛି । ମୋ ଦେହବିକା ଉପାର୍ଜନରେ ସେ ଆପଣଙ୍କ ପରି ବଡ଼ଲୋକ ହେବାର ସ୍ୱପ୍ନ ଦେଖୁଛି । ମୋର କିନ୍ତୁ ଉପାୟ ନାହିଁ । ମୁଁ ସେମିତି ଅସହାୟା, ସେମିତି ନିର୍ଯ୍ୟାତିତା ।

 

ସୂର୍ଯ୍ୟକାନ୍ତର ମୁଣ୍ଡ ଘୂରିଯିବ । ସବୁଆଡ଼େ ଯେମିତି ଦୁର୍ଗନ୍ଧ ଭରିରହିଛି । ନିଶ୍ୱାସ ନେବାପାଇଁ ମୁକ୍ତ ବାୟୁର ଅଭାବ ।

 

କୃଷ୍ଣଚୂଡ଼ା ମଉଳିଗଲାଣି । ସଂଧ୍ୟା ଅତିକ୍ରମ କରିଗଲାଣି ।

 

ସେ ନାରୀ ପୁଣି କହିବ, ଏକୁଟିଆ ନୀରବ ରାଜପଥରେ ଆପଣଙ୍କର କ’ଣ ମୋତେ କିଛି କହିବାପାଇଁ ନାହିଁ ? ଭୟ ନ କରି ଆପଣ କୁହନ୍ତୁ । ମୁଁ ସମସ୍ତଙ୍କୁ ଖୁସି କରି ନିଜେ ନର୍କ ଭୋଗିବାପାଇଁ ଜନ୍ମ ନେଇଛି; ଆପଣଙ୍କୁ ନିରାଶ କରିବିନି ।

 

ସୂର୍ଯ୍ୟକାନ୍ତର ମୁହଁ ଫିକା ପଡ଼ିଯିବ । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଥରିବାକୁ ଲାଗିବ । ସେ ରକ୍ତମୁଖା ହିଂସ୍ରଜନ୍ତୁର ହାବୁଡ଼େ ପଡ଼ିଛି । ପରିତ୍ରାଣର ଉପାୟ ନାହିଁ ।

 

ସେ ନାରୀ କହିବ, ଆପଣ ଏତେ ଭୟାର୍ତ୍ତ ବୋଲି ମୁଁ ଧାରଣା କରି ନ ଥିଲି । ଆପଣଙ୍କ ମୁହଁରୁ ଝାଳ ବାହାରିପଡ଼ିଲାଣି । ଆଖି ଦୁଇଟାରେ ଭୟର ସଂକେତ ଫୁଟିଉଠିଲାଣି ।

 

ମେଳଣ ପଡ଼ିଆରେ ଭାଷଣ ଦେଲାବେଳେ ଆପଣଙ୍କର ଯୋଉ ନିର୍ଭୀକତା ଥିଲା, ଦୃଢ଼ତା ଥିଲା, ରାଜଧାନୀରେ କୁଆଡ଼େ ହଜିଗଲା ? ଜଣାପଡ଼ୁଛି, ଆପଣ ଖୁବ୍‌ ନିରୀହ, ଶାନ୍ତ ।

 

ସୂର୍ଯ୍ୟକାନ୍ତ ଖୁବ୍‌ ବିନୟୀ ହୋଇ କହିବ, ଯଦି କିଛି ଭୁଲ କରିଛି ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କ ନିକଟରୁ ମୁକ୍ତି ଭିକ୍ଷା କରୁଛି ।

 

ସେ କହିବ, ଆପଣଙ୍କ ପରି କ୍ଷମତାରେ ଥିବା ଜଣେ ଉପମନ୍ତ୍ରୀଙ୍କୁ ପଥରୋଧ କରିବାର ଦୁଃସାହସ ମୋର ନାହିଁ । ଆପଣଙ୍କର ଅଖଣ୍ଡ ପରାକ୍ରମ । ଏତିକି ଅନୁରୋଧ, କ୍ଷମତାରେ ରହି ମୋତେ ମନେରଖିଥିବେ । ମୁଁ ଆପଣଙ୍କ ନିର୍ବାଚନମଣ୍ଡଳୀର ଝିଅ, ରାଧୀ; ଅଦିନରେ ମୁଠାଏ ଦାନା ପାଇଁ ରାଜଧାନୀରେ ଦେହକୁ ସମ୍ବଳ କରି ଦୋକାନ ମେଲିଛି ।

 

ସୂର୍ଯ୍ୟକାନ୍ତ ହତାଶ ହୋଇ କେବଳ ଚାହିଁଥିବ, ରାଧୀ ବାଟଭାଙ୍ଗି ଚାଲିଯିବ ।

 

ରାଜପଥରେ ମଟର ଆଲୁଅରେ ରାଧୀର ଦେହ ପୁଣି ଆଲୋକିତ ହୋଇଉଠିବ ।

 

ସୂର୍ଯ୍ୟକାନ୍ତର ମଥା ଘୂରିଗଲା । ମିଛରେ ଏତେଗୁଡ଼ାଏ ସମସ୍ୟା । ମୁଣ୍ଡରେ ଭୁତ ପ୍ରବେଶ କରିଛି ।

 

ମୁଖ୍ୟମନ୍ତ୍ରୀ ଡାକିଛନ୍ତି, ଆଜି ଚୂଡ଼ାନ୍ତ ନିଷ୍ପତ୍ତି ହେବ । ସନାତନ ବିଦ୍ୟାନିକେତନର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ନ ଦେଇ ସେ ଶାସନ ପ୍ରତି ଅବମାନନା କରିଛି । ମୁଖ୍ୟମନ୍ତ୍ରୀ ତା ଉପରେ ଅସନ୍ତୁଷ୍ଟ ହୋଇଛନ୍ତି ।

 

ସାମାନ୍ୟ ବିଳମ୍ବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲା ସୂର୍ଯ୍ୟକାନ୍ତ । ତା’ ପାଇଁ ସେ ଅପେକ୍ଷା କରିଥିଲେ ।

 

ସୂର୍ଯ୍ୟକାନ୍ତ ମନେକରିଥିଲା ମୁଖ୍ୟମନ୍ତ୍ରୀ ତା’ ପ୍ରତି ବିରକ୍ତି ଭାବ ପ୍ରକାଶ କରିବେ; କିନ୍ତୁ ତା’କୁ ସ୍ୱାଗତ ଜଣେଇ ଘରଭିତରକୁ ନେଇଗଲେ, ଯେମିତି ସେ ତାଙ୍କର ଜଣେ ଅତି ସଂପର୍କୀୟ ବ୍ୟକ୍ତି ।

 

ବାଧ୍ୟକରି ଜଳଖିଆ ଖାଇବାକୁ ଦେଲେ । ସଂପୂର୍ଣ୍ଣ ପାରିବାରିକ ରୀତିରେ କାନ୍ଧ ଉପରେ ହାତ ରଖି କହିଲେ, ତୁମେ ଅନେକ ଛୋଟ, ସୂର୍ଯ୍ୟକାନ୍ତ ! ଏତେ ଅଳ୍ପ ବୟସରେ ତୁମର ନିର୍ଭୀକତା ଦେଖି ତୁମ ପ୍ରତି ମୋର ବିଶ୍ୱାସ ହୋଇଛି, ତୁମେ ଅନେକ ଆଗେଇପାରିବ । ତୁମେ ଯେମିତି ଲୋକମାନଙ୍କର ଶ୍ରଦ୍ଧାଭାଜନ ହୋଇଛ, ଭବିଷ୍ୟତରେ ତୁମେ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିବ । ତୁମର ପ୍ରତିଭା ଅଛି, ଆତ୍ମବିଶ୍ୱାସ ଅଛି ।

 

ସୂର୍ଯ୍ୟକାନ୍ତ କହିଲା, ମୋର କିନ୍ତୁ ନିଜ ଉପରେ ଆଉ ବିଶ୍ୱାସ ନାହିଁ । ମନ୍ତ୍ରିମଣ୍ଡଳରେ ଯୋଗ ଦେବାରେ ମୋ ବ୍ୟକ୍ତିତ୍ୱର କ୍ଷୟ ହେଉଛି ବୋଲି ମନେ ହେଉଛି । ରାଜନୀତି କରିବା ଫଳରେ ମୋର ମାନସିକ ସ୍ଥିରତା କ୍ରମଶଃ ହ୍ରାସ ପାଉଛି ।

 

ମୁଖ୍ୟମନ୍ତ୍ରୀ କହିଲେ, ନାଚି ନ ଜାଣିଲେ ଅଗଣାକୁ ଦୋଷ ଦେବାକୁ ଇଚ୍ଛା ହୁଏ । ତୁମ ପାଇଁ ବହୁତ କିଛି ଜାଣିବାକୁ ଅଛି । ସବୁକଥାରେ ନିଜକୁ ବ୍ୟଥିତ କରିବାର କିଛି ଅର୍ଥ ନାହିଁ । ପ୍ରଥମେ ମନେରଖିବାକୁ ପଡ଼ିବ, ଆମେମାନେ ଜଣେ ଜଣେ ସାମାଜିକ ମଣିଷ; ଆମର ନିଜ ନିଜର ସ୍ୱାର୍ଥ ଅଛି ।

 

ସୂର୍ଯ୍ୟ କହିଲା, ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ମୋତେ କିଛିଟା ସ୍ୱାର୍ଥତ୍ୟାଗ କରିବାକୁ ପଡ଼ିବ ବୋଲି ମୋର ଧାରଣା ।

 

ତୁମ ଯୁକ୍ତିକୁ ସମର୍ଥନ କରୁଛି । ଆଜିକାର ସମସ୍ୟାବହୁଳ ଜୀବନରେ ରାଜନୀତି କରି ମଧ୍ୟ ସ୍ଥିରତା ନାହିଁ । ଆସନ୍ତା ନିର୍ବାଚନରେ ଯଦି ଆମ ଦଳ ସଂଖ୍ୟାଗରିଷ୍ଠ ହୋଇ ନିର୍ବାଚନ ଜିଣି ନ ପାରନ୍ତି, ଆମର ସ୍ଥିତି କ’ଣ ହେବ କିଛି ଚିନ୍ତା କରିପାରୁଛ ? ଅବଶ୍ୟ ଆମକୁ ପ୍ରାଣପଣ ଉଦ୍ୟମ କରିବାକୁ ହେବ; କିନ୍ତୁ ନିଶ୍ଚିତ ଭାବରେ ଜୟଲାଭ କରିବା ବୋଲି ଭାବିବା ଉଚିତ ନୁହେଁ । ବର୍ତ୍ତମାନର ସୁଯୋଗକୁ ବ୍ୟବହାର କରି ପ୍ରଥମେ ଆମ ନିଜକୁ ସମୃଦ୍ଧ କରିବାକୁ ହେବ । ତା’ ପରେ ନିର୍ବାଚନରେ ପୁନର୍ବାର ହାରିଗଲେ ବି କିଛି କ୍ଷତି ନାହିଁ ।

 

ସୂର୍ଯ୍ୟକାନ୍ତ ଦୁର୍ବୋଧ୍ୟ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କୁ ଚାହିଁଲା କେବଳ ।

 

ମୁଖ୍ୟମନ୍ତ୍ରୀ କହିଲେ, ଆଦର୍ଶବାଦୀ ମଣିଷ ତମେ । ଦୁନିଆକୁ ଚିହ୍ନିବାପାଇଁ ଅନେକ ସମୟ ତୁମର ଅଛି । ତୁମ ତ୍ୟାଗର ସୁଯୋଗ ନେଇ ଅନ୍ୟମାନେ ଲାଭବାନ୍‌ ହେଲାବେଳେ ତୁମକୁ ନିରାଶ ହେବାକୁ ପଡ଼ିବ । ବୈଠକଘରେ ତୁମ ସହିତ ଆଲୋଚନା ନ କରି ଘରଭିତରକୁ ଡାକିଆଣିଛି । ତୁମେ ମୋର ନିଜର ମଣିଷ । ତୁମକୁ ମୁଁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ସୁଯୋଗ ଦେଇଛି । ପ୍ରଥମେ ତୁମେ ନିଜେ ପରିପୁଷ୍ଟ ହୁଅ ।

 

ସୂର୍ଯ୍ୟକାନ୍ତ କହିଲା, ନିଜ ବିଷୟରେ ଚିନ୍ତା କରିବାପାଇଁ ମୋର ସମୟ ନାହିଁ । ଶାସନର ଜଞ୍ଜାଳରେ ବ୍ୟସ୍ତ ରହି ନିଜକୁ ଭୁଲିବାକୁ ପଡ଼ୁଛି ।

 

ମୁଖ୍ୟମନ୍ତ୍ରୀ କହିଲେ, ନିଜ ପାଇଁ ଖଣ୍ଡେ ଭଲ ଘର କରିଛ ?

 

–ନା ।

 

ନିଜର ଗାଡ଼ି କିଣିଛ ?

 

–ନା । ସମ୍ବଳ ନାହିଁ ।

 

–ତୁମେ ଅପଦାର୍ଥ, ସୂର୍ଯ୍ୟକାନ୍ତ ! ତୁମ ହାତରେ ଯୋଉ ବିଭାଗ ଅଛି, ସେଥିରେ ସମ୍ବଳର ଅଭାବ ନାହିଁ । ତୁମର ଅପାରଗତା ସୁସ୍ପଷ୍ଟ ।

 

ସୂର୍ଯ୍ୟକାନ୍ତ କହିଲା, ଅଗଣିତ ଲୋକଙ୍କ ପ୍ରତି ଅବିଚାର କରି ମୁଁ ନିଜକୁ ସମୃଦ୍ଧ କରିପାରିବି ନାହିଁ ।

 

ମୁଖ୍ୟମନ୍ତ୍ରୀ ହସି ହସି କହିଲେ, କାହା ପ୍ରତି ଅବିଚାର କରିବା କଥା ନୁହେଁ । ଅନ୍ୟମାନଙ୍କ ବିଷୟରେ ବିଚାର କଲାବେଳେ ନିଜ କଥା ମଧ୍ୟ ବିଚାର କରିବାକୁ ପଡ଼ିବ । ଆଜିପର୍ଯ୍ୟନ୍ତ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି, ଗୋଟିଏ ଦୃଷ୍ଟାନ୍ତ ଦେଇପାରିବ, ସେମାନଙ୍କ ଭିତରୁ କିଏ ନିଃସମ୍ବଳ ହୋଇ ରହିଛନ୍ତି ।

 

ସୂର୍ଯ୍ୟକାନ୍ତ କିଛି ଉତ୍ତର ଦେଇପାରିଲାନି ।

 

ମୁଖ୍ୟମନ୍ତ୍ରୀ କହିଲେ, ତୁମେ କ’ଣ ମନେକରୁଛ ସେମାନେ ସମସ୍ତେ ଶାସନ ପ୍ରତି ଅବିଚାର କରିଛନ୍ତି ?

 

ପକେଟରୁ ବାହାର କରି କୋଡ଼ିଏ ହଜାର ଟଙ୍କାର ନୋଟ ଟେବୁଲ ଉପରେ ରଖିଦେଇ ମୁଖ୍ୟମନ୍ତ୍ରୀ କହିଲେ, ତୁମ ପାଇଁ ଏତକ ମୋତେ ସଂଗ୍ରହ କରିବାକୁ ପଡ଼ିଛି । ମୁଁ ଜାଣେ, ତୁମେ ନିଜ ପ୍ରତି ଖୁବ୍‌ ଅବିଚାର କରିଛ । ପ୍ରତିକ୍ରିୟାଶୀଳ ମନୋବୃତ୍ତି ଧରି ଶାସନକ୍ଷେତ୍ରରେ ବାଧା ସୃଷ୍ଟି କରିବା ତୁମର କେବଳ ଚପଳତା, ଶୁଷ୍କ ଆଦର୍ଶବାଦ ।

 

ସୂର୍ଯ୍ୟକାନ୍ତ କହିଲା, ଚପଳତାର ଆଖ୍ୟା ଦେଇ ମୋତେ ଆପଣ ଅପାରଗ ମନେ କରିପାରନ୍ତି; କିନ୍ତୁ ମୋ ଆଦର୍ଶରୁ ଆପଣ ମୋତେ ବିଚ୍ୟୁତ କରିପାରିବେ ନାହିଁ ।

 

ତା’ କାନ୍ଧ ଉପରେ ହାତ ରଖି ମୁଖ୍ୟମନ୍ତ୍ରୀ କହିଲେ, ତୁମ ଆଦର୍ଶ ଉପରେ ପ୍ରଶ୍ନ କରିବା ମୋ’ ପକ୍ଷରେ ଅବାନ୍ତର; ନଚେତ୍‌ ସନାତନ ବିଦ୍ୟାନିକେତନର ଶୁଭ ଦେବାପାଇଁ ତୁମକୁ ମୁଁ ବାଧ୍ୟ କରି ପଠାଇପାରିଥାନ୍ତି । ଜଣେ ବେସରକାରୀ ବ୍ୟକ୍ତି ଦ୍ୱାରା କାର୍ଯ୍ୟାନୁଷ୍ଠାନ କଲାବେଳେ ସନାତନ ମିଶ୍ରେ ଆମ ପ୍ରତି ନିଶ୍ଚୟ ବିରୋଧ ଭାବ ପୋଷଣ କରିଥିବେ । ତାଙ୍କ ହାତରେ ବହୁତ ଭୋଟ । ସେଇ ଭୋଟ ପାଇଁ ତାଙ୍କୁ ପୁଣି ଆମ ଦଳପ୍ରତି ଅନୁରକ୍ତ କରିବାକୁ ପଡ଼ିବ ।

 

ସୂର୍ଯ୍ୟକାନ୍ତ କହିଲା, ମୁଁ ଜାଣିଥିଲି, ଆପଣଙ୍କ ନିକଟକୁ ଆସି ମୋତେ ଗୋଟାଏ ଝଡ଼ର ସମ୍ମୁଖୀନ ହେବାକୁ ପଡ଼ିବ । ଟଙ୍କା ଦେଇ ମୋ’ର ବ୍ୟକ୍ତିତ୍ୱକୁ କିଣିବା ଭଳି ଅପଚେଷ୍ଟା କରିବାର ଧୃଷ୍ଟତା ପାଇଁ ମୁଁ ଆଦୌ ଆପଣଙ୍କୁ କ୍ଷମା ଦେଇପାରିବି ନି । ଆବଶ୍ୟକ ପଡ଼ିଲେ, ବିଧାନସଭାରେ ଆପଣଙ୍କୁ ପ୍ରଶ୍ନ ପଚାରିବି, ମାତ୍ର ତିନିବର୍ଷ ଭିତରେ ଆପଣ ଏତେ ସମ୍ବଳ ସଂଗ୍ରହ କଲେ କେମିତି ?

 

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଦୁର୍ବଳତାର ସଂକେତ ଫୁଟିଉଠିଲା । ଟେବୁଲ ଉପର ଫୁଲତୋଡ଼ାରୁ ଗୋଟାଏ ସୁନ୍ଦର ଗୋଲାପଫୁଲ ଛିଣ୍ଡେଇନେଇ ଦୁଇ ପାପୁଲି ଭିତରେ ଚକଟିମନ୍ଥି ଦୁରକୁ ଫିଙ୍ଗିଦେଲେ ।

 

କୁସନ୍‌ ଉପରେ ପଡ଼ିଥିଲା କୋଡ଼ିଏ ହଜାର ଟଙ୍କାର ନୋଟ୍‌ ।

 

ବାଷ୍ପାକୁଳ କଣ୍ଠରେ ମୁଖ୍ୟମନ୍ତ୍ରୀ କହିଲେ, ତୁମକୁ, ସୂର୍ଯ୍ୟକାନ୍ତ, ମୁଁ ପୁଅ ପରି ଦେଖିଆସିଛି, ପାଖରେ ବସେଇ ରାଜନୀତି ଶିକ୍ଷା ଦେଇଛି, ମଣିଷ ପରି ମଣିଷ ହେବାପାଇଁ ପରାମର୍ଶ ଦେଇଛି; ତଥାପି ତୁମେ ମୋ’ ପ୍ରତି କଠୋର ହୋଇପାରୁଛ !

 

ସୂର୍ଯ୍ୟକାନ୍ତ କହିଲା, ଆପଣଙ୍କ ପ୍ରତି ମୋ’ର ସମ୍ମାନ ରହିଛି । ବୟସ ହେବା ପରେ ପୁଅକୁ ଅମର୍ଯ୍ୟାଦା କରି ବାପର କଥା କହିବା ଉଚିତ ନୁହେଁ । ଆପଣ ମୋ’ ବ୍ୟକ୍ତିତ୍ୱକୁ ଉପହାସ କରୁଛନ୍ତି । ପ୍ରତିବାଦ କରିବା ପାଇଁ ମୋ’ର ଅନେକ କାରଣ ଅଛି । ଯୋଉ ରାଜ୍ୟରେ ଭାତ ମୁଠାଏ ପାଇଁ ଘରକଣରୁ ଝିଅବୋହୁ ବାହାରିଆସି ହାଟ ବଜାରରେ ଦେହ ବିକ୍ରି କରିପାରୁଛି, ସେଇ ରାଜ୍ୟର ରାଜକୋଷ ଖାଲି କରି କୋଡ଼ିଏ ହଜାର ଟଙ୍କା ନେବାପାଇଁ ମୋ’ ବିବେକ ପ୍ରତିରୋଧ କରୁଛି ।

 

ଝରକା ଆରପାଖ ମଧୁମାଳତୀ ଲତାରେ ଜ୍ୟୋତ୍ସ୍ନା କ୍ରୀଡ଼ା କରୁଥିଲା । ବାହାରେ ଅଗଣିତ ସୁଗନ୍ଧ ଫୁଲର ମହକ ପବନରେ ଖେଳିବୁଲୁଥିଲା । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାର ଫୁଲ ବଗିଚାରେ ମଧ୍ୟ ସରକାରଙ୍କର ଅନେକ ବ୍ୟୟ ।

 

ସୂର୍ଯ୍ୟକାନ୍ତ କହିଲା, ଆପଣଙ୍କ ପ୍ରତି ମୋର କୃତଜ୍ଞ ଭାବ ରହିଛି ବୋଲି ପ୍ରତିଶ୍ରୁତି ଦେଉଛି-। ଆଜିକାଲିର ଘଟଣାକୁ ବାହାରେ ପ୍ରକାଶ କରି ଆପଣଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବି ନାହିଁ । କିନ୍ତୁ ଆପଣଙ୍କ ଦୁର୍ନୀତିଗ୍ରସ୍ତ ମନ୍ତ୍ରିମଣ୍ଡଳରେ ମୁଁ ଜଣେ ସଦସ୍ୟ ହୋଇ ରହିବାକୁ ଇଚ୍ଛା କରେ ନା । ମୁଁ ଇସ୍ତଫାପତ୍ର ପଠାଇଦେଉଛି । ମୋତେ କ୍ଷମା ଦେବେ ।

 

ମୁଖ୍ୟମନ୍ତ୍ରୀ ପଛରୁ ଡାକୁଥିଲେ ।

 

ସୂର୍ଯ୍ୟକାନ୍ତ ଉଠି ବାହାରକୁ ଚାଲିଆସିଲା ହତା ପାର ହୋଇ ରାଜପଥ ଧରିଲା । ଆକାଶରେ ଅଗଣିତ ତାରାର ହୀରାକଢ଼ । ରାସ୍ତାର ଦୁଇ କଡ଼ରେ ଘୁମନ୍ତ କୃଷ୍ଣଚୂଡ଼ାର ଶିଥିଳ ସ୍ତବକ, ନିଅନ୍‌ ଆଲୋକସ୍ତମ୍ଭ । ତଳେ ମାଟିଗୋଡ଼ରେ ଧରିତ୍ରୀ । ଚାରିପଟେ ମୁକ୍ତ ପବନ ।

 

ସୂର୍ଯ୍ୟକାନ୍ତ ମୁଣ୍ଡରୁ ଭୁତ ଓହ୍ଲାଇ ଯାଇଛି । ଏଣିକି ସେ ସାଧାରଣ ମଣିଷ । ସମସ୍ତଙ୍କ ପରି ସେ ନିଜେ ଶାସିତ ହେବ । ନିର୍ଯ୍ୟାତନା ଭୋଗ କରିବ । ଦୁର୍ବଳ ଶାସନ ପାଇଁ ସାମାଜିକ ବନ୍ଧୁ ସରୋଜବାବୁ ତାକୁ ଆଉ ଅପେକ୍ଷା କରି ପାରିବେ ନାହିଁ । ଦେବନାଥର ବଦଳି ପାଇଁ ରୁଚି ଏଣିକି ତା’ ଉପରେ ଅଭିମାନ କରିବ ନାହିଁ ।

 

କାଲି ସକାଳେ ଇସ୍ତଫାପତ୍ର ପଠାଇବା ପୂର୍ବରୁ ସରକାରୀ ଘର ଖାଲିକରି ଏମ୍‌. ଏଲ୍‌. ଏ. କ୍ୱାଟର୍ସକୁ ଚାଲିଯିବାକୁ ହେବ । ଯଦି ସେଠି ସ୍ଥାନର ଅଭାବ ହୁଏ, ତେବେ ଫେରିଯିବାକୁ ହେବ ତାକୁ ।

 

ଗାଁରେ ଢେର ଢେଉକା ଧାନଗଛ ପବନରେ ଲୋଟି ପଡ଼ୁଥିବ । ଭଗବତ ଘରେ ପୁରାଣ ପଢ଼ା ହେଉଥିବ । ବୁଢ଼ା କେତେଜଣ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ପୁରାଣ ଶୁଣୁଥିବେ । ବାହାର ପିଣ୍ଡାରେ ଟୋକାମାନେ ପଞ୍ଚାୟତ ସମିତି କିମ୍ବା ଗ୍ରାମ ପଞ୍ଚାୟତ ରାଜନୀତି ନେଇ ବ୍ୟସ୍ତ ଥିବେ ।

 

ଗାଁ ଦାଣ୍ଡରେ ମେଳନ ଚାନ୍ଦା, ଚନ୍ଦନଯାତ୍ରାର କ୍ଷୟକ୍ଷତି ପାଇଁ ନିଶାପ ବସିଥିବ ।

 

ସୂର୍ଯ୍ୟକାନ୍ତ କାହାରିକୁ କିଛି ନକହି ଚୁପ୍‌ ହୋଇ ପୁରାଣ ଶୁଣିବ । ରାତି ବଢ଼ିଗଲେ ଘରକୁ ଫେରିଯାଇ ଶୋଇପଡ଼ିବ । ସିପ୍ରା ଶୋଇଲା ଶେଯରେ ମୁଲିଆ ମଜୁରୀ, ବିରି କୋଳଥର ହିସାବ ଶୁଣେଇବ ।

 

ମନ ଭିତରେ ହସିଲା ସୂର୍ଯ୍ୟକାନ୍ତ । ଫେରିଲା ବାଟରେ ଯଦି ସତରେ ରାଧୀ ସହିତ ଦେଖା ହୁଏ, ସେ କହିବ, ତୁମପରି ମୁଁ ବି ଅବହେଳିତ, ଦୁଃସ୍ଥ । ଗଣତନ୍ତ୍ରକୁ ଉପଯୋଗ କରି ନ ପାରି ଯୋଉମାନେ କୀଟପରି ଦେଶର ମେରୁଦଣ୍ଡ ଶୋଷି ନେଇଛନ୍ତି ସେମାନଙ୍କୁ ପଚାର, ସେମାନେ ରବିଦାସକୁ ଚିହ୍ନିଛନ୍ତି ?

 

ରବିଦାସ ମରିକରି ଆମ ଭିତରେ ବଂଚି ରହିଛି ।

 

ଏମାନେ ବଂଚିରହି ସୁଦ୍ଧା ଆମ ମନରୁ ମରିଗଲେଣି ।

 

ସିପ୍ରା କ’ଣ ଖୁସି ହେବ ସୂର୍ଯ୍ୟକାନ୍ତ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛି ? ଉପମନ୍ତ୍ରୀ ପତ୍ନୀ ଭାବରେ ସେ ଏକ ସ୍ୱତନ୍ତ୍ର ଆସନ ପାଇଥିଲା । ବର୍ତ୍ତମାନ ସେ ମାତ୍ର ଜଣେ ବିଧାନସଭା ସଦସ୍ୟର ପତ୍ନୀ ଭାବରେ ପରିଚିତା ହେବ । ଅରୁଭାଇଙ୍କ ପୁଅର ଚାକିରୀ ପାଇଁ ସେ ଆଉ ବାଧ୍ୟ କରିପାରିବ ନାହିଁ । ହୁଏତ ମନେ ମନେ କହିବ ଉପମନ୍ତ୍ରୀଙ୍କ ଦାୟିତ୍ୱ ସମ୍ପାଦନ କରି ନପାରି ତା’ ସ୍ୱାମୀ ଇସ୍ତଫା ଦେଇଛନ୍ତି । ସୂର୍ଯ୍ୟକାନ୍ତର ପୁରୁଷତ୍ୱ ପ୍ରତି ହୁଏତ ମନ ଭିତରେ ଆକ୍ଷେପ କରିବ ।

 

ସିପ୍ରାକୁ ଜର । ଦେହ ଭଲ ନ ଥିଲା, ହୁଏତ ଶୋଇଥିବ ।

 

ସୂର୍ଯ୍ୟକାନ୍ତ ତା’ କପାଳରେ ହାତମାରି କହିବ, ଏଥର ମୁଁ ତୁମ ପାଖରେ ବସି ସୁଶ୍ରୁଷା କରି ପାରିବି, ମୋର ବାହାରେ ବିଶେଷ କିଛି ଜଞ୍ଜାଳ ନାହିଁ । ତୁମେ ଭଲ ହୋଇଗଲେ, ଆମେ ସାଙ୍ଗ ହୋଇ ରାଜଧାନୀରେ ସନ୍ଧ୍ୟାବେଳେ ଚାଲି ଚାଲି ବୁଲିବା । ତାରାମାନଙ୍କର ଝିଲିମିଲି ସୁନା ତାରରେ ଆମ ମନ ସଙ୍ଗୀତର ଝଙ୍କାର ନିସ୍ତବ୍‌ଧ ଆକାଶରେ ପ୍ରତିଧ୍ୱନିତ ହେବ ।

 

ରାଜରାଣୀ ମନ୍ଦିର ପଛପାଖ ଫୁଳ ବଗିଚାରେ ଆମେ ସନ୍ଧ୍ୟା କାଟିବା । ଦୁଇଟି କପୋତ କପୋତୀ । ଚଞ୍ଚୁରେ ଚଞ୍ଚୁ ଘଷି କାନ ପାଖରେ କଥା କହିବା– ତୁମେ କଥା ଶୁଣୁଶୁଣୁ ମୋ କାନ୍ଧ ଉପରେ ଘୁମେଇ ପଡ଼ିବ ।

 

ସ୍ୱପ୍ନର ସୁନା ସୂତା ଧରି ଧରି ଆମେ ଆକାଶକୁ ଉଠିବା । ମୁଁ ତୁମ ହାତ ଧରିଥିବି । ତୁମେ ଭୟ କରୁଥିବ ।

 

ସୂର୍ଯ୍ୟକାନ୍ତ ମନେ ମନେ ଲଜ୍ଜିତ ହୋଇପଡ଼ିଲା । ଏତେ ଦୁର୍ବଳ ବ୍ୟକ୍ତିତ୍ୱ ନେଇ ମଣିଷ ବଂଚି ପାରେନା । ସିପ୍ରା ପାଇଁ ଏତେ ଦୁର୍ବଳତା କାହିଁକି ?

 

ନିର୍ଜୀବ ରାଜଧାନୀ ଘୁମେଇ ପଡ଼ିଛି ।

 

ଘରକୁ ଫେରିଯିବାକୁ ସୂର୍ଯ୍ୟକାନ୍ତର ଇଚ୍ଛା ହେଉନାହିଁ । ରାତି ପାହିଲେ ଘର ଛାଡ଼ିଦେବାକୁ ପଡ଼ିବ ।

 

ରାଜନୀତି କେତେଜଣ ବଦମାସ ଲୋକଙ୍କର କ୍ରୀଡ଼ାକ୍ଷେତ୍ର ବୋଲି ଯେଉଁ ଦାର୍ଶନିକ ଅନୁଭବ କରିଥିଲେ, ତାଙ୍କୁ ପ୍ରକୃତରେ ସନ୍ଧାନି କହିବା ଯଥାର୍ଥ ହେବ ।

 

ପୁଣି ସମର୍ଥନ କରି ପାରିଲାନି ସୂର୍ଯ୍ୟକାନ୍ତ । ରବିଦାସ ଏବଂ ମଦନବାବୁ ଯୋଉ ରାଜନୀତି କରୁଥିଲେ, ସେଥିରେ ଥିଲା ତ୍ୟାଗ, ଉତ୍ସର୍ଗ ଏବଂ ଆତ୍ମବଳୀ । ସେମାନଙ୍କୁ କ’ଣ ବଦମାସ ବୋଲି କୁହାଯିବ ?

 

ରବିଦାସଙ୍କ ଦେହ ଏଇ ମାଟିରେ ମିଶିଛି । ରେଣୁ ରେଣୁ ମାଟି । ସେଇ ମାଟିରେ ଗଛ ଉଠିଛି । ଫୁଲ ଫୁଟିଛି । ଫସଲ ଲୋଟିଛି । ସେଇ ଫସଲ ଖାଇ ଆମେ ପରିପୁଷ୍ଟ ହୋଇଛୁ । ମଣିଷ ସମାଜ ବଂଚି ରହିଛି । ରବିଦାସଙ୍କ ଦେହର ରକ୍ତ ପ୍ରତ୍ୟେକ ମଣିଷର ଧମନୀରେ ପ୍ରବାହିତ ହେଉଛି ।

ରାଧୀ ଧମନୀରେ ସେଇ ରକ୍ତ ।

ମୁଖ୍ୟମନ୍ତ୍ରୀଙ୍କ ଧମନୀରେ ହୁଏତ ସେଇ ରକ୍ତ ।

ରବିଦାସ ସହୀଦ । ନିଜକୁ ବଳି ଦେଇ କୋଟି କୋଟି ଜୀବନର ଫୁଲକୁ ଦୁଇ ହାତରେ ଅଂଜଳି ଭରି ଟେକି ଦେଇଥିଲେ । ମଣିଷ ଜୀବନ, ଦେବତାର ପୂଜା ଫୁଲ ପରି ପବିତ୍ର, କଳଙ୍କହୀନ ।

ମୁଖ୍ୟମନ୍ତ୍ରୀ କହୁଛନ୍ତି, କୋଟି କୋଟି ଜୀବନକୁ ନିରାଶ କରି ନିଜ ଜୀବନକୁ ସରସ କରିବେ । ମଣିଷ ଜୀବନ ଅସନା ଅଳିଆଗଦାର ପୋକପରି ଛୋଟ, ଘୃଣ୍ୟ ।

ରବିଦାସର ଟୋପା ଟୋପା ରକ୍ତ ଯୋଉ ମାଟି ଉପରେ ନିଗିଡ଼ି ପଡ଼ିଥିଲା, ସେଇ ମାଟି ଉପରେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ନିର୍ବିକାର ଭ୍ରାନ୍ତିହୀନ ଶାସନ ।

ରବିଦାସ ମରିଯାଇଛନ୍ତି । ଜୀବନର ନିର୍ଯ୍ୟାସ ଉଡ଼ିଯାଇଛି ।

ଆଜି ମଣିଷ ବଞ୍ଚି ରହିଛି, ହତାଶାର ଗୀତ ଗାଇ, ଉପକୃତ ଜୀବନର ଅଭିନୟ କରି, ବୟସକୁ କ୍ଷୟ କରିବାପାଇଁ । ବୟାଳିଶର ଅଙ୍ଗନିଭା କାହାଣୀ ଇତିହାସର ଅଦରକାରୀ ପୃଷ୍ଠା ଭିତରେ ପାଶୋର ପଡ଼ିଲାଣି । ରବିଦାସର ରକ୍ତ ମାଟି ଉପରୁ ଧୋଇଗଲାଣି ।

ଉପରେ ଉଡ଼ାଜାହାଜ ଉଡ଼ିଗଲା । ନୀଳ ଲାଲ ରଙ୍ଗୀନ ଆଲୁଅ । ମେଘତଳେ ପହଁରିଗଲା । ଏଇ ରାଜଧାନୀ–ବିମାନଘାଟୀରେ ହୁଏତ ଅବତରଣ କରିବ । ଯାତ୍ରୀବାହୀ ବିମାନ । ସବୁଦିନ ଏଇ ସମୟକୁ ଆସେ ।

ଏଇ ସମୟରେ ସୂର୍ଯ୍ୟକାନ୍ତ ବଳକା ରାଜନୈତିକ କାମ କରିବାରେ ବ୍ୟସ୍ତ ଥାଏ । ଖୋଲା ଝର୍କାବାଟେ ଦୂର ଆକାଶ ଦିଶେ । ଏଇ ଜାହାଜର ନୀଳ ଲାଲ ଆଲୁଅ ଦିଶେ ।

ଦିନେ ଦିନେ ସିପ୍ରା ପଚାରେ । ଯେଉଁମାନେ ଉଡ଼ାଜାହାଜରେ ଯାତାୟାତ କରନ୍ତି, ସେମାନେ ନିଶ୍ଚୟ ବଡ଼ଲୋକ ହୋଇଥିବେ । ତାଙ୍କର ଉଡ଼ାଜାହାଜରେ ଯାତ୍ରା କରିବା ଫଳରେ କେବଳ ବଡ଼ଲୋକ ଅଭିମାନ ଜଣାପଡ଼େ ନା, ସେଭଳି ଜରୁରୀ କିଛି କାମ ଥାଏ ।

ସୂର୍ଯ୍ୟକାନ୍ତ ହସିଦେଇ କହେ, ତୁମେ ଭାରି ଚପଳ ସିପ୍ରା ।

 

ରାତି ଦଶଟା ହେଲାଣି । ଆଜି ଘରକୁ ଫେରିଲା ବେଳକୁ ସିପ୍ରା ତା’ର ଅସୁସ୍ଥ–ଅବଶ ଶରୀରକୁ ବିଶ୍ରାମ ଦେବାପାଇଁ ନିଦରେ ଶୋଇ ପଡ଼ିଥିବ ।

 

ଘରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଗଲା ସୂର୍ଯ୍ୟକାନ୍ତ । ତାଙ୍କ ରାଜନୈତିକ ଦଳର ରାଜ୍ୟସ୍ତରୀୟ ସଭାପତି ଅପେକ୍ଷା କରିଛନ୍ତି ।

 

...ଆପଣ ?

 

ସଭାପତି କହିଲେ, ହଠାତ୍‌ ଆବଶ୍ୟକ ପଡ଼ିଲା । ଟେଲିଫୋନ୍‌ରେ କଥାବାର୍ତ୍ତା କରି ହୋଇ ନଥାନ୍ତା, ତେଣୁ ନିଜେ ଆସିବା ପାଇଁ ବାଧ୍ୟ ହେଲି ।

 

ସୂର୍ଯ୍ୟ କହିଲା, ରାତି ଦଶଟାରେ ନ ଆସି କାଲି ଆସିଥିଲେ ବରଂ ଭଲ ହୋଇଥାନ୍ତା ।

 

ସଭାପତି କହିଲେ, ମୁଖ୍ୟମନ୍ତ୍ରୀ ମୋତେ ଟେଲିଫୋନ୍‌ରେ କହିଲେ, ତୁମେ କୁଆଡ଼େ ତାଙ୍କୁ ଅପମାନିତ କରି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ଭୟ ଦେଖାଇଛ ।

 

ସୂର୍ଯ୍ୟ କହିଲା, ମୁଁ ବରଂ ଅପମାନିତ ହୋଇଛି ବୋଲି ନିଜ ଇଚ୍ଛାରେ ଇସ୍ତଫା ଦେବାପାଇଁ ସ୍ଥିର କରିନେଇଛି । ଏତେ ଶୀଘ୍ର ଆପଣ କଷ୍ଟ କରି ମୋ ପାଖକୁ ନ ଆସି ମୋତେ ଡକାଇଥିଲେ ମୁଁ ବରଂ ଆପଣଙ୍କ ପାଖକୁ ଯାଇପାରିଥାନ୍ତି ।

 

ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଟେଲିଫୋନ୍‌ ପାଇ ମୁଁ ହଠାତ୍ ଗାଡ଼ି ନେଇ ବାହାରି ଆସିଲି । ଡ୍ରାଇଭରକୁ ଡାକିବାପାଇଁ ମଧ୍ୟ ସମୟ ନେଇନାହିଁ । ଚାଲି ଚାଲି ଆସିବା ପାଇଁ ବୋଧେ ତୁମର ଡେରିହେଲା ।

 

ସୂର୍ଯ୍ୟ କହିଲା, ସେ ମୋତେ କୋଡ଼ିଏ ହଜାର ଟଙ୍କା ଲୋଭ ଦେଖାଇ ମୋ ବ୍ୟକ୍ତିତ୍ୱକୁ କିଣିବାପାଇଁ ଯେଉଁ ନିଷ୍ଫଳ ଉଦ୍ୟମ କରୁଥିଲେ, ସେ ବିଷୟରେ ବୋଧେ କିଛି କହିନାହାନ୍ତି !

 

ସଭାପତି କହିଲେ, ତାଙ୍କର ଅଭିଜ୍ଞତା ନାହିଁ । ତୁମର ଗାଡ଼ିଖଣ୍ଡେ ନାହିଁ ବୋଲି ତୁମେ ଚାଲି ଚାଲି ଘରକୁ ଫେରୁଛ, ଘର ଖଣ୍ଡେ ନାହିଁ ବୋଲି ବ୍ୟଥିତ ଅଛ, ଏତେଦିନ ଉପମନ୍ତ୍ରୀ ରହି କିଛି ସମ୍ବଳ ସଂଗ୍ରହ କରିପାରିନ । କୋଡ଼ିଏ ହଜାର ଟଙ୍କା ତୁମର କୌଣସି କାମରେ ଲାଗି ପାରିବ ନାହିଁ ବୋଲି ତାଙ୍କର ଧାରଣା କରିବା ଉଚିତ ଥିଲା ।

 

ସୂର୍ଯ୍ୟ କହିଲା, ଆପଣ କ’ଣ ମନେ କରିଛନ୍ତି...

 

ସଭାପତି କହିଲେ, ମୁଁ ଜାଣିଛି ସୂର୍ଯ୍ୟ, ତୁମ ମନକଥା । ମୋର ବି ଦିନେ ତୁମଭଳି ବୟସ ଥିଲା । ଆକାଶର ଜହ୍ନରେ ଫୁଟାଫୁଲର ସୌରଭରେ ହଜିଯିବାକୁ ଇଚ୍ଛା ହେଉଥିଲା । ଜୀବନକୁ ଉପଭୋଗ କରିବାପାଇଁ ପ୍ରବଳ ଇଚ୍ଛା ହେଉଥିଲା । ସାମାଜିକ କାମ କରି ଅନ୍ୟ ପକ୍ଷରେ ଆଦର୍ଶବାଦୀ ହେବାପାଇଁ ମନରେ ଉତ୍ତେଜନା ଆସୁଥିଲା । ଅନ୍ୟ ମୁହଁରୁ ସୁନାମ ଶୁଣିବାପାଇଁ ସମସ୍ତଙ୍କୁ ଭଲ ଲାଗେ । ମୋତେ ବି ସେଥିପାଇଁ ଭଲ ଲାଗୁଥିଲା । ତୁମର ବର୍ତ୍ତମାନ ସେଇ ବୟସ-। ଉପମନ୍ତ୍ରୀ ହୋଇଛ ବୋଲି ବୟସର ନିଶା ଦୂରେଇ ଯିବନି ।

 

ସୂର୍ଯ୍ୟକାନ୍ତ କହିଲା, ବିଶ୍ୱାସ କରନ୍ତୁ, ମୁଁ କିଛି ଇଚ୍ଛା କରେନି ।

 

ହସିଲେ ସଭାପତି । ମନଖୋଲା ଝଲକାଏ ହସ । ନ କହିଲେ ବି ମୁଁ ବୁଝିପାରୁଛି । ଅଳ୍ପ ବୟସରେ ତୁମ ଉପରେ ଅନେକ ଜଞ୍ଜାଳ ଲଦିଦିଆହୋଇଛି । ମୋର ବିଶ୍ୱାସ ଅଛି ତୁମ ଉପରେ, ତୁମକୁ ନେଇ ଆମ ରାଜନୈତିକ ଦଳର ବିଜୟ ହେବ । ବର୍ତ୍ତମାନ କ୍ଷେତ୍ରରେ କିଛି ଦିନ ତୁମର ଅବସର ନେବା ଉଚିତ । ନୂଆକରି ବିବାହ କରିଛ, ନିଜକୁ ଉପଲବ୍‌ଧି କରିବା ପାଇଁ ସୁଯୋଗ ପାଇପାରୁନ । ମୁଖ୍ୟମନ୍ତ୍ରୀଙ୍କୁ କହିଛି, କିଛିଦିନ ପାଇଁ ତୁମକୁ କାଶ୍ମୀର ପଠାଇବାକୁ ସେ ବ୍ୟବସ୍ଥା କରିବେ । ସିପ୍ରାକୁ ସଙ୍ଗରେ ନେଇ ଯିବ, ଆଉ ସେହି ଅବସରରେ ମୁଁ ପ୍ରତିଶ୍ରୁତି ଦେଉଛି, ତୁମପାଇଁ ରାଜଧାନୀରେ ଖଣ୍ଡେ ଭଲ ଘର ଏବଂ ଖଣ୍ଡେ ମୋଟର ଗାଡ଼ିର ବ୍ୟବସ୍ଥା କରିବି ।

 

ତୁମ ଉପରେ ଲୋକଙ୍କର ଅଟଳ ବିଶ୍ୱାସ ଅଛି । ମନ୍ତ୍ରିମଣ୍ଡଳରେ ତୁମକୁ ରହିବାକୁ ହେବ ।

 

ସୂର୍ଯ୍ୟକାନ୍ତ ନିଜକୁ ଚାହିଁଲା, ସତରେ କ’ଣ ସେ ଏତେ ଶକ୍ତିଶାଳୀ ? ଏଇ ମାତ୍ର ଜୀବନର ଆରମ୍ଭ । ଆଗରେ ଅଛି ବିରାଟ ଭବିଷ୍ୟତ । ସୁଯୋଗ ମିଳୁଛି । ହରେଇ ବସିଲେ ହୁଏତ ଦିଗହଜା ନାବିକ ପରି ଭବିଷ୍ୟତରେ ଅନନ୍ତ ସାଗରରେ ନିଜର ଅବସ୍ଥିତିକୁ ସ୍ଥିର କରିହେବନି ।

 

ପଛରେ ରବିଦାସଙ୍କ ଆଦର୍ଶ । ମଦନବାବୁ ନିଷ୍ଠା, ବନ୍ୟାମରୁଡ଼ି ପ୍ରପୀଡ଼ିତ ଜନତାର ଆର୍ତ୍ତ ଚିତ୍କାର । ମୁଠାଏ ଦାନାପାଇଁ ଆକୁଳରେ ସେମାନେ ଚାହିଁ ବସିଛନ୍ତି । ତାଙ୍କର କଙ୍କାଳସାର ଦେହରୁ ରକ୍ତ ଚିପୁଡ଼ି ରାଜଧାନୀରେ କୋଠାଘର କରି ଗାଡ଼ି ଚଢ଼ିଲେ, ରବିଦାସଙ୍କ ଆତ୍ମା ଶାନ୍ତି ପାଇପାରିବନି ।

 

ସୂର୍ଯ୍ୟକାନ୍ତ ଦେହରୁ ଗୋଟାଏ ଝାଳ ବୋହିଗଲା । ଛାତ୍ରଜୀବନରୁ ଧୋତି ପିନ୍ଧି ଆଦର୍ଶବାଦୀ ଭାବରେ ଜୀବନ ଗଢ଼ିଛି । ଆଜି ପରୀକ୍ଷା ପାଇଁ ସମୟ ଆସିଛି ।

 

ସୂର୍ଯ୍ୟ ମୁହଁରେ ଇତସ୍ତତଃ ଭାବ । ସଭାପତିଙ୍କୁ କିଛି ଉତ୍ତର ଦେଇ ହେଉ ନି । ତା’ ମୁହଁକୁ ଚାହିଁଛନ୍ତି ସଭାପତି । ତାଙ୍କ ମୁହଁରେ ହସ ଫୁଟିଉଠୁଛି । ସୂର୍ଯ୍ୟ ଝାଳ ପୋଛୁଛି ।

 

ସଭାପତି କହିଲେ, ତୁମେ ଅବାଧ୍ୟ ହେବ ନି ବୋଲି ମୋ’ର ବିଶ୍ୱାସ ଥିଲା । ତୁମପାଇଁ ବିବ୍ରତ ହୋଇ ମୁଖ୍ୟମନ୍ତ୍ରୀ ମୋ’ ପାଖକୁ ଟେଲିଫୋନ୍‌ କରିଥିଲେ । ମୁଁ ବିଦାୟ ନେଉଛି । ରାତି ଅନେକ ହେଲାଣି । ମୋ ପ୍ରତିଶ୍ରୁତି ରକ୍ଷା ପାଇଁ ଶୀଘ୍ର ଚେଷ୍ଟା କରିବି ।

 

ଚାଲିଗଲେ ସଭାପତି ।

 

ଘରଭିତରକୁ ଯାଇପାରିଲା ନି ସୂର୍ଯ୍ୟକାନ୍ତ । ସେଇ ବୈଠକଘରେ ବସିରହିଲା । ମୁହଁରେ ଫୁଟିଉଠୁଥିଲା ଅନେକ ବ୍ୟଞ୍ଜନା, ଅନେକ ଆଶା ନିରାଶାର ପ୍ରଶ୍ନ । ସିପ୍ରାକୁ ଦେଖିବାପାଇଁ ମନରେ ବ୍ୟଗ୍ରତା ନ ଥିଲା । ସେ ଶୋଇଯାଇଛି ନିଶ୍ଚୟ ।

 

କାନ୍ଥରେ ଟଙ୍ଗା ହୋଇଥିଲା ରବିଦାସଙ୍କର ତୈଳଚିତ୍ର । ପ୍ରପୀଡ଼ିତ ଜନତାର ସେବକ । ମୁହଁରେ କେତେଦିନର ସଞ୍ଚିତ ଶୁଶ୍ରୁ, ଜ୍ୱଳନ୍ତ ବହ୍ନି ପରି ପ୍ରଜ୍ୱଳିତ ଆଖି ଦୁଇଟା, ଓଠରୁ କଥା ଶେଷ ହୋଇନାହିଁ । କିଛି କହିବାପାଇଁ ଚେଷ୍ଟା କରି ଯେମିତି ସେ ପାରୁନାହାନ୍ତି ।

 

ସୂର୍ଯ୍ୟକାନ୍ତ ପାଇଁ ତାଙ୍କର ଯେମିତି ଅନେକ କଥା କହିବାର ବାକି ରହିଯାଇଛି ।

 

ଭୟରେ ଥରିଉଠିଲା ସୂର୍ଯ୍ୟ । ସଭାପତିଙ୍କର ସବୁ ପ୍ରତିଶ୍ରୁତି ସେ ନିଶ୍ଚୟ ଶୁଣିଥିବେ ।

 

ସୂର୍ଯ୍ୟକାନ୍ତର ମନହେଲା ଯେମିତି ପଞ୍ଝାଏ ନିଷ୍ପେଷିତ ଅଥଚ ନିର୍ଭୀକ ଜନତା ମୁକ୍ତିର ଧ୍ୱଜା ଧରି ରବିଦାସଙ୍କ ଫଟୋ ପଛରୁ ଧ୍ୱନି ଦେଉଛନ୍ତି–ସହିଦ୍‌ ରବିଦାସ ଜିନ୍ଦାବାଦ୍‌ ।

 

ସେଇ ଜନତାର ଧ୍ୱନି ନିକଟରୁ ନିକଟତର ହୋଇଆସିଲା । ସୂର୍ଯ୍ୟକାନ୍ତର କର୍ଣ୍ଣଗହ୍ୱର ଫାଟିଗଲା ପରି ଜଣାଗଲା । ସେ ପୃଷ୍ଠଭଙ୍ଗ ଦେବ । ପଳାୟନ ପାଇଁ ରାସ୍ତା ଖୋଜିବ ।

 

ରାଜଧାନୀରେ ଗୋଟାଏ କୋଠାଘର, ଖଣ୍ଡେ ଗାଡ଼ି, ଆଉ ସିପ୍ରା ସହିତ କାଶ୍ମୀରରେ କେତେଟା ଦିନ । ତାକୁ ସଂବଳ କରି କ’ଣ ସାରାଜୀବନକୁ ପରିତୃପ୍ତ କରିହେବ ? ଏଇ ଯୋଉ ବିଦ୍ରୋହୀ ଜନତା ରବିଦାସଙ୍କ ପଛପଟେ ଧ୍ୱନି ଦେଉଛନ୍ତି, ସେମାନେ ଶାନ୍ତିରେ ତାକୁ ରଖିବାକୁ ଦେବେ ନାହିଁ । ବୁଭୁକ୍ଷୁ ସେମାନେ । ତାଙ୍କ ପେଟରେ ବହ୍ନି, ହୃଦୟରେ ବହ୍ନି, ଚିନ୍ତାରେ ବହ୍ନି; ସେମାନଙ୍କ ହାତରେ ମଶାଲ । ଆଗେଇ ଚାଲିଛନ୍ତି । ଇଂରେଜମାନଙ୍କର ପ୍ରାଚୀନ ଦୁର୍ଗକୁ ସେମାନେ ପୋଡ଼ିଜାଳି ପାଉଁଶ କରି ନୂଆ ଦୁର୍ଗର ଭିତ୍ତି ଦେଇଛନ୍ତି । ଏତେ ଅଶାନ୍ତ କ୍ଷୁଧାରେ ମଧ୍ୟ ସେମାନଙ୍କ ବାହୁର ମାଂସପେଶୀ ଫୁଲିଉଠିଛି । କୋଟରଗତ ଆଖିକୋଣରୁ ସ୍ଫୁଲିଙ୍ଗ ନିର୍ଗତ ହେଉଛି-। ଆଗ୍ନେୟଗିରିର ତପ୍ତ ଉଦ୍‌ଗୀରଣ ପରି ମୁହଁରୁ ଭାଷା ବାହାରୁଛି ।

 

ସେମାନେ ପଚାରିବେ, ‘ରବିଦାସଙ୍କ ଲବ୍‌ଧ ସ୍ୱାଧୀନତାକୁ ବିପନ୍ନ କରିବାର ଅଧିକାର ତୁମକୁ କିଏ ଦେଲା ?

 

‘ଆମର ମୁଣ୍ଡ ଗୁଞ୍ଜିବାପାଇଁ ବକଟେ ଚାଳ ନାହିଁ, ବାଟ ଚାଲିବା ପାଇଁ ପେଟରେ ଦାନା ନାହିଁ; ତୁମେ କାହିଁକି ଏତେବଡ଼ କୋଠାଘରେ ରହି ମଟର ଚଢ଼ିବ ?’

 

ସୂର୍ଯ୍ୟକାନ୍ତ ସେତେବେଳେ କିଛି ଉତ୍ତର ଦେଇପାରିବ ନାହିଁ ।

 

ଆଖି ଦୁଇଟା ସୂର୍ଯ୍ୟର ଲୁହରେ ଛଳଛଳ ହୋଇଉଠିଲା । ତା’ର କିଛି ଦରକାର ନାହିଁ । ଏତେ ଲୋକଙ୍କୁ ପ୍ରବଞ୍ଛିତ କରି ସେ କୋଠାଘରେ ରହିପାରିବ ନାହିଁ, ମଟରଗାଡ଼ି ଚଢ଼ିପାରିବ ନାହିଁ-

 

ମୁଖ୍ୟମନ୍ତ୍ରୀଙ୍କ ପାଖରୁ ସେ ତା’ର ଇସ୍ତଫାପତ୍ର ପଠାଇଦେବ । ସଭାପତି ଯଦି ବାଧ୍ୟ କରିବେ, ସେ ସ୍ପଷ୍ଟ ଜଣାଇଦେବ, ଅସଂଖ୍ୟ ନାଗରିକଙ୍କର ସ୍ୱାର୍ଥ ବିନିମୟରେ ସେ ମନ୍ତ୍ରୀତ୍ୱ ଚାହେ ନାହିଁ । ଜନପ୍ରତିନିଧି ହୋଇ ଜନତାର ସେବା କରିବା ତା’ର କର୍ତ୍ତବ୍ୟ ।

 

ରାତି ପ୍ରାୟ ଗୋଟାଏ ବାଜିଥିଲା । ବୈଠକଖାନାରୁ ଭିତରକୁ ଗଲା ସୂର୍ଯ୍ୟକାନ୍ତ ।

 

ଶୋଇପଡ଼ିଥିଲା ସିପ୍ରା । କପାଳରେ ହାତ ମାରିଲା । ପୂର୍ବ ଅପେକ୍ଷା ଉତ୍ତାପ ବଢ଼ିଥିଲା । ତାକୁ ବିବ୍ରତ କରି ଏତେ ବିଳମ୍ବରେ ଆଉ କିଛି ଖାଇବାପାଇଁ ଇଚ୍ଛା ହେଲାନି । ସିପ୍ରାର ତତଲା ଦେହ ଉପରେ ହାତ ବୁଲାଇନେଲା । ନିଛକ ନାରୀତ୍ୱ ସିପ୍ରାର । କୌଣସି କଥାରେ ପ୍ରତିବାଦ ନାହିଁ, ପ୍ରତିକ୍ରିୟା ନାହିଁ, ଆପତ୍ତି ନାହିଁ, ଅଭିଯୋଗ ମଧ୍ୟ ନାହିଁ ।

 

ସିପ୍ରା ପରିବର୍ତ୍ତେ ଯଦି ରୁଚି ହୋଇଥାନ୍ତା, ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପୂର୍ବରୁ ତାକୁ ଆପ୍ରାଣ ଚେଷ୍ଟା କରି ବୁଝେଇବାକୁ ପଡ଼ିଥାନ୍ତା । କ୍ଷମତାରୁ ଅପସରିଯିବାପାଇଁ ସେ ହୁଏତ ଆଦୌ ସମ୍ମତ ହୋଇ ନ ଥାନ୍ତା ।

 

ସିପ୍ରାର ସେଇ ବିଛଣାରେ ଶୋଇପଡ଼ିଲା ସୂର୍ଯ୍ୟକାନ୍ତ । ଘର ଭିତରେ ଅନ୍ଧାର । ବାହାରେ ନିଶିକନ୍ୟା ପଣତ ଘୋଡ଼ିହୋଇ ଶୋଇପଡ଼ିଥିଲା । ରାଜଧାନୀ ନିଷ୍ପନ୍ଦ ।

 

ସଭାପତି ହୁଏତ ଫେରିଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ପ୍ରୌଢ଼ି ଦେଖାଉଥିବେ–ସୂର୍ଯ୍ୟକାନ୍ତର ମାନବିକତାକୁ କିଣିବାପାଇଁ ସେ ମୂଲ୍ୟ ନିରୂପଣ କରିସାରିଛନ୍ତି ।

 

ଅନ୍ଧାର ଭିତରେ ସୂର୍ଯ୍ୟକାନ୍ତ ହସିଲା ।

 

ସିପ୍ରାକୁ କୋଳଭିତରକୁ ଟାଣିନେଇ ଶୋଇପଡ଼ିଲା ।

 

ଅସରାଏ ବର୍ଷା ପରେ ମେଘ ଛାଡ଼ିଛି ।

 

ପ୍ରଥମ ବର୍ଷାର ଶୀତଳ ସ୍ପର୍ଶ, ସବୁଜ ଚେତନା, ନୂତନ ଫସଲ ପାଇଁ କୃଷକପ୍ରାଣକୁ ପୁଲକିତ କରିଛି । ମାଟିରେ ସୁନା ଫଳିବ । ଜୀବନ ପରିପୁଷ୍ଟ ହେବ । ହୁଏତ କୋଉ ଚଷାଝିଅ ଘରକୋଣରେ ବସି ଶିଶୁସନ୍ତାନକୁ ଖେଳେଇଲାବେଳେ ବର୍ଷାର ଆଗମନୀ ଗାଉଥିବ । ଓଳିରୁ ଧାର ଧାର ପାଣି ନିଗିଡ଼ିପଡ଼ୁଥିବ ।

 

ବୃଦ୍ଧ କୃଷକ ପିଲାମାନଙ୍କୁ ବିଲକୁ ହଳ କରିବାପାଇଁ ପଠାଇଦେଇ ବାଡ଼ମୂଳେ ଦି’ମନ୍ଦା ଜହ୍ନିକାକୁଡ଼ି ପୋତିବାପାଇଁ ତତ୍ପର ହୋଇଉଠିଥିବ ।

 

ପହିଲି ବର୍ଷା । ନୂଆ ମାଟିର ବନ୍ଧ ଗାଁ ଗହଳରେ ଉତ୍ସବର ଉନ୍ମାଦନା ଆଣି ଦେଉଥିବ ।

 

ରାଜଧାନୀରେ କିନ୍ତୁ ପୁଲକର ସୂଚନା ନାହିଁ । ଆଧୁନିକ ଯୁବକଟିଏ ରାସ୍ତାରେ ଚିପି ଚିପି ପାଦ ରଖୁଛି । ଅସନା ପାଣିର ସୁଅ । ଚିକିଟା କାଦୁଅ । ଦିହ ଶୀତେଇପଡ଼ୁଛି । ଖୁବ୍‌ ଅସ୍ୱାସ୍ଥ୍ୟକର ପରିସ୍ଥିତି । ଝିଅଟିଏ ଓଦା ଜୁଡ଼ୁବୁଡ଼ୁ ହୋଇ ରାସ୍ତାକଡ଼ରେ ଏକା ଏକା ସନ୍ତର୍ପଣରେ ଚାଲିଛି । ଅର୍ଦ୍ଧବୃତ ବକ୍ଷର ଛୋଟ ବ୍ଳାଉସ ଉପରେ ପତଳା ଶାଢ଼ୀ ଜଡ଼ିଯାଇଛି । ଯୁବକଟିର ଅଶ୍ଳୀଳ ଚାହାଣୀରୁ ମୁକ୍ତି ପାଇବାପାଇଁ ବିଚାରୀ ହୁଏତ ଆପ୍ରାଣ ଚେଷ୍ଟା କରୁଛି, କିନ୍ତୁ ଉପାୟ ନାହିଁ ।

 

ଗୁରୁ ବକ୍ଷ, ଗୁରୁ ନିତମ୍ବ ଚହଲିପଡ଼ୁଛି । ବର୍ଷାବିଧୌତ ଏକୁଟିଆ ରାଜପଥ ଯୁବକର ଚାହାଣିରେ ଅସ୍ଥିରତା ଆଣିଦେଇଛି । ସେ ହୁଏତ ଭାବୁଥିବ, ଆଉ ଅସରାଏ ବର୍ଷା ହେଲେ ଭଲ ହୁଅନ୍ତା । କୋଉ ଏକ ପାଖ ବିପ୍‍ଣୀକୁ ପଶିଯାଇ ବର୍ଷାରୁ ରକ୍ଷା ପାଇବାପାଇଁ ଝିଅଟି ଚେଷ୍ଟା କରନ୍ତା । ଯୁବକଟି ସେଇ ବିପଣୀକୁ ଯାଇ ତା’ ପାଖରେ ଠିଆ ହୁଅନ୍ତା । ଆଉ ଟିକିଏ ସାନିଧ୍ୟ, ଆଉ ଟିକିଏ ସ୍ପନ୍ଦନ । କିନ୍ତୁ ହାୟ, ଆଉ ବର୍ଷାର ସୂଚନା ନାହିଁ । ଯୁବକଟି ବୋଧହୁଏ ହତାଶ ହୋଇଛି ।

 

ଆଉ ଟିକିଏ ଝର୍କା ପାଖକୁ ଲାଗିଆସିଲା ସୂର୍ଯ୍ୟକାନ୍ତ । ଦୁଇ ଖଣ୍ଡ ଖବରକାଗଜ ପଢ଼ିସାରିବା ପରେ ବି ସମୟ କଟୁନାହିଁ । ସବୁ ଖବରକାଗଜରେ ତା’ ଇସ୍ତଫା ପ୍ରସଙ୍ଗରେ ବିବରଣୀ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡକାଇ ବିବୃତି ଦେଇ କହିଛନ୍ତି, ସୂର୍ଯ୍ୟକାନ୍ତ କର୍ତ୍ତବ୍ୟ ସମ୍ପାଦନ କରିବାପାଇଁ ଅପାରଗ । ଆଜିକାର ସମସ୍ୟାବହୁଳ ରାଜନୈତିକ ଅସ୍ଥିରତାକୁ ସମାଧାନ କରିବାଭଳି ନିଷ୍ପତ୍ତି ଗ୍ରହଣ କରିବାପାଇଁ ଅସମର୍ଥ । ନୂତନ କର୍ମପ୍ରେରଣା, ନୂତନ ଆଭିମୁଖ୍ୟ ପ୍ରତି ଦୃଷ୍ଟି ରଖି କର୍ତ୍ତବ୍ୟ ସମ୍ପାଦନ କରିବା କ୍ଷମତା ତା’ର ନାହିଁ । ସେଥିପାଇଁ ସେ ପଳାୟନ ପନ୍ଥା ଧରିଛି । ଅନ୍ୟ ପକ୍ଷରେ ବିରୁଦ୍ଧଦଳର ଟଙ୍କା ତାକୁ ପ୍ରଲୁବ୍‌ଧ କରିଛି । ନିଜ ଦଳକୁ ସଂଖ୍ୟାଗରିଷ୍ଠ କରିବାପାଇଁ ବିରୁଦ୍ଧଦଳର ନେତା ତାକୁ ଟଙ୍କା ଦେଇ କିଣିନେଇଛନ୍ତି । ଯାହାର ବ୍ୟକ୍ତିତ୍ୱ ଟଙ୍କାପଇସାରେ କିଣାବିକା ହୁଏ ସେ ଶାସନକ୍ଷେତ୍ରରେ ନ ରହିବା ବରଂ ଶ୍ରେୟସ୍କର ।

 

ହସିଲା ସୂର୍ଯ୍ୟକାନ୍ତ । ମୁଖ୍ୟମନ୍ତ୍ରୀଙ୍କର ସତକଥା କହିବାପାଇଁ ସାହସର ଅଭାବ ।

 

ଝର୍କାର ଗ୍ରୀଲ୍‌ରେ ଟୋପା ଟୋପା ବର୍ଷାପାଣି ଲାଗିଛି । ସନ୍‌ସେଡ଼୍‌ ଉପରୁ ମାଧବୀଲତାରୁ ଟୋପା ଟୋପା ଲହୁ ଝରୁଛି । ଗୋଟାଏ ଅଣନିଶ୍ୱାସୀ ତୁମୁଳ ସଂଗ୍ରାମ ପରେ କ୍ଷତବିକ୍ଷତ ହୋଇ ସେ ଯେମିତି ସନ୍‌ସେଡ଼୍‌ର ଷ୍ଟ୍ରେଚର ଉପରେ ଆହତ ହୋଇ ପଡ଼ିରହିଛି ।

 

ସେଇ ମାଧବୀଲତା ପରି ରୋଗ ସହିତ ସଂଗ୍ରାମ କରି ଆହତ ହୋଇ ସିପ୍ରା ଶୋଇଛି ଡାକ୍ତରଖାନାର କ୍ୟାବିନ୍‌ରେ । ଅସରାଏ ଖୁବ୍‌ ବର୍ଷା ହୋଇ ଛାଡ଼ିଲାଣି । ଶୀତଳ ମୌସୁମୀ ତା’ର ଅବଶ ଦେହରେ ନିଦ ଭରି ଦେଇଛି ।

 

ଡାକ୍ତର କହିଛନ୍ତି, ସିପ୍ରାକୁ ଜଣ୍ଡିସ ହୋଇଛି । ଅବଶ୍ୟ ଆରୋଗ୍ୟ ହେବାପାଇଁ ସମୟ ଲାଗିବ, କିନ୍ତୁ ଭୟ କରିବାଭଳି କିଛି କାରଣ ନାହିଁ । ସାଧାରଣ ରୋଗ ଜଣ୍ଡିସ । ଆଜିକାର ଯୁଗରେ ଭେଜାଲ ତେଲ, ଭେଜାଲ ଘିଅ ଖାଇବା ଫଳରେ ଅଧିକାଂଶ ବ୍ୟକ୍ତି ଏଇ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜୀବନର ଦୀର୍ଘତା କ୍ଷୟ ହେଉଛି । ସରକାରଙ୍କ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ହୋଇପାରୁନି ।

 

ଗୋଟାଏ ଭେଜାଲ ଘିଅ ବ୍ୟବସାୟ ସଂସ୍ଥାକୁ ଦୁର୍ନୀତି ନିବାରଣ ବିଭାଗ ବହୁ ଚେଷ୍ଟା କରି ଧରିଥିଲେ । କୌଣସି ଏକ ବନ୍ୟ ଫଳରୁ ଘିଅ ବାହାର କରି ଖାଣ୍ଟି ଘିଅର ନିର୍ଯ୍ୟାସ ଦେଇ ସେମାନେ ବାହାରେ ବିକ୍ରି କରୁଥିଲେ । ରାଜ୍ୟସ୍ତରୀୟ ଗବେଷଣାଗାରରେ ପାରୀକ୍ଷା କରାଗଲା । ପରୀକ୍ଷକ ମତ ଦେଲେ, ଯେଉଁମାନେ ସେ ଘିଅ ବ୍ୟବହାର କରିବେ, ସେମାନଙ୍କ ଯକୃତ ଶୀଘ୍ର ଅକର୍ମଣ୍ୟ ହୋଇପଡ଼ିବ, ଜୀବନ କ୍ଷୟ ହେବ ।

 

କୌଣସି ଏକ ମୋଟା ଅଙ୍କ ଚାନ୍ଦାର ବିନିମୟରେ, ଦୁର୍ନୀତି ନିବାରଣ ବିଭାଗର କର୍ତ୍ତବ୍ୟନିଷ୍ଠା ଏବଂ ପରୀକ୍ଷକଙ୍କ ଅଭିମତରେ କୌଣସି ମୂଲ୍ୟ ରହିଲା ନାହିଁ । ଆଜି ବି ବଜାରରେ ସେଇ ଘିଅ ଅପେକ୍ଷାକୃତ ହ୍ରାସ ମୂଲ୍ୟରେ ବିକ୍ରି ହେଉଛି । ସୁଲଭ ମୂଲ୍ୟରେ ସାଧାରଣ ଲୋକେ ଘିଅ ନାମରେ ଯକୃତନାଶକ ମହୌଷଧି କ୍ରୟ କରୁଛନ୍ତି । ବଜାରରେ ସେ ଘିଅର ଚାହିଦା ସବୁଠାରୁ ଅଧିକ ।

 

ଇଂରେଜମାନଙ୍କ ହାତରୁ ଆମେ ଶାସନ ଛଡ଼ାଇଆଣିଛୁଁ । ଡାୟାର ସାହେବ ସିଧାସଳଖ ହଜାର ହଜାର ଲୋକଙ୍କୁ ଜାଲିଆନାବାଗରେ ହତ୍ୟା କରିଥିଲେ । ଆମ ଶାସନ ଆମକୁ ପରୋକ୍ଷଭାବରେ ହତ୍ୟା କରୁଛି । ଶାସନକାଳ ଭିତରେ ଘାତକମାନେ ମୁଖା ପିନ୍ଧି ଲୁଚିରହିଛନ୍ତି । ଟଙ୍କା ବିନିମୟରେ ଆମ ଉପରେ ବିଷ ପ୍ରୟୋଗ କରୁଛନ୍ତି । ଆମେ ବିଷର ଜ୍ୱଳାରେ ଅତିଷ୍ଠ ହୋଇ ଯନ୍ତ୍ରଣା ଭୋଗୁଛୁଁ, ଅଥଚ ସେମାନେ ଜିଭଅଗରେ ଅମୃତ ରଖି ହସମୁହଁରେ ଆମକୁ ଆଲିଙ୍ଗନ କରୁଛନ୍ତି । ସେମାନେ ଆମର ହିତାକାଂକ୍ଷୀ !!

 

ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି, ସୂର୍ଯ୍ୟକାନ୍ତ ବିରୁଦ୍ଧଦଳର ଟଙ୍କାରେ ବିକ୍ରି ହୋଇଯାଇଛି । ତାଙ୍କ ମନ୍ତବ୍ୟକୁ ହଜାର ହଜାର ପାଠକ ଆଜି ପଢ଼ିଥିବେ । ଖବରକାଗଜ ହକରମାନେ ଛକଯାଗାରେ ଠିଆ ହୋଇ ଚିତ୍କାର କରିଥିବେ, ରାଜନୈତିକ ଘୋଡ଼ା ବେପାରରେ ଉପମନ୍ତ୍ରୀ ସୂର୍ଯ୍ୟକାନ୍ତଙ୍କୁ ବିରୁଦ୍ଧଦଳ କିଣିନେଲେ ।

 

ସୂର୍ଯ୍ୟକାନ୍ତ ଚିହ୍ନାଜଣା ବନ୍ଧୁମାନେ ସ୍ତମ୍ଭୀଭୁତ ହୋଇ ଶୁଣିଥିବେ । ଅନ୍ୟମାନେ ତତ୍ପର ହୋଇ ଉଠିଥିବେ । ଖବରକାଗଜର ବିକ୍ରି ବଢ଼ିଥିବ ।

 

ସୂର୍ଯ୍ୟକାନ୍ତ ହାତରେ ଖବର କାଗଜ ନାହିଁ । ନିଜ ସପକ୍ଷରେ କୈଫିୟତ ଦେଇ ଆଉ ଏଣିକି ଜନମତ ସୃଷ୍ଟି କରିବା ସମ୍ଭବ ନୁହେଁ । ସମ୍ପାଦକଙ୍କ ନିକଟକୁ ପ୍ରତିବାଦ କରି ଚିଠି ଲେଖିଲେ ବି ତା’ ପ୍ରକାଶ ପାଇବ କି ନାହିଁ ସନ୍ଦେହ । ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ କ୍ଷମତା ପ୍ରୟୋଗ କରି ପ୍ରତିବାଦ ପତ୍ର ପ୍ରକାଶ କରିବା ବନ୍ଦ କରିଦେବେ । ସରକାରୀ ବିଜ୍ଞାପନ ପାଇ ଲାଭବାନ୍‌ ହେବାର ଆଶା ରଖି ସମ୍ପାଦକ ମହାଶୟ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିବା ପାଇଁ ବାଧ୍ୟ ।

 

ସିପ୍ରା ଆଖି ଖୋଲି ଚାହିଁଲା । ମୁହଁରେ ତା’ର ଅନେକ ଦୁର୍ବଳତା । ସ୍ୱର ବି ଦୁର୍ବଳ ହୋଇଯାଇଛି ।

 

ସିପ୍ରା କହିଲା, ‘ମୋ ପାଇଁ ତମେ ନିଜ ପ୍ରତି ଅବିଚାର କରୁଛ । ଏମିତି ବିରାମହୀନ ଭାବରେ ବସିରହିଲେ ତୁମର ଅଶାନ୍ତି ବଢ଼ିବ । ହଠାତ୍‌ ଏତେଗୁଡ଼ାଏ କାମ କରିବାର ଅଭ୍ୟାସ ବନ୍ଦ କରିଦେଲେ ତୁମର ମାନସିକ ପରାଜୟ ଘଟିବ । ଇସ୍ତଫା ଦେଇ ତୁମେ ଭୁଲ କରିଛ ।’

 

ସୂର୍ଯ୍ୟ କହିଲା, ‘ଏତେସବୁ ଘଟଣା ଜାଣିସୁଦ୍ଧା ତୁମେ ସମସ୍ତଙ୍କ ପରି ମୋତେ ଦୋଷାରୋପ କରିପାରୁଛ ?’

 

ସିପ୍ରା କହିଲା, ‘ତୁମେ ପରା ଥରେ ଦୃଷ୍ଟାନ୍ତ ଦେଇ କହିଥିଲ, ବିରୁଦ୍ଧଦଳର ଦୁଇ ଜଣ ତୁଙ୍ଗ ନେତା କ୍ଷମତା ଲାଳସାରେ ନିଜ ଦଳ ତ୍ୟାଗ କରି ସରକାରୀ ଦଳରେ ମିଶିଥିଲେ । ଆଜୀବନ ନିଷ୍ଠାପର ସେବକ ଭାବରେ ଶାନ୍ତିପୂର୍ଣ୍ଣ ବିପ୍ଳବ କରି, ଭୋକ ଉପାସରେ ଦିନ କାଟି, ଜନତାର ସେବା କରି କେବଳ ହତାଶା ବ୍ୟତୀତ ଆଉ କିଛି ପାଇଲେ ନାହିଁ । ପରିବାର ଭରଣପୋଷଣ କରିପାରିଲେ ନାହିଁ । ପିଲାମାନଙ୍କୁ ପାଠ ପଢ଼ାଇପାରିଲେ ନାହିଁ । ରାଜନୈତିକ ସୁଖ୍ୟାତି ତାଙ୍କ ପାଇଁ ଆର୍ଥିକ ସମ୍ବଳ ଆଣିପାରିଲା ନାହିଁ । ପରିଶେଷରେ ପରିସ୍ଥିତି ଚାପରେ ପଡ଼ି ଦଳ ପରିବର୍ତ୍ତନ ପାଇଁ ବାଧ୍ୟ ହେଲେ ।’

 

ସୂର୍ଯ୍ୟ କହିଲା, ‘ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ହୁଏତ ସେମାନେ ଉଚିତ କରିଥିଲେ; କିନ୍ତୁ ତାଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖି ଯେଉଁମାନେ ତାଙ୍କ ଦଳରେ ପରିଚାଳିତ ହେଉଥିଲେ, ସେମାନଙ୍କ ପ୍ରତି କ’ଣ ସେମାନେ ବିଶ୍ୱାସଘାତକତା କରିନାହାନ୍ତି ?’

 

ସିପ୍ରା କହିଲା, ‘ସେ କ୍ଷେତ୍ରରେ ଅବଶ୍ୟ ତାଙ୍କର ଅର୍ଥ ପାଇଁ ନୈତିକ ପରାଜୟ ଘଟିଲା ।’

 

ସୂର୍ଯ୍ୟ କହିଲା, ‘ତେବେ ତୁମେ କ’ଣ ମନେକରୁଛ ଖଣ୍ଡେ କୋଠାଘର ଏବଂ ମଟରଗାଡ଼ି ବଦଳରେ ମୁଁ ନୈତିକତାକୁ ପରାଜିତ କରିଥାନ୍ତି ?’

 

ସିପ୍ରା କହିଲା, ‘ତୁମ ପାଖରେ ମୋ ଜୀବନ ବନ୍ଧାପଡ଼ିଛି । ତୁମ ପରାଜୟରେ ମୋର ପରାଜୟ । ତୁମେ ଭଲ ମଣିଷ ହେବା ପାଇଁ ମୁଁ ସୁବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରେଁ-।’

 

ସିପ୍ରାର ଶୁଖିଲା ମୁହଁରେ ହାତ ବୁଲେଇଆଣିଲା ସୂର୍ଯ୍ୟ ।

 

ବାହାରେ ଆକାଶ ପୁଣି ମେଘାଚ୍ଛନ୍ନ ହେଲାଣି । ଆହୁରି ବାରି ଝରିବ । ଶୁଖିଲା ଗଛରେ ନବପଲ୍ଲବର ଉନ୍ମେଷ ହେବ । ପାହାଡ଼ ତଳ ଅରଣ୍ୟରେ ମୟୂର ନାଚିବ ।

 

ଶୁଖିଲା ମୁହଁରେ ହସିଲା ସିପ୍ରା– ଆଉ ତିନିଟା ବର୍ଷ ବିଧାନସଭା ସଦସ୍ୟ ହୋଇ ତୁମେ ରହିପାର । ତା’ ପରେ ?

 

ସୂର୍ଯ୍ୟ କହିଲା, ‘ଆମେ ଗାଁକୁ ଫେରିଯିବା । ନେତୃତ୍ୱ ନେଇ ଜନତାର ସେବା କରିବା ପାଇଁ ଯେତେବେଳେ ସୁଯୋଗ ଆସି ପୁଣି ଚାଲିଗଲା, ମୁଁ କେବଳ ନିଜ ପାଇଁ ଚିନ୍ତା କରିବି । ମୋଟା ଭାତ, ମୋଟା ଲୁଗା ମୋ ପାଇଁ ଯଥେଷ୍ଟ ହେବ । ଅଧିକ ପାଇଁ ମୋର ଅର୍ଥହୀନ ଆସକ୍ତି ନାହିଁ । ତୁମେ ସିପ୍ରା, ମୋ ସହିତ ସହଯୋଗ କରିପାରିବ ତ ?’

 

ସିପ୍ରା କହିଲା, ‘ତୁମ ଆଉ ମୋ ଭିତରେ ବ୍ୟବଧାନ କିଛି ଅଛି ବୋଲି ମୁଁ ଚିନ୍ତା କରିନି । ତୁମେ ଫୁଲ ଏବଂ ମୁଁ ସୌରଭ; ତୁମେ କବିତା ଏବଂ ମୁଁ ସ୍ୱର; ତୁମେ କଳ୍ପନା, ମୁଁ କାହାଣୀ । ତୁମର ଇଚ୍ଛା ବିରୁଦ୍ଧରେ ପ୍ରତିବାଦ କରିବାର ଅଧିକାର ମୋର ନାହିଁ । ତୁମର ପ୍ରତ୍ୟେକ ସିଦ୍ଧାନ୍ତରେ ମୋର ତୃପ୍ତି ।’

 

ଡିଉଟିରେ ଥିବା ଡାକ୍ତର କ୍ୟାବିନ୍‌ ଭିତରକୁ ପଶିଆସିଲେ । ସୂର୍ଯ୍ୟକାନ୍ତର ଭାବପ୍ରବଣତା ହୁଏତ ସିପ୍ରାକୁ ସେଇ ରୁଗ୍‌ଣ ଶରୀରରେ ଆଲିଙ୍ଗନ କରିବାପାଇଁ ଉଚ୍ଛୃଙ୍ଖଳ ହୋଇଉଠିଥିଲା । କିନ୍ତୁ ତା’ ହାତ ଅଟକିଗଲା ।

 

ସିପ୍ରାକୁ ପରୀକ୍ଷା କଲେ ଡାକ୍ତର । ଆହୁରି ରକ୍ତ କମିଛି । ରୋଗ ବୃଦ୍ଧିପାଇଛି । କୌଣସି ଔଷଧ କାମ କରୁନାହିଁ ।

 

ସୂର୍ଯ୍ୟକାନ୍ତ କହିଲା, ‘ପଥ୍ୟ ଦେବାରେ ମୋର ଆଦୌ ଅବହେଳା ହୋଇନି । ମୁଁ ନିଜେ ରହି ନିର୍ଦ୍ଧାରିତ ସମୟରେ ଔଷଧ ଦେଉଛି । ସମାନ୍ୟ ତ୍ରୁଟି ନାହିଁ, ବ୍ୟତିକ୍ରମ ନାହିଁ ।’

 

ଡାକ୍ତରଙ୍କ ମୁହଁ ଚିନ୍ତାକୁଳ ହୋଇଉଠିଲା । କହିଲେ, ‘ଗର୍ଭିଣୀ ଅବସ୍ଥାରେ ରକ୍ତଶୂନ୍ୟତା ଦେଖାଦେଇଥିଲା । ତା’ ସହିତ କାମଳରୋଗ ତାଙ୍କୁ ଆହୁରି ଦୁର୍ବଳ କରିଦେଉଛି ।’

 

ସୂର୍ଯ୍ୟକାନ୍ତ କହିଳା, ‘ତା ଅର୍ଥ, ଆପଣ କହୁଛନ୍ତି, ସିପ୍ରା ମା ହେବାକୁ ଯାଉଛି ?’

 

ଡାକ୍ତର କହିଲେ, ‘ପରୀକ୍ଷାରୁ ଅନ୍ତତଃ ତାହାହିଁ ଅନୁମାନ କରାଯାଉଛି ।’

 

ଡାକ୍ତର ନୂଆ ପ୍ରେସ୍‌କ୍ରିପ୍‌ସନ୍‌ ଦେଇ ଚାଲିଗଲେ ।

 

ସିପ୍ରାର ମଥା ଉପରେ ହାତ ରଖି ସୂର୍ଯ୍ୟକାନ୍ତ କହିଲା, ‘ଆମ ପୁଷ୍ପିତ ଜୀବନଲତିକାରେ ଫଳ ଧରିଛି । ତୁମେ ହେବ ଜନନୀ, ମୁଁ ହେବି ଜନକ । ତୁମେ ଶୀଘ୍ର ଆରୋଗ୍ୟ ହୋଇଯିବ, ସିପ୍ରା-! ଆମ ଜୀବନରେ ନୂଆ ସୂର୍ଯ୍ୟ ଉଠିବ । ନୂଆ ରାଗ, ନୂଆ ଛନ୍ଦ । ସେଇ ଉଦୟରାଗର ନୂତନ ସକାଳରେ ଜନନୀର ଅହଙ୍କାର ନେଇ ତୁମେ ଭଗବାନଙ୍କୁ ପ୍ରଣାମ କରିବ । ମୁଁ ପ୍ରାର୍ଥନା କରିବି । ଆମ ସନ୍ତାନ ଦୀର୍ଘଜୀବୀ ହେବ ।’

 

ସିପ୍ରା ଶୀର୍ଣ୍ଣ ମୁହଁରେ ପୁଣି ହସିଲା– ରବିଦାସଙ୍କ ଯୋଉ ଆଦର୍ଶକୁ ଆଗରେ ରଖି ତୁମେ ଜୀବନକୁ ଗଢ଼ିଛ, ମୁଁ କିନ୍ତୁ ମୋ ସନ୍ତାନକୁ ସେଇ ଆଦର୍ଶରେ ଗଢ଼ିବାପାଇଁ ଦେବି ନାହିଁ । ସେ ଯଦି ତୁମ ଭଳି କିମ୍ବା ରବିଦାସଙ୍କ ପରି ବିପ୍ଳବୀ ହୁଏ, ମୁଁ ସୁଖୀ ହୋଇପାରିବି ନାହିଁ । ଏକ ନିର୍ଯ୍ୟାତିତ ସଂପ୍ରଦାୟର ନେତୃତ୍ୱ ନେଇ ସୁଖ୍ୟାତି ଅର୍ଜନ କରିବ ବୋଲି ମୁଁ ତାକୁ ଲାଠି ସଂଗୀନର ମୁହଁକୁ ଛାଡ଼ିଦେଇପାରିବି ନାହିଁ ।

 

ସିପ୍ରାର ଆଖିପତା ଆର୍ଦ୍ର ହୋଇଉଠିଲା ।

 

ସୂର୍ଯ୍ୟକାନ୍ତର ମରୁମନରେ ତପ୍ତ ଝଞ୍ଜା ବହିଗଲା । ସିପ୍ରାର ମାତୃତ୍ୱ ବାତ୍ସଲ୍ୟ ମମତାରେ ଅନ୍ଧ ହୋଇଯାଇଛି । ସେ ହୁଏ ତ ବୁଝିଛି, ବିପ୍ଳବ ଅର୍ଥ ରାଜଦ୍ରୋହ, ଦେଶଦ୍ରୋହ, ଆଇନ ଅମାନ୍ୟ, ଶୋଭାଯାତ୍ରା, ଧର୍ମଘଟ, ଅନଶନ, ଲାଠିମାଡ଼, ଜେଲ କିମ୍ବା ଫାଶୀ ।

 

ସୂର୍ଯ୍ୟକାନ୍ତର ଦେହରେ ଉତ୍ତେଜନାର ରକ୍ତ ଶିଥିଳ ହୋଇଆସିଲା । ଫାଶୀର ଇତିବୃତି ତା ପାଖରେ ଖୁବ୍‌ ଭୀଷଣ । ଯୋଉଦିନ ରବିଦାସ ଫାଶୀ ପାଇଥିଲେ ସେଦିନ ତା’ଙ୍କ ମା’ର ହୃଦୟ କିମିତି ବିଦୀର୍ଣ୍ଣ ହୋଇଥିବ ! ସେ ମନେକରିଥିବ, ଏଇ ମଣିଷସମାଜ ଗୃଧ୍ର ପରି ମାଂସାଶୀ । ଏମାନଙ୍କର ମମତା ନାହିଁ । ରାକ୍ଷସ ଏମାନେ, କଞ୍ଚା ରକ୍ତରେ ତୃଷା ମେଣ୍ଟାଇବାପାଇଁ ଉଦ୍‌ଗ୍ରୀବ ହୋଇ ଚାହିଁଛନ୍ତି ।

 

ରବିଦାସଙ୍କ ଜନନୀ, ସୂର୍ଯ୍ୟର ବୁଢ଼ୀମା । ତାଙ୍କ ମୁହଁରୁ ସେ ପିଲାଦିନେ ଶୁଣିଛି–ମଣିଷ ହୋଇ ଆଉ କେହି ନାହାନ୍ତି । ସମସ୍ତେ ସ୍ୱାର୍ଥପର । ସ୍ୱାଧୀନତାର ସ୍ୱାର୍ଥ ପାଇଁ ରବିଦାସଙ୍କୁ ସେମାନେ ବଳିଦେଇଛନ୍ତି । ନଚେତ୍‌ ଗୋଟାଏ ଫାଶୀଖୁଣ୍ଟତଳେ ସମସ୍ତେ ଏକ ସଙ୍ଗରେ ମୁଣ୍ଡ ଦେଖାଇ ଠିଆ ହୋଇପାରିଥାନ୍ତେ । ଫାଶୀଦଉଡ଼ିର ଶକ୍ତି କମିଯାଇଥାନ୍ତା–ହୁଏତ ରବିଦାସ ବଞ୍ଚିଯାଇଥାନ୍ତେ ।

 

ସେ ବଞ୍ଚିଥିଲେ ହୁଏତ ସ୍ୱାଧୀନତାର ମୂଲ୍ୟ ବୁଝିଥାନ୍ତେ । ଯଦି ନେତୃତ୍ୱ ନେଇ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ସେ କେବେ ଦଳକୁ ସଂଖ୍ୟାଗରିଷ୍ଠ କରିବାପାଇଁ, ଶାସନ ନାଁରେ କ୍ଷମତା ପ୍ରୟୋଗ କରିବାପାଇଁ ଅନ୍ଧ ହୋଇ ନ ଥାନ୍ତେ ।

 

ବୁଢ଼ୀମା କହୁଥିଲେ, ଏମିତି ଏକ ଶ୍ରାବଣର ବର୍ଷାମୁଖର ମଧ୍ୟାହ୍ନ । ରବିଦାସ ଆଇନ ଅମାନ୍ୟ କରି ସଭା କରୁଥିଲେ । ଆଗ୍ନେୟଗିରିର ଲାଭା ପରି ତାଙ୍କ ମୁହଁର ଉତ୍ତପ୍ତ ଭାଷା ଅଗଣିତ ଜନତାର ପ୍ରାଣବିନ୍ଦୁକୁ ଅଗ୍ନିମୁଖା କରିଥିଲା ।

 

ସଭାସ୍ଥଳରେ ଅଗ୍ନି ଲହରିତ ହୋଇ ଜଳୁଥିଲା । ଗୋଟିକ ପରେ ଗୋଟିଏ ବିଦେଶୀ ଦ୍ରବ୍ୟ ପୋଡ଼ା ହେଉଥିଲା । ସ୍ୱେଚ୍ଛାକୃତ ହୋଇ ସଭାସ୍ଥଳରେ ଜନତା ବିଦେଶୀ ଦ୍ରବ୍ୟ ଅଗ୍ନିରେ ନିକ୍ଷେପ କରୁଥିଲେ ।

 

ଗୋରା ପୋଲିସ ସାହେବର ଲାଲ ମୁହଁ କଳା ପଡ଼ିଯାଉଥିଲା । ତା’ ହାତରେ ବନ୍ଧୁକ, ସଂଗରେ ପୋଲିସ ଫୌଜ । ଗୁଳି ଚଳେଇବ ବୋଲି ଧମକ ଦେଇଥିଲା । ରବିଦାସ କଥା କହି ଜନତାକୁ ଉତ୍ତେଜିତ କରି ରଖିଥିଲେ । ପୋଲିସର ଗୁଳି ବନ୍ଧୁକ ଧମକରେ ମଧ୍ୟ କେହି ପୃଷ୍ଠଭଙ୍ଗ ଦେଲେ ନାହିଁ ।

 

ସାହେବ ଉତ୍ତେଜିତ ହୋଇ କହିଲା, ‘ଦୁଇଥର ତୁମକୁ ଜେଲ ଦିଆଯାଇଛି; ତଥାପି ତୁମର ଭୟ ହେଉନି, ରବିଦାସ ? ତୁମେ ଯଦି ତୁମ ବକ୍ତୃତା ବର୍ତ୍ତମାନ ବନ୍ଦ ନ କର ତୁମକୁ ଏଇ ସଭାସ୍ଥଳରେ ଗୁଳି କରିବାପାଇଁ ମୁଁ ଆଦେଶ ପାଇଛି ।’

 

ରବିଦାସ ନିର୍ଭୀକ ଭାବରେ କହିଲେ, ‘ଆମ ମୁହଁର ଭାଷା ତା’ ହେଲେ ତୁମ ଗୁଳିଠାରୁ ଆହୁରି କଠିନ । ତୁମ ଗୁଳି ମୋ ଛାତି ବିଦ୍ଧ କରିବା ପୂର୍ବରୁ ମୋ ଭାଷା ତୁମ ବୁକୁତଳ କ୍ଷତ କରିସାରିଛି ।’

 

ସାହେବ ଖୁବ୍‌ ଉତ୍ତ୍ୟକ୍ତ ହୋଇ କମରପଟିରୁ ଗୁଳିଭରା ପିସ୍ତଲ ବ୍ୟବହାର କରିବାକୁ ଉଦ୍ୟତ ଥିବା ଅବସ୍ଥାରେ ଜଣେ କିଏ ଦର୍ଶକ ଲାଠିରେ ସାହେବର ଭୁଜଉପରେ ସଜୋରେ ପ୍ରହାର କଲା । ଉଦ୍ଧତ ସାହେବର ଗୋଟାଏ ଡେଣା ଖସିଗଲା । ଲାଠିଧାରୀ ପୋଲିସ କେତେଜଣ ଜନତାକୁ ପ୍ରହାର କରିବାକୁ ଧାଇଁ ଆସିଲେ । କିନ୍ତୁ ପାରିଲେ ନାହିଁ । ଅଗଣିତ ଜନତା ଭିତରୁ ଅବଶ୍ୟ କେତେଜଣଙ୍କର ତାଳୁ ଫାଟିଲା, କେତେଜଣ ଜଖମ ହେଲେ । ପରିଶେଷରେ ସେଇମାନଙ୍କ ଲାଠି ଛଡ଼େଇ ସେମାନଙ୍କୁ ପ୍ରହାର କରିବାପାଇଁ ଜନତା ପଶ୍ଚାତ୍‌ପଦ ହେଲା ନାହିଁ ।

 

ଭଙ୍ଗାହାତରେ ଯନ୍ତ୍ରଣାରେ ଚିତ୍କାର କଲାବେଳେ ସାହେବ ଉପରେ ଜନତା ଚଢ଼ିଯାଇ ତାକୁ ଦଳିଚକଟି ପକାଇଲେ । ବିଚରା ସାହେବର ପ୍ରାଣବାୟୁ ଉଡ଼ିଗଲା ।

 

ରବିଦାସ ସଭାମଣ୍ଡପ ଉପରେ ଠିଆହୋଇ ଚିତ୍କାର କରୁଥିଲେ, ‘ହିଂସା ଆଚରଣ ଆମର ଲକ୍ଷ୍ୟ ନୁହେଁ । ସେମାନଙ୍କୁ ମାରି ଆମେ ସ୍ୱାଧୀନତା ଲାଭ କରିପାରିବା ନାହିଁ । ତାଙ୍କ ଜୀବନକୁ ମଧ୍ୟ ଆମେ ଭଲ ପାଉଁ । ଆମ ମମତାର ମୂଲ୍ୟ ବୁଝିବାପାଇଁ ତାଙ୍କୁ ସୁବିଧା ଦିଅ । ଯୋଉ ଜୀବନକୁ ସୃଷ୍ଟି କରିବାର ଅଧିକାର ଆମର ନାହିଁ, ତାକୁ ବିନାଶ କରିବାର ଦକ୍ଷତାକୁ ଆମେ ପସନ୍ଦ କରୁନା ।’

 

ରବିଦାସଙ୍କ କଥାକୁ ଉତ୍ତେଜିତ ଜନତା କର୍ଣ୍ଣପାତ କରିବା ଅବସ୍ଥାରେ ନ ଥିଲେ ।

 

ସାହେବ ମରିଗଲା ପରେ ପୃଷ୍ଠଭଙ୍ଗ ଦେଇ ଜନତା ଫେରିଗଲା । ସବୁଆଡ଼େ ପ୍ରଚାର ହୋଇଗଲା, ରବିଦାସଙ୍କ ସଭାରେ ଗୋରାସାହେବ ମରିଛି ।

 

ଘର ଘର ତାଟିକବାଟ ପଡ଼ିଗଲା । ଘର ଛାଡ଼ି ଅନେକ ଲୋକ ପଳେଇଲେ । ସରକାର ତା’ ଲୋକ ମରିଛି ବୋଲି ଖବର ପାଇଲେ ନିସ୍ତାର ନାହିଁ । ଗୁଳି କରି ଗାଁ ଗାଁ ମଶାଣି କରିଦେବ ।

 

ରବିଦାସ ସଭାମଣ୍ଡପରେ ଠିଆ ହୋଇ ଆକାଶକୁ ଚାହିଁଲେ । ଉପରେ ଉଡାଜାହାଜ ଉଡ଼ୁଥିଲା । ବର୍ମା ସୀମାରେ ଜାପାନ ଗୁଳିବର୍ଷଣ କରୁଛି । ଇଂରେଜ ସୈନ୍ୟମାନେ ପୋକମାଛି ପରି ମରୁଛନ୍ତି ।

 

ଦେଶସାରା ଯୁଦ୍ଧର ବିଭୀଷିକା । ଭାତ ନାହିଁ, ଲୁଗା ନାହିଁ । ମଣିଷ ହତାଶ ହୋଇଛି । ଇଂରେଜ ସରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛି । ଦେଶ ଭିତରେ ଅରାଜକତା, ବିଦ୍ରୋହ, ଆନ୍ଦୋଳନ, ସ୍ୱାଧୀନତା ପାଇଁ ଦାବୀ–ଆମେ ଯୁଦ୍ଧ ଚାହୁଁନା । ଆମେ ଚାହୁଁ ଆମ ଦେଶର ସ୍ୱାଧୀନତା ।

 

ଖବରକାଗଜରେ ଆତଙ୍କ ।

 

ସମସ୍ତଙ୍କ କଥାରେ ଭୟାର୍ତ୍ତ ସଙ୍କେତ ।

 

ଇଂରେଜ ସରକାର କ୍ଷୁବ୍‌ଧ ହୋଇ ଉଠିଛି; ହିଂସ୍ର ସିଂହ ଭଳି ଶିକାର ଖୋଜି ବୁଲୁଛି । ବିଦ୍ରୋହର ଲହୁ ପାନ କରି କ୍ରୋଧ ଶାନ୍ତି କରିବାର ଲକ୍ଷ୍ୟ ବଳବତ୍ତର ହୋଇ ଉଠିଛି ।

 

ସାହେବର ହତ୍ୟା ପାଇଁ ସେ କୌଣସି ପ୍ରକାରେ ଧୀରଚିତ୍ତରେ ବିଚାର କରିବ ନାହିଁ । ସମଗ୍ର ଗାଁକୁ ମଶାଣି କରିଦେବ ।

 

ରବିଦାସ ଭାବିଲେ, ସେ ଯଦି ଏକୁଟିଆ ଯାଇ ସରକାରଙ୍କ ପାଖରେ ଆତ୍ମସମର୍ପଣ କରିଦିଅନ୍ତି, ସମଗ୍ର ଗାଁ ସରକାରୀ ବିତ୍ପାତରୁ ଉଦ୍ଧାର ପାଇଯିବ । ସମଗ୍ର ଗାଁର ଧନଜୀବନ ରକ୍ଷା ହୋଇଯିବ ।

 

ସେଇ ସଭାମଣ୍ଡପରୁ ଅବତରଣ କରି ରବିଦାସ ସିଧାସଳଖ ଚାଲିଲେ ପୋଲିସ ଫାଣ୍ଡିକୁ-। ବେକରେ ସେମିତି ଫୁଲମାଳ ଲମ୍ବିଥିଲା ।

 

ସେଥର କିନ୍ତୁ ରବିଦାସଙ୍କ ସଂଗରେ ଶୋଭାଯାତ୍ରା କରି ଯିବାପାଇଁ କେହି ଦୁଃସାହସ କରି ନ ଥିଲେ । ସାଥୀହରା ହୋଇ ଏକୁଟିଆ ଫାଣ୍ଡିରେ ଆତ୍ମସମର୍ପଣ କଲେ ।

 

ସୂର୍ଯ୍ୟକାନ୍ତର ମନେଅଛି, ସେଦିନ ବାପା ଅଥୟ ହୋଇ କାନ୍ଦୁଥିଲେ । ଘରେ ଚୁଲି ଜଳି ନ ଥିଲା । ସବୁ କଥା ବୁଝିବାଭଳି ବୟସ ହୋଇ ନ ଥିଲେ ବି କିଛିଟା ବୁଝିଥିଲା ସୂର୍ଯ୍ୟ ।

 

ସମସ୍ତେ କହିଲେ, ‘ଇଂରେଜ ସରକାର କ୍ଷମା ଦେବେ ନାହିଁ । ରବିଦାସ୍ ଫାଶୀ ପାଇବେ-। ନିଜ ମାଟି ପାଇଁ ସ୍ୱାଧୀନତା ଦାବୀ କରି ଜୀବନ ଦେବେ ରବିଦାସ ।’

 

ଖୁଦିରାମ ମରିଗଲେ ।

 

ବାଘା ଜତିନ୍ ମରିଗଲେ ।

 

ରବିଦାସ୍ ପୁଣି ମରିବେ ।

 

ଜେଲ ଗଲେ ରବିଦାସ୍ । ସେଇ ଜେଲରେ ଥିଲେ ମଦନବାବୁ, ଆହୁରି ଅନେକ ସତ୍ୟାଗ୍ରହୀ, ଅନେକ ବପ୍ଳବୀ, ଅନେକ ରାଜନୈତିକ ବନ୍ଦୀ । ସ୍ୱାଧୀନତା ଦାବୀ କରି ସମସ୍ତେ କାରାଦଣ୍ଡ ପାଇଛନ୍ତି । ସମସ୍ତେ କୁଆଡ଼େ ରବିଦାସଙ୍କ ମୁହଁକୁ ଚାହିଁଲେ । ସମସ୍ତଙ୍କ ଆଖିରେ ଲୁହ ଟଳମଳ ହୋଇଉଠିଥିଲା । ରବିଦାସଙ୍କ ଆଖିରେ ଥିଲା ଅସମ୍ଭବ ଦୃଢ଼ତା । ପ୍ରସନ୍ନ ମୁହଁ, ଉନ୍ନତ ଛାତି । ସେ ଖାଲି ଚାହୁଁଥିଲେ ସମସ୍ତଙ୍କ ମୁହଁକୁ, ଆକାଶକୁ । ଏଇ ତାଙ୍କର ସହକର୍ମୀଗଣ, ଏଇ ତାଙ୍କର ଜନନୀ ଧରିତ୍ରୀ, ଏଇ ଆଲୋକିତ ଆକାଶ । ଏଇମାନେ ଜୀବନକୁ ସ୍ପର୍ଶ କରିଛନ୍ତି ।

 

ରବିଦାସଙ୍କ ବାଗ୍ମିତା କୁଆଡ଼େ ଭାବାପ୍ରବଣତାରେ ନିଷ୍କ୍ରିୟ ହୋଇପଡ଼ିଲା । ତାଙ୍କର ଜ୍ୱାଳାମୟୀ ଭାଷା ଶେଷ ହୋଇଗଲା । ଏତିକି କହିଲେ–ଆପଣମାନଙ୍କ ପ୍ରେରଣାରେ କର୍ମମୟ ଜୀବନ ଆରମ୍ଭ କରିଥିଲି; ପୁଣି ଆପଣମାନଙ୍କ ସମ୍ମୁଖରେ ସେଇ ଜୀବନର ଅବସାନ ଘଟୁଛି । ମୋ ପାଇଁ ଅବଶୋଷ ନ କରି ଆପଣମାନେ ଲକ୍ଷ୍ୟ ପୂରଣଦିଗରେ ଆଗେଇ ଚାଲିବେ ।

 

ତାଙ୍କ କଣ୍ଠ ଆର୍ଦ୍ର ହୋଇପଡ଼ିଲା । ସେ ଆଉ କିଛି କହିପାରିଲେ ନାହିଁ । ମଦନବାବୁ ସେଦିନ କୁଆଡ଼େ ଅନେକ କାନ୍ଦିଥିଲେ ।

 

ଫୁଟିଲା ଫୁଲ ଝଡ଼ିଗଲା । ସୌରଭ ହଜିଗଲା । ସେଇ ଜେଲ ଭିତରେ ଫାଶୀ ପାଇଲେ ରବିଦାସ୍ ।

 

ମଦନବାବୁ କହୁଥିଲେ, ଫାଶୀ ହେବା ପୂର୍ବ ସନ୍ଧ୍ୟାରୁ ରବିଦାସଙ୍କ ସେଲ୍ ପାଖକୁ ଆଉ କେହି ଯାଇ ପାରି ନଥିଲେ । ଏକୁଟିଆ ହୁଏତ ସେ ଜେଲ୍ ଭିତରେ ମୁହଁମାରି ବସିଥିଲେ, ହୁଏତ କାନ୍ଦୁଥିଲେ । ଶେଷଥର ପାଇଁ ମା’ଙ୍କୁ ଭାଇଙ୍କୁ ଦେଖିବା ପାଇଁ ତାଙ୍କ ମନ ଚାହୁଁଥିଲା କିନ୍ତୁ ଇଚ୍ଛା କରି ସେ କାହାରିକୁ ଆଗରୁ ଦେଖା କଲେ ନାହିଁ । ସୂର୍ଯ୍ୟ ପାଇଁ ତାଙ୍କର ଅଶେଷ ଶ୍ରଦ୍ଧା ଥିଲା । ମଦନବାବୁଙ୍କୁ କହିଥିଲେ, ସୂର୍ଯ୍ୟ ହେବ ଆଗାମୀ ଯୁଗର ପ୍ରବର୍ତ୍ତକ । ରୁଚି ଏବଂ ତା’ ପାଇଁ ମୋର ଶେଷ ଆର୍ଶୀବାଦ ରହିଲା । ସେମାନେ ବଡ଼ ହେଲେ ତାଙ୍କୁ ମୋର ବାର୍ତ୍ତା ଜଣେଇଦେବେ । ବର୍ତ୍ତମାନ ତାଙ୍କର ବୁଝିବା ଭଳି ବୟସ ହୋଇନି ।

 

ମଦନବାବୁଙ୍କ ସହିତ ଜେଲର ଅନ୍ୟ ସବୁ ବନ୍ଦୀମାନେ ସମଗ୍ର ରାତି ଅନିଦ୍ରା ରହି ଗୀତା ପାଠ କରୁଥିଲେ । ବିଶ୍ୱକର୍ତ୍ତାଙ୍କ ପାଖରେ ପ୍ରାର୍ଥନା କରୁଥିଲେ । ସମସ୍ତଙ୍କ ମନ ଭାରାକ୍ରାନ୍ତା ହୋଇପଡ଼ିଥିଲା ।

 

ରାତ୍ରିର ଶେଷ ପ୍ରହରକୁ ଜେଲର ସାଇରେନ୍ ବାଜିଉଠିଲା । ବୋଧହୁଏ ରବିଦାସଙ୍କୁ ଫାଶୀଖୁଣ୍ଟକୁ ନେବାପାଇଁ ଜେଲ୍ ପ୍ରହରୀମାନେ ତତ୍ପର ହୋଇଉଠିଲେ । ସେଲ୍ ଭିତରେ ଅନ୍ୟ ବନ୍ଦୀମାନଙ୍କର ହୃଦୟସ୍ପନ୍ଦନ କ୍ରିୟା ବଢ଼ି ଚାଲିଲା । ବାହାରକୁ ଯିବାପାଇଁ ଉପାୟ ନାହିଁ ।

 

ପ୍ରହରୀମାନଙ୍କର ମାର୍ଚ୍ଚିଙ୍ଗ୍ ଶବ୍ଦ ବାହାରୁ ଶୁଣାଗଲା । ବୋଧହୁଏ ସେଲ୍ ଭିତରୁ ରବିଦାସଙ୍କୁ ଫାଶୀଖୁଣ୍ଟ ପାଖକୁ ନିଆଗଲା ।

 

ପୂର୍ବାଶାରୁ ସିନ୍ଦୁରା ଫାଟି ଆସୁଥିଲା ।

 

ମଦନବାବୁ ପାଠ କରୁଥିଲେ, ‘‘ୟଦା ୟଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ, ଅଭ୍ୟୁତଥାନମଧର୍ମସ୍ୟ ତଦାତ୍ମାନଂ ସୂଜାମ୍ୟହମ୍ ।’’

 

ଜେଲ୍ ପାଚେରୀ ଆରପାଖେ କୋଇଲି କୁମ୍ଭାଟୁଆ ରାବି ଉଠିଲେ ।

 

ସେଲ୍ ଭିତରୁ ଗଗନ ଥରାଇ ବନ୍ଦୀମାନେ ପାଟି କରି ଉଠିଲେ, ‘‘ରବିଦାସ ଅମର ରହେ... ରବିଦାସ ଜିନ୍ଦାବାଦ...’’

 

ନୂତନ ସୂର୍ଯ୍ୟ ଉଠିଲା, ସେଲଗୁଡ଼ିକର ଦରଜା ଖୋଲିଲା । ବନ୍ଦୀମାନେ ବାହାରକୁ ଆସି ରବିଦାସଙ୍କ ଶବ ଉପରେ ଜୟମାଲ୍ୟ ପିନ୍ଧାଇଦେଲେ ।

 

ସୂର୍ଯ୍ୟକାନ୍ତର ଆଖିପତା ଓଦା ହୋଇଆସିଲା ।

 

ଯୋଉଦିନ ଭାରତ ସ୍ୱାଧୀନ ହେଲା, ମଦନବାବୁ ସାଧାରଣ ସଭାରେ ଭାଷଣ ଦେଇ କହିଥିଲେ, ରବିଦାସ ମରିଯାଇ ବଞ୍ଚି ରହିଛନ୍ତି । ଯେତେଦିନ ଦେଶରେ ସ୍ୱାଧୀନତା ବଞ୍ଚି ରହିବ, ରବିଦାସ ବଞ୍ଚି ରହିବେ ।

 

ବହୁଦୂରରୁ କିଛି ଗୋଟାଏ କୋଳାହଳ ଶୁଣାଗଲା । ସିପ୍ରାର ଖଟପାଖରୁ ଉଠିଯାଇ ଝର୍କା ପାଖରେ ଠିଆହୋଇ ଦୂରକୁ ଚାହିଁଲା ସୂର୍ଯ୍ୟକାନ୍ତ । ବିରାଟ ଏକ ଶୋଭାଯାତ୍ରା ଉତ୍ତେଜନାପୂର୍ଣ୍ଣ ଧ୍ୱନି ଦେଇ ଆଗେଇ ଆସୁଥିଲା । ସମଗ୍ର ରାଜ୍ୟର ଛାତ୍ରମାନଙ୍କ ପଟୁଆର । ମାଧ୍ୟମିକ ଶ୍ରେଣୀର ଛାତ୍ରମାନଙ୍କଠାରୁ ଆରମ୍ଭ କରି ସ୍ନାତକୋତ୍ତର ଛାତ୍ରମାନେ ଯୋଗ ଦେଇଛନ୍ତି । ସେମାନଙ୍କ ଭିତରେ ବିଦ୍ରୋହ ଭାବ ଦେଖାଦେଇଛି । ବିଶ୍ୱବିଦ୍ୟାଳୟର ଉପାଧି ପାଇବା ପରେ ମଧ୍ୟ ଜୀବିକା ନିର୍ବାହ ପାଇଁ ଦେଶରେ ସେମାନଙ୍କର କର୍ମସଂସ୍ଥାନର ବ୍ୟବସ୍ଥା ନାହିଁ । ସେମାନଙ୍କ ଭିତରେ ଅଶାନ୍ତ ବହ୍ନି ଦୁର୍ଦ୍ଧର୍ଷ ହୋଇଉଠିଛି ।

Unknown

 

ସରକାରଙ୍କ ଆଶ୍ୱାସନା ବାଣୀରେ ତାଙ୍କର ଆଉ ବିଶ୍ୱାସ ନାହିଁ । ପ୍ରତି ଶ୍ରେଣୀର ଲୋକ ଅସନ୍ତୁଷ୍ଟ । କୃଷକ, କର୍ମଚାରୀ, ବ୍ୟବସାୟୀ, ଛାତ୍ର ସମସ୍ତେ ବିଦ୍ରୋହୀ ହୋଇଉଠିଛନ୍ତି ।

 

ତଥାପି ମୁଖ୍ୟମନ୍ତ୍ରୀ ଶାସନ ଚଳେଇଛନ୍ତି । ରୁଗ୍‍ଣ ଶାସନ ଆଗେଇ ଚାଲିଛି ।

 

ରବିଦାସଙ୍କ ଲବ୍ଧ ସ୍ୱାଧୀନତାର ମୂଲ୍ୟ ବୁଝିବାର ଆବଶ୍ୟକତା ମୁଖ୍ୟମନ୍ତ୍ରୀଙ୍କର ନାହିଁ । ପରାଧୀନ ଥିଲାବେଳେ ତାଙ୍କର ଯେମିତି କିଛି ଅସୁବିଧା ନ ଥିଲା, ଆଜି ବି ନାହିଁ ।

 

ଆମ ଲୋକମାନେ ତାଙ୍କୁ ଭୋଟ ଦେଇ ଶାସନଗାଦିକୁ ଆଣିଛନ୍ତି । ଏଇମାନେ ସେଦିନ ରବିଦାସଙ୍କୁ ଫୁଲମାଳ ପିନ୍ଧେଇଥିଲେ, ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ମାଳ ପିନ୍ଧେଇଛନ୍ତି । ରବିଦାସ କର୍ମନିଷ୍ଠାରେ ସେମାନଙ୍କ ହୃଦୟକୁ ଜୟ କରିଥିଲେ, ଆଉ ମୁଖ୍ୟମନ୍ତ୍ରୀ ମିଥ୍ୟା ପ୍ରତିଶ୍ରୃତି ଦେଇ, ପ୍ରବଞ୍ଚିତ କରି ତାଙ୍କୁ ଜୟ କରିଛନ୍ତି ।

 

ସୂର୍ଯକାନ୍ତାର ମନହେଲା, ସ୍ୱାଧୀନତା ଯେମିତି ଏକ ଲକ୍ଷ୍ୟହୀନ ପଥରେ ଆଗେଇ ଚାଲିଛି-

 

ଶୋଭାଯାତ୍ରା ଆଗେଇଆସୁଛି । ବିଧାନସଭା ସମ୍ମୁଖରେ ସେମାନେ ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ଗାଦି ଛାଡ଼ିବା ପାଇଁ ଆହ୍ୱାନ ଦେବେ । ସମସ୍ତ ଭୋକିଲା ପେଟକୁ ଦାନା, ଫୁଙ୍ଗୁଳା ଦେହକୁ କନା ବ୍ୟବସ୍ଥା କରିବା ପାଇଁ ଯଦି ସରକାର ଅପାରଗ, ସେ ସରକାର ପ୍ରକୃତରେ ହଟିଯିବା ଆବଶ୍ୟକ । କ୍ଷମତା ପାଇଁ, ଅନ୍ୟ ଉପରେ ପ୍ରଭୃତ୍ୟ କରିବା ପାଇଁ ଯଦି ଆଜିକାର ଯୁଗରେ କାହାର କିଞ୍ଚିତ ଅଭିଳାଷ ଥାଏ, ସେଥିପାଇଁ ତାକୁ ନିଶ୍ଚିତ ଭାବରେ ଶାସ୍ତି ଭୋଗିବାକୁ ହେବ । ଯୁବଶକ୍ତି ଆଜି ଉତକ୍ଷିପ୍ତ ହୋଇଉଠିଛି । ଅବିଚାର କରି କେହି କ୍ଷମା ପାଇବା ଉଚିତ୍ ନୁହେଁ ।

 

ସୂର୍ଯ୍ୟର ମନ ଭିତରେ ଚେଇଁଉଠିଲା ରବିଦାସଙ୍କ ଦୃଢ଼ତା, ତାଙ୍କରି ସଂଗ୍ରାମଶୀଳ ଚେତାବନୀ । ମଣିଷ ଭଗବାନଙ୍କ ରାଜ୍ୟରେ ଦଳିତ, ନିଷ୍ପେଷିତ ହୋଇ ବଞ୍ଚିପାରେ ନା । ନିର୍ଯ୍ୟାତନା ବିରୁଦ୍ଧରେ ତାକୁ ସଂଗ୍ରାମ କରିବାକୁ ପଡ଼ିବ ।

 

ସିପ୍ରା ଅସୁସ୍ଥ ।

 

ନଚେତ ସୂର୍ଯ୍ୟକାନ୍ତର ଇଚ୍ଛା ହେଉଥିଲା ବିରାଟ ଶୋଭାଯାତ୍ରାକୁ ନେତୃତ୍ୱ ଦେଇ ଆଗେଇନେବ । ବିଧାନସଭା ସମ୍ମୁଖରେ ଚିତ୍କାର କରି, ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରି କିଛି ଲାଭ ହେବନି ।

 

ସେମାନଙ୍କ ହାତରେ ବନ୍ଧୁକ ଅଛି, ସେମାନେ ଅବିବେକୀ; ଦେଶର ସମ୍ପତ୍ତି ଲୁଣ୍ଠନ କରି ଯେମିତି ନିଜକୁ ସମୃଦ୍ଧ କରୁଛନ୍ତି, ସେଇ ବିବେଚନାରେ ସେମାନେ ହୁଏତ କେତେଜଣ ଶୋଭାଯାତ୍ରାକାରୀଙ୍କ ଜୀବନ ଲୁଣ୍ଠନ କରିପାରନ୍ତି ।

 

ବିଧାନସଭାର ସ୍ୱାଧୀନ ସଦସ୍ୟ ସୂର୍ଯ୍ୟକାନ୍ତର ଇଚ୍ଛା ହେଲା, କେବଳ ଏଇ ନିର୍ଯ୍ୟାତିତ ଛାତ୍ରସମାଜ ନୁହନ୍ତି, ପ୍ରତ୍ୟେକ ପ୍ରଗତିଶୀଳ ସଂପ୍ରଦାୟ ସହିତ ସହଯୋଗ ରଖି, ନେତୃତ୍ୱ ଦାନ କରି ଗଣତନ୍ତ୍ରକୁ ବଞ୍ଚେଇ ରଖିବାକୁ ଚେଷ୍ଟା କରିବ ।

 

ଝର୍କାତଳ ରାସ୍ତାରେ ଶୋଭାଯାତ୍ରା ଆଗେଇ ଚାଲିଥିଲା । ଅଗଣିତ ଛାତ୍ରଛାତ୍ରୀଙ୍କର ଶୋଭାଯାତ୍ରା । ଆଉ ଟିକିଏ ଆଗେଇଗଲେ ବିଧାନସଭା ଗୃହ । ଗୁଳିବନ୍ଧୁକ ଧରି ପୋଲିସ୍ ସଚେତନ ହୋଇ ଜଗି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଚାହିଁ ରହିଛନ୍ତି, ସାମାନ୍ୟ ପ୍ରମାଦ ଲକ୍ଷ୍ୟକଲେ ଗୁଳି କରିବା ପାଇଁ ଆଦେଶ ଦେବେ ।

 

ବିଶ୍ୱବିଦ୍ୟାଳୟର କେତୋଟି କୃତୀ ଛାତ୍ର ହୁଏତ ଆଉ କେତେ ମିନିଟ୍ ପରେ ଟଳିପଡ଼ିବେ-

 

ସୂର୍ଯ୍ୟକାନ୍ତ ଏକାନ୍ତଭାବେ ଭାବପ୍ରବଣ ହୋଇପଡ଼ିଲା ।

 

ଝର୍କାର ଗ୍ରୀଲ୍ ଭିତରେ ହାତ ଗଳେଇ ଚିତ୍କାର କରି ଉଠିଲା, ଛାତ୍ରସମାଜ ଜିନ୍ଦାବାଦ.....

 

ଗ୍ରୀଲ୍ ବାହାରେ ତା’ ବାହୁର ମାଂସପେଶୀ ଫୁଲିଉଠିଥିଲା, କ୍ଷୁଧାର୍ତ୍ତ ନାଗସାପ ଯେମିତି କ୍ରୋଧରେ ପେଟେ ପବନ ପିଇ ଫୁଲିଉଠିଛି ।

 

ଶୋଭାଯାତ୍ରାକାରୀ ଛାତ୍ରମାନେ ଝର୍କା ବାହାରେ ଅଟକିଗଲେ ।

 

ଭିତରେ ସୂର୍ଯ୍ୟକାନ୍ତ ।

 

ତା’ ପ୍ରାଣର ପ୍ରତି ତନ୍ତ୍ରୀରେ ବିପ୍ଳବର ଆହ୍ୱାନ ।

 

ସିପ୍ରା ରୋଗଶଯ୍ୟାରେ ଶୋଇଛି ।

 

ତଥାପି ନିର୍ଯ୍ୟାତନା ବିରୁଦ୍ଧରେ ସଂଗ୍ରାମ ପାଇଁ ଆହ୍ୱାନ ।

 

ରବିଦାସ ଏମିତି ନିର୍ଯ୍ୟାତନାକୁ ପ୍ରଶୟ ନ ଦେଇ ଜୀବନ ଢାଳି ଦେଇଥିଲେ । ଏଇ ମାଟି ଉପରେ ତାଙ୍କର ଟୋପା ଟୋପା ରକ୍ତ ନିଗିଡ଼ି ପଡ଼ିଥିଲା; ଜୀବନ–ଫୁଲ ମଉଳି ଯାଇଥିଲା ।

 

ଗଳା ଫଟେଇ ଚିତ୍କାର କଲା ସୂର୍ଯ୍ୟକାନ୍ତ –ଚିଫ୍ ମିନିଷ୍ଟର ଡାଉନ୍ ଡାଉନ୍ ।

 

ସିପ୍ରା ଖାଲି ଆତଙ୍କିତା ହୋଇ ଚାହିଁଥିଲା ସୂର୍ଯ୍ୟକୁ ।

 

ଶୋଭାଯାତ୍ରକାରୀମାନଙ୍କ ଭିତରୁ କିଏ ଜଣେ ଦୌଡ଼ିଆସି ସୂର୍ଯ୍ୟକାନ୍ତର ବେକରେ ଫୁଲମାଳ ଲମ୍ୱାଇଦେଇ କହିଲା, ସୂର୍ଯ୍ୟକାନ୍ତ ଦାସ...ଜିନ୍ଦାବାଦ ।

 

ସୂର୍ଯ୍ୟକାନ୍ତର ଶିରାରେ ଶିରାରେ ଉତ୍ତେଜନାର ରକ୍ତ ଖେଳିଗଲା । ସ୍ପର୍ଦ୍ଧିତ ଶର ଏବଂ ଉନ୍ନତ ଛାତି କରି କ୍ୟାବିନ୍ ଭିତରୁ ସୂର୍ଯ୍ୟକାନ୍ତ ବାହାରିଆସିଲା ।

 

ତା’ ପାଇଁ ବାହାରେ ଅସୁମାରି ଛାତ୍ରସମାଜର ବିରାଟ ଶୋଭାଯାତ୍ରା ଅପେକ୍ଷା କରି ରହିଥିଲା ।

 

ଶୀତଦିନିଆ ନିଃଶବ୍ଦ ଆକାଶରେ ଏକୁଟିଆ ଜହ୍ନ ଫୁଙ୍ଗୁଳା ଦିହରେ ଥରୁଥିଲା । ପାଉଁଶିଆ ବଉଦର ବରଫ ଆସ୍ତରଣ ତାକୁ ଯେମିତି ନିସ୍ତେଜ କରିଦେଇଥିଲା ।

 

ବଡ଼ ଜହ୍ନର ସମସ୍ତ ଜ୍ୟୋସ୍ନା ଯେମିତି ଥଣ୍ଡାରେ କୋଲ୍ ମାରିଯାଇଥିଲା ।

 

ସରକାରୀ କ୍ୱାଟର୍ସର କାଚ ଝର୍କା ପାଖରେ ରୁଚି ଅପେକ୍ଷା କରିଥିଲା । ଦେବନାଥ ଘରକୁ ଫେରିନାହିଁ । ରାତି ବାରଟା ଗତ ହୋଇଗଲାଣି । ବ୍ଳକ୍ କଲୋନୀରେ ନୀରବତା ରାଜତ୍ୱ କରିଛି ।

 

ଏମିତି ନୀରବ ରାତିରେ ଦେବନାଥର ବାଟକୁ ଚାହିଁବା ରୁଚିର ଦୈନନ୍ଦିନ କାମରେ ପରିଣତ ହୋଇଛି । ବହୁ ବିଳମ୍ୱରେ ସେ ଘରକୁ ଫେରୁଛି । ନୀରବରେ ପୋଷାକ ଖୋଲି ବିଛଣାରେ ଶୋଇଯାଉଛି । ରୁଚି ତା’ର ଯେମିତି କେହି ନୁହେଁ । ତା’ ପ୍ରତୀକ୍ଷାର ଯେମିତି କିଛି ଅର୍ଥ ନାହିଁ ।

 

ସାହସ କରି ରୁଚି ତାକୁ କୈଫିୟତ ମାଗିପାରୁନାହିଁ । ଦେବନାଥ ତାକୁ ବହୁବାର କହିଦେଇଛି, ତା’ ସ୍ୱାଧିନତା ଉପରେ ହସ୍ତକ୍ଷେପ କରିବାର ଅଧିକାର ରୁଚିର ନାହିଁ ।

 

ଥରେ ରୁଚି କହିଥିଲା, ବିବାହ କରିସାରିବା ପରେ ବାହାରେ ରାତି କଟେଇବାର ସ୍ୱାଧିନତା ତୁମର ନାହିଁ । ତୁମ ସ୍ୱାଧିନତା ଯଦି ଆଉ ଜଣକର ଜୀବନକୁ ବିପନ୍ନ କରେ, ସେଭଳି ସ୍ୱାଧୀନତାକୁ ପ୍ରଶୟ ଦେଇ ହୁଏନା ।

 

ଦେବନାଥ କହିଥିଲା, ତୁମେ ବରଂ ବିପନ୍ନ ନ ହେବାପାଇଁ ଚେଷ୍ଟା କରିବା ଉଚିତ୍ ।

 

ରୁଚି ଜୀବନକୁ ସନ୍ଧାନ କରିବାକୁ ଚେଷ୍ଟା କରି ଦେବନାଥ ପାଖରେ ହାରିଯାଇଛି । ମରୁଭୂମି ଭିତରେ ଧୀରେ ଶୁଖିଲା ନଈ ପରି ତା’ ଆହତ ନାରୀର ପଡ଼ିରହିଛି । ବୟସର ବନ୍ୟା ତା ଜୀବନର ନଈକୁ ପ୍ଳାବିତ କରିପାରୁନି । ହତାଶାର ବାଲିରେ ସବୁ ଶୁଖିଯାଉଛି । ସେଇ ଶୁଷ୍କ ନଈର କୂଳେ କୂଳେ ମନର ମରାଳ ଏକା ଏକା ବୁଲୁଛି ।

 

ଦେବନାଥର ଯଦି ବୁଝିବା ଆବଶ୍ୟକ ପଡ଼ୁନି, ତାକୁ ବୁଝେଇବା ରୁଚି ପକ୍ଷରେ ନିଶ୍ଚୟ ଅସମ୍ଭବ ପରିକଳ୍ପନା । ତା’ ଦେହରେ ପ୍ରଚୁର ସୌନ୍ଦର୍ଯ୍ୟ ବେଶପରୀପାଟୀରେ ଅନେକ ଲୋଭନୀୟ ଆକର୍ଷଣ; ତଥାପି ଦେବନାଥକୁ ଆକର୍ଷଣ କରି ନ ପାରିବାରେ ତା’ର ଅପାରଗତା କୋଉଠି ?

 

ହୁଏତ ପୁରୁଷ ଦାବୀ କରେ ନିଜ ସ୍ତ୍ରୀ ପାଖରୁ ନମ୍ରତା । ସେଥିରେ ତା’ର ପୁରୁଷତ୍ୱ ପରିପୁଷ୍ଟ ହୁଏ ।

 

ରୁଚି ବି ଅସମ୍ଭବ ନମ୍ର ହୋଇଛି । ଦେବନାଥର ମନରେ ନିଜକୁ ପ୍ରତିଫଳିତ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଛି । ହୁଏତ ତା’ ପ୍ରତି ଦୟା କରି ସେ ସହାନୁଭୂତିଶୀଳ ହେବ ।

 

ଆଲୋଡ଼ିତ ଜୀବନରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରି ରୁଚି ବିଫଳ ହୋଇଛି ।

 

ଉପରେ ଆକାଶର ଛିଣ୍ଡା ଛିଣ୍ଡା ସୁଦୂରପ୍ରସାରୀ ମେଘ, ତଳେ ମରୁଭୂମିର ଅସରନ୍ତି ବାଲି-। ରୁଚିର ଭାବନା ଥକିପଡ଼ିଛି । ଏଇ ଜୀବନ ଫଟା ଭୂଇଁ । ଅସରାଏ ବର୍ଷାକୁ ସେ ଅପେକ୍ଷା କରିଛି । କରୁଣାର ବର୍ଷା । ଦେବନାଥର କରୁଣା ।

 

କଲେଜରେ ପଢ଼ିଲାବେଳେ ଦେବନାଥ ଉପରେ କରୁଣା କରି ରୁଚି ତାକୁ ଭଲ ପାଇଥିଲା-। ସୂର୍ଯ୍ୟକାନ୍ତ ପ୍ରତି ପ୍ରତାରଣା କରିଥିଲା । ଆଜି ସେ ନିଜେ ପ୍ରତାରତା ହୋଇଛି । ଦେବନାଥ ପାଖରୁ କରୁଣା ଭିକ୍ଷା କରି ମଧ୍ୟ ପାଇପାରୁନି ।

 

ଗୋଟିଏ ଘର । ଦୁଇଟି ମଣିଷ । ଜଣେ ଧାଇଁଛି । ଆଉ ଜଣେ ଅନୁଧାବନ କରି ମଧ୍ୟ ପାରୁନାହିଁ । ତଥାପି ଥକାମରା ହୋଇ ନିଶ୍ଚେଷ୍ଟ ହେବାପାଇଁ ସାହସ ହେଉନାହିଁ । ଉପାୟ ନାହିଁ । ଦମ୍ ରଖି ପୁଣି ଧାଇଁବାକୁ ପଡ଼ୁଛି ।

 

କାତର ହେଲେ ମଧ୍ୟ ଚେଷ୍ଟାର ବିରତି ନାହିଁ ।

 

ଚେଷ୍ଟା । ଅକ୍ଳାନ୍ତ ଚେଷ୍ଟା । ଦେବନାଥକୁ ଜୟ କରିବାକୁ ହେବ ।

 

ଜୀବନ ଉପହାସ କରୁଛି ।

 

ଏଇ ଜୀବନକୁ ସ୍ୱାଗତ ଜଣେଇଥିଲା ସୂର୍ଯ୍ୟକାନ୍ତ । ତା’ ବ୍ୟକ୍ତିତ୍ୱ ପାଖରେ ଦେବନାଥ ନିଷ୍ପ୍ରଭ ।

 

ସୂର୍ଯ୍ୟକାନ୍ତ କେବଳ ବଡ଼ ନୁହେଁ, ଅନେକ ବଡ଼ । ଦେବନାଥ ପରି ତା’ର ରୂପ ନାହିଁ, ଦାମିକା ପୋଷାକର ଅହମିକା ନାହିଁ; କିନ୍ତୁ ତା’ ପାଖରେ ଜୀବନର ସତ୍ୟତା ଅଛି, ମାନବିକତାର ମର୍ଯ୍ୟଦା ଅଛି, ମଣିଷପଣିଆ ଅଛି ।

 

ରୁଚି ଅନେକ ସମୟରେ ଭାବେ, ସେ ଖାଲି ଗୋଟାଏ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ମନର ଆକ୍ରୋଶ ତୃପ୍ତି କରିବା ପାଇଁ ସିପ୍ରାକୁ ବିବାହ କରିଛି ।

 

ହୁଏତ ସିପ୍ରାକୁ ବିବାହ କରିବା ଅର୍ଥ ରୁଚିର ଅବହେଳିତ ଜୀବନ ପ୍ରତି ଆହ୍ୱାନ; କିନ୍ତୁ ଜବାବ ଦେବାପାଇଁ କିଛି ସମ୍ୱଳ ରୁଚିର ନାହିଁ ।

 

ଦେବନାଥକୁ ବିବାହ କରିବା ପରେ ସୂର୍ଯ୍ୟକାନ୍ତ ବିଷୟରେ ଚିନ୍ତା କରିବା ସଂପୂର୍ଣ୍ଣ ଅବାନ୍ତର । ଏଇ ଅବାନ୍ତର ଭାବନାକୁ ମନରେ ସେ ଆଦୌ ସ୍ଥାନ ଦେଇ ନ ଥାନ୍ତା, ଯଦି ଦେବନାଥ ପାଖରୁ ସେ ଆବଶ୍ୟକୀୟ ପ୍ରତିଦିନ ପାଇଥାନ୍ତା । ସେ କିନ୍ତୁ କେବଳ ଦାନ ଦେଇ ହତାଶ ହୋଇଛି-। କିଛି ପାଇନାହିଁ । ପାଇବାର କାମନା ଅଛି; କିନ୍ତୁ ସମ୍ଭାବନା ନାହିଁ । ଚାତକୀୟ ପ୍ରତୀକ୍ଷା ନେଇ ସେ ଖାଲି ଚାହିଁଛି ।

 

ଚିତ୍ରାକୁ ନେଇ ଦେବନାଥ ସଂନ୍ଧ୍ୟାରେ ନଈକୂଳରେ ବୁଲିଯାଇଛି । ବାଲିଏ ବାଲିଏ ପାଦ ଥକିଲା ପର୍ଯ୍ୟନ୍ତ ସେମାନେ ଚାଲିଯାଇଛନ୍ତି । ଅନ୍ଧାର ଭିତରେ ମିଳେଇଯାଇଛନ୍ତି । ଆଉ ଆଖି ପାଇନାହିଁ । ପୁଣି ଫେରିଛନ୍ତି । ଚିତ୍ରାର ବେଶଭୂଷା ଅସଜଡ଼ା ହୋଇଛି । ଦେବନାଥ ଅବଶ ହୋଇଛି ।

 

ଚିତ୍ରାକୁ ନେଇ ବଜାର ହାଟରେ ଆଲୋଚନା ହେଉଛି; ତଥାପି ତା’ର ଭୟ ନାହିଁ । ଦେବନାଥକୁ ସେ କୌଣସି ଉପାୟରେ ମୁକ୍ତି ଦେବାକୁ ଚାହେଁନା ।

 

ଦେବନାଥ ତା ସାଙ୍ଗରେ ଗୋଟାଏ ଜିପ୍ ଗାଡ଼ିରେ ବସି ଗସ୍ତରେ ବାହାରିଯାଏ । ବାହାରେ ଗୋଟାଏ ରାତି ରହଣୀ । କୋଉ ଗୋଟାଏ ଡାକବଙ୍ଗଳାରେ ମାତ୍ର ଗୋଟାଏ ସଂରକ୍ଷିତ କୋଠରୀ ।

 

ଗୋଟାଏ କୋଠରୀରେ ସେମାନେ ରାତି କାଟିବେ । ସଂନ୍ଧ୍ୟାରେ ହୁଏତ ସାଙ୍ଗ ହୋଇ ସିନେମା ଦେଖିଯିବେ ଏବଂ ରାତିରେ ବିଶ୍ରାମ ନେଲାବେଳେ ହୁଏତ ଗୋଟାଏ ବିଛଣାରେ...

 

ରୁଚିର ମନ ଭିତରେ କାରୁଣ୍ୟ ଭରିଯାଏ । ଲୁହ ଝରେ । ସହି ହୁଏ ନାହିଁ ।

 

ଚିତ୍ରା ପାଖରେ କେତେବାର ରୁଚି ନିଜର ଅଭିବ୍ୟକ୍ତି ବ୍ୟକ୍ତ କରିଛି । ପର ପୁରୁଷ ପାଖରେ ଅନୁଢ଼ା ଝିଅ । ଦେବନାଥର କିଛି ହେବ ନାହିଁ । ତୁମ ଦିହରେ କଳଙ୍କ ଲାଗିବ । ଧୋଇଲେ ଛାଡ଼ିବ ନାହିଁ । ତୁମେ ଆଉ ବାହା ହୋଇପାରିବ ନାହିଁ । ବିବାହିତ ପୁରୁଷ ଦେବନାଥ । ମୋ ପ୍ରତି ତାଙ୍କର କର୍ତ୍ତବ୍ୟ ଅଛି । ମୋର ଜୀବନ ଅଛି । ଜୀବନର ସ୍ପର୍ଶ ଅଛି ।

 

କିଛି ଉତ୍ତର ଦେଇନି ଚିତ୍ରା । ସବୁବେଳେ ତା’ର ନୀରବତା । ହୁଏତ ଓଲଟେଇ କଥା କହିବାର ଦମ୍ଭ ନାହିଁ ।

 

କିଛି ସାମାନ୍ୟ ଉତ୍ତର ପାଇବାପାଇଁ ଦାବୀ କରି ରୁଚି ହତାଶ ହୋଇଛି । ଦେବନାଥ ତାକୁ କରିଦେଇଛି, ରୁଚିର ଆକ୍ରମଣକୁ ସହିଯିବ । ପ୍ରତିରୋଧ କଲେ ତା’ ନିଜର କ୍ଷତି ହେବ । ରୁଚି ତା’ଠାରୁ ବିଦ୍ୟାରେ, ବୁଦ୍ଧିରେ, ଗୁଣରେ, ରୂପରେ ସବୁଥିରେ ସରସ ।

 

ଚିତ୍ରାକୁ ଭଲପାଇବାବେଳେ ଏକ ଦୁର୍ବଳ ଖିଆଲ୍ ବ୍ୟତୀତ ଦେବନାଥର ଆଉ କିଛି ବିଶେଷ ଆସକ୍ତି ନଥିଲା ।

 

ଖାଲି କ’ଣ ସୁନ୍ଦରୀ ରୁପସୀ ନାରୀକୁ ଭଲ ପାଇହୁଏ ? ଭଲ ପାଇବା ମନର ସ୍ପର୍ଶ । ମନକୁ ଛୁଇଁପାରିଲେ ରୁପଗୁଣର ବିଚାର କରିହୁଏନା ।

 

ଖାଲି ରୂପ ନେଇ ନାରୀର ତେଣୁ ଅଳଙ୍କାର କରିବାର କିଛି ମୂଲ୍ୟ ନାହିଁ । ପୁରୁଷ ମନକୁ ଛୁଇଁପାରିବା ଭଳି ତା’ର ଦକ୍ଷତା ଥିଲେ ହେଲା ।

 

ରୁଚି ଅନେକ ଚିନ୍ତା କରିଛି । ଚିତ୍ରା ପାଖରେ କ’ଣ ବିଶେଷତ୍ୱ ଅଛି ଏବଂ ତା’ ନିଜ ପାଖରେ କ’ଣ ନାହିଁ, ବିଚାର କରିଛି ।

 

ଏକୁଟିଆ ଭୂତ ତାକୁ ଆକ୍ରମଣ କରି ଚେତନା ଥରାଇ ଦେଇଛି । ଖାଲି ବିଫଳତା ।

 

ଚିତ୍ରା ଜୟ କରିଛି ଏବଂ ସେ ହାରିଯାଇଛି ।

 

ସେଇ ପରାଜିତ ଜୀବନକୁ ନେଇ ତଥାପି ପଡ଼ିରହିଛି ରୁଚି । ଆଉ ଉପାୟ ନାହିଁ । ଜୀବନ ଜଳୁଛି । ସେଇ ଜ୍ୱଳନ ଭିତରେ ଶୀତଳତାକୁ କାମନା କରିବାକୁ ହେବ । ନିଶ୍ଚେଷ୍ଟ ହୋଇ ରହିଗଲେ ଆହୁରି କଷଣ, ଆହୁରି ଅଶାନ୍ତି ।

 

ଶୀତ ଆହୁରି ବଢ଼ିଛି ।

 

ରାସ୍ତା ଉପରେ ବୁଲା କୁକୁର ଗୁଡ଼ାକ ଅସହ୍ୟ ଶୀତରେ ଚିତ୍କାର କରୁଛନ୍ତି । ରାସ୍ତାକଡ଼ରେ ରିକ୍ସାବାଲାଟିଏ ନିଆଁ ଜାଳି ଉଷୁମ ଟାଣୁଛି ।

 

ପାଖାପାଖି ରାତି ଗୋଟାଏ ।

 

ରୁଚିର ଦେହରେ ଚମକ ଲାଗିଲା । ଗସ୍ତରେ ଯାଇ ନଥିଲେ ଦେବନାଥର ଏତେ ବିଳମ୍ବ ହୁଏନା । ବାରଟା ପୂର୍ବରୁ ସେ ନିଶ୍ଚିତ ଭାବରେ ଘରକୁ ଫେରିଆସେ ।

 

କବାଟ ଖୋଲି ବାହାରକୁ ଆସିଲା ରୁଚି । ନିଃଶବ୍ଦତାର ଭୟ । ନିଶା ଗର୍ଜୁଛି ।

 

ବି.ଡି.ଓଙ୍କ କ୍ୱାଟର୍ସକୁ ଲାଗି ହେଡ୍ କ୍ଲର୍କ ଭ୍ରମରବାବୁଙ୍କ କ୍ୱାଟର୍ସ । ରାତି ଦଶଟା ହେଲେ ତାଙ୍କର ଲାଇଟ୍ ଲିଭିଯାଏ । ଉତ୍ତମ ମଣିଷ ଭ୍ରମରବାବୁ । ବୁଢ଼ା ହେଲେଣି । ରୁଚି ପ୍ରତି ତାଙ୍କର ମମତା ଅଛି । ମଦନବାବୁଙ୍କର ସେ ଚିହ୍ନା ଜଣା । ସେଇ ସମ୍ପର୍କରେ ରୁଚି ପ୍ରତି ତାଙ୍କର ଶ୍ରଦ୍ଧା । ତାଙ୍କ ସ୍ତ୍ରୀ ଆହୁରି ଉତ୍ତମ ନାରୀ ।

 

ସଂସାରରେ କେହି ନାହିଁ । ରୁଚି ବୟସର ଗୋଟିଏ ବୋଲି ଝିଅ । ବିବାହ କରି ଯାଇଛି । ଜ୍ୱାଇଁ ତାଙ୍କର ଆଇ, ଏ. ଏସ୍, ଅଫିସର । ବର୍ଷେ ହେବ କୋଉଠି କେଜାଣି ଜିଲ୍ଲାପାଳ ହୋଇ ଅବସ୍ଥାପିତ ହୋଇଛନ୍ତି ।

 

ଭ୍ରମରବାବୁଙ୍କର ସବୁ କାମରେ ମାପଚୁପ ବିଚାର । ଅନ୍ୟାୟକୁ ପ୍ରଶୟ ହେବାକୁ ତାଙ୍କର ଇଚ୍ଛା ନୁହେଁ; ତଥାପି ଚାକିରୀ କରି ତାଙ୍କପରି ଜଣେ ଅଧସ୍ତନ କର୍ମଚାରୀ ନ୍ୟାୟକୁ ସବୁ ସମୟରେ ପ୍ରାଧାନ୍ୟ ଦେଇପାରିନାହାନ୍ତି । ବିଶେଷ କରି ଦେବନାଥଙ୍କର ଅନେକ କାମରେ ପକ୍ଷପାତ ବିଚାର-। ନିଜ ସ୍ୱାର୍ଥରକ୍ଷା ପାଇଁ ସେ ବହୁକ୍ଷେତ୍ରରେ ଅନ୍ୟାୟକୁ ପ୍ରଶୟ ଦେଇଛନ୍ତି । ଆପତ୍ତି ଜଣେଇଛନ୍ତି ଭ୍ରମରବାବୁ; କିନ୍ତୁ ଦେବନାଥ ଶୁଣିନାହିଁ ।

 

ଅସନ୍ତୁଷ୍ଟ ହୋଇଛନ୍ତି ଭ୍ରମରବାବୁ । ଦେବନାଥ ପାଖରେ ପ୍ରତିବାଦ କରି କିଛି ଲାଭ ନାହିଁ-। ଅନେକବାର ଘରୋଇ କଥା ପ୍ରସଙ୍ଗରେ ରୁଚି ପାଖରେ ତାଙ୍କର ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ।

 

ଦେବନାଥ ଭ୍ରମରବାବୁଙ୍କ ଉପରେ ବିରକ୍ତ ପ୍ରକାଶ କରିପାରେନା । ଭୟ ହୁଏ । ଜ୍ୱାଇଁ ତାଙ୍କର ଆଇ, ଏ, ଏସ୍ ଅଫିସର । ଯଦି କୌଣସି ସମୟରେ ଦେବନାଥର ସେ ଉପରିସ୍ଥ କର୍ମଚାରୀ ଭାବରେ ନିଯୁକ୍ତି ପାଆନ୍ତି, ତେବେ ଭ୍ରମରବାବୁ ପ୍ରତିଶୋଧ ନେବାପାଇଁ ସୁଯୋଗ ପାଇବେ ।

 

ରୁଚି ଭ୍ରମରବାବୁଙ୍କ ଘରକୁ ଚାହିଁଲା । କୁହୁଡ଼ିଘେରା ଝାପସା ଅନ୍ଧାର ଏବଂ ଛାପିଛାପିକା ଜହ୍ନ ଆଲୁଅରେ ଅସ୍ପଷ୍ଟ ଦିଶୁଥିଲା ।

 

ଏତେ ରାତିରେ ତାଙ୍କ ଘରେ ଡାକିଲେ ନିଶ୍ଚୟ ଅଭଦ୍ରାମି ହେବ । ବୁଢ଼ା ମଣିଷ ଭ୍ରମରବାବୁ ଅସ୍ୱସ୍ତି ଅନୁଭବ କରିବେ; କିନ୍ତୁ ଅନ୍ୟ କିଛି ଭରସା ନାହିଁ ।

 

ଭ୍ରମରବାବୁଙ୍କ ଦୁଆରେ ଡାକିଲା ରୁଚି ।

 

କବାଟ ଖୋଲିଲେ ଭ୍ରମରବାବୁ ।

 

‘‘ଏତେ ରାତିରେ ତମେ ? ବାବୁ ବୋଧହୁଏ ଫେରିନାହାନ୍ତି ।

 

ରୁଚି ମଥା ନତ କରି କହିଲା, ନା ।

 

ସବୁ ଜାଣନ୍ତି ଭ୍ରମରବାବୁ । କେମିତି ଗୋଟାଏ ଦୟାପୂର୍ଣ୍ଣ ଦୃଷ୍ଟିରେ ରୁଚିକୁ ଚାହିଁଲେ ।

 

ସେଇ ଚାହାଣୀ ଭିତରେ, ରୁଚିର ମନେହେଲା, ଭ୍ରମରବାବୁ ଯେମିତି ତାଙ୍କର ସବୁ ସହାନୁଭୂତି ଅଜାଡ଼ିଦେଲେ ।

 

ରୁଚି କହିଲା, ‘‘ମୁଁ ଆଉ ପାରିବିନି । ମୋତେ ଭୟ ଲାଗୁଛି । ରାତି ଗୋଟାକରୁ କିଛି ଗଡ଼ିଗଲାଣି । ମୋତେ ଆପଣ ସାହାଯ୍ୟ କରନ୍ତୁ ।’’

 

କିଛି ନା କିଛି, ଦିହରେ ସୁଏଟର୍ କୋଟ ଗଳେଇ, ମୁଣ୍ଡରେ ମଫଲର୍ ବାନ୍ଧି, ଟର୍ଚ୍ଚ ଲାଇଟ୍ ଧରି ବାହାରିପଡ଼ିଲେ ଭ୍ରମରବାବୁ ।

 

ଅଫିସରେ ସେ ସୂଚନା ପାଇଥିଲେ ବି.ଡି.ଓ ଜିପ୍ ନେଇ ସଂନ୍ଧ୍ୟାରେ କୁଆଡ଼େ ନିଜ କାମରେ ଯିବେ । ପ୍ରସଙ୍ଗରେ ଡ୍ରାଇଭର୍ ବି ଯିବ ନାହିଁ ।

 

ଅନେକବାର ଏମିତି ବ୍ୟକ୍ତିଗତ କାମରେ ସରକାରୀ ଜିପ୍ ନେବା ଆଇନସମ୍ମତ ନୁହେଁ ବୋଲି ସେ ଜଣେଇଛନ୍ତି; କିନ୍ତୁ ଦେବନାଥ ଶୁଣିନାହିଁ ।

 

ବ୍ୟକ୍ତିଗତ କାମ ଅର୍ଥ, ଦେବନାଥ ପାଖରେ କେବଳ ଚିତ୍ରାକୁ ନେଇ ସଂନ୍ଧ୍ୟାରେ କିଛି ଦୂର ବାଟକୁ ଯାଇ ଫୁର୍ତ୍ତି କରିବା ବ୍ୟତୀତ ଆଉ କିଛି ନୁହେଁ । ସେଥିପାଇଁ ଅନେକ ବ୍ୟସ୍ତ ହୁଅନ୍ତି ଭ୍ରମରବାବୁ । କିଛି କହିପାରନ୍ତି ନାହିଁ । ମନେ ମନେ ଜଳି ଜଳି ରହନ୍ତି । ଚିତ୍ରାକୁ ଦେଖିଲେ ତାଙ୍କ ଦିହରେ ନିଆଁ ଲାଗିଯାଏ ।

 

ଲଜ୍ଜାହୀନା ନାରୀ ସବୁବେଳେ ନିର୍ଭୟା । ଏତେ ଅପବାଦ, ଏତେ ଟାହିଟାପରା ଭିତରେ ଚିତ୍ରା କିମିତି ମୁହଁ ଦେଖାଏ, କେଜାଣି, ଭ୍ରମରବାବୁଙ୍କୁ ବରଂ ତା’ ପାଇଁ ଲାଜ ମାଡ଼େ । ଚିତ୍ରା ମୁହଁକୁ ସେ ଅଫିସରେ ଚାହିଁପାରନ୍ତି ନାହିଁ ।

 

ଦେବନାଥ ନିଶ୍ଚୟ ଡ୍ରାଇଭିଂ କରି ଯାଇଥିବ । ସଙ୍ଗରେ ଚିତ୍ରା ଯାଇଥିବ । ସହର ଛାଡ଼ି କିଛି ଦୂର ଯାଇଥିବେ ବୋଧହୁଏ ସେଇ ଝରଣାକୂଳକୁ । ଦଶ କିଲୋମିଟର ରାସ୍ତା ଫେରିବା ପାଇଁ ଏମିତି ଡେରି ହେବାର କିଛି କାରଣ ନାହିଁ ।

 

ରୁଚି କହିଲା, ‘‘ଅଯଥାରେ ଆପଣଙ୍କୁ କଷ୍ଟ ଦେଲି । ଏତେ ରାତିରେ ଆପଣ ଏକା କୁଆଡ଼େ ଯିବେ ? ମୁଁ ବରଂ ଆପଣଙ୍କ ସାଙ୍ଗରେ ଯାଇପାରେ ।’’

 

ଭ୍ରମରବାବୁ କହିଲେ, ’’ମୁଁ ଏଇ ସଙ୍ଗେ ସଙ୍ଗେ ଫେରିଆସିବି । ତୁମେ ବରଂ ଅପେକ୍ଷା କର ।’’

 

ଭ୍ରମରବାବୁଙ୍କ ଘରେ ରୁଚି ଅପେକ୍ଷା କରିଥିଲା । କଲୋନୀ ପାଖରେ ରହୁଥିବା ଦୁଇ ଜଣ ଲୋକଙ୍କୁ ସାଇକେଲରେ ଝରଣା ପର୍ଯ୍ୟନ୍ତ ପଠାଇବା ପାଇଁ ବ୍ୟବସ୍ଥା କରି ଭ୍ରମରବାବୁ କିଛି ସମୟ ଭିତରେ ଫେରିଆସିଲେ ।

 

ରାତ୍ରିର ଶେଷ ପ୍ରହର ଶୀତର ପ୍ରକୋପ ଅଧିକ ମାତ୍ରାରେ ବଢ଼ିଥିଲା ।

 

ଭ୍ରମରବାବୁ କହିଲେ, ‘‘ନାରୀପକ୍ଷରେ ନିର୍ଯ୍ୟାତନା ଭୋଗ କରିବା ଅସାଧାରଣ ଘଟଣା ନୁହେଁ । ନାରୀମାନେ ବିଶେଷତଃ ଈର୍ଷାପରାୟଣ । ଚିତ୍ରା ପ୍ରତି ତୁମର ସ୍ୱାଭାବିକ ଈର୍ଷା ମନରେ ସ୍ଥାନ ପାଇଥିବ । ଇଚ୍ଛା କରିଥିଲେ, ମୁଁ ଚିତ୍ରାକୁ ଶାସ୍ତି ଦେଇ ପାରିଥାନ୍ତି । କଲୋନୀର ସମସ୍ତଙ୍କ ସହିତ ମୋ‘ର କେବଳ ସୌହାର୍ଦ୍ଦ୍ୟ ନାହିଁ, ସମସ୍ତେ ମୋତେ ସମ୍ମାନ ମଧ୍ୟ କରନ୍ତି । ପାଠରେ, ବୁଦ୍ଧିରେ ହୁଏତ ମୋ ଅପେକ୍ଷା ଅନେକ ଗୁଣବାନ୍ ବ୍ୟକ୍ତି କଲୋନୀରେ ଥାଇପାରନ୍ତି; କିନ୍ତୁ ବୋଧହୁଏ ନ୍ୟାୟ ବିଚାର ପାଇଁ ସମସ୍ତେ ମୋତେ ଶ୍ରଦ୍ଧା କରନ୍ତି । ମୋ କଥା ମାନନ୍ତି ।

 

‘‘ତୁମେ ମଦନବାବୁଙ୍କ ଝିଅ । ଏ ଦେଶର ନୂତନ ଇତିହାସ ପଛରେ ତୁମ ବାପାଙ୍କର ବ୍ୟକ୍ତିତ୍ୱ ପ୍ରତିଷ୍ଠିତ । ମୁଁ ତୁମକୁ ଗଭୀର ଶ୍ରଦ୍ଧା କରେ । କେବଳ ତୁମର ସ୍ୱାର୍ଥ ଦୃଷ୍ଟିରୁ, ଇଚ୍ଛା କରିଥିଲେ ମୁଁ ଚିତ୍ରାକୁ ଉଚିତ୍ ଶାସ୍ତି ଦେଇପାରିଥାନ୍ତି; କିନ୍ତୁ ବିବେକ ପ୍ରତିରୋଧ କରିଛି ।’’

 

ରୁଚି କହିଲା, ‘‘ଦେବନାଥଙ୍କୁ ଅମର୍ଯ୍ୟଦା କରି ମୁଁ ମଧ୍ୟ ସେ ବିଷୟରେ ଚିନ୍ତା କରିପାରିନି । ବ୍ଳକ୍ କଲୋନୀ ନୁହେଁ, ସମସ୍ତ ସହର ଲୋକେ ଉତକ୍ଷିପ୍ତ । ମୁଁ ବି ସାମାନ୍ୟ ଚେଷ୍ଟା କରିଥିଲେ ଚିତ୍ରା ଏତେଦୂର ଅଗ୍ରସର ହେବା ସମ୍ଭବ ହୋଇପାରି ନ ଥାନ୍ତା ।’’

 

‘‘ଡ୍ରାଇଭର୍ ହମିଦ ମିଆଁ କହୁଥିଲା, ମାତ୍ର ଦଶଟା ଟଙ୍କାରେ ସବୁ ଠିକ୍ କରିଦେବ । ବେଶି କିଛି ନୁହେଁ, ଦୁଇଟା ବୋତଲ ଦେଶୀ ମଦର ଦାମ୍ । ଚିତ୍ରା ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯିବ । କୋଉଠିକାର ମାଇକିନା, ବସ୍ତି ଭିତରେ ଆସି ରଙ୍ଗ ଜମେଇଛି ।’’

 

ଭ୍ରମରବାବୁ ଖଣ୍ଡେ ସିଗାରେଟରେ ନିଆଁ ଧରେଇ କହିଲେ, ‘‘ଦୋଷୀ ପାଇଁ ଭଗବାନ୍ ଦଣ୍ଡବିଧାନ କରିବେ । ମଣିଷ ନିମିତ୍ତ ମାତ୍ର । ଇଚ୍ଛା କଲେ ବି ମଣିଷ କୌଣସି ଭୁଲ୍ ସଂଶୋଧନ କରିପାରିବ ନାହିଁ । ସେଇ କର୍ତ୍ତା ଚାହିଁଲେ ପୁଣି ସବୁ ଠିକ୍ ହୋଇଯିବ । ତୁମେ ବ୍ୟସ୍ତ ହୁଅନା, ରୁଚି-। ସ୍ୱାମୀ ପାଇଁ ଯୋଉ ନାରୀମାନେ ତ୍ୟାଗ କରିଛନ୍ତି, ସେମାନେ ଭବିଷ୍ୟତ ଜୀବନରେ ସୁଖୀ ହୋଇଛନ୍ତି । ଆମ ପରମ୍ପରା ସ୍ତ୍ରୀକୁ ସ୍ୱାମୀର ମାତ୍ର ସେବିକାର ଆଖ୍ୟା ଦେଇଛି । ଯୋଉ ନାରୀ ସ୍ୱାମୀକୁ ଅମର୍ଯ୍ୟଦା କରିଛି, ସେ ଆଜୀବନ ଦୁଃଖ ଭୋଗିଛି; ପରଜନ୍ମରେ ବି ତା’ ପାଇଁ ଶାନ୍ତି ନାହିଁ-। ସେ କୁଳନାରୀର ଆସନ ପାଇପାରେ ନା ।’’

 

ରୁଚି କହିଲା, ‘‘ମୁଁ ଅବିଚଳିତା ରହିଛି । ଦେବନାଥଙ୍କୁ ଆଜିସୁଦ୍ଧା ମୁଁ ପ୍ରତିରୋଧ କରିନାହିଁ-। କେବଳ ପ୍ରତିବାଦ ଜଣେଇ ଆସିଛି । ସେ ମୋ‘ର ସ୍ୱାମୀ । ସେ ବିପଥଗାମୀ ହୋଇପାରନ୍ତି; କିନ୍ତୁ ତାଙ୍କୁ ଅମର୍ଯ୍ୟାଦା କଲେ ମୁଁ ସୁଖୀ ହୋଇପାରିବିନି । ବରଂ ମୋର ଅଶାନ୍ତି ବଢ଼ିବ । ମୋର ବିଶ୍ୱାସ ଅଛି, ସେ ସବୁ କିଛି ବୁଝିବାଭଳି ଅବସ୍ଥାକୁ ନିଶ୍ଗୟ ଫେରିଆସିବେ ।’’

 

ପାହାନ୍ତିଆ ଶୀତଳ ପବନ ଅବଚେତନଶୀଳ ଛୋଟ ସହରକୁ ଆହୁରି ଉଦାର କରିଦେଇଥିଲା । ଶୀତରେ ଥରି ଥରି ବୃଦ୍ଧ ଜହ୍ନ ବଉଦକାନି ତଳେ ଶୋଇପଡ଼ି ଉଷୁମ ଟାଣୁଥିଲା । ରାତି ପାହିବାକୁ ଅଳ୍ପ ସମୟ ଥିଲା ।

 

ଲୋକ ଦି’ଜଣ ଫେରିଆସି ଭ୍ରମରବାବୁଙ୍କୁ ଖବର ଦେଲେ, ଦୁର୍ଘଟଣା ।

 

ରୁଚିର ମୁହଁଟା ହଠାତ୍ କିମିତି ଗୋଟାଏ ବିବର୍ଣ୍ଣ ହୋଇଉଠିଲା ।

 

ଭ୍ରମରବାବୁ ପଚାରିଲେ, ‘‘କାହାର ଦୁର୍ଘଟଣା ?’’

 

ରୁଚିର ଗୋଡ଼ହାତ ଥରିବାକୁ ଆରମ୍ଭ କଲା । ଏଡ଼େ ବଡ଼ ଭୟଙ୍କର ଶୀତରେ ତା’ ମୁହଁରେ ଝାଳ ବିନ୍ଦୁ ଝଳିଉଠିଲା ।

 

ଜଣେ କହିଲା, ‘‘ସହରଠାରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଗୋଟାଏ ଗଛରେ ଜିପ୍ ଧକ୍‌କା ଲାଗିଛି । ଟର୍ଚ୍ଚ ଆଲୁଅରେ ଦେଖାଗଲା, ଚିତ୍ରାଦେବୀଙ୍କ ଦିହ ଆଉ ମୁହଁରେ ଭଙ୍ଗା କାଚ ପଶିଯାଇଛି । ମୁହଁ ଉପରେ ଷ୍ଟିଅରିଂ ଚାପ ପଡ଼ିଛି । କିଛି ଦୂରରେ ବି. ଡ଼ି. ଓ ପଡ଼ିଛନ୍ତି । ସଂଜ୍ଞା ଅଛି କି ନାହିଁ ଜଣାପଡ଼ିଲା ନାହିଁ । ଜିପ୍ ଭିତରୁ ବିଦେଶୀ ମଦ ଗନ୍ଧ ବାହାରୁଛି । ବୋଧହୁଏ କେତେ ବୋତଲ ମଦ ଜିପ୍ ଭିତରେ ଢାଳିଯାଇଛି । ସମୟ ନଷ୍ଟ ନ କରି ଆମେ ଧାଇଁଆସିଲୁ ।’’

 

ରୁଚିର ମନେହେଲା, ତା’ ଚାରିପାଖରେ ପୃଥିବୀ ଯେମିତି ଟଳମଳ ହେବାକୁ ଲାଗିଛି । ବୋଧହୁଏ ପ୍ରଳୟ ଘଟିବ ।

 

ଭ୍ରମରବାବୁ ବାହାରକୁ ଚାଲିଗଲେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସହିତ ଆହୁରି ଅନେକ ବ୍ୟକ୍ତି ସଙ୍ଗେ ସଙ୍ଗେ ବାହାରିପଡ଼ିଲେ । କଲୋନୀ ଭିତରେ ମର୍ମନ୍ତୁକ ଦୁର୍ଘଟଣା ଶୀତ ପ୍ରତ୍ୟୁଷରେ ବିଷାଦର ଛାଇ ଘେରାଇଦେଲା ।

 

ରୁଚି ଭାବୁଥିଲା, ଦେବନାଥର ଆଉ କିଛି କ୍ଷତି ହୋଇନାହିଁ ତ ? ଝରଣା ପାଖରୁ ଫେରିବା ବାଟରେ ଧକ୍‌କା ହୋଇଛି । ନିଶ୍ଚୟ ରାତି ନ’ଟା କିମ୍ୱା ଦଶଟାରେ ଧକ୍‌କା ହୋଇଥିବ । ଏତେ ସମୟ ଧରି ସଂଜ୍ଞାହୀନ ହୋଇ ପଡ଼ିରହିଲେ ଦେବନାଥର ଗୁରୁତର କ୍ଷତି ହୋଇଥିବ ? ହୁଏତ...

 

କାନ୍ଦି ଉଠିଥିଲା ରୁଚି ଅଝଟ ଶିଶୁ ପରି । ତା’ ଖେଳକଣ୍ଢେଇ ଭାଙ୍ଗିଦେବ ବୋଲି କିଏ ଯିମିତି ଧମକ ଦେଉଛି ।

 

ଲୁହ ଟଳମଳ ଆଖିରେ ଦୁନିଆକୁ ଚାହିଁଲା ରୁଚି ।

 

ଚାରିଆଡ଼େ ନିଆଁ ଜଳୁଛି । ସେ ନିଆଁରେ ପଡ଼ି ରୁଚି ନିଜେ ଛଟପଟ ହେଉଛି ।

 

ଭ୍ରମରବାବୁଙ୍କ ସ୍ତ୍ରୀ କହିଲେ, ‘‘ସାମାନ୍ୟ ଗୋଟାଏ ଦୁର୍ଘଟଣା । ବି. ଡ଼ି. ଓ.ଙ୍କର ଅଧିକ କିଛି କ୍ଷତି ହୋଇଥିବ ବୋଲି ମୋର ମନେ ହୁଏ ନା । ଭଗବାନ ତୁମର ସହାୟ ହେବେ । ସେ ନିଶ୍ଚୟ ଭଲ ଅବସ୍ଥାରେ ଫେରିବେ ।’’

 

କଲୋନୀରେ କୁକୁଡ଼ା ରାବିଉଠିଲେ । ଆସ୍‌ବେଷ୍ଟସ୍‌ ଘରର ଛାତ ଉପରେ ଗୁଣ୍ତୁଚିମୂଷା ଧାଇଁବା ଆାରମ୍ଭ କରିଦେଲେ ।

 

ଡାକ୍ତରଙ୍କ ପିଲାମାନେ ସକାଳ ପ୍ରାର୍ଥନା ଆରମ୍ଭ କରିଦେଲେ–କଲୋନୀର ସବୁଦିନିଆ ପରିଚିତ ପ୍ରାର୍ଥନା ।

 

ଡାକ୍ତରଙ୍କ ପିଲାଙ୍କ କୋମଳ କଣ୍ଠରେ ସେ ପ୍ରାର୍ଥନା ସମସ୍ତଙ୍କ ମନକୁ ପ୍ରତ୍ୟହ ପ୍ରତ୍ୟୁଷରୁ ଧର୍ମପ୍ରବଣତାରେ ଭରିଦିଏ । ସେଇ ଅତି ପୁରୁଣା ଅଥଚ ନୂତନ ମର୍ମସ୍ପର୍ଶୀ କବିତା, ‘‘ଅଖିଳ ବ୍ରହ୍ମାଣ୍ତପତି ମୋ ଜୀବନସ୍ୱାମୀ, ହେ ପରମ...’’

 

ଭ୍ରମରବାବୁଙ୍କ ସ୍ତ୍ରୀ ପ୍ରାର୍ଥନା ଶୁଣି ପ୍ରଣାମ କଲେ ।

 

ରୁଚି ବି ପ୍ରଣାମ କଲେ, ‘‘ହେ ଲୀଳାମୟ ବିଶ୍ୱକର୍ତ୍ତା, ତାଙ୍କୁ ଭଲ କରିଦିଅ ।’’

 

ଡାକ୍ତରବାବୁ ଗାଡ଼ିରେ ଦେବନାଥଙ୍କୁ ଧରି ଫେରିଲେ । ସଙ୍ଗରେ ତାଙ୍କର ଭ୍ରମରବାବୁ ଏବଂ ଆଉ କେତେଜଣ ଯୁବକ ।

 

ରୁଚି ଦୌଡ଼ିଯାଇ କେବଳ ଚାହିଁରହିଲା ଦେବନାଥକୁ । ଆଖିରୁ ଲୁହ ନିଗିଡ଼ି ପଡ଼ୁଥିଲା ।

 

ଡାକ୍ତରବାବୁ କହିଲେ, ‘‘ଅଧୈର୍ଯ୍ୟ ହେବା ଭଳି ତାଙ୍କର ଉଦ୍‌ବେଗଜନକ ଅବସ୍ଥା ନୁହେଁ । ତଥାପି ଗୁରୁତର । ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ ।’’

 

ସମୟ ବିଳମ୍ୱ ନ କରି ରୁଚି ସେଇ ଗାଡ଼ିରେ ସେଇ ଅବସ୍ଥାରେ ଦେବନାଥକୁ ନେଇଗଲା ରାଜଧାନୀ ଡାକ୍ତରଖାନାକୁ ।

 

ଦୁଇଟି ଦିନ କିମିତି କଟିଗଲା ରୁଚି ଜାଣେନା । ଦୁଇ ଦିନରେ ଦୀର୍ଘ ଅଠଚାଳିଶ ଘଣ୍ଟା ଧରି ସେ କେବଳ ଦେବନାଥର ମୁହଁକୁ ଚାହିଁବସିଛି । ଗୋଟାଏ ମୁହୂର୍ତ୍ତ ପାଇଁ ଆଖିରେ ତା’ର ପଲକ ପଡ଼ିନାହିଁ ।

 

ଦୁଇ ଦିନ ପରେ ଆଖି ଖୋଲି ଦେବନାଥ କହିଲା, ‘‘ତମେ ?’’

 

ଆଖିରୁ ଲୁହ ପୋଛି ରୁଚି କହିଲା, ‘‘ଚିହ୍ନିପାରୁଛ ? ତମେ ଭଲ ହୋଇଯାଅ, ମୁଁ ଆଉ କିଛି ଚାହେଁନା ।’’ ଅସ୍ଥିର ହୋଇ କାନ୍ଦିଉଠିଲା ସେ ।

 

କ୍ଷୀଣ ସ୍ୱରରେ ଦେବନାଥ କହିଲା, ‘‘ମୁଁ କିନ୍ତୁ ଆଉ ଭଲ ହେବିନି, ରୁଚି ! ମୋ ଦେହସାରା ପ୍ଲାଷ୍ଟର । ଏଇ ଖୋଳଭିତରେ ମଣିଷ କ’ଣ ବଞ୍ଚି ରହିପାରେ ?’’

 

ରୁଚି କହିଲା, ‘‘ମୁଁ କିନ୍ତୁ ତୁମର କୌଣସି କ୍ଷତି କରିବାକୁ ଦେବିନି ।’’

 

ଦେବନାଥ କେବଳ ଚାହିଁଲା ରୁଚିକୁ । ତା’ ଆଖିରେ କରୁଣତାର ଲୁହ ଚହଲିଉଠିଲା । ଚାପା କଣ୍ଠରେ କହିଲା, ‘‘ତୁମ ପ୍ରତି ମୁଁ ଯୋଉ ଅନ୍ୟାୟ କରିଛି, ତା’ ପାଇଁ ଭଗବାନ ମୋତେ କ୍ଷମା ଦେଲେ ନାହିଁ ।’’

 

ରୁଚି କହିଲା, ‘‘ତୁମେ ବିଶ୍ରାମ କର ।’’

 

ଦେବନାଥ କହିଲା, ‘‘ବିଶ୍ରାମରେ ବି ମୋ ପାଇଁ ଶାନ୍ତି ନାହିଁ । ମୋ ଦେହରେ ଅସମ୍ଭବ ପୀଡ଼ା ।’’

 

ରୁଚି ତା’ର ମୁଣ୍ତ ଉପରେ ହାତ ଦେଇ ଆଶ୍ୱସ୍ତିକର କଥା କେତେପଦ ଶୁଣାଉଥିଲା ।

 

ଦେବନାଥ ପଚାରିଲା, ‘‘ଚିତ୍ରା କ’ଣ ସତରେ ମରିଗଲା, ରୁଚି ?’’

 

‘‘ତମେ ଆଉ ତା’ କଥା ଏ ସମୟରେ ଆଦୌ ଚିନ୍ତା କରନ୍ତି । ମୋ ଆଡ଼କୁ ତମେ ଚାହଁ । ଚିତ୍ରା କ’ଣ ମୋ ଅପେକ୍ଷା ତୁମକୁ ଅଧିକ ଭଲ ପାଉଥିଲେ ? ସେ କ’ଣ ମୋ ଅପେକ୍ଷା ଆହୁରି ସୁନ୍ଦରୀ ?’’

 

ଦେବନାଥକହିଲା, ‘‘ମୁଁ ସେ କଥା ଭାବୁନାହିଁ । ଚିତ୍ରା ମୁକ୍ତି ପାଇଗଲା । ବଞ୍ଚିଥିଲେ ସେ ନିଜେ ଅପଦସ୍ଥ ହୋଇଥାନ୍ତା, ଆଉ ମୋତେ ବି କିଛିଟା ତା’ ଅପବାଦରେ ଭାଗ ନେବାକୁ ପଡ଼ିଥାନ୍ତା-। ହୁଏତ ମୋ ଉପରେ ଦାୟିତ୍ୱ ଢାଳିଦେଇ ପରିସ୍ଥିତିକୁ ବହୁତ ଜଟିଳ କରିଦେଇଥାନ୍ତା । ତମେ କେହି ବୋଧହୁଏ ଜାଣ ନା, ସେ ମା ହେବାକୁ ଯାଉଥିଲା ।’’

 

ରୁଚି କହିଲା, ‘‘ମୁଁ ଶୁଣିପାରିବି ନାହିଁ । ତମେ ସେ ସବୁ କଥା ମୋତେ କୁହ ନାହିଁ ।’’

 

ଦେବନାଥ କହିଲା, ‘‘ତୁମକୁ ଶୁଣିବାକୁ ହେବ । ତୁମ ପାଖରେ ସବୁ କଥା ମୁଁ ଏଣିକି କହିବି । ଚିତ୍ରାକୁ ଅନେକ ବୁଝାଇଲି । ଗର୍ଭପାତ କଲେ ପୁଣି ତା’ ଜୀବନରେ କୁମାରିତ୍ୱର ଅହଂକାର ଫେରିଆସିବ । ଅପବାଦର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ; କିନ୍ତୁ ମୋର କୌଣସି କଥା ସେ ଶୁଣିବାପାଇଁ ପ୍ରସ୍ତୁତ ନ ଥିଲା ।

 

‘‘ତୁମେ ଶୁଣିଲେ ଚିତ୍ରାକୁ ଆହୁରି ଖରାପ ବୋଲି କହିବ । ସେ ମୋତେ ସର୍ବଦା ବାଧ୍ୟ କରୁଥିଲା, ତୁମକୁ ଛାଡ଼ପତ୍ର ଦେଇ ତାକୁ ବିବାହ କରିବାପାଇଁ । ମୁଁ କିନ୍ତୁ ପାରିଲି ନାହିଁ ।’’

 

ରୁଚି କହିଲା,‘‘ତୁମକୁ ଅନୁରୋଧ କରୁଛି, ତୁମେ ଚୁପ୍‌ ହୋଇ ଶୋଇପଡ଼ । ଭଲ ହେଲା ପରେ ତୁମେ ସବୁ କଥା କହିବ, ମୁଁ ଶୁଣିବି ।’’

 

ଦେବନାଥ କହିଲା, ‘‘ମୋର ଆରୋଗ୍ୟ କାମନା କରିବା ତୁମ ପକ୍ଷରେ ବୃଥା ପ୍ରୟାସ । ସୂର୍ଯ୍ୟକାନ୍ତ ପାଖରୁ ତୁମକୁ ମୁଁ ଛଡ଼େଇ ଆଣିଥିଲି । ତୁମ ମନ ଭିତରେ ସୂର୍ଯ୍ୟକାନ୍ତର ଛାୟା ହୁଏତ ଏବେ ବି ଥିବ । ନାରୀ ପକ୍ଷରେ ପ୍ରଥମ ପ୍ରେମିକକୁ ଭୁଲିବା ଆଦୌ ସମ୍ଭବ ନୁହେଁ । ତୁମକୁ ମୁଁ କିନ୍ତୁ ଘୃଣା କରିପାରେ ନା । ତୁମ ପ୍ରତି ଦୟା ହୁଏ । ପହଁରା ଜାଣିଛ କି ନାହିଁ ଚିନ୍ତା ନ କରି ହଠାତ୍ ମୋ ପ୍ରଣୟସାଗରକୁ ତୁମେ ଲମ୍ଫ ଦେଲ; ଭାସିବ କି ବୁଡ଼ିବ କିଛି ବିଚାର କରିନ । ବିବାହ ପରେ ମୋ ପାଇଁ ତୁମ ମନର ସମସ୍ତ ଉତ୍କଣ୍ଠା, ଆକାଂକ୍ଷା, ହର୍ଷ, ଉତ୍‌ଫୁଲ୍ଲତା ଢାଳିଦେଲ; କିନ୍ତୁ କିଛି ପାଇଲ ନାହିଁ ।’’

 

ରୁଚି କହିଲା, ‘‘ତୁମକୁ ପାଇଛି, ମୁଁ ସବୁ ପାଇଛି । ମୋ ପାଇଁ ତୁମର ଯୋଉ ସଂଧାନ ପାଇଲି, ସେଇ ମୋ ନାରୀତ୍ୱର ପାଥେୟ ।’’

 

ଦେବନାଥ କହିଲା, ‘‘ମୋର କିନ୍ତୁ କାହିଁକି କେଜାଣି ମନେହେଉଛି, ତୁମେ ସୂର୍ଯ୍ୟକାନ୍ତକୁ ବିବାହ କରିଥିଲେ ଖୁବ ସୁଖରେ ଥାନ୍ତ । ତୁମ ଦୁହିଁଙ୍କ ଭିତରେ ସୁନ୍ଦର ବୁଝାମଣା ରହିପାରିଥାନ୍ତା । ଆଜି କିନ୍ତୁ ସେକଥା ଭାବି ଲାଭ ନାହିଁ । ସୂର୍ଯ୍ୟକାନ୍ତ ବିବାହ କରିସାରିଛି । ଆଉ ତୁମେ ବି ।’’

 

ରୁଚି କାନ୍ଦିଉଠି କହିଲା, ‘‘ଏତେବଡ଼ ଆଘାତ ପାଇବା ପରେ ଆଉ ଅଧିକ ଆଘାତ ଦେଇ ମୋତେ ବିଚଳିତ କରିଦିଅ ନା ।’’

 

ଦେବନାଥ ପୁଣି କହିଲା, ‘‘ତୁମକୁ ଆଘାତ ଦେବାକୁ ମୁଁ ଆଦୌ ଇଚ୍ଛା କରେନା । ତୁମ ପାଇଁ କ’ଣ କରିଛି, ଜାଣ ? ଚିତ୍ରାକୁ ମୁଁ ଜାଣିଶୁଣି ମରଣମୁହଁକୁ ଠେଲିଦେଇଛି । ସେ ମରି ନ ଥିଲେ ତୁମକୁ ଛାଡ଼ପତ୍ର ଦେବାପାଇଁ ସେ ମୋତେ ବାଧ୍ୟ କରିଥାନ୍ତା । ମୁଁ ହୁଏତ ବାଧ୍ୟ ହୋଇ ତା’ କଥା ରକ୍ଷା କରିଥାନ୍ତି । ନଚେତ୍ ସେ ଖୁବ୍ ସହଜରେ ପ୍ରମାଣ କରିଦେଇପାରିଥାନ୍ତା, ମୁଁ ତା’ ସନ୍ତାନର ଜନକ । ତା’ପରେ ଜଣେ ଗେଜେଟେଡ଼୍ ବିବାହିତ ସରକାରୀ କର୍ମଚାରୀ ଭାବରେ ମୋ ଅବସ୍ଥା କ’ଣ ହୋଇଥାନ୍ତା ଜାଣ ?’’

 

ରୁଚି କିଛି କହି ନପାରି କେବଳ ପିତୁଳାଟିଏ ପରି ଦେବନାଥଙ୍କୁ ଚାହିଁରହିଲା । ଏତେ ଦୁଃସମୟରେ ବି ଏ କଥା ଶୁଣିବାକୁ ଇଚ୍ଛା ହୁଏ ।

 

ଦେବନାଥ କହିଚାଲିଥିଲା, ‘‘ସେଦିନ ଝରଣାକୂଳରେ ମୁଁ ତାକୁ ଆକଣ୍ଠ ମଦ୍ୟପାନ କରାଇଦେଲି । କେବେ କିମିତି ମୁଁ ସାମାନ୍ୟ ମଦ୍ୟପାନ କରେ । କିନ୍ତୁ ଚିତ୍ରା କେବେହେଲେ ଆଗରୁ ପିଇ ନ ଥିଲା । ଆଗରୁ ମୁଁ ତାକୁ ଜିପ୍ ଚଳାଇବା ଶିଖାଇଥିଲି । ସେ ସାମାନ୍ୟ ଶିଖିଥିଲା; କିନ୍ତୁ ବିନା ସାହାଯ୍ୟରେ ଏକୁଟିଆ ରାସ୍ତାରେ ଚଳାଇବାଭଳି ଦକ୍ଷତା ତା’ର ନ ଥିଲା । ଅଧିକ ପାନ କରି କର୍ତ୍ତୃତ୍ୱ ହଜେଇ ଦେବା ପରେ ଜିପ୍ ଚଳାଇବାପାଇଁ ମୁଁ ତାକୁ ବାଧ୍ୟ କଲି । ନିଶା ଛାଡ଼ିଯିବ ବୋଲି ତା’ ପାଖରେ ଆଉ ଗ୍ଲାସରେ କିଛି ମଦ୍ୟ ଧରି ମୁଁ ବସିରହିଲି ଏବଂ ମଝିରେ ମଝିରେ ତାକୁ ଗାଡ଼ି ଚଳେଇଲାବେଳେ ବି ପିଇବାକୁ ଦେଉଥିଲି । ମୁଁ ଜାଣିଥିଲି ସେ ନିଶ୍ଚୟ ଦୁର୍ଘଟଣା ଘଟାଇବ, ସେଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଡେଇଁପଡ଼ି ରକ୍ଷା ପାଇବାପାଇଁ ପ୍ରସ୍ତୁତ ଥିଲି ।

 

‘‘ଯେତେବେଳେ ଅର୍ଦ୍ଧେକରୁ ଅଧିକ ବାଟ ଆମେ ଚାଲିଆସିଲୁ, ମୋର ମନେହେଲା, ଆଉ ଦୁର୍ଘଟଣା ଘଟିପାରିବ ନାହିଁ । ଦୁର୍ଘଟଣା ଘଟିବ ବୋଲି ମୁଁ ଆଗରୁ କିନ୍ତୁ ସାବଧାନ ଥିଲି । ଜିପ୍ ନେଇଥିଲି ବୋଲି ଅଫିସରେ କିନ୍ତୁ ଲିଖିତ ନିଦର୍ଶନ ରଖି ନ ଥିଲି । କହିଥାନ୍ତି, ମୁଁ ଜାଣେ ନା । ଭଗବାନ ମୋତେ କ୍ଷମା ଦେଲେ ନାହିଁ । ମୁଁ ଚେତନା ହରେଇବା ପୂର୍ବରୁ ହଠାତ୍ ଦେଖିପାରିଲି ଜିପ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଆସୁଛି । ଅପ୍ରସ୍ତୁତ ଅବସ୍ଥାରେ ଡେଇଁପଡ଼ିଲି ।’’

 

ରୁଚି କିଛିକ୍ଷଣ ସ୍ତମ୍ଭିତା ହୋଇ ରହିଗଲା । ସେ ବିଶ୍ୱାସ କରିପାରିଲିନି, ଆଉ ଗୋଟାଏ ଜୀବନକୁ ହତ୍ୟା କଲା ଭଳି ଦେବନାଥ ଭିତରେ ଗୋଟାଏ ସୈତାନ ଥିଲା ବୋଲି । ସୈତାନ ବୁଦ୍ଧିରେ ଯିଏ ବାଟ ଚାଲେ, ସେ କଣ ସତରେ ମଣିଷପଦବାଚ୍ୟ !

 

ଦେବନାଥ କହିଲା, ‘‘ବ୍ୟଥିତ ହେଲେ ବରଂ ତୁମର ବେଦନା ବଢ଼ିବ ।’’

 

ରୁଚି କହିଲା, ‘‘ତୁମକୁ ଶହେ ଥର ଅନୁରୋଧ କରୁଚି, ଏକଥା ଆଉ କାହା ପାଖରେ କହିବ ନାହିଁ ।’’

 

ଦେବନାଥ କହିଲା, ‘‘ଆଉ ଅଧିକ ଶାସ୍ତି କେହି ଦେଇପାରିବେନି । ଲୁଚେଇ ରଖି ଲାଭ ନାହିଁ; କହିଲେ ବି କ୍ଷତି ନାହିଁ ।’’

 

ଖବରକାଗଜରେ ପ୍ରକାଶ ପାଇଲା, ବିକ୍ଷୁବ୍‌ଧ ଛାତ୍ର ଶୋଭାଯାତ୍ରାକୁ ନେତୃତ୍ୱ ଦେଇ ପୂର୍ବତନ ଉପମନ୍ତ୍ରୀ ସୂର୍ଯ୍ୟକାନ୍ତ ଗିରଫ ହୋଇଛନ୍ତି । କାଲିର ଉପମନ୍ତ୍ରୀ ଆଜି କାରାବାସୀ ।

 

ଖବର ପୁରୁଣା ହେଲାଣି, ଅଥଚ ରୁଚି ଜାଣେନି । ଜାଣିବା ଭଳି ଅବସ୍ଥା ତା’ର ନାହିଁ । ସୂର୍ଯ୍ୟକାନ୍ତ ମନ୍ତ୍ରୀମଣ୍ତଳରୁ ଏବଂ ରାଜନୈତିକ ଦଳରୁ ଇସ୍ତଫା ଦେଇଥିଲା ବୋଲି ଖବରକାଗଜରୁ ସେ ପଢ଼ିଥିଲା । ସ୍ୱାଧୀନ ଭାବରେ ସେ ଥିଲା ବିଧାନସଭା ସଦସ୍ୟ ।

 

ସ୍ୱାଗତ ଜଣେଇ ତା’ ପାଖକୁ ଖଣ୍ତେ ଚିଠି ଲେଖିବ ବୋଲି ମନେ କରିଥିଲା; କିନ୍ତୁ ତା ମଧ୍ୟ ଦେଇ ପାରି ନ ଥିଲା ।

 

ଦେବନାଥ ପାଇଁ ଦୋକାନରୁ ଫଳ କିଣିଲାବେଳେ କାଗଜ ଠୁଙ୍ଗା ଉପରେ ଖବରକାଗଜର ଶିରୋନାମା ତା’ ଆଖିରେ ପଡ଼ିଲା, କାଲିର ଉପମନ୍ତ୍ରୀ ଆଜି କାରାବାସୀ....

 

ଠୁଙ୍ଗାରୁ ଫଳ ବାହାର କରିନେଇ ସମୁଦାୟ ସମ୍ୱାଦଟା ପଢ଼ିବାପାଇଁ ଚେଷ୍ଟା କଲା । ଯୋଉଦିନ ରାତିରେ ଦେବନାଥ ଦୁର୍ଘଟଣାର ସମ୍ମୁଖୀନ ହେଲା, ସେଇଦିନ ଅପରାହ୍ନରେ ଗିରଫ ହୋଇଛି ସୂର୍ଯ୍ୟକାନ୍ତ । ତାକୁ ଜାମିନ୍‌ରେ ଛାଡ଼ିଦେଲେ ସେ ପୁଣି ବିପଥଗାମୀ ଛାତ୍ରସମାଜକୁ ଧର୍ମଘଟ ଏବଂ ଶୋଭାଯାତ୍ରା କରିବାପାଇଁ ନେତୃତ୍ୱ ଦେବ ବୋଲି ଆଶଙ୍କା କରି, ତାକୁ ଜାମିନ୍ ମଞ୍ଜୁର କରାଯାଇନି ।

 

ଖବରକାଗଜରେ ପୁଣି ପ୍ରକାଶ ପାଇଛି, ରାଜଧାନୀ ଡାକ୍ତରଖାନାର ଏକଶହ ସତାବନ ନମ୍ୱର ବେଡ଼୍‌ରେ ତାଙ୍କ ସ୍ତ୍ରୀ ରୁଗ୍‌ଣ ଏବଂ ଅସହାୟ ଅବସ୍ଥାରେ ଏକାକିନୀ ଥିଲେ ମଧ୍ୟ ସରକାର ତାଙ୍କୁ ଜାମିନ୍‌ରେ ଛାଡ଼ିବାପାଇଁ ନିଷ୍ଠୁର ନାସ୍ତିବାଣୀ ଶୁଣାଇଦେଲେ । ଛାତ୍ରମାନେ ପାଳିକରି ଡାକ୍ତରଖାନାରେ ତାଙ୍କ ସ୍ତ୍ରୀଙ୍କର ସେବାଯତ୍ନ କରୁଛନ୍ତି ।

 

ଏକା ଡାକ୍ତରଖାନାରେ ସିପ୍ରା ଆଉ ଦେବନାଥ । ପନ୍ଦର ଦିନରୁ ଅଧିକ ସମୟ କଟିଗଲାଣି; ଅଥଚ ସିପ୍ରା ପାଖକୁ ଥରକପାଇଁ ରୁଚି ଅଜ୍ଞାତାବଶତଃ ଯାଇପାରେ ନାହିଁ ।

 

ଫଳ ଦୋକାନରୁ ସିପ୍ରା ପାଇଁ କିଛି ଫଳ କିଣି ସଙ୍ଗେ ସଙ୍ଗେ ରୁଚି ଡାକ୍ତରଖାନାକୁ ଆସିଲା-। ଦେବନାଥର ଅବସ୍ଥା ଭଲ ନୁହେଁ । ଗତ ଦୁଇ ତିନି ଦିନ ହେବ ଯନ୍ତ୍ରଣା ଅଧିକ ବଢ଼ିଛି; ରୁଚି ବିଚଳିତ ହୋଇପଡ଼ିଛି । ତା’ର ଭରସା ଥିଲା, ଦେବନାଥ ଆରୋଗ୍ୟ ହୋଇଯିବ । ସେମାନେ ଏକାଠି ବସା ବାନ୍ଧିବେ ପୁଣି । କିନ୍ତୁ ମନ ମଉଳିଯାଇଛି । ସେଇ ବ୍ୟସ୍ତତା ଭିତରେ ବି ସିପ୍ରାକୁ ଦେଖିବାକୁ ପଡ଼ିବ । ବିଚାରୀ କର୍ତ୍ତବ୍ୟହୀନା ନାରୀ ।

 

ମହିଳା ଓ୍ୱାର୍ଡ଼ର ଶହେ ସତାବନ ନମ୍ୱର ବେଡ଼୍‌ରେ ସେ ସିପ୍ରାକୁ ପ୍ରଥମ ଥର ପାଇଁ ଦେଖିଲା । ପ୍ରକୃତିରେ ତା’ ପାଖରେ ଦୁଇ ଜଣ କଲେଜ ଛାତ୍ର ତାକୁ ଚାହିଁ ବସିଥିଲେ ।

 

ରୁଚି କିମିତି ପ୍ରଥମ ପରିଚୟ ଦେବ ଜାଣିପାରିଲା ନାହିଁ । ଗାଁ ଝିଅ ସିପ୍ରା । ତାକୁ ଯଦି ପରିଚୟ ଦେଇ ରୁଚି କହିବ, ସେ ସୂର୍ଯ୍ୟକାନ୍ତର ସହପାଠିନୀ, ଦୁହେଁ ଏକାଠି ପଢ଼ିଥିଲେ, ବଢ଼ିଥିଲେ, ସେ ହୁଏତ ମନେକରିବ, ରୁଚିର ତା’ ସ୍ୱାମୀ ପ୍ରତି ନିଶ୍ଚୟ ଦୁର୍ବଳ ଆସକ୍ତି ଥିଲା ।

 

ସିପ୍ରା ପାଖରେ ଠିଆ ହୋଇ ତାକୁ ଅନେକ ସମୟ ନିରୀକ୍ଷଣ କଲା । ଇଚ୍ଛା ହେଉଥିଲା, ଫଳଠୁଙ୍ଗାଟା ତା’ ପାଖରେ ରଖିଦେବାପାଇଁ । ହାତ ଲମ୍ୱି ଯାଇଥିଲା, ସାହସ ହେଲା ନାହିଁ । ପାଖରେ ଦୁଇ ଜଣ କଲେଜପଢ଼ୁଆ ଛାତ୍ର । ହୁଏତ କହିବେ, ସମ୍ପର୍କ ନ ଥାଇ ଏଭଳି ବଦାନ୍ୟତା ଦେଖାଇବାର ଅର୍ଥ ସିପ୍ରାଙ୍କ ପ୍ରତି ଆପଣ ଅଯଥା ଦୟା ଦେଖାଉଛନ୍ତି । ଆଉ ଦିନେ ଏମିତି ଦୟା କାହାରିକୁ କରିବେ ନାହିଁ ।

 

ଦେବନାଥ ପାଖକୁ ଫେରିଆସିଲା ରୁଚି । ଦେହ ଭାଙ୍ଗିପଡ଼ିଛି, ମନ ବି ଭାଙ୍ଗିପଡ଼ିଛି ।

 

ଶୋଇପଡ଼ିଥିଲା ଦେବନାଥ । ଡିଉଟିରେ ଥିବା ସିଷ୍ଟର କହିଲେ, ‘‘ସେ ଶୋଇଲାବେଳେ ତାଙ୍କୁ ଜଗି ରହିବାର କିଛି ଅର୍ଥ ନାହିଁ । ଡାକ୍ତରଖାନାରେ ସବୁ ରୋଗୀଙ୍କର କଣ ଜଗିବାପାଇଁ ଲୋକ ଅଛନ୍ତି ?’’

 

ଅପେକ୍ଷା ନ କରି ବାହାରକୁ ଆସିଲା ରୁଚି । ମନ ଭଲ ରହୁନାହିଁ । ଏକାଦିକ୍ରମେ ଅନେକ ଦିନ ଦେବନାଥ ପାଇଁ ଚିନ୍ତା ଏବଂ ପରିଶ୍ରମ କରି ଦେହ ଶୀର୍ଣ୍ଣ ହେଲାଣି । ବାପାଙ୍କ ପାଖକୁ ଖବର ଦେଲେ କିଛି ଲାଭ ହେବନି । ପ୍ରତିକ୍ରିୟାହୀନ ମଣିଷ ସେ । ଅସୁବିଧା ସମୟରେ ସୂର୍ଯ୍ୟକାନ୍ତ ପାଖକୁ ଗଲେ କିଛିଟା ଆଶ୍ୱସ୍ତି ମିଳୁଥିଲା । ସହାନୁଭୂତିପୂର୍ଣ୍ଣ କଥା କେତେ ପଦ ଅସ୍ତତଃ ଶୁଣିବାକୁ ମିଳୁଥିଲା । ସେ ଆଜି ଜେଲରେ ।

 

ରୁଚିର ମନେହେଲା, ସେ ପୁଣି ଥରେ ସିପ୍ରା ପାଖକୁ ଯାଇ ତାକୁ ପରିଚୟ ଦେଇ କହିବ, ସୂର୍ଯ୍ୟକାନ୍ତକୁ ଜାମିନ୍‌ରେ ଆଣିବା ପାଇଁ ସେ ବିଚାରପତିଙ୍କ ପାଖରେ ଆବେଦନ ଜଣେଇବ ।

 

ପୁଣି ଥରେ ଯାଇ ସିପ୍ରା ପାଖରେ ଠିଆହେଲା ରୁଚି ।

 

କେବଳ ଦେଖାଚାହାଁ ଭିତରେ ଅନେକ ସମୟ କଟିଗଲା ।

 

ସିପ୍ରା କେବଳ ତାକୁ ଅପରିଚିତା ନାରୀଟିଏ ଭାବରେ ଦେଖୁଥିଲା ।

 

ରୁଚି ଦେଖୁଥିଲା ସିପ୍ରାର ଶୀର୍ଣ୍ଣ ଦେହକୁ । ଖାଲି ଚାରିଖଣ୍ତ ହାଡ଼ । ଦେହରେ ଆଉ କିଛି ନାହିଁ । ମୁହଁରେ କିନ୍ତୁ ବିଫଳତାର ସଙ୍କେତ ନାହିଁ ।

 

ଅଯାଚିତ ଭାବରେ, ଟେମ୍ପରେଚର ଚାର୍ଟ ଉଠାଇ ରୁଚି ଦେଖିଲା । କେତେଦିନ ହେବ ଜର ଆଦୌ ଛାଡ଼ୁନାହିଁ । ନିରବଚ୍ଛିର୍ନ୍ନ ଭାବରେ ରହିଆସିଛି ।

 

ପାଖରେ ଥିବା ଜଣେ ଛାତ୍ରଙ୍କୁ ରୁଚି ପଚାରିଲା, ‘‘ଔଷଧ ଦେବାରେ ତ୍ରୁଟି ହେଉନାହିଁ ତ-?’’

 

ଛାତ୍ର ଜଣକ କହିଲେ, ‘‘ଡାକ୍ତରଖାନାର ଔଷଧ ଉପରେ ମୁଖ୍ୟତଃ ନିର୍ଭର କରିବାକୁ ପଡ଼ୁଛି । ରାଜନୈତିକ ନେତାଙ୍କର ପତ୍ନୀ ବୋଲି ଡାକ୍ତରମାନେ ମନ ବୁଝିବାପାଇଁ କହୁଛନ୍ତି, ଅଧିକ ଔଷଧର ପ୍ରୟୋଜନ ନାହିଁ । ଡାକ୍ତରଖାନା ତରଫରୁ ଖୁବ୍ ଭଲ ଔଷଧ ଦିଆଯାଉଛି; କିନ୍ତୁ ଆମର ମନେହେଉଛି, ବାହାରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇଥିଲେ, ଆମେ ଆହୁରି ଭଲ ଔଷଧ ଯୋଗେଇଦେଇପାରନ୍ତୁ ।’’

 

ରୁଚି ଦୀର୍ଘ ନିଃଶ୍ୱାସ ତ୍ୟାଗ କରି କହିଲା, ‘‘ରୋଗୀ ଯେତେବେଳେ ଡାକ୍ତରଖାନାରେ ଅଛନ୍ତି, ଡାକ୍ତରଙ୍କ କଥାରୁ ବାହାରିଯିବାର କ୍ଷମତା ଆମର ନାହିଁ ।’’

 

ସିପ୍ରା ସବୁ ଶୁଣିସାରି, ରୁଚି ମୁହଁକୁ ଚାହିଁ ପଚାରିଲା, ‘‘ଆପଣ କିଏ ?’’

 

ଛେପ ଢୋକି ରୁଚି ଉତ୍ତର ଦେଲା, ‘‘ମୁଁ ରୁଚି ।’’ ଦୁଇଜଣ ବୟସ୍କ ଛାତ୍ରଙ୍କ ଉପସ୍ଥିତିରେ ସୂର୍ଯ୍ୟକାନ୍ତର ତରୁଣ ଜୀବନର ବାନ୍ଧବୀ ଏବଂ ସହପାଠିନୀ ବୋଲି କହିହେଲାନି ।

 

ସିପ୍ରା କହିଲା, ‘‘ଆପଣଙ୍କ ବିଷୟରେ ମୁଁ ତାଙ୍କଠାରୁ ଶୁଣିଛି; କିନ୍ତୁ ଦେଖିବାର ସୁଯୋଗ କେବେ ପାଇନି । ଏମିତି ଦୁର୍ଦ୍ଦିନରେ ଦେଖାହେଲା ଯେ, କଥା ପଦେ ବି କହିବାର କ୍ଷମତା ନାହିଁ ।’’

 

ରୁଚି କହିଲା, ‘‘ଆପଣ ସୁସ୍ଥ ହେଲେ ଏକାଠି ବସି ଅନେକ ଗପ କରିବା । ମୋର ଗୋଟାଏ ଅନୁରୋଧ ରକ୍ଷା କରିବେ ? ଡାକ୍ତରଖାନାରୁ ଆପଣ ଚାଲିଗଲେ ବରଂ ଭଲ ହେବ । ଆପଣଙ୍କର କେବଳ ଔଷଧ ଖାଇବା କଥା । ଭଲ ପଇସା ଦେଲେ ଭଲ ଡାକ୍ତର ଘରକୁ ଯାଇ ଭଲ ଔଷଧ ଦେଇ ଆପଣଙ୍କୁ ଶୀଘ୍ର ଭଲ କରିଦେବେ । ମୋ ସ୍ୱାମୀଙ୍କୁ ଡାକ୍ତରଖାନାରେ ରଖି ମଧ୍ୟ ଟଙ୍କା ଦେଇ ମୁଖ୍ୟ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ୁଛି ।’’

 

ସିପ୍ରା କହିଲା, ‘‘ରୋଗ ସଙ୍ଗରେ ଲଢ଼ିବାପାଇଁ ବରଂ କ୍ଷମତା ଅଛି; କିନ୍ତୁ ଅର୍ଥ ସଙ୍ଗରେ ଲଢ଼ିବାର କ୍ଷମତା ଆମର ନାହିଁ । ସେ ଜେଲ ଯିବା ଦିନଠାରୁ ଏଇ ଛାତ୍ରମାନଙ୍କ ଦୟାରୁ ଅନ୍ତତଃ ମୋତେ ଟିକିଏ ଫଳ ଖାଇବାକୁ ମିଳୁଛି । ଉପାୟହୀନା ଅବସ୍ଥାରେ ତାଙ୍କ ଦୟାର ଦାନ ଗ୍ରହଣ କରିବା ପାଇଁ ମୁଁ ବେଧ୍ୟ ହେଉଛି ।’’

 

କହିଲାବେଳେ ସିପ୍ରାର ଆଖି ଦୁଇଟା ଲୁହରେ ପୁରିଉଠିଲା ।

 

ରୁଚି ବି କାନ୍ଦିପକେଇଲା ।

 

ଏଇ ଜୀବନ । ଏଇ ଜୀବନର ସ୍ପର୍ଶ । ଜଣକ ମନରେ ଆର ଜଣକ ମନର ପ୍ରତିଫଳନ ।

 

ରୁଚି ଭାବିଲା, ସିପ୍ରାର ପରିସ୍ଥିତି ତା’ ନିଜ ଅପେକ୍ଷା ଆହୁରି କରୁଣ । କିଛି ଉତ୍ତର ଦେବାପାଇଁ ଆଉ ଭାଷା ପାଇଲାନି ରୁଚି । କହିଲା, ‘‘ପୁଣି ପରେ ଆସିବି, ମୁଁ ଏଇ ଡାକ୍ତରଖାନାରେ ଅଛି ।’’

 

ସିପ୍ରା କହିଲା, ‘‘ଆପଣଙ୍କ ସ୍ୱାମୀ ଏଇ ଡାକ୍ତରଖାନାରେ ଅଛନ୍ତି ? ଇଏ କହୁଥିଲେ, ଆପଣଙ୍କ ସ୍ୱାମୀ ଜଣେ ବି. ଡ଼ି. ଓ. । ମୁଁ ଘରେ ନ ଥିଲାବେଳେ ତାଙ୍କ ବଦଳି ପାଇଁ ଆପଣ କୁଆଡ଼େ ଆମ ଘରକୁ ଆସିଥିଲେ ।’’

 

ରୁଚି କହିଲା, ‘‘ଗୋଟାଏ ଗୁରୁତର ଜିପ୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିଛି । ସେ ବୋଧହୁଏ ଉଠିବେଣି । ମୁଁ ପରେ ଆସିଲେ ଆଉ ସବୁ କଥାବାର୍ତ୍ତା କରିବା ।’’

 

ସିପ୍ରା କହିଲା, ‘‘ନିଶ୍ଚୟ ଆସିବେ ।’’

 

ଚାଲି ଯାଉ ଯାଉ ରୁଚି ଉତ୍ତର ଦେଲା, ‘‘ନିଶ୍ଚୟ ।’’

 

ପାଖରେ ଆହା କରିବା ପାଇଁ ଜଣେ କେହି ନାହିଁ । ଜଣାଶୁଣା ବନ୍ଧୁ ପରିଜନ, ଯେଉଁମାନେ ଆସୁଛନ୍ତି, ସେମାନେ ଚାଲିଯାଉଛନ୍ତି । ତାଙ୍କ ସହିତ କଥା କହିବାକୁ ରୁଚିକୁ ଭଲ ଲାଗୁନି । ମନ ଭଲ ନ ଥିଲେ ଦୁନିଆ ପିତା ଲାଗେ । କେବଳ ଭଦ୍ରତା ଦୃଷ୍ଟିରୁ ବାଧ୍ୟ ହୋଇ ସେମାନଙ୍କ ସହିତ କଥା କହିବାକୁ ପଡ଼ୁଛି ।

 

ଆକାଶଟା ଗେରୁଆ ହୋଇଉଠିଛି ।

 

ଦେବନାଥର ବେଡ଼୍ ଉପରୁ ମଥା ଉଠେଇ ଆକାଶକୁ ଚାହିଁଲା ରୁଚି ।

 

ଗଲାରାତିରେ ଦେବନାଥକୁ ପରୀକ୍ଷା କଲାବେଳେ ଡାକ୍ତରଙ୍କ ମୁହଁ କିମିତି ଗୋଟାଏ ବିକୃତ ହୋଇଉଠିଲା । ରୁଚି ପଚାରିବାରୁ କହିଲେ, ‘‘ସେମିତି କିଛି ନୁହେଁ, ତେବେ ଆପଣଙ୍କୁ ସଚେତ ରହିବାକୁ ପଡ଼ିବ ।’’

 

ବୁଝିନେଲା ରୁଚି, ଦେବନାଥର ଅବସ୍ଥା ଗୁରୁତର ।

 

ଗୋଟାଏ ମୁହୂର୍ତ୍ତ ପାଇଁ ରୁଚି ଥୟ ହୋଇ ବସିପାରିନି । ଦେବନାଥର ମୁହଁକୁ ଚାହିଁରହିଛି-। ସବୁ ରୋଗୀ ନିଃଶବ୍ଦରେ ଶୋଇଛନ୍ତି ।

 

ନୀରବତା ଭିତରେ କେବଳ ସେ ଶୁଣିଛି ଡିଉଟିରେ ଥିବା ସିଷ୍ଟରଙ୍କର ଜୋତାର ଠକ୍ ଠକ୍ ଶବ୍ଦ । ଛାତିର ସ୍ପନ୍ଦନ ସେଇ ଜୋତାର ଶବ୍ଦ ସହିତ ତାଳ ରଖି ବଢ଼ିଛି, ପୁଣି ହ୍ରାସ ପାଇଛି । ଏଇ ନୀରବ ଡାକ୍ତରଖାନାରେ ଏକୁଟିଆ ଏଇ ସିଷ୍ଟର ଜାଗ୍ରତ । ତାଙ୍କ ପାଇଁ ରୁଚିର ଅନେକ ବଳ ।

 

ପାଖକୁ ଆସି ସିଷ୍ଟର ତା’ ଦେହରେ ହାତ ମାରିଛନ୍ତି । ଚମକିପଡ଼ିଛି ରୁଚି । ଏତେ ଦୁର୍ବଳତା ତା’ ଭିତରେ କାହିଁକି ସ୍ଥାନ ପାଇଛି, ସେ ଜାଣିପାରିନି । ଚେଷ୍ଟା କରି ସାହସ ସଂଗ୍ରହ କରିଛି ।

 

ତଥାପି ସେଇ ଅଜଣା ଭୟ । ମନ ଥରିଯାଉଛି, ଦେହ ଥରିଯାଉଛି, ଆଖି ଆଗରେ ପୃଥିବୀ ଥରିଯାଉଛି ।

 

ଦେବନାଥ ଆଉ କଥା କହୁନାହିଁ ।

 

ସେ ଯଦି କଥା ନ କହିବ, ସଂସାରରେ ଆଉ ନିଜର ହୋଇ ରୁଚିର କିଏ ଅଛି ?

 

କାନ୍ଦୁଛି ରୁଚି । ମନେପଡ଼ୁଛି କଲେଜଦିନର କାହାଣୀ । କେତେ ସୁନ୍ଦର ରୂପ ନ ଥିଲା ଏଇ ଦେବନାଥଙ୍କର ? ଏତେ ଛାତ୍ରଙ୍କ ଭିତରେ ସୁନ୍ଦର ରୂପ ପାଇଁ ଗର୍ବ କରିବା ଭଳି ସମ୍ପଦ ତାଙ୍କର ଥିଲା । ରୂପ ସଙ୍ଗକୁ ମନରେ ଥିଲା ଅସମ୍ଭବ ଦୃଢ଼ତା ।

 

ସେଇ ଦେବନାଥ ଆଜି ନିର୍ବାକ୍‌ । ଦେହସାରା ପ୍ଲାଷ୍ଟର । ପାଖାପାଖି ମାସେ ହେଲାଣି ଶଯ୍ୟାଶାୟୀ ।

 

କେବଳ ଭୟ ଏବଂ ବିଭୀଷିକା ।

 

ରୁଚି କେବଳ ଚାହୁଁଛି ଆକାଶକୁ । ଏଇ ଆକାଶର ଅନନ୍ତ ସତ୍ତାରେ ଅନେକ ଭୟ ଏବଂ ଅନେକ ସାନ୍ତ୍ୱନା ।

 

ପକ୍ଷୀମାନେ ଉଡ଼ୁଛନ୍ତି । ନୂଆ ସୂର୍ଯ୍ୟର ଆଲୋକ ବର୍ଣ୍ଣିଳ ଚଲାବଉଦ ପିଠିରେ ଉଦ୍ଭାସିତ ହୋଇଉଠୁଛି । ଡାକ୍ତରଖାନା ବଗିଚାରେ ଫୁଲ ଫୁଟୁଛି । ପ୍ରଜାପତି ଉଡ଼ୁଛନ୍ତି ।

 

ରୁଚି ମନ ଭିତରେ ହାହାକାରର ଏକ ଆର୍ତ୍ତଚିତ୍କାର ପ୍ରତିଧ୍ୱନିତ ହୋଇଉଠିଲା । ଦେହ ଜଳୁଛି, ମନ କୁହୁଳୁଛି । ସମଗ୍ର ଆକାଶକୁ ଧୂମାଚ୍ଛନ୍ନ କରିଦେବ । ଫୁଟିଲା ଫୁଟିଲା ଫୁଲଗୁଡ଼ାକ ମଉଳିପଡ଼ିବେ । ପ୍ରଜାପତିମାନଙ୍କର ଚିତ୍ରିତ ଡେଣା ଝଡ଼ିପଡ଼ିବ । ସେମାନେ ବିକଳାଙ୍କ ହୋଇ ଧରଣୀ ଉପରେ ଘୁଷୁଡ଼ି ଚାଲିବେ ।

 

ସକାଳର ରୁପ ଉପରେ କିଏ ଜଣେ ପରଦା ଟାଣିଦେଲେ ହୁଏତ ଭଲ ହୁଅନ୍ତା ।

 

ଦୁଇ ଦିନ ହେବ ସିପ୍ରାକୁ ଆଉ ଦେଖିବାପାଇଁ ସେ ଯାଇପାରିନି । ବିଚାରୀ ଅପେକ୍ଷା କରିଥିବ, କିନ୍ତୁ ଅଭିମାନ କରି ନ ଥିବ । କହିଥିଲା, ‘‘ସୁବିଧା ହେଲେ ନିଶ୍ଚୟ ଆସିବ । ଏକୁଟିଆ ଭଲ ଲାଗୁନି । ତୁମକୁ ଦେଖିବା ପରେ ମନେ ହେଉଛି, ସଂସାରରେ ମୋର ହୋଇ ଆଉ ଜଣେ ଅଛି । ତଥାପି ତୁମ ସ୍ୱାମୀଙ୍କ ପ୍ରତି ଅବହେଳା କରିବ ନାହିଁ । ତାଙ୍କରି ପାଇଁ ନାରୀତ୍ୱ, ତାଙ୍କରି ପାଇଁ ମଥାରେ ସିନ୍ଦୂର; ସମାଜରେ ବଡ଼ପଣିଆ ।’’

 

ରୁଚି କହିଥିଲା, ‘‘ମୁଁ ଭାବି ନ ଥିଲି, ଏଇ ରୋଗଶେଷରେ ପଡ଼ି ତମେ ଏମିତି ମୋତେ ବାନ୍ଧି ରଖିପାରିବ ବୋଲି । ସୂର୍ଯ୍ୟକାନ୍ତ ଭାଗ୍ୟବାନ, ତୁମ ପରି ସ୍ତ୍ରୀ ପାଇଛି ।’’

 

ସିପ୍ରା କହିଥିଲା, ‘‘ତୁମକୁ ପାଇ ତୁମ ସ୍ୱାମୀ ଭାଗ୍ୟବାନ ହୋଇଛନ୍ତି ବୋଲି ମୋର ମନେହୁଏ । ତୁମ ସ୍ୱାମୀଙ୍କ ପରି ତୁମର ବି ସମାନ ଯୋଗ୍ୟତା । ତଥାପି ତୁମର ଅହଙ୍କାର ନାହିଁ, ନାରୀର ନମ୍ରତା ନେଇ ତୁମେ ତାଙ୍କୁ ସେବା କରି ଆସୁଛ, ଦିନରେ ବିଶ୍ରାମ ନାହିଁ, ରାତିରେ ନିଦ ନାହିଁ... ।’’

 

ଭାବିପାରିଲା ନାହିଁ ରୁଚି । କାଲି ସକାଳେ କିଏ ଜଣେ ଡାକ୍ତରଖାନା କର୍ମଚାରୀ କହୁଥିଲା, ମହିଳା ଓ୍ୱାର୍ଡ଼ର ଶହେ ସତାବନ ନମ୍ୱର ରୋଗୀର ଅବସ୍ଥା କୁଆଡ଼େ ଭଲ ନାହିଁ । ବହୁତ ବଡ଼ ବଡ଼ ରାଜନୈତିକ ବ୍ୟକ୍ତମାନେ ତାଙ୍କୁ ଦେଖିବାକୁ ଆସୁଛନ୍ତି । ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ କୁଆଡ଼େ ଦେଖିବାକୁ ଆସିଥିଲେ ।

 

ସୂର୍ଯ୍ୟକାନ୍ତର ସହକର୍ମୀ ଭାବରେ ସାଧାରଣ ସୌଜନ୍ୟ ଦେଖାଇ, ସେ ଜେଲରେ ଥିବା ଅବସ୍ଥାରେ, ଦୟା କରି ତା’ ସ୍ତ୍ରୀକୁ ଅସହାୟା ମନେକରି ହୁଏତ ଦେଖିବାକୁ ଆସିଥିବେ । ରାଜନୈତିକ ଚତୁରତା । ସାଧାରଣ ଲୋକମାନେ ମନେକରିବେ, ସୂର୍ଯ୍ୟକାନ୍ତର କାରାଦଣ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଦୁଃଖିତ । ହୁଏତ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଡାକ୍ତରଖାନା ପରିଦର୍ଶନ ସହିତ ଆଉ ଗୋଟାଏ କୃତିତ୍ୱ ତାଙ୍କର ଖବରକାଗଜରେ ପ୍ରକାଶ ପାଇବା ।

 

ସିପ୍ରାର ଗୁରୁତର ପରିସ୍ଥିତି ବିଷୟରେ ଖବର ପାଇ ମଧ୍ୟ ରୁଚି ଯାଇପାରିଲାନି । ଯିବା ପରି ଅବସ୍ଥା ନାହିଁ । ପରିସ୍ଥିତି ସାମାନ୍ୟ ଅନୁକୁଳ ହେଲେ ଯାଇ ଦେଖିଆସିବ । ତା’ ପାଖରୁ କ୍ଷମା ମାଗିଆସିବ ।

 

ବର୍ତ୍ତମାନ ସେ ଜଡ଼ ପାଲଟିଯାଇଛି । ପୃଥିବୀର ସମସ୍ତଙ୍କ ପାଇଁ ତା’ ହୃଦୟରୁ ଅନୁକମ୍ପା ଶେଷ ହୋଇଯାଇଛି । ଆଖିର ଦୃଷ୍ଟି ଶେଷ ହୋଇଯାଇଛି ।

ସକାଳର କୋଳାହଳ ବଢ଼ୁଛି ।

ରୁଚିର ଆକୁଳତା ବଢ଼ୁଛି ।

ପାଖରୁ ଉଠିଯାଇପାରୁନି ରୁଚି । ବେଳକୁବେଳ ଦେବନାଥର ମୁହଁ ବିବର୍ଣ୍ଣ ଦିଶୁଛି, ପାଂଶୁଳ ଦିଶୁଛି ।

ରୁଚିର ଇଚ୍ଛା ହେଉଛି, ମୁଣ୍ତ ପିଟି ଫଟେଇଦେବ । ଡାକ୍ତରଖାନା ଚଟାଣ ଉପରେ ରକ୍ତର ସୁଅ ଛୁଟେଇଦେବ । ନଚେତ୍ ନିଜେ ଟିକିଏ ବିଷ ପାନ କରି ଶୋଇପଡ଼ିବ । ଆଉ ତାକୁ ଆଖି ଫିଟେଇ ଦେବନାଥର ପାଂଶୁଳ ବିବର୍ଣ୍ଣ ମୁହଁକୁ ଚାହିଁବାକୁ ପଡ଼ିବ ନାହିଁ ।

ପଛପଟେ କିଏ ଜଣେ ଧୀର ଚାପାଗଳାରେ ଡାକିଲା ।

ମୁହଁ ବୁଲେଇ ରୁଚି ଦେଖିଲା, ସୂର୍ଯ୍ୟକାନ୍ତ ।

‘‘ତମେ ?’’

ସୂର୍ଯ୍ୟକାନ୍ତ ଖୁବ୍ ବିଷର୍ଣ୍ଣ ମୁହଁରେ ଉତ୍ତର ଦେଲା, ‘‘ସିପ୍ରାର ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି ସେମାନେ ମୋତେ ଦୟାକରି ଜାମିନରେ ଛାଡ଼ିଛନ୍ତି । ଦେବନାଥର ଅବସ୍ଥା ଏମିତି ଗୁରୁତର ବୋଲି ମୁଁ ଏଇମାତ୍ର ଶୁଣିଲି ।’’

ରୁଚି ମନଭିତରେ ଅନେକ ସାହସ ପାଇଲା । ସୂର୍ଯ୍ୟକାନ୍ତ ଫେରିଛି, ତା’ ପାଇଁ ଅନେକ ସମ୍ୱଳ ଫେରିଆସିଛି ।

ଛଳ ଛଳ ଆଖିରେ ରୁଚି ଚାହିଁଲା ସୂର୍ଯ୍ୟକୁ, ‘‘ୟାଙ୍କ ପାଇଁ ତମେ ଟିକିଏ ଦୟାକର, ସୂର୍ଯ୍ୟ ! ଆଜିସୁଦ୍ଧା ତମ ପାଖରୁ ଯାହା ସାହାଯ୍ୟ ଆଶା କରିଥିଲି, କିଛି ତମେ ଦେଇପାରି ନ ଥିଲା । ଆଜି କିନ୍ତୁ ମୋତେ ନିରାଶ କରିନି । ଏତେ ବଡ଼ ବିଶାଳ ଦୁନିଆକୁ ଚାହିଁଲେ ଭୟ ହେଉଛି । ମୁଁ ଏକୁଟିଆ-। ମୁଁ ପାରିବିନି । ଦେବନାଥଙ୍କୁ ଭଲ କରିଦିଅ ।’’

 

ସୂର୍ଯ୍ୟର ଆଖିପତାରେ ଲୁହ ଜଳେଇଉଠିଲା । ଦେବନାଥକୁ ଭଲ କରିବାଭଳି କୌଣସି କର୍ତ୍ତୃତ୍ୱ ତା’ର ନାହିଁ । ଏତେ ବଡ଼ ଡାକ୍ତରଖାନା ଆଉ ଏତେ ବଡ଼ ବଡ଼ ଡାକ୍ତର ଯାହାକୁ ଆରୋଗ୍ୟ କରିବାପାଇଁ ସମର୍ଥ ହୋଇପାରିଲେନି, ତା’ ପାଇଁ ସୂର୍ଯ୍ୟକାନ୍ତ କଣ କରିପାରେ ?

 

ରୁଚିର ହତାଶ ମନ କେବଳ କିଛିଟା ଆଶ୍ୱସ୍ତି ପାଇବାପାଇଁ ସୂର୍ଯ୍ୟପାଖରେ ଦେବନାଥର ଆରୋଗ୍ୟ ଲାଗି ଅନୁରୋଧ କରିଛି ।

 

ରୁଚି ଆଜି ଆସନ୍ନ ବିପଦରେ । ଦେବନାଥରେ ଆଉ ଆରୋଗ୍ୟ ହେବାଭଳି ଆଶା ନାହିଁ-

 

ରୁଚିକୁ ଲୁଚେଇ ସୂର୍ଯ୍ୟକାନ୍ତ ନିଜ ଆଖିରୁ ରୁମାଲରେ ଲୁହ ପୋଛିଲା । କଲେଜରେ ପଢ଼ିଲାବେଳେ ଏଇ ଦେବନାଥର ଥିଲା ଅନେକ ପୌଢ଼, ପୁରୁଷତ୍ୱର ଅହମିକା, ସୁନ୍ଦର ସ୍ୱାସ୍ଥ୍ୟ । ଦେବନାଥ ଥିଲା କ୍ରାଡ଼ାବିତ୍ ।

 

କ୍ରୀଡ଼ାବିତ୍‌ମାନେ କୁଆଡ଼େ ଦୀର୍ଘାୟୁ ହୁଅନ୍ତି ।

 

ସୂର୍ଯ୍ୟକାନ୍ତର ପତଳା ନକନକିଆ ଦିହ ଦେଖି ଦେବନାଥ ସେତେବେଳେ ହସୁଥିଲା । କହୁଥିଲା ଏମିତି ଭଙ୍ଗା ସ୍ୱାସ୍ଥ୍ୟ ନେଇ ତମେ କେତେଦିନ ବଞ୍ଚିବ, ସୂର୍ଯ୍ୟକାନ୍ତ ?

 

ଆଜି ସେଇ ଦୁର୍ବଳ ଭଗ୍ନସ୍ୱାସ୍ଥ୍ୟ ନେଇ ସୂର୍ଯ୍ୟକାନ୍ତ ବଞ୍ଚିରହିଛି । ଅଥଚ ଦେବନାଥର ଶେଷ ସମୟ ।

 

ସୂର୍ଯ୍ୟ କହିଲା, ‘‘ତମେ ବର୍ତ୍ତମାନ କିଛି ସମୟ ପାଇଁ ବାହାରକୁ ଯାଇ ବୁଲିଆସ, ରୁଚି ! ଏକୁଟିଆ ନିରବଚ୍ଛିନ୍ନ ଭାବରେ ବସି ବସି ବହୁତ ଯନ୍ତ୍ରଣା ପାଇଲଣି । ମାନସିକ ଯନ୍ତ୍ରଣା ଶାରୀରିକ ଯନ୍ତ୍ରଣାକୁ ଅନେକ ବଢ଼େଇଦିଏ । ତୁମେ ଉଭୟ ଯନ୍ତ୍ରଣାରେ ପୀଡ଼ିତ । ମୁଁ କିଛି ସମୟ ପାଇଁ ଦେବନାଥ ପାଖରେ ଅଛି ।’’

 

ରୁଚି କହିଲା, ମୋର କିନ୍ତୁ ଆଉ ଗୋଡ଼ହାତ ଉଠୁନି । ମୋ ଶରୀରର ସମସ୍ତ ଅବୟବ ଶିଥିଳ ହୋଇପଡ଼ୁଛି । ତାଙ୍କ ପାଖରୁ ମୁଁ ଆଉ ଉଠିପାରିବିନି, ସୂର୍ଯ୍ୟ ! ସିପ୍ରାଙ୍କ ଅବସ୍ଥା ବିଷୟରେ ମୁଁ ତୁମକୁ କିଛି ପଚାରିପାରିନି, ମୋତେ କ୍ଷମା ଦେବ ।’’

 

ସୂର୍ଯ୍ୟ କହିଲା, ‘‘ଗତ ରାତିରୁ ସେ ସାମାନ୍ୟ ଉନ୍ନତି କରିଛି ବୋଲି ମୋର ମନେହୁଏ । ହୁଏତ ମୋତେ ପାଖରେ ପାଇବା ପରେ ତା’ର ସାମାନ୍ୟ ମାନସିକ ସମ୍ୱଳ ବୃଦ୍ଧି ପାଇଛି । ଗଲା ରାତିରେ ସେ ଆଦୌ ଶୋଇପାରିଲା ନାହିଁ । ଭଙ୍ଗା ଭଙ୍ଗା ସ୍ୱରରେ ଅନେକ କଥା କହିଲା । ମୋର ଏଇ କେତେଟା ଦିନର ଅନୁପସ୍ଥିତିରେ ସେ ମନଭିତରେ ଅନେକ କଥା କହିବାପାଇଁ ଜମେଇ ରଖିଥିଲା । ଏତେଗୁଡ଼ାଏ କଥା କହିବାପାଇଁ ମୁଁ ତାକୁ ଯେତେ ମନା କଲି, ସେ ଶୁଣିଲା ନାହିଁ । ଆଜି ସକାଳୁ ନିଶା ଇଞ୍ଜେକ୍‌ସନ ଦେଇ ଡାକ୍ତର ତାକୁ ଶୁଣାଇଦେଇଛନ୍ତି । ସେ ଅନେକ ସମୟଯାଏ ହୁଏତ ଶୋଇବା ।’’

 

ରୁଚି କହିଲା, ‘‘ଦେବନାଥଙ୍କର ଗଲା ଦୁଇଦିନ ହେବ ସଂଜ୍ଞା ନାହିଁ ।’’

 

ସୂର୍ଯ୍ୟ କିଛି ନ କହି ମନରେ ଭାବିଲା, ସତରେ ରୁଚିର ନାରୀତ୍ୱ ପାଇଁ ଏଇ ବୋଧହୁଏ ସବୁଠାରୁ ବିପଦପୂର୍ଣ୍ଣ ମୁହୂର୍ତ୍ତ । ତା’ ପାଇଁ ଦୁନିଆର ସବୁ ସମ୍ଭୋଗ, ସମ୍ପଦ ଶେଷ ହୋଇଆସୁଛି । ତା’ ଭିତରେ ଅସମ୍ଭବ ଆକୁଳତା । ତାକୁ ସାହସ ଦେବାପାଇଁ ସୂର୍ଯ୍ୟର ଭାଷା ନାହିଁ ।

 

ନିର୍ବାପିତ ଦୀପରେ ଆଉ ତେଲ ଢାଳି କିଛି ଲାଭ ନାହିଁ । ଦେବନାଥ ପାଇଁ ବୋଧହୁଏ ଆଉ କୌଣସି ପ୍ରକାର ଚେଷ୍ଟା କରାଯାଇ ନ ପାରେ । ଡାକ୍ତରମାନେ ଆଉ ଇଚ୍ଛା କରି କେହି ପାଖକୁ ଆସୁନାହାନ୍ତି । ସେମାନେ ବୋଧହୁଏ ଶେଷ ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି ।

 

ସୂର୍ଯ୍ୟକାନ୍ତ ଲକ୍ଷ୍ୟ କଲା, ଦେବନାଥର ଶ୍ୱାସକ୍ରିୟା କ୍ରମଶଃ କ୍ଷୀଣ ହୋଇଆସୁଛି । ପୃଥିବୀର ପ୍ରଚୁର ଅମ୍ଳଜାନକୁ ଦେବନାଥ ଆଉ ଗ୍ରହଣ କରିପାରୁନି ।

 

ହଠାତ୍‌ ଦେବନାଥର ମୁହଁ ଭାଙ୍ଗିପଡ଼ିଲା ।

 

ଭୟ ଏବଂ ବିସ୍ମୟରେ ରୁଚି କହିଲା, ‘‘ତାଙ୍କର ଏମିତି କ’ଣ ହେଲା, ସୂର୍ଯ୍ୟ ?’’

 

ସୂର୍ଯ୍ୟକାନ୍ତର ଭାବନାକ୍ଳାନ୍ତ ମୁହଁ ଉପରେ ବିନ୍ଦୁ ବିନ୍ଦୁ ଝାଳ ଜମିଉଠିଲା ।

 

‘‘ଦେବନାଥ ଆଉ ନାହିଁ ।’’

 

ଚିତ୍କାର କରି କାନ୍ଦିଉଠିଲା ରୁଚି ।

 

ବାହାରେ ଖରାର ଚିତା ଦାଉ ଦାଉ ହୋଇ ଜଳୁଥିଲା; କିନ୍ତୁ ରୁଚି ପାଇଁ ସବୁ ଅନ୍ଧାର ।

 

ରୁଚିର ମଥାରେ ସିନ୍ଦୂର ନାହିଁ । ହାତରେ ଶଙ୍ଖା ନାହିଁ । ଆଖିରେ ଉଦାସ ଭାବ । ଉତ୍ତୀର୍ଣ୍ଣ ରାତିର ଜହ୍ନ ପରି ତା’ ବୟସର ବିକଶିତ ରୂପ କ୍ଳାନ୍ତ ହୋଇପଡ଼ିଛି ।

 

ସୂର୍ଯ୍ୟର ମନେପଡ଼ିଲା, ଏଇ ରୁଚି ଆର୍ଟ ସିଲ୍‌କର ଶାଢ଼ୀ ପିନ୍ଧି ସେଦିନ ମଧ୍ୟାହ୍ନରେ କୃଷ୍ଣଚୁଡ଼ାର ରଙ୍ଗ ନେଇ ସଚିବାଳୟର କର୍ମମୁଖର ପରିବେଶକୁ ସ୍ୱପ୍ନମୁଖର କରିଦେଇଥିଲା । ଆଜି ସେ ଟଗର ଫୁଲ ପରି ସାଧା । ଜୀବନର ମହକ ଉଡ଼ିଯାଇଛି ।

 

ସୂର୍ଯ୍ୟ ବି ନିଜେ କ୍ଳାନ୍ତ ହୋଉଛି ।

 

ଏଇ କ୍ଳାନ୍ତ ମୁହୁର୍ତ୍ତରେ ନିଜର ସବୁ ଦୁଃଖର ଦହନକୁ ଆୟତ୍ତ କରି ତଥାପି ରୁଚି ଆସିଛି । ସୂର୍ଯ୍ୟର ଅସମୟରେ ତାକୁ ହୁଏତ ସାହାଯ୍ୟ କରିବ । ତା’ ମନରେ ସାହସ ଦେବ ।

 

ସିପ୍ରାର ଅବସ୍ଥା ଗୁରୁତର ହୋଇପଡ଼ିଛି । ଡାକ୍ତରଖାନାରେ ସୂର୍ଯ୍ୟର ଦିନରାତି କଟିଯାଉଛି-। ଅକ୍ଳାନ୍ତ ଅଧ୍ୟବସାୟ କରୁଛି ସୂର୍ଯ୍ୟ । ତା’ ମନରେ ଆଶା ହୁଏତ ଅଛି, ସିପ୍ରା ପୁଣି ଆରୋଗ୍ୟ ହୋଇଯିବ, ଫେରିଆସିବ ଘରକୁ । ପୁଣି ସେମାନଙ୍କର ଛୋଟ ସଂସାର ହସିଉଠିବ । ମନେ ମନେ ହୁଏତ ସ୍ୱପ୍ନ ଦେଖୁଥିବ, ସେ ବାପା ହେବ । ରକ୍ତଜର୍ଜରିତ ଶିଶୁସୂର୍ଯ୍ୟ ପରି ସିପ୍ରା କୋଳରେ ଉଦୟର ଆନନ୍ଦ ଆଣି ନବଜାତକ ସନ୍ତାନ ହସିଉଠିବ ।

 

ସିପ୍ରାର ବି ଦିନେ ଏମିତି ଆକାଂକ୍ଷା ଥିଲା । ସେ ଜନନୀ ହୋଇଥାନ୍ତା ।

 

ଆଖିରୁ ସିପ୍ରାର ଲୁହ ଗଡ଼ିଆସିଲା ।

 

ଡାକ୍ତରଖାନାରେ ସିପ୍ରା ଅସୁସ୍ଥ । କେବଳ ଅସୁସ୍ଥ ନୁହେଁ, ସୂର୍ଯ୍ୟ କହୁଥିଲା, ମରଣ ସହିତ ଯୁଦ୍ଧ କରୁଛି ସେ । କାହାର ଜୟ ହେବ, କହିହେଉନି । ଜୀବନ ଏବଂ ମରଣ ଭିତରେ ଯୁଦ୍ଧ ।

 

ସୂର୍ଯ୍ୟର ମନରେ ଖାଲି ଭୟାର୍ତ୍ତ ବିଭୀଷିକାର ପ୍ରତିଧ୍ୱନି । ପ୍ରତ୍ୟେକଟି ମୁହୁର୍ତ୍ତ ତା’ ପାଇଁ ଭୟଙ୍କର । କେତେବେଳେ କ’ଣ ଘଟିଯିବ, କହିହେଉନି ।

 

ସିପ୍ରାର ବାପା ବୋଉ ଗାଁରୁ ଆସି ପହଞ୍ଚିଛନ୍ତି । ସେମାନେ ବି ଆତଙ୍କିତ । ଡାକ୍ତରଖାନାରେ ସିପ୍ରାର ବେଡ୍ ପାଖରେ ସେମାନେ ଜଗି ବସିଛନ୍ତି ।

 

ସେମାନେ ଆସିବା ପରଠାରୁ ସୂର୍ଯ୍ୟ ସାମାନ୍ୟ ରିହାତି ପାଇଛି । ଘଣ୍ଟାକ ପାଇଁ ଘରକୁ ଆସି ନିଜର ଲୁଗାପଟା ଦି’ ଖଣ୍ଡ ବଦଳେଇ ପାରୁଛି । ତଥାପି ମନରେ ସବୁବେଳେ ଭୟ ରହୁଛି । ବିଶ୍ରାମ ଟିକିଏ ନେବାପାଇଁ ଇଚ୍ଛା ହେଲେ ବି ଅସ୍ଥିର ଲାଗୁଛି । ଗୋଟାଏ ଘଣ୍ଟା ପାଇଁ ଆଖି ବନ୍ଦ କରି ହେଉ ନି ।

 

ପ୍ରତ୍ୟେକଟି ରାତି ବିନିଦ୍ର ବିତିଯାଉଛି । ପ୍ରତ୍ୟେକଟି ଦିନ ଅସ୍ଥିର ବୋଧ ହେଉଛି ।

 

ଶାଶୁ ବ୍ୟସ୍ତ ହୋଇ କହୁଛନ୍ତି, ତମେ ଅସ୍ଥିର ହୁଅ ନି, ସୂର୍ଯ୍ୟ ! ମରଦପୁଅ ଦୁଃଖରେ ଭାଙ୍ଗିପଡ଼ିଲେ ଚଳିବ ନାହିଁ । ନିଜ ପ୍ରତି ସାବଧାନ ହୁଅ । ନିଜେ ନିଜ ପ୍ରତି ଅବହେଳା କରି ଭାଙ୍ଗିପଡ଼ିଲେ ସିପ୍ରାର ପ୍ରତିକାର ପାଇଁ ଅଧିକ ଦୃଷ୍ଟି ଦେଇପାରିବ ନାହିଁ ।

 

ବିଶ୍ରାମ ନେବାପାଇଁ ବେଳେ ବେଳେ ତାକୁ ଶାଶୁ ଘରକୁ ପଠେଇ ଦେଉଛନ୍ତି । ଘରେ କିନ୍ତୁ ତା’ର ମନ ଲାଗୁନି । ବିଧାନସଭା ସଦସ୍ୟର ସରକାରୀ ଘରେ । ଉପର ଫ୍ଲାଟରେ ତାକୁ ରହିବାକୁ ପଡ଼େ । ତଳ ଫ୍ଲାଟରେ ଆଉ ଜଣେ ସଦସ୍ୟ ରହନ୍ତି । ତାଙ୍କ ଘରେ ସବୁବେଳେ କୋଳାହଳ । ଅସ୍ଥିର ମନରେ ଶାନ୍ତିପାଇଁ ଖୋଜିଲେ ବି ସାମାନ୍ୟ ନୀରବତା ବିଳିପାରୁନି ।

 

ଜୀବନର ପ୍ରତି କୋଣରୁ ତା’ପାଇଁ ବିଭ୍ରାଟ ଦେଖାଦେଇଛି ।

 

ଘର ଛାଡ଼ି ଡାକ୍ତରଖାନାକୁ ସୂର୍ଯ୍ୟ ବାହାରିଥିଲା, ରୁଚି ଆସି ପହଞ୍ଚିଲା । ଆଉ ସାମାନ୍ୟ ବିଳମ୍ୱ ହୋଇଥିଲେ ରୁଚିକୁ ଫେରିଯିବାକୁ ପଡ଼ିଥାନ୍ତା ।

 

ରୁଚିକୁ ଦେଖି ହଠାତ୍ କିଛି ଭାବିପାରିଲାନି ସୂର୍ଯ୍ୟ । ସେ ନ ଆସିଥିଲେ ବରଂ ଭଲ ହୋଇଥାନ୍ତା । ତା’ର କ୍ଲାନ୍ତି ରୁପ ସୂର୍ଯ୍ୟକୁ ଆହୁରି ଭୟଭୀତ କରିଛି ।

 

କେତେଟା ଦିନ ତଳେ ଦେବନାଥକୁ ମଶାଣିର ଜୁଇରେ ସୂର୍ଯ୍ୟ ନିଜେ ନେଇ ଶୁଆଇଦେଇଆସିଛି । ଡାକ୍ତରଖାନାକୁ ତା’ ଶବକୁ କୋକେଇରେ ପକାଇ ନେଇଗଲାବେଳେ ରୁଚି ଚିତ୍କାର କରି କହୁଥିଲା, ‘‘ତାଙ୍କୁ ମୋ ପାଖରୁ ଛଡ଼େଇନିଅନି, ସୂର୍ଯ୍ୟ ! ମୁଁ ଏକୁଟିଆ ରହିପାରିବି ନି-।’’

 

ରୁଚି କିନ୍ତୁ ଏକୁଟିଆ ରହିଛି ।

 

ସେ ଆସିବା ସମୟରୁ ସୂର୍ଯ୍ୟ ତାକୁ କେବଳ ଦେଖୁଛି । ଶୈଶବ ମନେପଡ଼ୁଛି, କଲେଜଜୀବନ ମନେପଡ଼ୁଛି; କିଛି କଥା କହିହେଉ ନି । କ’ଣ ତାକୁ ପଚାରିବ ।

 

ରୁଚି ବି କିଛି କହିପାରୁନି ।

 

ଦୁହେଁ ଝଡ଼ର ସମ୍ମୁଖୀନ । ଦୁହିଁଙ୍କ ପାଟିରୁ ଭାଷା ଶେଷ ହୋଇଯାଇଛି । ନୀରବରେ ଦୁହେଁ କେବଳ ବସିଛନ୍ତି । ସୂର୍ଯ୍ୟର ମନ ବିଚଳିତ ହେଉଛି । ରୁଚିକୁ ଛାଡ଼ିଦେଇ ଡାକ୍ତରଖାନାକୁ ସେ ଯାଇପାରୁନି । ସେ ହୁଏତ ମନେକରିବ, ସୂର୍ଯ୍ୟକାନ୍ତ ହୃଦୟହୀନ । ସ୍ୱାର୍ଥପର ହୋଇ ଦେବନାଥକୁ ବିବାହ କରିବାପାଇଁ ସେଦିନ ପରାମର୍ଶ ଦେଇଥିଲା । ଆଜି ପୁଣି ସ୍ୱାର୍ଥପର ହୋଇ କଥା ପଦେ ନ କହି ଚାଲିଯାଉଛି । ଦେବନାଥର ମୃତ୍ୟୁ ପରେ ତାକୁ ଥରକପାଇଁ ଦେଖିବାକୁ ଯାଇପାରିନି । ଅସହାୟ ଜୀବନରେ ସାମାନ୍ୟ ଟିକିଏ ସହାନୁଭୂତି ପାଇବାପାଇଁ ବୋଧହୁଏ ସେ ଇଚ୍ଛା କରି ସୂର୍ଯ୍ୟଘରକୁ ଆସିଛି ।

 

ଦୀର୍ଘ ସମୟର ନୀରବତା ଭାଙ୍ଗି ରୁଚି କହିଲା, ‘‘ସିପ୍ରାଙ୍କୁ ଦେଖିବାପାଇଁ ଡାକ୍ତରଖାନାକୁ ମୁଁ ଆଉ ଯାଇପାରିନି ବୋଲି ମୋତେ କ୍ଷମା ଦେବ, ସୂର୍ଯ୍ୟ ! ତୁମେ ଶେଷ ମୁହୁର୍ତ୍ତରେ ମୋ’ ପାଇଁ ଯଥେଷ୍ଟ ସହାନୁଭୁତିଶୀଳ ହୋଇଥିଲ; କିନ୍ତୁ ତୁମ ପାଖରେ ସାହାଯ୍ୟ ଦେବାର ଦମ୍ଭ ନେଇ ଠିଆହେବାପାଇଁ ମୋର ମାନସିକ ସାହସ ନାହିଁ । ଡାକ୍ତରଖାନାକୁ ଯିବାପାଇଁ ମୋର ଆଉ ସାହାସ ନାହିଁ । ମୋତେ ସ୍ୱାର୍ଥପର ବୋଲି ମନେକରିବ ନାହିଁ ।’’

 

ସୂର୍ଯ୍ୟକାନ୍ତ କହିଲା, ‘‘ତୁମ ପାଖରୁ ଆଜି ଭଳି ପରିସ୍ଥିତିରେ ସାହାଯ୍ୟ ତ ଦୂରର କଥା, ସହାନୁଭୁତି ମଧ୍ୟ ଆଶା କରିବା ମୋ ପକ୍ଷରେ ସମ୍ପୂର୍ଣ୍ଣ ନିର୍ବୋଧତା । ବରଂ ତୁମ ପାଖକୁ ଏଥିଭିତରେ ଯାଇପାରିନି ବୋଲି ମୁଁ ଲଜ୍ଜିତ । ପରିସ୍ଥିତି ସାମାନ୍ୟ ଅନୁକୂଳ ହୋଇଥିଲେ ମୁଁ ନିଶ୍ଚୟ ଯାଇଥାନ୍ତି ।’’

ରୁଚି ପଚାରିଲା, ‘‘ସିପ୍ରାଙ୍କର ଅବସ୍ଥାରେ କ’ଣ ଆଜିସୁଦ୍ଧା ବି କିଛି ଉନ୍ନତି ଘଟିନି ?’’

ସୂର୍ଯ୍ୟ କହିଲା, ‘‘ମୋର ଭୟ ହେଉଛି, ଆଉ ବୋଧହୁଏ ଉନ୍ନତି ଘଟିବ ନାହିଁ । ସିପ୍ରାର ବାପା ବୋଉ ଆସିଯାଇଛନ୍ତି । ମୋ ପରି ସେମାନେ ବି ହତାଶ ହେଲେଣି । ଡାକ୍ତରମାନଙ୍କର ଅକ୍ଲାନ୍ତ ଚେଷ୍ଟାର ହୁଏତ କିଛି ମୂଲ୍ୟ ରହିବ ନାହିଁ । ସିପ୍ରା ପାଖକୁ ଯିବାପାଇଁ ମୋତେ ଭୟ ଲାଗୁଛି-। ତା’ର ବିଷର୍ଣ୍ଣ ଚିନ୍ତାକୁଳ ମୁହଁ ଦେଖି ମୁଁ ଆଉ ଧୈର୍ଯ୍ୟ ଧରିପାରୁନି । କେବଳ କର୍ତ୍ତବ୍ୟଦୃଷ୍ଟିରୁ ମୁଁ ଯିବାପାଇଁ ବାଧ୍ୟ ହେଉଛି ।’’

ରୁଚି କହିଲା, ‘‘ତୁମର ଏ ବିଚଳିତ ଅବସ୍ଥାରେ ମୁଁ ନ ଆସିଥିଲେ ବରଂ ଭଲ ହୋଇଥାନ୍ତା-।’’

ସୂର୍ଯ୍ୟ କହିଲା, ‘‘ଏତେ ଅସାମାଜିକ ହୋଇ ମଣିଷ ବଞ୍ଚିପାରେନା । ସମସ୍ତ ଅସମୟରେ ବି ନିଜର ମଣିଷମାନଙ୍କ ପାଇଁ ସହୃଦୟତା ଦେଖାଇବା ଉଚିତ ।’’

ଟେଲିଫୋନ୍‌ ବାଜିଉଠିଲା ।

ସୂର୍ଯ୍ୟକାନ୍ତ ଟେଲିଫୋନ୍ ପାଖକୁ ଯାଇ ବିମର୍ଷ ମୁହଁରେ ଫେରିଆସି କହିଲା, ‘‘ସିପ୍ରାର ସଙ୍କଟାପନ୍ନ ସମୟ । ମୋତେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଯିବାକୁ ହେବ, ରୁଚି !’’

ସୂର୍ଯ୍ୟକାନ୍ତର କଣ୍ଠରେ ଆକୁଳତା ଭରିରହିଥିଲା ।

ସାମାନ୍ୟ ଚିନ୍ତାଶୀଳ ହୋଇ ରୁଚି କହିଲା, ‘‘ତୁମ ସଙ୍ଗରେ ମୁଁ ଡାକ୍ତରଖାନା ଯିବି ।’’

ଅପରାହ୍ନରେ ଆକାଶ ଗମ୍ଭୀର ହୋଇଉଠିଥିଲା । ଅନେକ ଗ୍ଲାନି, ଅନେକ ଅସ୍ଥିର ଆକୁଳତା, ଅନେକ ଆର୍ତ୍ତନାଦର ଚିତ୍କାର ଯେମିତି ସେଇ ଗମ୍ଭୀର ଆକାଶର ବୁକୁତଳେ ଲୁଚି ରହିଥିଲା ।

ଆଉ ଏକ ସକାଳ ।

ସୂର୍ଯ୍ୟ ଉଠିଛି, ଦୀପ୍ତି ନାହିଁ ।

ଫୁଲ ଫୁଟିଛି, ସୌରଭ ନାହିଁ ।

ଜୀବନ ଅଛି, ବଞ୍ଚିବାର ସ୍ୱାଦୁ ନାହିଁ ।

ରୁଚିର ସେଇ ଟଗରଫୁଲିଆ ଶେତା ଦେହରେ ଶ୍ୱେତ ଶାଢ଼ୀ, ସୀମାଅପା ଆଉ ମଦନବାବୁଙ୍କୁ ବ୍ୟସ୍ତ କରୁଛି । ଦୁଃସ୍ଥ ରାଜନୈତିକ ଜୀବନରେ ରୁଚି ତାଙ୍କ ଉପରେ ନିର୍ଭରଶୀଳ ହେବ ବୋଲି ସେମାନେ ଆଦୌ ଚିନ୍ତା କରି ନ ଥିଲା । ପିଲାଦିନୁ ନିଜ ବାଟରେ ଚାଲିବାପାଇଁ ସୀମାଅପା ଶିକ୍ଷା ଦେଇଥିଲେ । ଖାଲ ଖମା ନ ମାନି ରୁଚି ଚାଲିଥିଲା । ତା’ ବାଟରେ ଭଲମନ୍ଦ ଇଚ୍ଛା କରି ସୀମାଅପା ବୁଝୁ ନ ଥିଲେ । ଅନ୍ୟ ଉପରେ ସାହାଯ୍ୟ ଅଜାଡ଼ିବା କିମ୍ୱା ଅନ୍ୟ ଉପରେ ନିର୍ଭର କରି ନିଜର ସୁବିଧା ଖୋଜିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ ।

ଆଜି କିନ୍ତୁ ରୁଚିର ବାଟ ଶେଷ ହୋଇଯାଇଛି ।

ରୁଚି ପାଇଁ ପଥ ନାହିଁ, ପାଥେୟ ବି ନାହିଁ ।

ମଦନବାବୁ କହୁଛନ୍ତି, ‘‘ରୁଚି ପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ସ୍ୱାଦୁହୀନ ଜୀବନ ହୋଇପାରେ; କିନ୍ତୁ ସେ ବଞ୍ଚିରହିବ, ଯେମିତି ଆମ ଦେଶରେ ସ୍ୱାଧୀନତା ବଞ୍ଚିରହିଛି । ପୃଥିବୀ ଆଗରେ ଅନ୍ନ ପାଇଁ ପାତ୍ର ଧରି ଆମେ ମାଗିବୁଲୁଛୁଁ; ଟଙ୍କା କରଜ ପାଇଁ ବନ୍ଧୁତା ନାଁରେ ଅନ୍ୟ ରାଷ୍ଟ୍ରର କରୁଣାପ୍ରାର୍ଥୀ ହେଉଛୁଁ । ଦେଶ ଭିତରେ ଲଟରୀ ନାଁରେ ଘରେ ଘରେ ଜୁଆଖେଳ ଚାଲିଛି । ଖଟିଖିଆର ପେଟ ଅପୋଷା ରହୁଛି, କଳାବଜାରୀ ଦଲାଲମାନଙ୍କର ସାମାଜିକ ଖ୍ୟାତି ବଢ଼ିଚାଲିଛି । ସ୍ୱାଧିନତା ପ୍ରାପ୍ତିର ଇତିହାସ ଯେମିତି ଆମ ଜୀବନର ଏକ ହାସ୍ୟାସ୍ପଦ ଉପାଖ୍ୟାନ, ଦେବନାଥ ସଙ୍ଗରେ ରୁଚିର ବିବାହ ସେମିତି ଏକ କରୁଣ ଯୋଗସୂତ୍ର । ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରି ହତାଶ ହୋଇଛି ବୋଲି, ମୁଁ ଯେମିତି ମୋର ଅତୀତକୁ ଭୁଲିଯିବାକୁ ଚେଷ୍ଟା କରୁଛି, ରୁଚିକୁ ସେମିତି ହୁଏତ ତା ଅତୀତର ବିବାହିତ ଜୀବନକୁ ଭୁଲିଯିବାକୁ ପଡ଼ିବ ।’’

ଆଦର୍ଶ ଦୃଷ୍ଟିରୁ ହୁଏତ ସୀମାଅପା ମଦନବାବୁଙ୍କୁ ସମର୍ଥନ କରିପାରନ୍ତି; କିନ୍ତୁ ରୁଚି ସମ୍ପର୍କରେ ତାଙ୍କ ସହିତ ସେ ଏକମତ ନୁହନ୍ତି । ମାତୃତ୍ୱ ବିଳାପ କରୁଛି; କାଲି ପରି ବୋଧ ହେଉଛି, ଏଇ ଆଶ୍ରମ ବଗିଚାରେ ରୁଚି ଖେଳୁଥିଲା । ତା’ର ଛୋଟ ଛୋଟ ହାତରେ ଲୁଚି ଲୁଚି ପ୍ରଜାପତି ଧରୁଥିଲା । ଆଜି ହଠାତ୍‌ ଏତେ ବଡ଼ ହୋଇଗଲା ଯେ, ଏକା ଏକା ସେ ଜୀବନ କଟେଇଦେଇପାରିବ ?

ମଦନବାବୁ କହୁଛନ୍ତି, ହୁଏତ ପାରିବ । ଭାଙ୍ଗିପଡ଼ିଲେ ତା ନାରୀତ୍ୱର ନିନ୍ଦା ହେବ । ସେଦିନ ଆଉ ଆଜି ଭିତରେ ଅନେକ ପ୍ରଭେଦ । ଏଇ ଆଶ୍ରମରେ ସେଦିନ ସମସ୍ତେ ମୋର ଏବଂ ରବିଦାସର ନେତୃତ୍ୱ ପାଇଁ ଚାହିଁବସିଥିଲେ । ଦେଶର ସ୍ୱାଧୀନତା ପାଇବାପାଇଁ ଆମେ କୁଆଡ଼େ ଥିଲୁଁ ଅଗ୍ରଦୂତ । ରବିଦାସ ଚାଲିଗଲେ । ମୁଁ ପଡ଼ିରହିଲି ଇତର ପ୍ରାଣୀ ପରି; ଆମର ଯେମିତି ଦେଶ ପାଇଁ କିଛି ଅବଦାନ ନ ଥିଲା । ଯୋଉମାନେ ଶାସନରେ ରହିଲେ, ତାଙ୍କ ଆଖିରେ ଆମ ଆଶ୍ରମର ମୂଲ୍ୟ ରହିଲା ନାହିଁ । ଅନ୍ୟ ଦେଶ ହୋଇଥିଲେ ଆମ ଆଶ୍ରମ ଏକ ଜାତୀୟ ତୀର୍ଥରେ ପରିଣତ ହୋଇଥାନ୍ତା । ଏଠି କିନ୍ତୁ କାନ୍ଥରେ ଆଉ ମାଟି ନାହିଁ, ଚାଳରେ ନଡ଼ା ନାହିଁ । ଖରାବର୍ଷା ଖାଇ ଆମେ ଯେମିତି ଏଠି ପଡ଼ିରହିଛୁ, ରୁଚିକୁ ବି ସେମିତି ବଞ୍ଚିବାକୁ ହେବ । ଏଠି ନାରୀ ପ୍ରଗତିର ଅର୍ଥ ନାହିଁ । ସ୍ୱାଧୀନତାର ଅର୍ଥ ନାହିଁ ।

ସୀମାଅପା ଯୁକ୍ତି କରୁଛନ୍ତି, ସମସ୍ତଙ୍କର ମନବଳ ସମାନ ନୁହେଁ । ଏଇ ବୟସରୁ ନିଜକୁ ସଂଯତ କରି ମାଟି କାଦୁଅରେ ଆମ ପାଖରେ ପଡ଼ିରହିବା ହୁଏତ ରୁଚି ପକ୍ଷରେ ସମ୍ଭବ ହୋଇପାରିବ ନାହିଁ । ଜଣେ ପୁରୁଷ ପକ୍ଷରେ ଦ୍ୱିତୀୟ ବାର ବିବାହ କରିବାପାଇଁ ଯେମିତି ସାମାଜିକ ପ୍ରତିବନ୍ଧକ ନାହିଁ, ନାରୀ ପାଇଁ ମଧ୍ୟ ସେମିତି କିଛି ବାଧାବନ୍ଧନ ରହିବା ଉଚିତ ନୁହେଁ । ରୁଚି ପୁନର୍ବିବାହ କରିବା ଉଚିତ । ଉଚିତ ଅନୁଚିତ ବିଚାର କରିନାହାନ୍ତି ମଦନବାବୁ । ଏଇ ସମାଜକୁ ମଣିଷ ହାତରେ ଗଢ଼ିଛି, ପୁଣି ବି ହାତରେ ଭାଙ୍ଗିଛି । ରୁଚିର ପୁନର୍ବିବାହ ପାଇଁ ତାଙ୍କର ଆପତ୍ତି ନାହିଁ, କିନ୍ତୁ ତା ସମ୍ଭବ ନୁହେଁ ।

ପୁରୁଷର ସ୍ୱେଚ୍ଛାଚାରକୁ ଆଜିସୁଦ୍ଧା ସମାଜ ଅନୁମୋଦନ କରିଛି, କିନ୍ତୁ ନାରୀର କଳଙ୍କ ପାଇଁ କ୍ଷମା ନାହିଁ ।

ରୁଚିର ବୈଧବ୍ୟ ହୁଏତ ତା ନାରୀତ୍ୱ ପାଇଁ କଳଙ୍କ ନୁହେଁ; କିନ୍ତୁ ତାକୁ ଗ୍ରହଣ କରିବାପାଇଁ ସମସ୍ତେ କୁଣ୍ଠାବୋଧ କରିବେ । ପୁନର୍ବିବାହ ନାଁରେ ଯା ତା’ ବେକରେ ତାକୁ ଛନ୍ଦିଦେଇ କେବଳ ନିଶ୍ଚିନ୍ତ ହେବା କଥା ନୁହେଁ । ରୁଚିର ଭବିଷ୍ୟତ ନିଶ୍ଚିତ ହୋଇପାରିବ ନାହିଁ ।

ରୁଚିର ମନକଥା ପଚାରି ବୁଝିବାପାଇଁ ମଦନବାବୁ କିମ୍ବା ସୀମାଅପା କାହାର ସାହସ ହେଉନାହିଁ । ହୁଏତ ସେ ମନେକରିବ, ବାପା ବୋଉ ହୋଇ ମଧ୍ୟ ସେମାନେ ତାକୁ ପାଖରେ ରଖିବାକୁ ଚାହାନ୍ତି ନାହିଁ ।

ସୂର୍ଯ୍ୟ କଥା ମନେପଡ଼ୁଛି ସୀମାଅପାଙ୍କର । ଏଇ ଆଶ୍ରମ ବଗିଚାରେ ରୁଚି ସଙ୍ଗରେ ସାଙ୍ଗ ହୋଇ ସେ ଖେଳୁଥିଲା । ଦୁହେଁ ଏକାଠି ପ୍ରାର୍ଥନା ସଙ୍ଗୀତ ବୋଲୁଥିଲେ । ତା’ ଜୀବନର ଆଦର୍ଶ ଅତୁଟ ରହିଛି ।

ରୁଚି କହୁଥିଲା, ସେ ବି କୁଆଡ଼େ ଆଜି ଅସହାୟ । ଆଦର୍ଶ ପାଇଁ ରାଜନୀତି ଛାଡ଼ି, ଉପମନ୍ତ୍ରୀରୁ ଇସ୍ତଫା ଦେଇଥିଲା । ସାଧାରଣ ବିଧାନସଭା ସଦସ୍ୟ ଭାବରେ ଦିନ କାଟିବାପାଇଁ ତା’ପକ୍ଷରେ ଆଦୌ କଷ୍ଟକର ହୋଇ ନ ଥାନ୍ତା । ସବୁ ପରିସ୍ଥିତି ସହିତ ନିୟୋଜିତ କରି ନିଜକୁ ଚଳେଇ ନେବାର ଦକ୍ଷତା ତା’ର ଥିଲା; କିନ୍ତୁ ସିପ୍ରାର ମୃତ୍ୟୁ ତାକୁ ହତାଶ କରିଛି । ବିଚରା ଆଶା କରିଥିଲା, ଅଳ୍ପ କେତେଟା ଦିନ ଭିତରେ ସେ ପିତା ହୋଇଥାନ୍ତା ।

ସୀମାଅପା ଲକ୍ଷ୍ୟ କରିଥିଲେ, ଠିକ୍‌ ପିଲାଦିନ ପରି ସୂର୍ଯ୍ୟର ପ୍ରତ୍ୟେକ କାମପାଇଁ ରୁଚିର ଅନୁମୋଦନ ଅଛି, ସହାନୁଭୂତି ଅଛି ।

ପୁଣି ବି ରୁଚି କହୁଥିଲା, ସେ ଯେମିତି ଏତେବଡ଼ ଦୁନିଆରେ ଏକା, ସୂର୍ଯ୍ୟ ବି ସେମିତି ଏକା । ଦୁଇଟି ସମାନ୍ତରାଳ ପ୍ରବାହିତ ନଦୀ ।

ସୀମାଅପା ସତରେ ଅନୁଭବ କରିଛନ୍ତି, ଦୁଇଟି ସମାନ୍ତରାଳ ପ୍ରବାହିତ ନଦୀ ପରି ଦୁହେଁ ଦୁହିଁଙ୍କ ଶଯ୍ୟାରେ ପ୍ରବାହିତ ହେଉଛନ୍ତି । ଏକାଠି ମିଶିଯିବା ଜଳର ଧର୍ମ, ତଥାପି ଏଇ ଦୁଇଟି ନଦୀ ସମାନ ବ୍ୟବଧାନରେ ଗତି କରି ଚାଲିଛି । ଏକତ୍ରିତ ହେବା ଯଦି ଜଳର ଧର୍ମ, ତେବେ ଦୁହିଁଙ୍କ ପାଇଁ ଦୁହିଁଙ୍କ ଭିତରେ ଗୋପନ ଆକର୍ଷଣ ଥାଇପାରେ; ନ ଥାଇ ବି ପାରେ । ଏଇ ସୂର୍ଯ୍ୟ ସେଦିନ ଇଚ୍ଛା କରି ଦେବନାଥ ସହିତ ରୁଚିର ବିବାହ ପ୍ରସଙ୍ଗ ଉତ୍‌ଥାପନ କରିଥିଲା । ଇଚ୍ଛା କରିଥିଲେ ସେ ହୁଏତ ନିଜ କଥା ପ୍ରକାରାନ୍ତରେ ଜଣେଇପାରିଥାନ୍ତା । ଦେବନାଥ ଅପେକ୍ଷା ତା’ ପାଇଁ ସୀମାଅପା ବରଂ ଅଧିକ ଖୁସି ହୋଇଥାନ୍ତେ । ବିଶେଷ କିଛି ସମ୍ପଦ ନ ଥିଲେ ବି ସୂର୍ଯ୍ୟର ଆଦର୍ଶଗତ ଜୀବନ ତା ବ୍ୟକ୍ତିତ୍ୱ ପ୍ରତିଷ୍ଠା ପାଇଁ ଅନେକ ବଡ଼ ସମ୍ପଦ ।

ଟଙ୍କା ପଇସାର ବଡ଼ଲୋକି ଅପେକ୍ଷା ବ୍ୟକ୍ତିତ୍ୱର ବଡ଼ଲୋକିକୁ ଅଧିକ ପସନ୍ଦ କରନ୍ତି ସୀମାଅପା ।

ରୁଚି ଦେହରେ କଳଙ୍କ ଲାଗିଛି । ଆଦର୍ଶହୀନ ପୁରୁଷ ଆଖିରେ ତା କଳଙ୍କ ସ୍ପଷ୍ଟ ଦେଖାଯିବ । ସହାନୁଭୂତି ସହିତ ତା ଦୁର୍ଦ୍ଦଶାକୁ ସେ ହୁଏତ ବିଚାର କରିବ ନାହିଁ ।

ଅନେକ ବିଚାର ପରେ ସୂର୍ଯ୍ୟକାନ୍ତ ପାଖକୁ ଚିଠି ଦେଇ ସୀମାଅପା ଲେଖିଥିଲେ–ତୁମ ଦୁର୍ଦ୍ଦଶା ପାଇଁ ମୁଁ ଦୁଃଖିତା; କିନ୍ତୁ ତୁମ ନିଷ୍ଠା ପାଇଁ ଖୁବ୍‌ ଆନନ୍ଦିତା । ରବିଦାସଙ୍କ ଆଦର୍ଶ ତୁମେ ଅତୁଟ ରଖିଛ ।

–ରୁଚି ପରି ତମେ ବି ପ୍ରପୀଡ଼ିତ । ଦୁଇଟି ଦୁର୍ଭାଗା ଜୀବନରେ ଗୋଟିଏ ସୌଭାଗ୍ୟ ଆଣିବାପାଇଁ ମୁଁ ମନସ୍ଥ କରୁଛି । ରବିଦାସଙ୍କ କଥା ମନେପଡ଼ୁଛି । ସେ କହିଥିଲେ, ତୁମ ପାଇଁ ରୁଚିକୁ ମଧୂ କରିଥାନ୍ତେ । ସେ ଚାଲିଗଲେ ବୋଲି ତୁମେ ଦୁଇଟି ପକ୍ଷୀ ପରି ନିଜ ଇଚ୍ଛାରେ ଦୁଇଟି ଭିନ୍ନ ଦିଗକୁ ଉଡ଼ିଯାଇଥିଲ । ଆଜି ଦୁହେଁ ନୀଡ଼ହରା ।

–ତୁମ ପାଇଁ ମୁଁ ଆଉଥରେ ଗୋଟିଏ ନୀଡ଼ର କାମନା କରୁଛି । ରୁଚିମନକୁ ମୁଁ ପାଠ କରିଛି, ତା’ର ସମର୍ଥନ ଅଛି । ତୁମର ଯଦି ଆପତ୍ତି କରିବାପାଇଁ କିଛି ନ ଥାଏ ଚିଠି ପାଇ ଆସିବ ।

ଚିଠି ପାଇ ସୂର୍ଯ୍ୟକାନ୍ତ ଆସିଛି ।

ଗତ ରାତିରେ ରେଳଷ୍ଟେସନରୁ ଓହ୍ଳେଇ ଚାଲି ଚାଲି ବିଳମ୍ବରେ ଆସିଥିଲା । ଝିପିଝିପି ମେଘ ଝରୁଥିଲା । ସୂର୍ଯ୍ୟକାନ୍ତର ଦେହ ଏବଂ ମନ ଆର୍ଦ୍ର ହୋଇପଡ଼ିଥିଲା ।

ମନଦବାବୁ କହିଲେ, ‘‘ମୋର ବିଶ୍ୱାସ ଥିଲା, ତମେ ଆସିବ । କିନ୍ତୁ ନ ଆସିଥିଲେ ଦୁଃଖ କରି ନ ଥାନ୍ତି । ଏକା ଏକା ବାଟ ଚାଲିଥିଲେ, ତୁମେ ଦୁହେଁ ଆହୁରି ଦାମ୍ଭିକ ହୋଇପାରିଥାନ୍ତ; ପ୍ରକୃତ ଜୀବନକୁ ଚିହ୍ନିପାରିଥାନ୍ତ । ତୁମ ଆସିବା ଫଳରେ ଏତିକି ସନ୍ତୁଷ୍ଟ ହେଲି, ରବି ଦାସ ଏବଂ ମୋର ବନ୍ଧୁତ୍ୱକୁ ତୁମେ ଦୁହେଁ ଆହୁରି ନିବିଡ଼ କରିବାକୁ ଯାଉଛ ।

‘‘ଆଜି ଯଦି ରବିଦାସ ଥା’ନ୍ତେ... !’’

ମଦନବାବୁଙ୍କର କୋରଡ଼ିଆ ଆଖିରେ ଏତେ ରାତିରେ ବି ଲୁହ ପୂରିଉଠିଲା ।

ସୀମାଅପା କହିଲେ, ‘‘ଅନ୍ଧାର ବର୍ଷା ରାତିରେ ଏକୁଟିଆ ନ ଆସି ସକାଳେ ହୁଏତ ଆସିପାରିଥାନ୍ତ !’’

ତାଙ୍କ କଥାରେ ଯେମିତି ବାତ୍ସଲ୍ୟ ଭରିରହିଥିଲା ।

ରୁଚି ଅନ୍ୟ କୋଠରୀରେ ଶୋଇପଡ଼ିଥିଲା ।

ମଦନବାବୁ କହିଲେ, “ରାତି ଅଅନେକ ହେଲାଣି, ସାମାନ୍ୟ କିଛି ଖାଇନେଇ ଏଥର ଶୋଇପଡ଼ ।’’

ଶୋଇପଡ଼ିଥିଲେ ସୂର୍ଯ୍ୟ । ସକାଳୁ ବିଳମ୍ବରେ ନିଦ ଭାଙ୍ଗିଛି । ମଦନବାବୁ ଏବଂ ସୀମାଅପାଙ୍କର ସକାଳ ପ୍ରାର୍ଥନା ଶେଷ ହୋଇଗଲାଣି ।

ବାରଣ୍ଡାରେ ଏକୁଟିଆ ବସି ରୁଚି ଗୀତା ପାଠ କରୁଛି ।

ସୂର୍ଯ୍ୟ ଚାହିଁଲା, ଆକାଶରେ ପ୍ରଚଣ୍ଡ ଦୀପ୍ତି ।

ଫୁଟା ଫୁଲରେ ପ୍ରଚୁର ସୌରଭ ।

ଜୀବନରେ ପ୍ରଚୁର ସ୍ୱାଦୁ ।

ଆରମ୍ଭ : ୧୫ । ୫ । ୭୦

ଶେଷ : ୨୮ । ୭ । ୭୦

ବେରବୋଇ

ହରିପୁର

ପୁରୀ

କଟକ

Image